ମିଥ୍ୟାର ଜୟଗାନ କାହିଁକି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ମଣିଷ ମାତ୍ରେ ହିଁ କେବେ ନା କେବେ ମିଥ୍ୟା କହିଥାଏ, ଯଦିଓ ଏହାକୁ ଏକ ହୀନ ନକାରାତ୍ମକ ଗୁଣ ରୂପେ ସଚରାଚରରେ ଗଣନା କରାଯାଏ। ଏପରି କି ଆମେ ସତ୍ୟର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମାନୁଥିବା ଯୁଧିଷ୍ଠିର ମଧ୍ୟ ପରିସ୍ଥିତିର ଚାପରେ ଏହା କରିଥିବାର ପୁରାଣରେ ବର୍ଣ୍ଣିତ ଅଛି। ସେଥିପାଇଁ ଏଭଳି କ୍ଷେତ୍ରରେ କେବେ କେମିତି ମିଥ୍ୟା କହିବାକୁ ଆମ ସମାଜ ସ୍ବୀକୃତି ଦିଏ, ବିଶେଷକରି ଏହା ଯଦି ସାମୂହିକ ଭାବେ ମଙ୍ଗଳକର ହୋଇଥାଏ। କିନ୍ତୁ ବର୍ତ୍ତମାନର ଦୁନିଆରେ ମିଥ୍ୟା କାୟାବିସ୍ତାର କରିଚାଲିଛି। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠାରେ ଏହା ତା’ର ଆସ୍ଥାନ ଜମାଇବାରେ ଲାଗିଛି। ବସ୍ତୁବାଦୀ ଜୀବନଧାରାର ପ୍ରସାରଣ ଏବଂ ପାରମ୍ପରିକ ମୂଲ୍ୟବୋଧର ଅବକ୍ଷୟ ହେତୁ ଆମେ ଛୋଟ ଛୋଟ ଲାଭ ପାଇଁ ମିଥ୍ୟା କହୁଛୁ। କ୍ରମେ ଏହା ଆମର ଅଭ୍ୟାସରେ ପରିଣତ ହୋଇଯିବା ଫଳରେ ଏପରି କି ବିନା କାରଣରେ ମଧ୍ୟ ଆମେ ତାହା କରୁଛୁ। ଅଧିକାଂଶ ଗଣମାଧ୍ୟମ ଏ ଦିଗରେ କିଛିପାଦ ଆଗୁଆ। ଏହା ଅନେକ ସମୟରେ ଏହାର ପ୍ରସାରଣକାରୀଙ୍କୁ କିମ୍ବା ସେମାନେ ସମର୍ଥନ କରୁଥିବା କୌଣସି ରାଜନୈତିକ ଦଳ ବା ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି ବିବିଧ ମିଥ୍ୟା ଉପସ୍ଥାପନ କରୁଥିବାର ଅଭିଯୋଗ ହେଉଛି- ସିଧାସଳଖ ହେଉ କି ସତ୍ୟକୁ ବିକୃତ କରି ହେଉ। ତଦ୍ଦ୍ବାରା ସମାଜର ଅଶେଷ କ୍ଷତି ସାଧନ ହେଉଛି।
ମିଥ୍ୟା କହିବା ମଣିଷର ଏକ ଜନ୍ମଗତ ପ୍ରବୃତ୍ତି। କୁହାଯାଏ ଯେ ଶିଶୁଟିଏ କୁଆଡ଼େ ଛ’-ସାତମାସର ହେଲାବେଳକୁ ତା’ଠାରେ ଏ ବିଦ୍ୟାର ଅଙ୍କୁରୋଦ୍‌ଗମ ଘଟିଥାଏ। ସେଥିପାଇଁ ସେ ମିଛଟାରେ ନିଦ୍ରାଯିବାର ଛଳନା କରିପାରେ। କ୍ରମେ ତା’ଠାରେ ଏ ପ୍ରବୃତ୍ତି ଦୃଢ଼ ହେବାକୁ ଲାଗେ।
ମିଥ୍ୟାର ପ୍ରବଳତାକୁ ନେଇ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକଙ୍କ ଏକ ବିଶେଷଣାତ୍ମକ ରଚନା ପ୍ରକାଶ ପାଇଛି ସ୍ବନାମଧନ୍ୟ ଗବେଷଣା ପତ୍ରିକା ‘ସାଇନସ୍‌’(୨୦୧୯)ରେ। ଏଥିପାଇଁ ସେମାନେ ୨୦୦୬ରୁ ୨୦୧୮ ମଧ୍ୟରେ ପ୍ରାୟ ୩ ନିୟୁତ ଲୋକ ୪.୫ ନିୟୁତରୁ ଅଧିକଥର କରିଥିବା ଟୁଇଟ୍‌ର ବିଷୟବସ୍ତୁ ବିଚାରକୁ ନେଇଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ସତ୍ୟ ତୁଳନାରେ ମିଥ୍ୟା ଖବର ଅଧିକ ଦୂରଦୂରାନ୍ତକୁ ଦ୍ରୁତ ବେଗରେ ଏବଂ ଗଭୀରଭାବେ ବିସ୍ତାରିତ ହୋଇଥାଏ। ସେମାନଙ୍କ ମଧ୍ୟରେ ଏହା ମୂଳରେ ରହିଛି ପ୍ରେରଣକାରୀମାନଙ୍କର ତାହାକୁ ରଙ୍ଗିନ କରିବାର ଉଦ୍ୟମ ଏବଂ ଗ୍ରହଣକାରୀମାନଙ୍କ ଗ୍ରହଣ କରିବାର ପ୍ରବୃତ୍ତି। ଏଥିରୁ ଜଣାପଡ଼ିଛି ଯେ, ମିଥ୍ୟାକୁ ନେଇ କରାଯାଇଥିବା ଟୁଇଟ୍‌ ୧୦୦୦ରୁ ୧,୦୦,୦୦୦(ଲକ୍ଷେ) ଲୋକଙ୍କ ନିକଟରେ ପହଞ୍ଚତ୍ଲା ବେଳେ ସତ୍ୟ ପହଞ୍ଚିଥାଏ ଅତିବେଶିରେ ୧୦୦୦ ଲୋକଙ୍କ ନିକଟରେ। ପୁନଶ୍ଚ ମିଥ୍ୟାକୁ ଅଧିକ ଲୋକ ଆଗ୍ରହର ସହ ଜବାବ ଦେଇଥାନ୍ତି। ଏହା ସତ୍ୟ ତୁଳନାରେ ୭୦ ଶତାଂଶ ଅଧିକ। ସେହିପରି ସତ୍ୟ ଅପେକ୍ଷା ମିଥ୍ୟା ଖବର ପ୍ରାୟ ଛ’ଗୁଣ ଅଧିକ ଦ୍ରୁତ ପ୍ରସାରିତ ହୁଏ। ଗବେଷକମାନଙ୍କ ମତରେ ଏପ୍ରକାର ଖବରର ଆମ ଭାବପ୍ରବଣତାକୁ ଉଦ୍ଦୀପିତ କରିବାର ସାମର୍ଥ୍ୟ ଅଧିକ, କାରଣ ଏହାକୁ ଅଧିକ ରୁଚିପୂର୍ଣ୍ଣ ରୂପେ, ସାଧାରଣ ଲୋକଙ୍କ ମନକୁ ଛୁଇଁ ପାରିବାର ରୂପ ଦେଇ ପରିବେଷଣ କରାଯାଏ। ସାଧାରଣତଃ ଏହା ତାଙ୍କ ବିସ୍ମୟଭାବକୁ ତ୍ୱରାନ୍ବିତ କରେ। ଏଣୁ ତାହା ଅଧିକ ଗ୍ରହଣୀୟ ହୁଏ। ଅନ୍ୟପକ୍ଷରେ, ସତ୍ୟ ପରିବେଷଣ ବେଳେ ଖବରର ରୂପ ବଦଳାଇବାର ଅବକାଶ ନ ଥାଏ। ଏହା ସିଧାସଳଖ ମନରେ ଦୁଃଖ କିମ୍ବା ଆନନ୍ଦ ଦିଏ ଏବଂ ତହିଁରେ ଆଶା ଓ ବିଶ୍ୱାସ ସଞ୍ଚାର କରେ। ସେଥିପାଇଁ ପୂର୍ବୋକ୍ତିଟି ଅଧିକ ଶକ୍ତିଶାଳୀ ହୁଏ। ସମ୍ଭବତଃ ଏହା ଏକ ବିଶୁଦ୍ଧ ଯୋଗାଯୋଗ ନୁହେଁ। ‘କେମ୍ବ୍ରିଜ୍‌ ଆନାଲିଟିକା’ ସଂସ୍ଥା ଦ୍ୱାରା ଅନୁଷ୍ଠିତ ଏକ ମନସ୍ତାତ୍ତ୍ୱିକ ବିଶ୍ଲେଷଣ ଅନୁସାରେ ଏଥିରେ ସାଧାରଣତଃ ଥାଏ ଜାତି-ଜାତି, ଧର୍ମ-ଧର୍ମ କିମ୍ବା ବିବିଧ ରାଜନୈତିକ ଗୋଷ୍ଠୀଙ୍କୁ ନେଇ ପକ୍ଷପାତିତା। ଆଜିକାଲି ଲୋକଙ୍କର ପୂର୍ବାଧିକୃତ ମାନସିକତାସମ୍ପନ୍ନ ମନକୁ ତାହା ଅଧିକ ଗଭୀର ଭାବେ ଛୁଏଁ।
‘ସାଇନସ୍‌’ର ସେହି ଏକା ସଂଖ୍ୟାରେ ପ୍ରକାଶିତ ହୋଇଛି ଅନ୍ୟ ଏକ ନିବନ୍ଧ। ଏଥିରେ ମିଥ୍ୟା ଖବରକୁ ବିସ୍ତାରିତ କରିବାରେ ସ୍ବୟଂକ୍ରିୟ ବ୍ୟବସ୍ଥାର ଏବଂ ମିଥ୍ୟାବାଦୀର ଇଚ୍ଛାକୃତ ଭୂମିକାର ସମ୍ପର୍କକୁ ନେଇ ଆଲୋଚନା କରାଯାଇଛି। ଏହାର ମୁଖ୍ୟ ଲେଖକ ଫିଲିପୋ ମେନେଜର୍‌ ସୂଚିତ କରିଛନ୍ତି ଯେ, ଉପରୋକ୍ତ ମାସାଚ୍ୟୁସେଟ୍ସ ଗବେଷକଙ୍କ ଅଧ୍ୟୟନ ଏହାର କେବଳମାତ୍ର ଗୋଟିଏ କାରକ ଉପରେ ଲକ୍ଷ୍ୟ ନିର୍ଦ୍ଦେଶ କରିଛି- ତାହା ହେଲା ମିଥ୍ୟା ଖବରର ଛଳନାଯୁକ୍ତ ନୂତନରୂପ। ତେବେ ଏହାର ଅନ୍ୟ କାରକମାନ ମଧ୍ୟ ରହିଛି। ସେଗୁଡ଼ିକ ହେଲା ଲୋକଙ୍କ ବୋଧଶକ୍ତି, ପୂର୍ବାଧିକୃତ ମାନସିକତା, ଅସୁରକ୍ଷିତ ମନୋଭାବ, ସାମାଜିକ ପରିବେଶ ଏବଂ ବିଶ୍ଳେଷଣକାରୀ ମନୋଭାବର ଅଭାବ। ତାଙ୍କ ମତରେ ମିଥ୍ୟା ଖବର ପ୍ରସାରଣରେ ଲୋକଙ୍କ ଭୂମିକା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଜନସାଧାରଣଙ୍କୁ ସେଥିରେ କେତେଦୂର ସତ୍ୟତା ରହିଛି ତାହା ବୁଝିବା ପାଇଁ ଚେଷ୍ଟା କରିବା ଦିଗରେ ସଚେତନ କରାଯାଇ ପାରିଲେ ତାହା ହ୍ରାସ ପାଇବ।
ନିକଟରେ ହୋଇଥିବା ବୈଜ୍ଞାନିକ ପରୀକ୍ଷାରୁ ମିଥ୍ୟାଚାରର ମସ୍ତିଷ୍କ ସହିତ ସମ୍ପର୍କ ଥିବାର ଜଣାପଡ଼ିଛ। ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରଚନାରେ (୨୦୨୦) ଉଇଲିୟମ୍‌ ଓ୍ବନ୍‌ ଏବଂ ସାରା କାପ୍ଲାନ୍‌ ସୂଚନା ଦେଇଛନ୍ତି ଯେ ମିଥ୍ୟାଚାରର ହେଉଛି ଏପରି ଏକ ଜିନିଷ, ଯାହା କି ଆମେ ଅନ୍ୟ ପ୍ରତି କରିଥାଉ (ଠକାମି) ବୋଲି ଭାବୁ, କିନ୍ତୁ ପ୍ରକୃତରେ ଏହାଦ୍ୱାରା ଆମେ ନିଜ ପ୍ରତି ମଧ୍ୟ କିଛି ଅକର୍ମ କରୁ। ସଂକ୍ଷେପରେ କହିବାକୁ ଗଲେ ଆମେ ଥରେ ମିଥ୍ୟା କହିବା ଆରମ୍ଭ କରିଦେଲେ ଧୀରେ ଧୀରେ ତାହା କରିବା ଆମ ପାଇଁ ଅଧିକରୁ ଅଧିକ ସହଜ ହୋଇପଡ଼େ ଏବଂ ଆମେ ତାହା ବେଶି ବେଶି କରୁ। ସତ୍ୟ କହିବା ଆମ ପକ୍ଷେ କ୍ରମଶଃ କଷ୍ଟକର ହୋଇପଡ଼େ। କାରଣ ମିଥ୍ୟା କହିବା ଆମ ମସ୍ତିଷ୍କ ଉପରେ କିଛି ସ୍ଥାୟୀ ପ୍ରଭାବ ପକାଇଥାଏ। ଏ ପ୍ରଭାବ ଯେ କିପରି ସେଥି ସମ୍ପର୍କରେ ଗବେଷଣା ପତ୍ରିକା ‘ନେଚରନ୍ୟୁରୋସାଇନସ୍‌’ରେ ସୂଚନା ଦେଇଛନ୍ତି ଡ୍ୟୁକ୍‌(ଇଂଲଣ୍ଡ)ର ମନସ୍ତତ୍ତ୍ୱବିତ୍‌ ଡାନ୍‌ ଏରିଏଲ୍‌ ଏବଂ ତାଙ୍କ ସହକର୍ମୀଗଣ(୨୦୧୬)। ସେମାନଙ୍କ ମତରେ ମିଥ୍ୟା କହିବା କାଳରେ ମସ୍ତିଷ୍କର ‘ଆମିଗ୍‌-ଡାଲା’ ଅଂଶଟି ହଠାତ୍‌ ସକ୍ରିୟ ହୋଇଉଠେ। ଏହା ତାହା ଅଧିକରୁ ଅଧିକ କହିବା ସହଜ କରିଥାଏ।
ମସ୍ତିଷ୍କର ଏହି ଅଂଶଟି ଭୟ, ଦୁଶ୍ଚିନ୍ତା ଏବଂ ଭାବପ୍ରବଣତାଯୁକ୍ତ ପ୍ରତିକ୍ରିୟାମାନ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମିଥ୍ୟା କହିବା ସମୟର ସଙ୍କୋଚଭାବ ଏବଂ ନିଜକୁ ଦୋଷୀ ମନେକରିବା ଅନୁଭବ ଏହାରି ଅନ୍ତର୍ଭୁକ୍ତ। କିନ୍ତୁ ଯେତେବେଳେ ଜଣେ ଲୋକ ନିଜ ସ୍ବାମୀ କିମ୍ବା ସ୍ତ୍ରୀ ନତୁବା ଅନ୍ୟକେହି ପ୍ରିୟ ପରିଜନ ସହିତ ବାରମ୍ବାର ଶଠତା ଆଚରଣ କରେ ତା’ର ‘ଆମିଗ୍‌ ଡାଲା’ ନକାରାତ୍ମକ ପ୍ରତିକ୍ରିୟା ବୃଦ୍ଧି ପାଇବାକୁ ଲାଗେ। ପୁନଶ୍ଚ ପରିଣାମ ଭୋଗ କରିବାର ସମ୍ଭାବନା କମ୍‌ ଥିଲେ ସେ ମିଥ୍ୟାଟିକୁ ଅଧିକ ଚାଞ୍ଚଲ୍ୟକର କରିଥାଏ। ଏହା ତା’ର ଅନ୍ୟ ପ୍ରତି ସମ୍ବେଦନଶୀଳତା ହ୍ରାସ କରେ ଏବଂ ନିଜର ସ୍ବାର୍ଥ ପାଇଁ ଏ ବାଟକୁ ସେ ଅଧିକରୁ ଅଧିକ ଆପଣାଏ। ତେବେ ଏରିଏଲଙ୍କ ମତରେ, ଏଭଳି କାର୍ଯ୍ୟ ନିଜେ ମିଥ୍ୟାଚାରୀ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଏହା ତା’ର ‘ଆମିଗ୍‌ ଡାଲା’କୁ ବାରମ୍ବାର ସକ୍ରିୟ କରିବା ଫଳରେ ତା’ଠାରେ ଭୟ, ଆଶଙ୍କା, ଅବିଶ୍ୱାସ, ଦୁଶ୍ଚିନ୍ତା ଆଦି ନକାରାତ୍ମକ ଭାବପ୍ରବଣତା ବୃଦ୍ଧି ପାଏ, ଯାହା କି ତା’ ମନ ଏବଂ ଦେହ ଉଭୟକୁ ରୋଗାକ୍ରାନ୍ତ କରିଦିଏ। ଏଭଳି ଲୋକର ରୋଗ ପ୍ରତିରୋଧଶକ୍ତି କମ୍‌ ହେବା ସହିତ ମଧୁମେହ, ଉଚ୍ଚରକ୍ତଚାପ ଭଳି ଅଣସଂକ୍ରମଣ ରୋଗର ଶିକାର ହେବା ସମ୍ଭାବନା ଅଧିକ। ତେବେ ତଥାପି ମଧ୍ୟ ସାରା ବିଶ୍ୱରେ ମିଥ୍ୟାର ଜୟଗାନ ବଢ଼ି ବଢ଼ି ଚାଲିଛି।
ଅନ୍ୟପକ୍ଷରେ, ବହୁ ସ୍ନାୟୁବିଜ୍ଞାନୀଙ୍କ ମତରେ ମସ୍ତିଷ୍କ କେବଳ ଅସତ୍ୟ ବା ମିଥ୍ୟାଚାର ପାଇଁ ନୁହେଁ, କିଛିଟା ଭିନ୍ନ ଭାବେ ସତ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ। ଏଣୁ ସତ କହିବା, ସତ୍‌ ଚିନ୍ତା କରିବା, କୃତଜ୍ଞତା ପ୍ରକଟ କରିବା ଆଦି କାର୍ଯ୍ୟ ଥରେ ଆରମ୍ଭ କରିଦେଲେ କ୍ରମେ ତାହା ଅଧିକରୁ ଅଧିକ ସହଜ ହୋଇଥାଏ। ପୁନଶ୍ଚ ସତ କହିବା ଆମ ମନକୁ ଏବଂ ତା’ ମାଧ୍ୟମରେ ଶରୀରକୁ ଶକ୍ତିଶାଳୀ କରେ। ନିକଟରେ ସିକାଗୋ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ଏକ ଅଧ୍ୟୟନରେ ଗବେଷକମାନେ କିଛି ସ୍ବେଚ୍ଛାସେବୀଙ୍କୁ ପରିଣାମ ପ୍ରତି ଧ୍ୟାନ ନ ଦେଇ କିଛିଦିନ ଧରି ସତ କହିବାକୁ ପ୍ରବର୍ତ୍ତାଇଥିଲେ। ତହିଁରୁ ସେମାନେ ଆବିଷ୍କାର କଲେ ଯେ, ପ୍ରକୃତରେ ଏହା କାଳକ୍ରମେ ଅଧିକରୁ ଅଧିକ ଆନନ୍ଦଦାୟୀ ହେବା ସହିତ ଆତ୍ମବିଶ୍ୱାସକୁ ସୁଦୃଢ଼ ଏବଂ ମନକୁ ଦୁଶ୍ଚିନ୍ତା ମୁକ୍ତକରେ। ଫଳରେ ମନ ଓ ଦେହ ଉଭୟ ସୁସ୍ଥ ରହେ। ଏହି ଗବେଷକ ଦଳର ଅନ୍ୟତମ ସଦସ୍ୟ ଇମ୍ମା ଲେଭିନ୍‌ଙ୍କ ମତରେ, ଏହା ମନକୁ ଉଚ୍ଚତର ଏବଂ ଅଭିନବ ଚିନ୍ତା କରିବାକୁ ଉତ୍‌ପ୍ରେରିତ କରେ। ତେଣୁ ନିକଟରେ (୨୦୨୧) ‘ସାଇନସ୍‌’ ପତ୍ରିକାରେ ପ୍ରକାଶିତ ଏକ ନିବନ୍ଧରେ ସେ ଏବଂ ତାଙ୍କ ସହଯୋଗୀମାନେ ମତବ୍ୟକ୍ତ କରିଛନ୍ତି ଯେ, ମିଥ୍ୟାଚାର ତୁମକୁ ସାମୟିକ ଲାଭଦାୟକ ହୋଇପାରେ, କିନ୍ତୁ ତାହା ତୁମ ମନରେ ଉଚ୍ଚଚିନ୍ତା ଆସିବାକୁ ଦେବନାହିଁ। ଅତଏବ ଆମେ ତା’ର ଜୟଗାନ କରିବା କାହିଁକି? ତା’ ଅପେକ୍ଷା ବରଂ ସତ୍ୟବାଦିତାକୁ ଆପଣାଇବା ଅଧିକ ଏବଂ ଦୀର୍ଘସ୍ଥାୟୀ ଲାଭଦାୟକ ହେବ। ତାହା ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଶୁଭଙ୍କର ହେବ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri