ଏ ବିମୁଖତା କାହିଁକି

ମନୀଷା ପଣ୍ଡା

 

ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳା ଓ ଶିଷ୍ଟାଚାର ଅପରିହାର୍ଯ୍ୟ ଭିତ୍ତିଭୂମି। ଶିଷ୍ଟାଚାର ମୁଖ୍ୟତଃ ସାମାଜିକ ବ୍ୟବହାରବିଧି ଉପରେ ଦଣ୍ଡାୟମାନ। ପରିବାର ନୈତିକ ଶିକ୍ଷାର ପ୍ରଥମ ସ୍ଥଳ। ପରିବାର ପ୍ରତ୍ୟେକ ସଦସ୍ୟଙ୍କର ପରସ୍ପର ପ୍ରତି, ସନ୍ତାନଙ୍କ ପ୍ରତି ମାତାପିତାଙ୍କର ଓ ମାତାପିତାଙ୍କ ପ୍ରତି ସନ୍ତାନଙ୍କର ବ୍ୟବହାର ମଧ୍ୟ ଶିଷ୍ଟାଚାରର ଜ୍ୱଳନ୍ତ ନମୁନା।
ଅତ୍ୟାଧୁନିକ ମଣିଷ ପାଖରେ ବର୍ତ୍ତମାନ ସମୟରେ କର୍ତ୍ତବ୍ୟର ଅଭାବ ପରିଲକ୍ଷିତ। ନିଜ ମାତାପିତାଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ଭୁଲି ଯାଉଛନ୍ତି ଅପତ୍ୟମାନେ। ମଣିଷପଣିଆର ଅଭାବ ଘଟିଛି ଆଧୁନିକ ମଣିଷ ପାଖରେ। ଭୁଲ ଠିକ୍‌, ଭଲ ମନ୍ଦକୁ ବିଚାର କରିବାର ଶକ୍ତି ଉଭେଇ ଯାଇଛି। ଗୀତା, ଭାଗବତ, ରାମାୟଣ, ଈଶ୍ୱରୀୟ ଭାବନା ସବୁକିଛିର ପ୍ରଭାବ ଆଜି ଆଧୁନିକ ଯୁଗର ଚାଲିଚଳନ ଗତିବିଧି ଭିତରେ ଲୁଚିଗଲାଣି।
କିଛି ଦିନ ତଳେ ମୁଁ ବ୍ୟକ୍ତିଗତ କାମରେ ଯାଇଥାଏ ଜଣେ ଗଣକଙ୍କ ଘରକୁ। ସେଠାକୁ ଆସିଥାଆନ୍ତି ଜଣେ ଅବସରପ୍ରାପ୍ତ ପ୍ରାଇମେରୀ ସ୍କୁଲ ପ୍ରଧାନଶିକ୍ଷକ। ବୟସ ପଞ୍ଚସ୍ତରି ପାଖାପାଖି ହେବ। ପାଞ୍ଚ ଛଅ ବର୍ଷ ତଳେ ଥରେ ଦୁଇଥର ତାଙ୍କୁ ଭେଟିଥିବାର ମନେପଡ଼ିଯାଏ ମୋର। ସେତେବେଳ ଅପେକ୍ଷା ବର୍ତ୍ତମାନ ଭଦ୍ରବ୍ୟକ୍ତି ଜଣକ ଶାରୀରିକ ଓ ମାନସିକ ସ୍ତରରେ ଭାଙ୍ଗିପଡ଼ି ଥିବା ସ୍ପଷ୍ଟ ଜଣାଯାଏ ମୋତେ। ତାଙ୍କ ଦେହ ହାତ ମୁହଁରୁ ରକ୍ତହୀନତାର ଚିହ୍ନ ଉକୁଟି ଆସୁଥାଏ। ଆଣ୍ଠୁଗଣ୍ଠି ବାତ ହେତୁ ଛୋଟେଇ ଛୋଟେଇ ଚାଲୁଥାଆନ୍ତି ସେ। ବୟସ୍କବ୍ୟକ୍ତି ଜଣକ ଗଣକଙ୍କ ନିକଟକୁ ଯାଇ ଗୋଟିଏ ଷ୍ଟୁଲ ଉପରେ ବସି ପଡ଼ିଲେ ଓ ଡାହାଣ ହାତ ବଢ଼େଇ ଦେଇ ହାତରେଖା ଦେଖିବା ଉଦ୍ଦେଶ୍ୟରେ କହିଲେ, ”ଜ୍ୟୋତିଷ ଆଜ୍ଞା !
ଦେଖିଲେ ମୁଁ କେବେ ମରିବି“। ପୁଅ ବୟସର ଜ୍ୟୋତିଷ ବିଶାରଦ ଜଣକ ମୋ ଆଡକୁ ଚାହିଁଲେ। ମୁଁ ବୟସ୍କ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲି, ”କାହିଁକି ଆଜ୍ଞା? ଏମିତି ପଚାରୁଛନ୍ତି।“
ଏହାର ଉତ୍ତରରେ ସେ ଆଣ୍ଠୁ ଉପରୁ ଅଳ୍ପ ଧୋତିଟି ଉପରକୁ ଉଠାଇ ଯେଉଁ ଦାଗଗୁଡ଼ିକ ଦେଖାଇଲେ ତାହା ପରେ ଆମେ ସବୁ କିଛି ବୁଝିଯାଇଥିଲୁ। ସ୍ବଳ୍ପ ରୋଜଗାରିଆ ସାନପୁଅ ହାତରେ ପେନ୍‌ସନ୍‌ ଟଙ୍କା ଧରେଇ ଦେଇ ବଡପୁଅ ହାତରୁ ମାଡ଼ ଖାଇବାକୁ ପଡ଼ିଛି କୁଆଡେ ସେ ଭଦ୍ରବ୍ୟକ୍ତିଙ୍କୁ। ଦିନେ ସେ ମଣିଷ ତିଆରି କାରଖାନାର ଦକ୍ଷ କାରିଗର ଥିଲେ, ମାତ୍ର ପୁତ୍ର ପାଖରେ କାଣିଚାଏ ମଣିଷପଣିଆ ରୋପଣ କରିପାରି ନ ଥିଲେ। ଏଣୁ ଦେହର ଯନ୍ତ୍ରଣାଠାରୁ ମନର ଯନ୍ତ୍ରଣା ଅନେକ ଗୁଣ ଭାରି ଥିଲା ପରିଣତ ଅବସ୍ଥାରେ। ଏଇତ ଆଖିରେ ଦେଖିଥିବା ଗୋଟିଏ ଉଦାହରଣ ମାତ୍ର, ସମାଜରେ ପ୍ରତିଦିନ ଏମିତି ଅନେକ ଘଟଣା ଘଟୁଛି। ଯେଉଁ ମା’ବାପା ମଣିଷ କରିବାରେ ଲାଗି ପଡ଼ିଥାଆନ୍ତି ପିଲାମାନଙ୍କୁ, ଦେଖାଯାଏ ବଡ଼ ହେବା ପରେ ସେମାନଙ୍କ ମାନସିକତାରେ ଅଦ୍ଭୁତ ପରିବର୍ତ୍ତନ।
ସନ୍ତାନସନ୍ତତି ରୋଜଗାର କରିବା ପରେ ବୟସ୍କ ମାତାପିତାଙ୍କ ଦାୟିତ୍ୱ ନେଇପାରିବେ ଓ ସୁଖରେ ବାକିଦିନଗୁଡ଼ାକ କାଟି ଦେବାର ଆଶାଥାଏ ସେମାନଙ୍କର। ପିଲାମାନଙ୍କଠାରୁ ପରିଣତ ଅବସ୍ଥାରେ ସେବା ଯତ୍ନ ଆଶା କରିଥାଆନ୍ତି ମା’ବାପା। ଧୂଳିସାତ ହୋଇଯାଏ ସବୁ ଆଶା ଭରସା। ସେବା ଓ ଆଶ୍ୱାସନା ଟିକକ ବୃଦ୍ଧା ଅବସ୍ଥାରେ ସେମାନେ ପାଇ ନ ଥାଆନ୍ତି ବରଂ ଅଦରକାରୀ ମଣିଷ ପାଲଟି ଯାଆନ୍ତି। ପୁଅ ନିଜ ଘର ବସାଇବା ପରେ ପରିବାର ଭିତରେ ବୟସ୍କ ମା’ବାପାଙ୍କ ସ୍ଥାନକୁ ଭୁଲି ଯାଇଥାଏ। ସନ୍ତାନସନ୍ତତି ବେଳେ ବେଳେ ପ୍ରଶ୍ନ କରନ୍ତି, ”ତୁମେ ଆମ ପାଇଁ କରିଛ କ’ଣ?“
ବେଳେ ବେଳେ ଏମିତି କେତୋଟି ପରିସ୍ଥିତି ନଜରକୁ ଆସେ ଯେ, ଉଚ୍ଚଶିକ୍ଷିତ ପୁଅ ଚାକିରି ପାଇଗଲା ପରେ ମା’ବାପା ଯୋଗ୍ୟ ପାତ୍ରୀ ଦେଖି ବିବାହ କରାଇଦିଅନ୍ତି। ଖୁସି ହୁଅନ୍ତି, ଯାହାହେଉ ଆମ ଦାୟିତ୍ୱ ସରିଗଲା,ଏଥର ନାତିନାତୁଣୀ ସହ ଖେଳିବାର ଅପେକ୍ଷାରେ ଆମେ। ନାତି ନାତୁଣୀ ଜନ୍ମ ନିଅନ୍ତି ହେଲେ ଖେଳିବାଟା ସ୍ବପ୍ନ ହୋଇଯାଏ। ନାତିନାତୁଣୀ ରୁହନ୍ତି ନିଜ ମମି ପାପାଙ୍କ ସହ ସହରରେ। ସୌଖୀନ ଜୀବନଯାପନ ପ୍ରଣାଳୀରେ ଜେଜେ ବାପା ଓ ଜେଜେ ମାଆଙ୍କର ସ୍ଥାନ ନ ଥାଏ। କେବେ କେବେ ଦିନେ ଅଧେ ସମୟ ମିଳେ ବୁଲିଆସିବା ପାଇଁ ଜେଜେ ବାପା ଓ ଜେଜେ ମାଆଙ୍କ ପାଖକୁ। ହେଲେ ସେମାନଙ୍କ ମନରେ ଗାଁ ମାଟିର ଦୁର୍ବଳତା ପରିବର୍ତ୍ତେ ଜୀବାଣୁ ଭୂତାଣୁ ସଂକ୍ରମଣର ଡରଥାଏ। ଫଳରେ ବାର୍ଦ୍ଧକ୍ୟର ସବୁ ଆଶା ଖୁସି ଧୂଳିସାତ ହୋଇଯାଇଥାଏ।
ପୁଣି ବେଳେ ବେଳେ ଦେଖିବାକୁ ମିଳେ, ସଂଭ୍ରାନ୍ତ ପରିବାରରେ ବୃଦ୍ଧା ମା’ବାପା ପରିଣତ ଅବସ୍ଥାରେ ସନ୍ତାନ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହୋଇଥାଆନ୍ତି। ତେଣୁ ଗାଁ ଭିଟାମାଟି ଛାଡି ସହର ଯିବାକୁ ହୁଏ। ସେଇଠି କିନ୍ତୁ କିଛି ଦିନ ରହଣି ପରେ ହତାଦର ହେବାକୁ ପଡ଼େ। ପୂର୍ଣ୍ଣତା ବଦଳରେ ଜୀବନରେ ଭରିଯାଏ ଶୂନ୍ୟତା। ସନ୍ତାନମାନଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟି ଯାଆନ୍ତି ପରିଣତ ମା’ବାପା। ପରିବାରରେ ନିଜର ଗୁରୁତ୍ୱ ହରାଇ ଦୟାର ପାତ୍ର ହେବାକୁ ପଡ଼େ ଯେମିତି ତାଙ୍କୁ। ବାର୍ଦ୍ଧକ୍ୟ ଅବସ୍ଥାରେ ମଣିଷକୁ ବ୍ୟାଧି ମାଡି ଆସେ ଓ ଏସବୁ ପାଇଁ ପରିଜନଙ୍କ ଆଶ୍ରା ଖୋଜେ। ଅଧିକାଂଶ କ୍ଷେତ୍ରରେ ଘୃଣାର ପାତ୍ର ହେବାକୁ ପଡ଼େ। ଅପତ୍ୟମାନଙ୍କ ଜୀବନରେ ଅଯଥା ମୁଣ୍ଡବ୍ୟଥା ଆସିଯାଏ। ଆତ୍ମୀୟମାନଙ୍କ ନାକଟେକାକୁ ସହିବା ଅସ୍ବାଭାବିକ ହୋଇପଡ଼େ। ଏଭଳି ପରିଣତ ଅବସ୍ଥାରେ ଅସହାୟତା ଅଜାଗା ଘା’ ସଦୃଶ। ନା ’ଦେଖି ହୁଏ ନା ’ଦେଖେଇ ହୁଏ।
ପରିଣତ ଅବସ୍ଥାରେ ଲୋକଙ୍କୁ ଅଦରକାରୀ ମନେ ନ କରି ଯଦି ଆଶା ଆଶ୍ୱାସନା, ସ୍ନେହ ସରାଗରେ ଅନ୍ତିମ ଦିନଗୁଡ଼ିକ କାଟିବା ପାଇଁ ସୁଯୋଗ ଦିଆଯାଏ ତେବେ ଏ ସମସ୍ୟା ରହିବ ନାହିଁ। ପ୍ରତିଟି ଜୀବନରେ ବାର୍ଦ୍ଧକ୍ୟ ନିଶ୍ଚୟ ଆସିବ, କାରଣ ଯୌବନ କ୍ଷଣସ୍ଥାୟୀ। ନିଜକୁ ଥରେ ସେ ପରିଣତ ଅବସ୍ଥାରେ ରଖି ଯଦି ଗଭୀର ଭାବେ ଚିନ୍ତା କରିବା ତେବେ ପରିଣତମାନଙ୍କ ପ୍ରତି ମାନସିକତା ଓ ବ୍ୟବହାରରେ ନିଶ୍ଚିତ ପରିବର୍ତ୍ତନ ଆସିବ।
ଶିକ୍ଷୟିତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ
ମୋ:୮୨୪୯୬୮୬୦୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri