କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍‌ ଦୃଶ୍ୟମାନତା ଓ କୋହଲା ପାଗ ବିମାନ ଚଳାଚଳରେ ବାଧକ ସାଜିଥାଏ। ପାହାଡ଼ିଆ ଅଞ୍ଚଳରେ ଥିବା ଏହାର ରନ୍‌ଓ୍ବେଗୁଡ଼ିକ ଦୁର୍ବଳ ମାନର ହୋଇଥିବାରୁ ପାଇଲଟ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି। ନେପାଳରେ ୨୦୧୦ ପରଠୁ ଅଦ୍ୟାବଧି ଘଟିଥିବା ୧୧ ବିମାନ ଦୁର୍ଘଟଣା ଉପରେ ଏକ ନଜର…

ବିଶ୍ୱର ସର୍ବୋଚ୍ଚ ୧୪ ପର୍ବତମାଳା ମଧ୍ୟରୁ ୮ଟି କେବଳ ନେପାଳରେ ଅବସ୍ଥିତ। ଏଭରେଷ୍ଟ ଶୃଙ୍ଗରେ ହଠାତ୍‌ ବଦଳୁଥିବା ପାଣିପାଗ ଯୋଗୁ ଏଠାରେ ଅଧିକାଂଶ ବିମାନ ଦୁର୍ଘଟଣା ଘଟୁଥିବା ବିଶେଷଜ୍ଞମାନେ ମତ ଦିଅନ୍ତି। ନେପାଳରେ ୨୦୦୦ ମସିହାରୁ ଅଦ୍ୟାବଧି ଘଟିଥିବା ବିମାନ ଓ ହେଲିକପ୍ଟର ଦୁର୍ଘଟଣାରେ ୩୫୦ ଜଣଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ୨୦୧୩ରୁ ୟୁରୋପୀୟ ସଂଘ (ଇୟୁ) ନିଜ ଏୟାରସ୍ପେସ୍‌ ନେପାଳୀ ଏୟାରଲାଇନ୍ସ ଅଧୀନ ବିମାନଗୁଡ଼ିକର ଚଳାଚଳ ଉପରେ କଟକଣା ଜାରି କରିଛି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (ଆଇସିଏଓ) ମଧ୍ୟ ନେପାଳୀ ବିମାନଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ନେପାଳରେ ଅବସ୍ଥିତ ଟୁରିଜମ୍‌ ସିଟି ପୋଖରା ହେଉଛି ଦେଶର ଦ୍ୱିତୀୟ ବୃହତ୍‌ ସହର। ଏଠାରେ ଥିବା ଅର୍ଣ୍ଣପୂର୍ଣ୍ଣା ପର୍ବତଶ୍ରେଣୀର ମନୋରମ ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ରାଜଧାନୀ କାଠମାଣ୍ଡୁରୁ ସ୍ଥଳପଥରେ ପୋଖରା ଯିବାକୁ ହେଲେ ୬ ଘଣ୍ଟା ଲାଗିଥାଏ। କିନ୍ତୁ ମାତ୍ର ୨୫ ମିନିଟରେ ବିମାନ ଯାତ୍ରା ସମ୍ପୂର୍ଣ୍ଣ ହୋଇଥାଏ। ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରକଳ୍ପ ଅଧୀନରେ ନିର୍ମିତ ପୋଖରାର ନୂଆ ଏୟାରପୋର୍ଟରୁ ନୂଆବର୍ଷରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ପାଇଁ ୨୦୧୬ ମାର୍ଚ୍ଚରେ ନେପାଳ ସରକାର ଚାଇନାଠାରୁ ୨୧୫.୯୬ ଆମେରିକୀୟ ଡଲାର ଋଣ ନେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଦୁର୍ଘଟଣା ପରେ ବିମାନବନ୍ଦରକୁ ରବିବାର ବନ୍ଦ କରାଯାଇଛି। ଦେଶର ସମସ୍ତ ଘରୋଇ ଯାତ୍ରୀବାହୀ ବିମାନର ବୈଷୟିକ ନିରୀକ୍ଷଣ କରାଯିବ।
ୟେତି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଟୁଇନ୍‌ ଇଞ୍ଜିନ୍‌ ୯ଏନ୍‌-ଏଏନ୍‌ସି ଏଟିଆର୍‌ ୭୨ ଏୟାରକ୍ରାଫ୍ଟ ୧୫ ବର୍ଷ ପୁରୁଣା। ବିମାନରେ ଏକ ପୁରୁଣା ଟ୍ରାନ୍ସପୋଣ୍ଡର ଥିବାବେଳେ ଏହାର ଡେଟା ଭରସାଯୋଗ୍ୟ ନ ଥିଲା। ୦୫୧୨ ଜିଏମ୍‌ଟିରେ ବିମାନ ସମୁଦ୍ର ପତ୍ତନରୁ ୨,୮୭୫ ଫୁଟ୍‌ ଉଚ୍ଚରେ ଥିବାବେଳେ ଟ୍ରାନ୍ସପୋଣ୍ଡରଠାରୁ ଶେଷ ସିଗ୍ନାଲ ମିଳିଲା ବୋଲି ବିମାନଗୁଡ଼ିକୁ ଟ୍ରାକିଂ କରୁଥିବା ଓ୍ବେବ୍‌ସାଇଟ୍‌ ଫ୍ଲାଇଟ୍‌ରାଡାର୨୪ ପକ୍ଷରୁ ଟୁଇଟରରେ କୁହାଯାଇଛି। ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ୨୦୧୯ ଏୟାର ସେଫ୍ଟି ରିପୋର୍ଟ ଅନୁସାରେ ଦେଶର ପାଣିପାଗରେ ଥିବା ବିବିଧତା ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି। ପୋଖରା ଏୟାରପୋର୍ଟ ମୁଖପାତ୍ର ଅନୁପ ଜୋଷୀ କହିଛନ୍ତି, ଏହି ଏୟାରକ୍ରାଫ୍ଟ ବିମାନବନ୍ଦର ନିକଟରେ ପହଞ୍ଚତ୍ଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ବିମାନଟି ୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିଲା। ପାଗ ଠିକ୍‌ ଥିବା ସତ୍ତ୍ୱେ ଏହା ଖସିପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଦୁର୍ଘଟଣା ପରେ ସ୍ଥିତି ସମୀକ୍ଷା ପାଇଁ ବାଲୁଓ୍ବତାରରେ କ୍ୟାବିନେଟ ବୈଠକ ବସିଛି। ପୂର୍ବତନ ବିମାନ ଚଳାଚଳ ସଚିବ ନଗେନ୍ଦ୍ର ଘିମିରେଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ତଦନ୍ତ କମିଶନ ଗଠନ କରାଯାଇଛି। ଏହି କମିଶନ ୪୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ। ମୃତକଙ୍କ ସମ୍ମାନାର୍ଥେ ସୋମବାର ରାଷ୍ଟ୍ରୀୟ ଶୋକ ଦିବସ (ସରକାରୀ ଛୁଟି) ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

୨୦୧୦ ପରଠୁ ୧୧ ଥର

୨୦୨୨ ମେ’ ୨୯: ନେପାଳୀ କ୍ୟାରିୟର୍‌ ତାରା ଏୟାର ଦ୍ୱାରା ପରିଚାଳିତ ଏକ ଟୁଇନ୍‌ ଓଟ୍ଟେର ପ୍ଲେନ୍‌ ପୋଖରା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୧୯ ଏପ୍ରିଲ ୧୪: ଏକ ଛୋଟ ବିମାନ ମାଉଣ୍ଟ ଏଭରେଷ୍ଟ ନିକଟ ରନ୍‌ଓ୍ବେରେ ଉଡ଼ାଣ ଆରମ୍ଭ ସମୟରେ ଦୁଇଟି ହେଲିକପ୍ଟର ସହ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ।
୨୦୧୮ ମାର୍ଚ୍ଚ ୧୨: ବାଂଲାଦେଶ ରାଜଧାନୀ ଢାକାରୁ ଏକ ବିମାନ ଯାତ୍ରା କରି କାଠମାଣ୍ଡୁରେ ଅବତରଣ କରିବା ସମୟରେ ଫୁଟ୍‌ବଲ୍‌ ଫିଲ୍ଡକୁ ଖସିଯାଇଥିଲା। ସେଠାରେ ବିସ୍ଫୋରଣ ଘଟି ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୧୬ ଫେବୃୟାରୀ ୨୪: ତାରା ଏୟାରଲାଇନ୍ସର ଏକ ଟୁଇନ୍‌ ଓଟ୍ଟେର ବିମାନ ମ୍ୟାଗ୍‌ଦି ଜିଲାର ଏକ ପାହାଡ଼କୁ ଧକ୍କା ଦେବାରୁ ୨୩ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା।
୨୦୧୪ ଫେବୃୟାରୀ ୧୬: ନେପାଳ ଏୟାରଲାଇନ୍ସର ଏକ ଫ୍ଲାଇଟ୍‌ ଅର୍ଘକାଞ୍ଚତ୍ ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏହାର ଧ୍ୱଂସାବଶେଷ ଓ ୧୮ ଯାତ୍ରୀଙ୍କ ମୃତଦେହ ଏଠିସେଠି ବିଛାଡ଼ି ହୋଇପଡ଼ିଥିଲା।
୨୦୧୨ ସେପ୍ଟେମ୍ବର ୨୮: ୧୯ ଯାତ୍ରୀଙ୍କୁ ନେଇ ମାଉଣ୍ଟ ଏଭରେଷ୍ଟ ଆଡ଼କୁ ଯାଉଥିବା ଏକ ବିମାନ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୭ ବ୍ରିଟିଶ୍‌ ଓ ୫ ଚାଇନା ନାଗରିକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
୨୦୧୨ ମେ’ ୧୪: ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଉଡ଼ାଣ କରୁଥିବା ଅଗ୍ନି ଏୟାର ଦ୍ୱାରା ପରିଚାଳିତ ଏକ ବିମାନ ଉତ୍ତର ପାର୍ବତ୍ୟାଞ୍ଚଳରେ ଥିବା ଜୋମ୍‌ସୋମ୍‌ ଏୟାରପୋର୍ଟ ନିକଟରେ ଖସିପଡ଼ିଥିଲା। ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୌଭାଗ୍ୟକ୍ରମେ ୬ ଯାତ୍ରୀ ବର୍ତ୍ତିଯାଇଥିଲେ।
୨୦୧୧ ସେପ୍ଟେମ୍ବର ୨୫: ୧୯ ପର୍ଯ୍ୟଟକଙ୍କୁ ଏଭରେଷ୍ଟ ଶୃଙ୍ଗର ଦୃଶ୍ୟ ଦେଖାଇବାକୁ ଉଡ଼ାଣ କରୁଥିବା ଏକ ଛୋଟ ବିମାନ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
୨୦୧୦ ଡିସେମ୍ବର ୧୫: ପୂର୍ବ ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଭୁଟାନର ହୋଇଥିବାବେଳେ ଜଣେ ଆମେରିକୀୟ ମଧ୍ୟ ଥିଲେ।
୨୦୧୦ ଅଗଷ୍ଟ ୨୪: ଅଗ୍ନି ଏୟାରର ଏକ ଛୋଟ ବିମାନ ଖରାପ ପାଗ ଯୋଗୁ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୪ ଆମେରିକୀୟ, ଜଣେ ଜାପାନୀ ଓ ଜଣେ ବ୍ରିଟିଶ୍‌ ନାଗରିକଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri