ଦୁଷ୍ଟପ୍ରୀତି କାଲି ଓ ଆଜ

ଅଲେଖ ଚନ୍ଦ୍ର ମିଶ୍ର

ଜଙ୍ଗଲରେ ଓଟଟିଏ ଅକସ୍ମାତ୍‌ ଗୋଷ୍ଠରୁ ଅଲଗା ହୋଇଯାଇ ବାଟବଣା ହୋଇଗଲା ଓ ଏକ ସିଂହ ହାବୁଡ଼ରେ ପଡ଼ିଗଲା। ସିଂହକୁ ଦେଖି ସେ ଏତେ ଭୀତତ୍ରସ୍ତ ହୋଇପଡ଼ିଲା ଯେ ତା’ର ଗର୍ଭରେ ଥିବା ଶାବକଟିଏ ଜନ୍ମ ହୋଇ ପଡ଼ିଲା। ସିଂହ ତ ତାକୁ ମାରି ତା’ର କ୍ଷୁଧା ଉପଶମ କଲା କିନ୍ତୁ ଶାବକଟି ପ୍ରତି ତା’ର ଦୟା ହେଲା ଏବଂ ତାକୁ ନେଇଯାଇ ପାଳନ କଲା। କିଛିଦିନ ସେ ହୃଷ୍ଟପୁଷ୍ଟ ହୋଇଗଲା। ଓଟ ଶାବକକୁ ଦେଖି ସିଂହର ଚାରିପାଖରେ ଥିବା ଚିତାବାଘ, ହେଟା, ଶୃଗାଳ, ଭଲ୍ଲୁକ କେମିତି ତାକୁ ମାରି ଖାଇବେ ଯୋଜନାରେ ଲାଗି ପଡ଼ିଲେ। କିଛିଦିନ ପରେ ସୁଯୋଗଟିଏ ଆସିଲା। କୌଣସି କାରଣରୁ ସିଂହଟି ଅସୁସ୍ଥ ହୋଇପଡ଼ିଲା ଏବଂ ଶିକାର କରିବାକୁ ଅକ୍ଷମ ହୋଇଗଲା; ଫଳରେ ତାକୁ ଅନାହାରରେ ରହିବାକୁ ପଡ଼ିଲା। ତା’ର ଆଶ୍ରିତମାନେ ବି କଷ୍ଟ ଭୋଗିଲେ। ଶେଷକୁ ସେମାନେ ଏକ ଉପାୟ ପାଞ୍ଚିଲେ ଏବଂ ଓଟଟି ସହିତ ପରାମର୍ଶ କରି ପଶୁରାଜଙ୍କର ଦୁର୍ଦ୍ଦିନରେ ଆବଶ୍ୟକ ପଡ଼ିଲେ ଆତ୍ମୋତ୍ସର୍ଗ କରିବାକୁ ସ୍ଥିର କଲେ। ଏହି ନିଷ୍ପତ୍ତିକୁ ସେମାନେ ସିଂହ ନିକଟରେ ଗୁପତରେ ଉପସ୍ଥାପିତ କରି ପ୍ରସ୍ତାବଟିକୁ ପରୋକ୍ଷରେ କହିଲେ; ମଣିମା, ଏମିତି ଅନାହାରରେ ଆଉ କେତେ ଦିନ ରହିବେ ? ଆମେ କ’ଣ କହୁଥିଲୁ କି ଏଇ ଓଟଟିକୁ ମାରି ତା’ର ମାଂସ … ସେମାନଙ୍କର କଥା ସରିନି ସିଂହ ଗର୍ଜି ଉଠିଲା, ଆଶ୍ରିତକୁ ରକ୍ଷାକରିବା ରାଜାର କର୍ତ୍ତବ୍ୟ। ଏପରି କଥା କହିବ ତ ତୁମ ସମସ୍ତଙ୍କୁ ମାରିଦେବି। ହେଲେ ତା’ର ଧମକ ଶୁଣି ଡରି ନ ଯାଇ ଚାରିଜଣ ଯାକ ଏକାବେଳେ କହି ଉଠିଲେ, ସେ କଥା କ’ଣ ଆମ୍ଭେମାନେ ଜାଣିନୁ ମଣିମା। କଥା କ’ଣ କି ଯଦି ଓଟଟି ନିଜ ଇଚ୍ଛାରେ ମରିବାକୁ ଚାହେଁ ? ତେବେ ମୁଁ ନିରୁପାୟ, ସିଂହ ଉତ୍ତର ଦେଲା। ତା’ପରଦିନ ଓଟଟି ସହିତ ସମସ୍ତେ ସିଂହକୁ ଦେଖାକଲେ ଏବଂ ତା’ର ପଥ୍ୟ ପାଇଁ ପ୍ରତ୍ୟେକେ ନିଜ ନିଜର ପ୍ରାଣକୁ ବଳି ଦେବାପାଇଁ ଆଗଭର ହେଲେ । ହେଲେ ସେମାନେ ତାଙ୍କର ଉକ୍ତିକୁ ଏପରି ଢଙ୍ଗରେ ଉପସ୍ଥାପିତ କଲେ ଯେ ଜଣଙ୍କର କଥା ନ ସରୁଣୁ ଅନ୍ୟ ଜଣେ ଆଗେଇ ଆସି ନିଜକୁ ସମର୍ପିତ କରି ଦେଉଥିଲା। ଶେଷରେ ଓଟଟିର ପାଳି ପଡ଼ିଲା। ସେ ବି ସେମାନଙ୍କ ଭଳି କହିଲା ପ୍ରଭୁ ଏ ଜୀବନଟା ତ ଆପଣଙ୍କ ଦାନ। ଯଦି ଆପଣଙ୍କ କାମରେ ଚାଲିଯାଏ ସେଇଟା ମୋର ଭାଗ୍ୟ। ତା’ର କଥା ନ ସରୁଣୁ ଚିତାବାଘ ତା’ ଉପରକୁ ଝାମ୍ପି ପଡ଼ି ତାକୁ ମାରିଦେଲା ଓ ସିଂହ ସମ୍ମୁଖରେ ରଖିଦେଲା।
ସ୍ବନାମଧନ୍ୟ ପଣ୍ଡିତ ବିଷ୍ଣୁଶର୍ମାକୃତ ପ୍ରଖ୍ୟାତ ସଂସ୍କୃତ ଗ୍ରନ୍ଥ ‘ପଞ୍ଚତନ୍ତ୍ର’ର ମିତ୍ରଭେଦ ନାମକ ତନ୍ତ୍ରରେ ସ୍ଥାନୀତ ଏଇ କ୍ଷୁଦ୍ର ଆଖ୍ୟାୟିକାରେ ଅନ୍ତର୍ନିହିତ ସନ୍ଦେଶ ହେଲା ଦୁଷ୍ଟ ସହ ବନ୍ଧୁତା ଅକାଳ ମୃତ୍ୟୁର କାରଣ ହୁଏ। ଏହାର ଅନେକ ଦୃଷ୍ଟାନ୍ତ ରହିଆସିଛି ଏବଂ ରହିଥିବ। ରାବଣ ସହିତ ସମ୍ପର୍କ ହେତୁ ବିଚରା ନିର୍ଦ୍ଦୋଷ କୁମ୍ଭକର୍ଣ୍ଣ ଅକାଳ ମମୃତ୍ୟୁବରଣ କରିଥିଲା। ଦୁର୍ଯ୍ୟୋଧନ ପାଇଁ ଦୁଃଶାସନ, ଭୀଷ୍ମାଦିଙ୍କୁ ସେଇଦଶା ଭୋଗିବାକୁ ପଡ଼ିଥିଲା। କୁମ୍ଭୀର ସହିତ ବନ୍ଧୁତା କରି ବିଚରା ନିରୀହ ମାଙ୍କଡ଼ଟି ମୃତ୍ୟୁ ମୁଖକୁ ଟାଣିହୋଇ ଯାଉଥିଲା । ବ୍ରଜନାଥ ବଡଜେନାଙ୍କର କ୍ଷେତ୍ରପାଳ ଭୂମିଜଠାରୁ ଆରମ୍ଭ କରି ବ୍ୟାସକବିଙ୍କର ହରକଳା(ଚ଼ମ୍ପା), ଉସମାନତାରା ଯାଏ ସମସ୍ତେ ଗୋଟିଏ ଗୋଟିଏ ଖଳ ଚରିତ୍ରର ତଥା ଦୁଷ୍ଟପ୍ରୀତିର ପରିଚାୟକ।
ସାମ୍ପ୍ରତିକ ସମାଜରେ ଏହାର ସଂଖ୍ୟାତୀତ ଦୃଷ୍ଟାନ୍ତ ଖବରକାଗଜର ପୃଷ୍ଠା ମଣ୍ଡନ କରୁଅଛି। ଅନେକ ଘଟଣା ଅଜଣା ଅଶୁଣା ବି ରହିଯାଉଅଛି। ଗାଁ ସ୍କୁଲରୁ କୃତିତ୍ୱର ସହିତ ହାଇସ୍କୁଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଖିରେ ଆଖିଏ ସ୍ବପ୍ନ ଓ ମୁଣ୍ଡରେ ମାତାପିତାଙ୍କର ଅନେକ ଭରସା ନେଇ ସହରରେ ପାଦ ଥାପିଥିବା ମେଧାବୀ ଛାତ୍ରଟିଏ ସହରୀ ଅବହାୱାର ଚକ୍ରବୂ୍ୟହରେ ପଡ଼ି ଖୁବ୍‌ଶୀଘ୍ର ଲକ୍ଷ୍ୟଚ୍ୟୁତ ହୋଇଯାଏ। ବାଟହୁଡ଼ି ବ୍ୟାଙ୍କ ଡକାୟତି, ଏଟିଏମ୍‌ ଲୁଟ, ମାଫିଆମାନଙ୍କର ଗ୍ୟାଙ୍ଗୱାର, ଗଣବଳାତ୍କାର, ସାଇବର୍‌ କ୍ରାଇମ ଇତ୍ୟାଦି ଅସାମାଜିକ କୁକର୍ମରେ ସଂଶ୍ଲିଷ୍ଟ ହୋଇପଡ଼େ। ଝିଅଟିଏ ବ୍ଲାକମେଲିଂ, ବିଭିନ୍ନ ସୋସିଆଲ ନେଟୱର୍କ ସାଇଟର ପ୍ରଲୋଭନ ଇତ୍ୟାଦିର ଶିକାର ହୋଇ ଆତ୍ମହତ୍ୟାକୁ ଆପଣେଇଥାଏ। କର୍ମଜୀବୀ ମହିଳାମାନେ ନିଜର ଇଚ୍ଛା ବିରୋଧରେ ଅନେକ ଅବାଞ୍ଛନୀୟ ଅଘଟଣର ଶରବ୍ୟ ହୋଇଥାନ୍ତି। ଏ ସବୁର ମୂଳରେ ଥାଏ କୁସଙ୍ଗର ପ୍ରଭାବ। ଇଣ୍ଟରନେଟ, ଇମେଲ, ମିସକଲ, ରଙ୍ଗ୍‌ ନମ୍ବର ଅଥବା ମୋବାଇଲ ମେସେଜର ପ୍ରଲୋଭନକୁ ଏଡ଼େଇ ନ ପାରି ଅନେକ ଲୋକ ଠକାମିର ଶିକାର ହେଉଛନ୍ତି। କେହି କେହି ଶଠତା ଓ ଭଣ୍ତାମିକୁ ବୁଝି ନ ପାରି ଜୀବନ ବରବାଦ କରନ୍ତି ତ ଅନ୍ୟକେହି କେଉଁ ଅଜଣା ବାଇ ହାବୁଡ଼ରେ ପଡ଼ି ଅନ୍ଧାର କୋଠରି ଭିତରକୁ ଠେଲି ହୋଇଯାନ୍ତି। ଏ କ୍ଷେତ୍ରରେ ଚଳଚ୍ଚିତ୍ର, ଦୂରଦର୍ଶନ, ଆଲବମ ଚାକିରି ଇତ୍ୟାଦିର ମୋହ ଅନେକଙ୍କୁ ଦଲାଲଙ୍କର କବଳକୁ ଟାଣି ନେଇଥାଏ। ଏହାଛଡ଼ା ଅଗ୍ନିକୁ ବାୟୁ ସହାୟତା କରିଲା ଭଳି ଆଜିକାଲି ଠକ ବାବା ବା ଗୁରୁଙ୍କର ପ୍ରଭାବ କିଛି କମ୍‌ ନୁହେଁ। ସେମାନଙ୍କର ଚଞ୍ଚକତା ଅଥବା ଚମତ୍କାରିତାରେ ପ୍ରଭାବିତ ହୋଇ କେତେ ଯେ ପରିବାର ବରବାଦ ହୋଇଛି ତାହାର ହିସାବ ନାହିଁ। ନିଜକୁ ସୁହାଇଲା ଭଳି କଥାଟିଏ ଶୁଣିଲେ ଯେ କୌଣସି ଲୋକ ସ୍ବଭାବତଃ ଆକୃଷ୍ଟ ହୋଇଥାଏ। ଏହାର ଫାଇଦା ଉଠାନ୍ତି ଧୂର୍ତ୍ତମାନେ।
ଦିନଥିଲା ଯେତେବେଳେ ଦୁଷ୍ଟ ଚରିତ୍ରଟିଏ ଖୋଜି ବାହାର କରିବାକୁ ପଡୁଥିଲା। ଏବେ କିନ୍ତୁ ସତ୍‌ ଚରିତ୍ରଟିଏ ଖୋଜିବାକୁ ପଡୁଛି। ଏଭଳି ବିଷମ ପରିସ୍ଥିତିରେ ଜୀବନଯାତ୍ରା ଖଣ୍ଡାଧାରରେ ଚାଲିବା ସଦୃଶ ହୋଇପଡ଼ିଛି। ତେଣୁ ଯାହାକିଛି କଲେ ବି ଅନେକ ଥର ଭାବିଚିନ୍ତି ନିଜର ପିତାମାତା ତଥା ଗୁରୁଜନମାନଙ୍କର ଜ୍ଞାତସାରରେ ଏବଂ ଆବଶ୍ୟକ ସ୍ଥଳରେ ସେମାନଙ୍କର ଉପସ୍ଥିତିରେ କରିବା ଉଚିତ। ସବୁ କଥାର ଗୋଟିଏ ସକାରାତ୍ମକ ସ୍ଥିତି ଥାଏ। ଏହାର ଫାଇଦା ଉଠେଇବା ଦରକାର।
ଦୈନନ୍ଦିନ ଜୀବନରେ କିଛିମାତ୍ରାରେ ସତର୍କତା ଅବଲମ୍ବନ କଲେ ଅନେକ ଘଟଣାକୁ ଏଡ଼େଇ ଦେଇ ହେବ। ଏଇ ଯେମିତି ଅପରିଚିତ ଲୋକଠାରୁ କୌଣସି ଉପହାର ବିଶେଷକରି ଖାଦ୍ୟପେୟ ଗ୍ରହଣ ନ କରିବା, ବୃଥା ପ୍ରଶଂସା ବା ବିନା ଜିଜ୍ଞାସାରେ ଅନେକ କଥା କହୁଥିବା ଲୋକଠାରୁ ଦୂରତା ରକ୍ଷା କରିବା, ଅପ୍ରତ୍ୟାଶିତ ଧନପ୍ରାପ୍ତି ପଛରେ ନ ଧାଇଁବା, ଅନେକ ପଦସ୍ଥ ଅଧିକାରୀଙ୍କର ପରିଚୟ ଦେଉଥିବା ଲୋକକୁ ଏଡ଼େଇଯିବା, ବ୍ୟବସାୟିକ ବା ଟଙ୍କାପଇସା ଦେଣନେଣରେ ଲୋକଙ୍କର ପଟ୍ଟଭୂମିକୁ ଜାଣିବା, ଏପରି କି ସାମାନ୍ୟ ଲିଫ୍ଟ ଦେଲାବେଳେ ବି ସତର୍କ ହେବା ଇତ୍ୟାଦି। ସବୁଠାରୁ ବଡ଼କଥା ହେଲା ସଂଶୟାଚ୍ଛନ୍ନ ବିଷୟରେ ତାତ୍କାଳିକ ନିଷ୍ପତ୍ତି ନ ନେଇ କିଛି ସମୟ ଗଡ଼େଇ ଦେବା, ଯାହା ଭିତରେ ପରିସ୍ଥିତି ହୁଏତ ବଦଳିଯାଇପାରେ।
ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri