ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଟକ, ସଚେତନତା ରାଲି ଓ ସଭା ମାଧ୍ୟମରେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ମଣିଷ-ବନ୍ୟପ୍ରାଣୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନେଇ ସାଧାରଣରେ ବାର୍ତ୍ତା ବାଣ୍ଟିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମକୁ ‘ସ୍ନେହା’ ଏନ୍ଜିଓ, ଘୁମୁସର ଉତ୍ତର ବନଖଣ୍ଡ ଏବଂ ଟାଟା ପାୱାର, ଭଞ୍ଜନଗର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା। ଏଥିରେ ଘୁମୁସର ଉତ୍ତର ବନଖଣ୍ଡ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ କିପରି ହ୍ରାସ କରାଯାଇପାରିବ, ସେ ନେଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ।
ସମ୍ମାନିତ ଅତିଥି ଭାବେ ମୁଜାଗଡ଼ ରେଞ୍ଜର ସରୋଜ ମହାନ୍ତି, ମୁଜାଗଡ଼ ଫରେଷ୍ଟର ରାଜେନ୍ଦ୍ର ଦଳେଇ, ଭଞ୍ଜନଗର ବ୍ଲକ ଏମ୍ପି ପ୍ରତିନିଧି ଧୋବା ଗୌଡ଼ ଏବଂ ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପି. କୁନିଆମ୍ମା ଦୋରା ସଭାରେ ଅଧ୍ୟକ୍ଷତା କରି ସମସ୍ତ ବିଭାଗ ଓ ସହଯୋଗୀ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ସମ୍ପର୍କରେ ଅନେକ ବ୍ୟାବହାରିକ ଜ୍ଞାନ ଆହରଣ କରିପାରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।
ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ତ୍ରିନାଥ ବେହେରା, ବାବୁଲାଲ ଗୌଡ଼, ଅଜିତ୍ ନାୟକ, ରମାକାନ୍ତ ନାଗ, ଅଧ୍ୟାପିକା ସଙ୍ଗୀତା ସ୍ୱାଇଁ ଓ ଶ୍ରାବଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ‘ସ୍ନେହା’ ଅନୁଷ୍ଠାନର କର୍ମଚାରୀ ପ୍ରଶାନ୍ତ କୁମାର ରାଉତ ଓ ଅଜିତ୍ ସାହୁ ସଭା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା “ଲଢ଼େଇ ନୁହେଁ, ଆମେ ଚାହୁଁ ସହାବସ୍ଥାନ” ଶୀର୍ଷକ ଏକ ଶିକ୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ଏହା ସହିତ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।