ଗୁଡ଼ାରୀ, ୨୩/୧୧ (ପ୍ରମୋଦ କୁମାର ପତି): ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ଭାବେ ପରିଚିତ ପଦ୍ମପୁର–ଗୁଡ଼ାରୀ–ରାଇବିଜି ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ ବର୍ଷରେ ହାତକୁ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍ର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗଙ୍କ ପକ୍ଷରୁ ବିଧାନସଭାରେ ଉତ୍ଥାପିତ ଅଣତାରକା ପ୍ରଶ୍ନ ନଂ. ୧୩୦୩ର ତାରିଖ ୨୧.୧୧.୨୦୨୬ରେ ଦିଆଯାଇଥିବା ଉତ୍ତରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ୨୦୨୯-୩୦ ଆର୍ଥିକ ବର୍ଷରେ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏହି ନିଷ୍ପତ୍ତି ଦୀର୍ଘଦିନ ଧରି ଉନ୍ନତ ରାସ୍ତା ପାଇଁ ଦାବି କରିଆସୁଥିବା ଅଞ୍ଚଳବାସୀଙ୍କୁ ନିରାଶ କରିଛି।
ପଦ୍ମପୁର–ଗୁଡ଼ାରୀ–ରାଇବିଜି ରାସ୍ତା କେବଳ ଏକ ସାଧାରଣ ଯାତାୟାତ ମାର୍ଗ ନୁହେଁ, ବରଂ ଏହା ସମଗ୍ର ଗୁଣପୁର ଉପଖଣ୍ଡର ଯୋଗାଯୋଗ ଓ ବିକାଶର ଏକ ପ୍ରମୁଖ ଜୀବନରେଖା। ଏହି ରାସ୍ତା ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍କୁ ଉପଖଣ୍ଡ ସଦର ମହକୁମା ଗୁଣପୁର ସହ ସଂଯୋଗ କରୁଛି। ଏହା ପଡ଼ୋଶୀ କନ୍ଧମାଳ ଓ କଳାହାଣ୍ଡି ଜିଲାକୁ ମଧ୍ୟ ସଂଯୋଗ କରୁଛି। ଏଥିସହ ଜାତୀୟ ରାଜପଥ-୩୨୬ ଓ ରାଜ୍ୟ ରାଜପଥ-୫କୁ ମଧ୍ୟ ସଂଯୋଗ କରୁଛି।
ଏହି ରାସ୍ତା ଉପରେ ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବା, ଶିକ୍ଷା, ବ୍ୟବସାୟ, ଗମନାଗମନ ଓ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ନିର୍ଭରଶୀଳ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଓ ଅପେକ୍ଷାକୃତ ଅନୁନ୍ନତ ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏହି ରାସ୍ତାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଆବଶ୍ୟକ ପ୍ରଶସ୍ତୀକରଣ ଅଭାବରୁ ରାସ୍ତାରେ ଯାତାୟାତ ଓ ଯାନବାହନ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଭାବ ଜରୁରୀକାଳୀନ ସେବା, ସାଧାରଣ ପରିବହନ ଓ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡ଼ୁଛି।
ଏଭଳି ଏକ ଅତ୍ୟାବଶ୍ୟକ ଜନସ୍ୱାର୍ଥ ସମ୍ପନ୍ନ ପ୍ରକଳ୍ପକୁ ୨୦୨୯-୩୦ ପର୍ଯ୍ୟନ୍ତ ଘୁଞ୍ଚାଇବାର ଯଥାର୍ଥତା କ’ଣ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଯେଉଁ ସମୟରେ ରାଜ୍ୟ ସରକାର ଆଦିବାସୀ ଓ ପଛୁଆ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବା କଥା କହୁଛନ୍ତି, ସେହି ସମୟରେ ଏହି ଜୀବନରେଖା ରାସ୍ତାର ପ୍ରଶସ୍ତୀକରଣକୁ ଆହୁରି କିଛି ବର୍ଷ ଘୁଞ୍ଚାଇବା ଅଞ୍ଚଳର ବିକାଶ ପ୍ରତି ଅବହେଳା ବୋଲି ମତ ପ୍ରକାଶ ପାଇଛି।
ତେଣୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ନିକଟରେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ୨୦୨୯-୩୦ ଆର୍ଥିକ ବର୍ଷକୁ ଅପେକ୍ଷା ନ କରି ତୁରନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି। ପଦ୍ମପୁର, ଗୁଡ଼ାରୀ ଓ ଚନ୍ଦ୍ରପୁର ବ୍ଲକ୍ର ଜନସାଧାରଣ ଏହି ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି।