ସଭ୍ୟତା ବିକାଶରେ ଧାନ

ଧାନର ବିକାଶ ପାଇଁ ଅନେକ ହଜାର ବର୍ଷ ଲାଗିଯାଇଛି। ଏଥିପାଇଁ ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି ଏବଂ କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନ ପ୍ରୟୋଗ ତଥା ଜଳସେଚନର ଆବଶ୍ୟକତା ପଡ଼ଛି। ମଣିଷ ଜଳସେଚନର ବିକାଶ କରି ଧାନଚାଷକୁ ଆଗକୁ ବଢ଼ାଇପାରିଥିଲା। ଚାଷୀମାନେ ପୋଖରୀ, ବନ୍ଧ, କେନାଲ ଏବଂ ନଦୀବନ୍ଧ ତିଆରି କରିଥିଲେ। ସେମାନେ ଜଙ୍ଗଲ ସଫା କରି ଚାଷଜମି କରିଥିଲେ ଏବଂ ସେଥିରେ ଚାଷ କରି ଲୋକଙ୍କୁ ଖାଦ୍ୟ ଯୋଗାଇଲେ। ଏହା ସହ ଲୋକେ ଭାରତର କେତେକ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କଲେ। କହିବାକୁ ଗଲେ ଜଳସେଚନ କେବଳ କୃଷିକୁ ନୁହେଁ ବରଂ ସଭ୍ୟତାକୁ ଏକ ନୂଆ ରୂପ ଦେଇଥିଲା।
ଦକ୍ଷିଣ ଏସିଆରେ ଧାନ ଚାଷର ସର୍ୱପ୍ରଥମ ପ୍ରମାଣ ଏବେକାର ଉତ୍ତର ପ୍ରଦେଶର ଲହୁରାଦଓ୍ୱୋରୁ ମିଳେ। ଏହାର ସମୟ ପ୍ରାୟ ଖ୍ରୀଷ୍ଟପୂର୍ୱ ୬୫୦୦ ରୁ ୫୦୦୦ବୋଲି କୁହାଯାଏ। ଚାଷୀମାନେ କୃତ୍ରିମ ଜଳସେଚନ ବଦଳରେ ବନ୍ୟାଜଳ ଉପରେ ଅଧିକ ନିର୍ଭର କରୁଥିଲେ। ସେତେବେଳେ ସେମାନେ ଧାନ ସହ ଅନ୍ୟାନ୍ୟ ଫସଲ ମଧ୍ୟ ଉତ୍ପାଦନ କରୁଥିଲେ। ଖ୍ରୀଷ୍ଟପୂର୍ୱ ୨୬୦୦ରୁ ୧୯୦୦ ମଧ୍ୟରେ ହରପ୍ପା ସଭ୍ୟତାରେ ମୁଖ୍ୟତଃ ଗହମ, ବାର୍ଲି, ଡାଲି ଜାତୀୟ ଶସ୍ୟ, ରାଶି ଏବଂ ମାଣ୍ଡିଆ ଚାଷ ହେଉଥିଲା। ଗୁଜରାଟ ଏବଂ ପୂର୍ୱ ଭାରତର କେତେକ ସ୍ଥାନ (ହରପ୍ପା ସଭ୍ୟତାର)ରେ ଧାନ ଦେଖିବାକୁ ମିଳିଥିଲା। ହରପ୍ପାବାସୀ କୂଅ, ଜଳାଶୟ ଏବଂ ଉନ୍ନତ ନିଷ୍କାସନ ବ୍ୟବସ୍ଥା କରିଥିଲେ। ପ୍ରକୃତ ପରିବର୍ତ୍ତନ ଖ୍ରୀଷ୍ଟପୂର୍ୱ ୨୦୦୦ରୁ ୧୦୦୦ ମଧ୍ୟରେ ଆସିଥିଲା ଏବଂ ସେତେବେଳେ ପୂର୍ୱ ଭାରତରେ ବିଭିନ୍ନ କୃଷି ପରମ୍ପରା ଦେଖାଯାଇଥିଲା। ଭାଷାଗତ ଏବଂ ଜେନେଟିକ୍‌ ପ୍ରମାଣ ସୂଚାଏ ଯେ ସାନ୍ତାଳ, ମୁଣ୍ଡା, ହୋ ଏବଂ ଖାସି ସମ୍ପ୍ରଦାୟର ପୂର୍ୱପୁରୁଷ ଦକ୍ଷିଣ-ପୂର୍ୱ ଏସିଆରୁ ଏଠାକୁ ଆସିଥିଲେ। ସେମାନେ ଉନ୍ନତ କିସମ ଧାନ ଏବଂ ଜଳ ପରିଚାଳନା ଜ୍ଞାନ ଆଣିିଥିଲେ। ଜେନେଟିକ୍‌ ଗବେଷଣାରୁ ନିଶ୍ଚିତ ହୋଇଛି ଯେ, ସ୍ଥାନୀୟ କିସମ ସହିତ ଦକ୍ଷିଣ-ପୂର୍ୱ ଏସିଆ ଏବଂ ଦକ୍ଷିଣ ଚାଇନାରୁ ଆସିଥିବା ଧାନ ଓ ଚାଷ କୌଶଳର ମିଶ୍ରଣ ଦ୍ୱାରା ହିଁ ଭାରତୀୟ ଧାନ ଏକ ନୂତନ ରୂପ ନେଇଥିଲା। ଭାରତରେ ଧାନଚାଷର ବିକାଶ ଉଭୟ ସ୍ଥାନୀୟ ଉଦ୍ଭାବନ ଏବଂ ବାହ୍ୟ ଜ୍ଞାନର ଆଦାନପ୍ରଦାନରେ ହୋଇଥିଲା।
ଖ୍ରୀଷ୍ଟପୂର୍ୱ ୧୨୦୦ ପରେ ଲୁହାର ବୈଷୟିକ ଜ୍ଞାନକୌଶଳ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା। ଲୁହାଲଙ୍ଗଳ ମାଧ୍ୟମରେ ମଧ୍ୟ ଓ ନିମ୍ନ ଗଙ୍ଗା ଉପତ୍ୟକା ଅଞ୍ଚଳର ଉର୍ୱର ମାଟିକୁ ଚାଷ ଉପଯୋଗୀ କରାଯାଇପାରିଥିଲା। କୃଷି କାର୍ଯ୍ୟ ବିହାର, ବଙ୍ଗଳା ଏବଂ ପୂର୍ୱ ଉତ୍ତର ପ୍ରଦେଶକୁ ବ୍ୟାପିବା ଫଳରେ ଧାନଚାଷ ପ୍ରାଧାନ୍ୟ ଲାଭ କଲା। ବିଭିନ୍ନ ଗ୍ରନ୍ଥରେ ଏହି ପରିବର୍ତ୍ତନର ସୂଚନା ରହିଛି। ଶୁଷ୍କ ଉତ୍ତର-ପଶ୍ଚିମ ଅଞ୍ଚଳରେ ରଚିତ ଋଗ୍‌ବେଦରେ ଧାନ ଅପେକ୍ଷା ବାର୍ଲି (ଯବ) ସମ୍ପର୍କରେ ଅଧିକ ଉଲ୍ଲେଖ ରହିଛି। ପରବର୍ତ୍ତୀ ସମୟରେ ପୂର୍ୱ ଗଙ୍ଗା ଅଞ୍ଚଳରେ ରଚିତ ଶତପଥ ବ୍ରାହ୍ମଣରେ ଧାନଚାଷ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଖ୍ରୀଷ୍ଟପୂର୍ୱ ୬୦୦ରୁ ୩୦୦ ମଧ୍ୟରେ ମହାଜନପଦ (ଭାରତର ୧୬ଟି ସାମ୍ରାଜ୍ୟ)ରେ ଧାନ ପ୍ରମୁଖ ଶସ୍ୟ ହୋଇଥିଲା। ଭଲ ଧାନ ଚାଷ ପାଇଁ ବର୍ଷା ଜଳ ଯଥେଷ୍ଟ ନ ଥିଲା। ଚାଷ ସମୟରେ ଜଳ ସଂରକ୍ଷଣ ଓ ତାହାର ଯୋଗାଣ ଆବଶ୍ୟକ ଥିଲା। ଏଥିପାଇଁ ନଦୀବନ୍ଧ, ପୋଖରୀ, କେନାଲ ଓ ଜଳଭଣ୍ଡାର ନିର୍ମାଣ କରିବାକୁ ପଡ଼ୁଥିଲା। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଅଧିକାରୀମାନେ ଜଳସେଚନ, ବନ୍ଧ ଏବଂ ଜଳ କରର ତଦାରଖ କରୁଥିବାର ବର୍ଣ୍ଣନା କରାଯାଇଛି, ଯାହା ପ୍ରମାଣ କରେ ଯେ ସଂଗଠିତ ଜଳ ପରିଚାଳନା ମୌର୍ଯ୍ୟ ଶାସନର ଏକ ମୁଖ୍ୟ କାର୍ଯ୍ୟ ଥିଲା। ମୌର୍ଯ୍ୟ ଶାସନ କାଳରେ ନିର୍ମିତ ଗୁଜରାଟର ସୁଦର୍ଶନ ହ୍ରଦକୁ ଅନେକ ଶତାବ୍ଦୀ ଧରି ମରାମତି କରାଯାଇଥିଲା। ତାହା ଜଳ ସଂରକ୍ଷଣ କରିବା ସହ ନିକଟସ୍ଥ ଚାଷଜମିକୁ ଜଳ ଯୋଗାଇ ଦେଉଥିଲା।
ଦକ୍ଷିଣ ଭାରତରେ ପ୍ରଭାବଶାଳୀ ଜଳସେଚନ ବ୍ୟବସ୍ଥା ଗଢ଼ିଉଠିଥିଲା। ଚିରସ୍ରୋତା ନଦୀ ନ ଥିବାରୁ ଏହି ଅଞ୍ଚଳ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା। ସ୍ଥାନୀୟ ଲୋକମାନେ ଅନେକ ହଜାର ପରସ୍ପର ସହିତ ସଂଯୁକ୍ତ ପୋଖରୀ ବା ଜଳାଶୟ ନିର୍ମାଣ କରି ସମଗ୍ର ଅଞ୍ଚଳରେ ପାଣି ପହଞ୍ଚାଇଥିଲେ। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀଗୁଡ଼ିକରୁ କୃଷ୍ଣା, ଗୋଦାବରୀ ଏବଂ କାବେରୀ ନଦୀ ଅବବାହିକାରେ ଜଳସେଚନର ଦ୍ରୁତ ପ୍ରସାର ଘଟିଥିଲା। କାବେରୀ ନଦୀ ଉପରେ ନିର୍ମିତ ଏବଂ ପାରମ୍ପରିକ ଭାବେ ଚୋଳ ରାଜା କରିକାଲାଙ୍କ ଦ୍ୱାରା ନିର୍ମିିତ ବୋଲି କୁହାଯାଉଥିବା ‘କଲ୍ଲାନାଇ’ ବା ଗ୍ରାଣ୍ଡ ଆନିକଟରୁ ନଦୀ ଜଳକୁ ବିଭିନ୍ନ କେନାଲରେ ପ୍ରବାହିତ କରାଯାଇଥିଲା। ଏହା ଏବେ ବି କାର୍ଯ୍ୟକ୍ଷମ ଅଛି ଏବଂ ପୃଥିବୀର ସବୁଠାରୁ ପୁରୁଣା ଜଳ-ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ। ସପ୍ତମରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଜଳସେଚନ ପଲ୍ଲବ, ଚୋଳ, ପାଣ୍ଡ୍ୟ, ଚାଲୁକ୍ୟ, ରାଷ୍ଟ୍ରକୂଟ ଏବଂ ହଏସଳ ସାମ୍ରାଜ୍ୟର ଉତ୍‌ଥାନରେ ପ୍ରମୁଖ ଭୂମିକା ନେଇଥିଲା। ଶିଳାଲେଖଗୁଡ଼ିକରେ ପୋଖରୀ, କେନାଲ, ବନ୍ଧ, ସ୍ଲୁଇସ୍‌ ଗେଟ୍‌ ଏବଂ କୂଅ ନିର୍ମାଣ ଓ ମରାମତି ବିଷୟରେ ସୂଚନା ମିଳେ। ଏହି କାର୍ଯ୍ୟ ପାଇଁ କେବଳ ରାଜାମାନେ ନୁହନ୍ତି ବରଂ ଗ୍ରାମସଭା, ମନ୍ଦିର, ବ୍ୟବସାୟୀ ସଂଘ ଏବଂ ସ୍ଥାନୀୟ ଲୋକେ ଅର୍ଥ ଯୋଗାଉଥିଲେ। ଜଳସେଚନ ଏକ ସାମୂହିକ ନାଗରିକ ପ୍ରକଳ୍ପ ଥିଲା। ଏହାର ସକାରାତ୍ମକ ପରିଣାମ ଫସଲ ଅମଳରୁ ସ୍ପଷ୍ଟ ଜଣାପଡ଼ୁଥିଲା। ଅଧିକ ଜଙ୍ଗଲ ସଫା କରାଯାଇ ଅଧିକ ଜମିରେ ଚାଷ ହେଲା ଏବଂ ଅମଳ ବୃଦ୍ଧି ଘଟିଲା। ମଗଧ, ବଙ୍ଗ ଏବଂ କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ବଳକା ଶସ୍ୟ ଉତ୍ପାଦନ ହୋଇଥିଲା। ଏହି ବଳକା ଉତ୍ପାଦନ ଯୋଗୁ ଶସ୍ୟ ଶସ୍ତା ହେବା ସହ ଖାଦ୍ୟ ଯୋଗାଣ ସ୍ଥିର ରହିଥିଲା। ପ୍ରାୟ ୪୦୦ ଖ୍ରୀଷ୍ଟାବ୍ଦରେ ଗୁପ୍ତ ସାମ୍ରାଜ୍ୟ ସମୟରେ ଭାରତ ଭ୍ରମଣ କରିଥିବା ଚାଇନା ପରିବ୍ରାଜକ ଫାହିଆନ୍‌ ଏହାକୁ ଏକ ସମୃଦ୍ଧ ସ୍ଥାନ ଭାବରେ ବର୍ଣ୍ଣନା କରିଛନ୍ତି । ଏଠାରେ ଦୈନିକ ବ୍ୟାପାର ପ୍ରାୟତଃ କଉଡ଼ି ମାଧ୍ୟମରେ ଚାଲୁଥିଲା। ଚାଉଳ ଅତି ଶସ୍ତା ଥିଲା ଏବଂ ପ୍ରଚୁର ପରିମାଣରେ ମିଳୁଥିଲା। ଏହି ସ୍ଥିତି କେବଳ ଅନେକ ଶତାବ୍ଦୀର ଜଳସେଚନ ବ୍ୟବସ୍ଥା ଦ୍ୱାରା ସମ୍ଭବ ହୋଇପାରିଥିଲା।
ଚୋଳ ସାମ୍ରାଜ୍ୟରେ (ପ୍ରାୟ ୯୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ) ଧାନ ଚାଷ ବିକଶିତ ସ୍ତରରେ ପହଞ୍ଚତ୍ଥିଲା। କାବେରୀ ନଦୀର ତ୍ରିକୋଣଭୂମି ଏସିଆର ସମୃଦ୍ଧ କୃଷି ପ୍ରଧାନ ଅଞ୍ଚଳରେ ପରିଣତ ହୋଇଥିଲା। ଏହିଅଞ୍ଚଳ ବହୁ ସହର, ମନ୍ଦିର, ବଜାର ଏବଂ ବିଦେଶୀ ବାଣିଜ୍ୟ ପାଇଁ ଖାଦ୍ୟ ଯୋଗାଉଥିଲା। ସେହି ସମୟର ଶିଳାଲେଖଗୁଡ଼ିକରେ ଧାନ ଚାଷ ପାଇଁ ଆର୍ଦ୍ର ଜମି ଏବଂ ମାଣ୍ଡିଆ ଓ ଡାଲି ଜାତୀୟ ଶସ୍ୟ ଚାଷ ପାଇଁ ଶୁଷ୍କ ଜମି ଆବଶ୍ୟକ ବୋଲି ଦର୍ଶଯାଇଛି। ଏହାସହ ବେଙ୍ଗଲ ମଧ୍ୟ ସମାନ୍ତରାଳ ଭାବେ ଏକ ପ୍ରମୁଖ ଧାନ ଉତ୍ପାଦନ ଅଞ୍ଚଳ ଭାବେ ଉଭା ହୋଇଥିଲା। ୧୫୦୦ ଖ୍ରୀଷ୍ଟାବ୍ଦ ବେଳକୁ ଭାରତ ବିଶ୍ୱର ସର୍ୱ ବୃହତ ଧାନ ଉତ୍ପାଦନକାରୀ ହୋଇପାରିଥିଲା। ଏହି ଅଞ୍ଚଳ ଆସାମ ଓ ବଙ୍ଗରୁ ଆରମ୍ଭ କରି ଗଙ୍ଗାନଦୀ ସମତଳ ଭୂମି ଦେଇ ଦକ୍ଷିଣ ଭାରତର ନଦୀ ଡେଲ୍ଟା ପର୍ଯ୍ୟନ୍ତ ବ୍ୟାପିଥିଲା। କୌଣସି ଜଣେ ଶାସକ କିମ୍ୱା କୌଣସି ଏକ ନିର୍ଦିିଷ୍ଟ ଆବିଷ୍କାର ଦ୍ୱାରା ଏହା ସମ୍ଭବ ହୋଇ ନ ଥିଲା। ଏଥିପାଇଁ ଅନେକ ଶତାବ୍ଦୀ ଧରି ଜନବସତି ସ୍ଥାପନ, ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ସଫା କରିବା ଏବଂ ଜଳ ସମ୍ପଦରେ ନିରନ୍ତର ପୁଞ୍ଜିନିବେଶ କରିବାକୁ ପଡ଼ିଥିଲା। ଏହାକୁ ନିୟନ୍ତ୍ରଣ କରିବା ଶିଖି ଭାରତୀୟ ସମୁଦାୟ ସେମାନଙ୍କର ଭୂମି ଏବଂ ସମାଜକୁ ଏକ ନୂଆ ରୂପ ଦେଇଥିଲେ। ଜଳସେଚନ କେବଳ ଧାନ ଉତ୍ପାଦନ ବଢ଼ାଇ ନ ଥିଲା ବରଂ ଏହା ବଡ଼ ସାମ୍ରାଜ୍ୟ ମଧ୍ୟ ଗଠନ କରିଥିଲା।
-devduttofficial@gmail.com