ପୁରୁଣା ସୁନା ବଦଳେଇବା ପୂର୍ବରୁ ସାବଧାନ! ଏବେ ହୋଇପାରେ ବଡ଼ କ୍ଷତି, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୧୧: ସୁନା ଦରରେ ଉତ୍ଥାନ-ପତନ ମଧ୍ୟରେ ଅନେକ ଲୋକ ଜରୁରୀ କାମ କିମ୍ୱା ନିବେଶ ବଦଳାଇବା ପାଇଁ ପୁରୁଣା ସୁନା ଗହଣା ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି। କିନ୍ତୁ ବିକ୍ରି କରିବା ସମୟରେ ଓଜନ, ଶୁଦ୍ଧତା ପରୀକ୍ଷା, କଟାଯିବାକୁ ଥିବା ଅର୍ଥ (Deductions) ଏବଂ ବାୟିଂ ରେଟ (Buying Rate) ବିଷୟରେ ସ୍ପଷ୍ଟ ଧାରଣା ନ ଥିଲେ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଯଦି ଆପଣଙ୍କୁ ହଠାତ ଟଙ୍କାର ଆବଶ୍ୟକତା ପଡ଼େ କିମ୍ୱା କୌଣସି ବଡ଼ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡ଼େ, ତେବେ ଘରେ ଥିବା ପୁରୁଣା ସୁନା ଅଳଙ୍କାର ବିକ୍ରି କରିବା ଟଙ୍କା ଯୋଗାଡ଼ କରିବାର ଏକ ସହଜ ଉପାୟ ମନେହୋଇପାରେ । ଅନେକ ଲୋକ ନିଜର ପୁରୁଣା ଅଳଙ୍କାର ବଦଳରେ ନୂଆ ଅଳଙ୍କାର ମଧ୍ୟ ନେଇଥାନ୍ତି । ତେବେ, ଜଣେ ସୁନା ବ୍ୟବସାୟୀଙ୍କ ପାଖକୁ ଯିବା ପୂର୍ୱରୁ ଗୋଟିଏ କଥା ବୁଝିନେବା ଜରୁରୀ । ଆପଣଙ୍କ ପୁରୁଣା ସୁନା ପାଇଁ ଆପଣ ସେହି ଦିନର ବଜାରରେ ଚାଲିଥିବା ୨୨-କ୍ୟାରେଟ କିମ୍ୱା ୨୪-କ୍ୟାରେଟ ସୁନା ଦର ଅନୁଯାୟୀ ମୂଲ୍ୟ ପାଇବେ ନାହିଁ ।

ପ୍ରଥମେ ଗହଣାର ମୋଟ ଓଜନ ନିଆଯାଏ। ଯଦି ଗହଣାରେ ପଥର, ମୀନା, ଲକ୍ଷା (lac) ବା ଅନ୍ୟ କୌଣସି ଅଣ-ସୁନା ଅଂଶ ଥାଏ, ତେବେ ତାହାର ଓଜନ ବାଦ ଦେଇ ନିଟ ସୁନା ଓଜନ ହିସାବ କରାଯାଏ। ଉଦାହରଣ ସୱରୂପ, ୨୦ ଗ୍ରାମର ଏକ ହାରରେ ୧.୫ ଗ୍ରାମ ପଥର ଥିଲେ, ନିଟ ସୁନା ଓଜନ ୧୮.୫ ଗ୍ରାମ ହେବ।

ମେସିନ ସାହାଯ୍ୟରେ ଗହଣାକୁ କ୍ଷତି ନ ପହଞ୍ଚାଇ ଶୁଦ୍ଧତା ପରୀକ୍ଷା କରାଯାଇପାରେ। ୨୨ କ୍ୟାରେଟ ସୁନାରେ ୯୧.୬% (916) ଏବଂ ୧୮ କ୍ୟାରେଟ ସୁନାରେ ୭୫% (750) ଶୁଦ୍ଧ ସୁନା ରହିବା କଥା।

ଦୋକାନରେ ନୂଆ ସୁନା ବିକ୍ରି ପାଇଁ ପ୍ରଦର୍ଶିତ ଦର ଏବଂ ପୁରୁଣା ସୁନା କିଣିବା ପାଇଁ ଧାର୍ଯ୍ୟ ’ବାୟିଂ ରେଟ’ ଭିନ୍ନ ହୋଇପାରେ। ବିକ୍ରି ପୂର୍ୱରୁ ସେହି ଦିନର ପ୍ରକୃତ ବାୟିଂ ରେଟ ଜାଣିବା ଜରୁରୀ।

ମେକିଂ ଚାର୍ଜ ଓ GST ଫେରସ୍ତ ହୁଏ ନାହିଁ: କିଣିବା ସମୟରେ ଦିଆଯାଇଥିବା ମେକିଂ ଚାର୍ଜ ଏବଂ GST ପୁନଃବିକ୍ରି ସମୟରେ ଫେରସ୍ତ ମିଳେ ନାହିଁ।

ବଜାର ବିଶ୍ଳେଷକମାନଙ୍କ ମତ ଅନୁଯାୟୀ, କେବଳ ହାର ଦେଖିବା ପରିବର୍ତ୍ତେ ବିଭିନ୍ନ ଦୋକାନୀ ଦେଉଥିବା ଚୂଡ଼ାନ୍ତ ପେଆଉଟ (Final Payout) ତୁଳନା କରିବା ଉଚିତ

ପୁରୁଣା ମରାମତି କିମ୍ୱା ସୋଲଡରିଂ ଯୋଗୁଁ କୌଣସି ଗହଣାର ଶୁଦ୍ଧତା ମେସିନ ପରୀକ୍ଷାରେ କମ ଆସିପାରେ। କିନ୍ତୁ ବାୟିଂ ରେଟ ଯଦି ପରୀକ୍ଷିତ ଶୁଦ୍ଧତା ଅନୁସାରେ ଧାର୍ଯ୍ୟ ହେଉଛି, ତେବେ ଅତିରିକ୍ତ ଶୁଦ୍ଧତା ଡିଡକ୍ସନ ନାମରେ ଦ୍ୱିଗୁଣିତ କଟା ନ ହେଉ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଅଣ-ହଲମାର୍କ ଗହଣାରେ ଶୁଦ୍ଧତାକୁ ନେଇ ଅନିଶ୍ଚିତତା ଥିଲେ କେତେକ କ୍ଷେତ୍ରରେ ୱେଷ୍ଟେଜ ବା ରିଫାଇନିଂ ବାବଦକୁ କାଟ କରାଯାଇପାରେ। BIS ହଲମାର୍କ (HUID) ଥିବା ଗହଣାରେ ଶୁଦ୍ଧତା ପ୍ରମାଣିତ ଥିବାରୁ ଏ କ୍ଷେତ୍ରରେ ସ୍ପଷ୍ଟତା ରହେ।

ଭାରତୀୟ ମାନକ ବ୍ୟୁରୋ (BIS) ନିୟମ ଅନୁଯାୟୀ, ହଲମାର୍କ ଗହଣାରେ ସାଧାରଣତଃ BIS ଲୋଗୋ, ଶୁଦ୍ଧତା ଗ୍ରେଡ (ଯଥା- 22K916) ଏବଂ ୬-ଅଙ୍କ ବିଶିଷ୍ଟ HUID କୋଡ ରହିଥାଏ। ଗ୍ରାହକମାନେ BIS Care App ଜରିଆରେ ’Verify HUID’ ବିକଳ୍ପ ବ୍ୟବହାର କରି ହଲମାର୍କର ସତ୍ୟତା ଯାଞ୍ଚ କରିପାରିବେ।

BIS (Hallmarking) Amendment Regulations, 2026 ଅନୁଯାୟୀ, ୧୪ ସେପ୍ଟେମ୍ୱର ୨୦୨୬ରୁ ସୱୀକୃତ Assaying and Hallmarking Centres (AHC) ପାଇଁ ସୁନା ଗହଣା ପିଛା ହଲମାର୍କିଂ ଶୁଳ୍କ ବଢ଼ି ୭୫ ଟଙ୍କା (ପୂର୍ୱରୁ ୪୫ ଟଙ୍କା ଥିଲା) ଏବଂ ପ୍ରତି କନସାଇନମେଣ୍ଟ ପାଇଁ ସର୍ୱନିମ୍ନ ୨୦୦ ଟଙ୍କା (ଅଧିକ ଲାଗୁ ଟିକସ/GST ବ୍ୟତୀତ) ଧାର୍ଯ୍ୟ ହୋଇଛି। ରୂପା ପାଇଁ ଏହା ଆର୍ଟିକଲ ପିଛା ୩୫ ଟଙ୍କା ଏବଂ ସର୍ୱନିମ୍ନ ୧୫୦ ଟଙ୍କା ରହିଛି।

ଗ୍ରାହକମାନେ ଅଣ-ହଲମାର୍କ ଗହଣାର ଶୁଦ୍ଧତା BIS ସୱୀକୃତ କେନ୍ଦ୍ରରେ ପରୀକ୍ଷା କରାଇପାରିବେ (ପୂର୍ୱ ସରକାରୀ ବିଜ୍ଞପ୍ତି ଅନୁଯାୟୀ ୪ଟି ପର୍ଯ୍ୟନ୍ତ ସୁନା ଗହଣା ପାଇଁ ୨୦୦ ଟଙ୍କା ଏବଂ ୫ ବା ତଦୁର୍ଦ୍ଧ୍ୱ ପାଇଁ ପ୍ରତି ଆର୍ଟିକଲ ୪୫ ଟଙ୍କା ଶୁଳ୍କ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ୨୦୨୬ର ସଂଶୋଧିତ ନିୟମ ଅନୁଯାୟୀ ହଲମାର୍କିଂ ଶୁଳ୍କ ଢାଞ୍ଚା ମଧ୍ୟ ଅପଡେଟ ହୋଇଛି)।

Share