ଖାଇବାକୁ ଦେଲେନି… ଧକ୍କା ମାରି ଘରୁ ବାହାର କରିଦେଲେ, ବୃଦ୍ଧା ବିଧବା ମା’ ଥାନାରେ ଦ୍ୱାରସ୍ଥ

ହାଟଡିହୀ/ଛେନାପଦୀ,୨୯ା୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ମା’ ଏମିତି ଏକ ଶବ୍ଦ ଅଟେ, ଯାହା ପାଖରେ ସ୍ନେହ, ମମତା ପୁରି ରହିଥାଏ । ଯିଏ ନିଜେ ଗଣ୍ଡେ ପେଟ ପୁରା ନଖାଇ, ଭଲ ଖଣ୍ଡେ ନପିନ୍ଧି ନିଜ ଛୁଆଙ୍କ ପାଇଁ ରଖିଥାଏ, ସେହି ମା’ ଆଜି ଅବହେଳିତ ହେଉଛି । ମା’ ଭାବିଥିଲା ପରିଣତ ବୟସରେ ପୁଅ ତାପାଇଁ ଆଶାର ବାଡ଼ି ଓ ଜୀବନର ସାହାରା ପାଲଟିବ । କିନ୍ତୁ ପରିଣତ ବୟସରେ ବୃଦ୍ଧ ମା’ ଏବେ ବଞ୍ଚିବାର ରାହା ଖୋଜୁଛି । ଏପରି ଏକ ଦୁଃଖ ଘଟଣା କେନ୍ଦୁଝର ଜିଲା ନନ୍ଦିପଦା ଥାନା ସ୍ଥିତ ଶଙ୍ଖଣା ଗ୍ରାମରୁ ସାମ୍ନାକୁ ଆସିଛି ।

ଖବର ଅନୁସାରେ, ଶଙ୍ଖଣା ଗ୍ରାମର ସ୍ବର୍ଗତଃ ଗୟାଧର ଘଡେଇ ପ୍ରାୟ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଝିଅ ବାହା ହୋଇ ଶାଶୁ ଘର ଯିବା ପରେ ବୃଦ୍ଧା ବିଧବା ମା’ ଜଞ୍ଜାଳି ଘଡେଇ (୭୫ ବର୍ଷ) ପାଳି କରି ଦୁଇ ପୁଅ କ୍ଷୀରୋଦ ଏବଂ ପ୍ରମୋଦଙ୍କ ପାଖରେ ମାସେ ଲେଖାଏଁ ରହି ଦିନ କାଟନ୍ତି । ଦୁଇ ପୁଅ ମା’ ପାଇଁ ଆଶା, ଭରଷା ଏବଂ ସାହାରା ପାଲଟି ଥିଲେ । ଦେହରେ ବଳ ନଥିବା, ଅଣ୍ଟା ନଇଁ ପଡ଼ିଥିବା ଏବଂ ଆଖିକୁ ଭଲ ଭାବେ ଦିଶୁନଥିବା ଜଞ୍ଜାଳି ନିଜ ପୁଅ ପାଖରୁ ନିର୍ଯାତନା ପାଇ ଡହ ଡହ ଖରାରେ ଚାଲି ଚାଲି ଆସି ବୁଧବାର ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସାନ ପୁଅ କ୍ଷୀରୋଦ ତାଙ୍କୁ ଖାଇବାକୁ ନଦେଇ ଧକ୍କା ମାରି ଘରୁ ବାହାର କରିଦେଇଥିବା ନେଇ ପୋଲିସ ପାଖରେ ଜଞ୍ଜାଳି କାନ୍ଦି କାନ୍ଦି କହିଥିଲେ । ପରିଣତ ବୟସରେ ପରର ମୂଳ, ମଜୁରୀ ଲାଗି ପେଟ ପୋଷିବା ପାଇଁ ବଳ ନଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ କେଉଁଠାକୁ ଯିବେ ବୋଲି ପୋଲିସ ନିକଟରେ ଜଞ୍ଜାଳି ପ୍ରକାଶ କରିଥିଲେ । ଏପରି ଘଟଣା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପୋଲିସ କହିଛି ଯେ ଏନେଇ ଅଭିଯୋଗ ହେବା ପରେ ସାନ ପୁଅ ଏବଂ ବୋହୂ ଉଭୟଙ୍କୁ ଥାନାକୁ ଡକାଯାଇଛି । ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ଅନୁଧ୍ୟାନ କରାଯାଉଛି ।

 

Dharitri – Odisha’s No.1 Odia Daily

Share