ସେଠି କାହିଁକି

ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଜାତିସଂଘର ସ୍ଥାୟୀ ସଦସ୍ୟ ରହିଆସିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଏହି ବିଶ୍ୱ ସଙ୍ଗଠନରେ ୫ ରାଷ୍ଟ୍ର ସେମାନଙ୍କର ପ୍ରଭାବ ବିସ୍ତାର କରିଚାଲିଛନ୍ତି। ତେଣୁ ଜାତିସଂଘରେ ସଂସ୍କାର ଅଣାଯାଇ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବା ଉପରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚରେ ଆଲୋଚନା ହେଉଛି। ଯେହେତୁ ସ୍ଥାୟୀ ସଦସ୍ୟମାନେ ସବୁ ମହାଦେଶରୁ ପ୍ରତିନିଧିତ୍ୱ କରୁନାହାନ୍ତି, ତେଣୁ ଜାତିସଂଘ ନିରାପତ୍ତା ପରିଷଦର କାର୍ଯ୍ୟଧାରାକୁ ଅନେକ ସମୟରେ ସମାଲୋଚନା କରାଯାଉଛି। ନିକଟ ଅତୀତରେ କୋଭିଡ୍‌-୧୯ଠାରୁ ଆରମ୍ଭକରି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯାଏ ଯେତେ ପ୍ରକାର ଅସ୍ବାଭାବିକ ସ୍ଥିତି ବିଶ୍ୱ ଭୋଗିଲାଣି, ସେଥିରେ ଜାତିସଂଘର ଭୂମିକା ସନ୍ତୋଷଜନକ ନ ଥିବା ବେଳକୁ ବେଳ ପ୍ରମାଣିତ ହୋଇଛି। ତଥାପି ଜାତିସଂଘ ସ୍ଥାୟୀ ସଦସ୍ୟ ସଂଖ୍ୟା ବଢ଼ାଇବା ଦିଗରେ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଚାପ ପକାଇପାରୁ ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଅଷ୍ଟ୍ରିଆ ରାଜଧାନୀ ଭିଏନାଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ଅବସରରେ କହିଛନ୍ତି, ସ୍ଥାୟୀ ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ଉପଭୋଗ କରୁଥିବା ବେଳେ ଏହାର ସଂସ୍କାର ନେଇ ବ୍ୟସ୍ତନାହାନ୍ତି। ତେଣୁ ୭୭ ବର୍ଷ ପୁରୁଣା ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ଭାରତ ତା’ର ବହିର୍ବ୍ୟାପାର ନୀତିରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରଖିଛି ବୋଲି ସେ କହିଛନ୍ତି। ଦୁଃଖର ବିଷୟ ହେଉଛି ଯେ, ଜୟଶଙ୍କରଙ୍କ ଏଭଳି ବିରାଟକାୟ ଆଭିମୁଖ୍ୟ କେବଳ ପ୍ରବାସୀ ଭାରତୀୟମାନେ ଶୁଣିପାରୁଛନ୍ତି ଏବଂ କେବଳ ଭାରତୀୟ ଗଣମାଧ୍ୟମରେ ସେହିସବୁ ମତର ପ୍ରଚାର କରାଯାଉଛି। ଭାରତ ବାହାରେ ଜୟଶଙ୍କରଙ୍କ ଶକ୍ତିଶାଳୀ ମନ୍ତବ୍ୟଗୁଡ଼ିକ କେହି ଜାଣିବାର ସୁଯୋଗ ମଧ୍ୟ ପାଉନାହାନ୍ତି।
ଭିଏନାସ୍ଥିତ କାର୍ଯ୍ୟକ୍ରମରେ ଜୟଶଙ୍କର ଜାତିସଂଘ ସଂସ୍କାରର ଆବଶ୍ୟକତା ନେଇ ଯୁକ୍ତି କରିଛନ୍ତି ଯେ, ମଣିଷ ନିଜକୁ ସତେଜ କରିବା ଲାଗି ପଦକ୍ଷେପ ନେଇଥାଏ। ବିଭିନ୍ନ ଲୋକଙ୍କୁ ସାମିଲ କରି ଏକ ସଙ୍ଗଠନ ତାହାର କଳେବର ବୃଦ୍ଧି କରେ। ବିଶ୍ୱର ଏକ ବୃହତ୍‌ ଅଂଶ ଅନୁଭବ କରୁଛି ଯେ, ଜାତିସଂଘ ସେମାନଙ୍କ ପାଇଁ କିଛି ଭଲ କାର୍ଯ୍ୟ କରୁନାହିଁ। ଏହାର ସଂସ୍କାର ନେଇ ଉଠୁଥିବା ଦାବିର ଅଗ୍ରଭାଗରେ ଭାରତ ରହି ଏକ ସ୍ଥାୟୀ ସଦସ୍ୟତା ଲାଗି ଜୋର ଦେଇଆସୁଛି ବୋଲି ଜୟଶଙ୍କର କହିବା ପରେ ନୂଆଦିଲ୍ଲୀର ବହିର୍ବ୍ୟାପାର ନୀତି କେତେ ସୁଦୃଢ଼ ତାହାର ସମୀକ୍ଷା କରିବାର ସମୟ ଆସିଛି।
ଭାରତ, ଯିଏ କି ଅତିଶୀଘ୍ର ପୃଥିବୀର ସର୍ବାଧିକ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାବେ ପରିଚିତ ହେବାକୁ ଯାଉଛି; ଅନ୍ତର୍ଜାତୀୟ ସ୍ତରରେ ଏହାର ଅର୍ଥନୀତି ୫ମ ସ୍ଥାନରେ ରହିଥିବା ମଧ୍ୟ କୁହାଯାଉଛି। ହେଲେ ବହିର୍ବ୍ୟାପାର ନୀତି ସୁଦୃଢ଼ ଓ ସୁସ୍ପଷ୍ଟ ନ ଥିବାରୁ ଭାରତର କୌଣସି ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ରହୁନାହିଁ। ଏଠାରେ ଏହା ମଧ୍ୟ କୁହାଯାଇପାରେ ଯେ, ଜି୨୦ର ଅଧ୍ୟକ୍ଷ ପଦ କୌଣସି ଭାବେ ଗୁରୁତ୍ୱ ଧାରଣ କରେ ନାହିଁ। ଭାରତ ପୂର୍ବରୁ ଇଣ୍ଡୋନେସିଆ ଭଳି ଦେଶ ଏହାର ଅଧ୍ୟକ୍ଷ ରହିଥିଲା। ସାମ୍ପ୍ରତିକ ସ୍ଥିତି ଦେଖିଲେ ପଡ଼ୋଶୀ ଦେଶଗୁଡ଼ିକ ସହ ନୂଆଦିଲ୍ଲୀ ଉତ୍ତମ ସମ୍ପର୍କ ରଖିପାରୁ ନାହିଁ। ଚାଇନା ଓ ପାକିସ୍ତାନ ବିଷୟରେ ନ କହିଲେ ଭଲ। ନେପାଳ ଓ ଶ୍ରୀଲଙ୍କା ଭଳି ରାଷ୍ଟ୍ର ଭାରତ ଅପେକ୍ଷା ଚାଇନା ଆଡ଼କୁ ବେଶି ଢଳିଛନ୍ତି। ସେହିପରି ଅନ୍ତର୍ଜାତୀୟ ଦୃଶ୍ୟପଟକୁ ଦେଖିଲେ ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧକୁ ପ୍ରମୁଖ ଆଲୋଚିତ ଦୃଷ୍ଟାନ୍ତ ଭାବେ ନିଆଯାଇପାରିବ। ୨୪ ଫେବୃୟାରୀ ୨୦୨୨ରୁ ଦୁଇ ଦେଶ ଯୁଦ୍ଧରେ ଲିପ୍ତ ଅଛନ୍ତି। ଭାରତ କେଉଁ ରାଷ୍ଟ୍ରକୁ ଅଧିକ ସମର୍ଥନ ଦେଲେ ବେଶି ଫାଇଦା ପାଇବ ସେହି ଅଙ୍କ କଷୁକଷୁ ଅନେକ ଭୁଲ୍‌ କରିବସିଛି। ରୁଷିଆ ଆଗେ ଯୁଦ୍ଧ ଆରମ୍ଭ କରି ୟୁକ୍ରେନ୍‌କୁ ଧ୍ୱଂସ କରିଚାଲୁଥିଲେ ମଧ୍ୟ ନୂଆଦିଲ୍ଲୀ ମସ୍କୋ ପଟକୁ ଅଧିକ ଢଳିଛି। ଆଶା କରିଥିଲା ଶସ୍ତା ଦରରେ ତେଲ ପାଇବ। କିନ୍ତୁ ସେଥିରୁ ସୁଫଳ ମିଳିନାହିଁ। ଯଦି ମିଳିଛି ତାହା ସାଧାରଣ ନାଗରିକ ପାଖରେ ପହଞ୍ଚତ୍ପାରି ନାହିଁ ବୋଲି ପ୍ରଶ୍ନ କରାଯାଇପାରେ। ଏହି ବିଷୟରେ ମଧ୍ୟ ପୂର୍ବରୁ ଜୟଶଙ୍କର କହିଥିଲେ ଯେ, କମ୍‌ ମୂଲ୍ୟରେ ରୁଷିଆରୁ ତେଲ କିଣାଯାଉଥିବାରୁ ଭାରତର ବହିର୍ବ୍ୟାପାର ନୀତି ତଦନୁଯାୟୀ ସୃଷ୍ଟି କରାଯାଇଛି।
ଜାତିସଂଘରେ ରୁଷିଆକୁ ବାରମ୍ବାର ନିନ୍ଦିତ କରାଯାଇଥିବା ବେଳେ ଭାରତ ନୀରବ ରହିଥିଲା। ଯେତେବେଳେ ଅଧିକାଂଶ ଦେଶ ୟୁକ୍ରେନ୍‌ ସପକ୍ଷରେ ମତ ରଖିଲେ ସେତେବେଳେ ଭାରତ ତା’ର କଡ଼ ଲେଉଟାଇ ରୁଷିଆକୁ ଯୁଦ୍ଧ ବନ୍ଦ କରିବା ଲାଗି ପ୍ରସ୍ତାବ ଦେଇଥିଲା। ଏବର ସମୟ ଯୁଦ୍ଧର ନୁହେଁ, ବରଂ ଶାନ୍ତିର ବୋଲି କହି ନୂଆଦିଲ୍ଲୀ ଯେତେବେଳେ ନିଜର ଅନ୍ତର୍ଜାତୀୟ ଉପସ୍ଥିତି ଜାହିର କରିବାକୁ ଚାହିଁଲା, ସେତେବେଳେ ‘ନେଡ଼ି ଗୁଡ଼ କହୁଣିକୁ ବହି ଯାଇଥିଲା’। ସାଧାରଣରେ ଢଗ ଅଛି-‘ଲୁହା ଗରମ ଥିବାବେଳେ ତାହାକୁ ପ୍ରହାର କରାଗଲେ ତାହାର ସୁଫଳ ମିଳିଥାଏ’। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସର୍ବୋଚ୍ଚରେ ପହଞ୍ଚତ୍ଥିବା ବେଳେ ଅନ୍ତର୍ଜାତୀୟ ସମୁଦାୟ ଭାରତର ସ୍ପଷ୍ଟ ଆଭିମୁଖ୍ୟକୁ ଅନିଶା କରିଥିଲା। ମାତ୍ର ନୂଆଦିଲ୍ଲୀ ନୀରବଦ୍ରଷ୍ଟା ସାଜିଲା। ଆଜି ଜାତିସଂଘ ସ୍ଥାୟୀ ସଦସ୍ୟତା ଲାଗି ଯେତେ ଯୁକ୍ତି ଦର୍ଶାଇଲେ ମଧ୍ୟ ଏହାର ପ୍ରଭାବ କାହା ଉପରେ ପଡ଼ିଲା ଭଳି ମନେହେଉ ନାହିଁ। କିନ୍ତୁ ଏହିସବୁ କଥା ଚିନ୍ତା କରିବା ସହିତ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା ଘାରୁଛି, ତାହା ହେଉଛି ଜୟଶଙ୍କରଙ୍କୁ ଭାରତରେ କେହି ନ ଶୁଣିଲେ ମଧ୍ୟ ଅଷ୍ଟ୍ରିଆକୁ ଯାଇ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସେ ଜାତିସଂଘ ନିରାପତ୍ତା ପରିଷଦ ଉପରେ ଭାରତର ବ୍ୟସ୍ତତା ବଖାଣିବା ପଛରେ ତାତ୍ପର୍ଯ୍ୟ କ’ଣ ତାହା ବୁଝିହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri