ପାରାଙ୍କୁ ଘୃଣା କାହିଁକି

ମାନେକା ଗାନ୍ଧୀ

ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍‌ ପାଇଥିଲି ଯେ, ପୌର କମିଶନର ହଠାତ୍‌ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ନିର୍ମିତ ୨୦ ବର୍ଷର ପୁରୁଣା ଫିଡିଂ ପ୍ଲାଟ୍‌ଫର୍ମ (କବୁତରଖାନା)କୁ ବନ୍ଦ କରିଦେଇଛନ୍ତି। କବୁତରଖାନା ଉପରେ ପ୍ଲାଷ୍ଟିକ୍‌ ଚଦର ଘୋଡ଼ାଇଦେବା ସହ ପକ୍ଷୀମାନଙ୍କୁ ଯେପରି କେହି ଖାଇବାକୁ ଦେଇ ନ ପାରିବେ ସେଥିପାଇଁ ପୋଲିସ ଜଗୁଆଳି ମୁତୟନ କରିଛନ୍ତି। ଭିତରେ ରହିଯାଇଥିବା ପାରାମାନେ ଅନାହାରରେ ମୃତ୍ୟୁ ବରଣ କରିଛନ୍ତି, କାରଣ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା କି ଭିତରେ ଖାଇବାକୁ ଦିଆଯାଇ ନ ଥିଲା। ବାହାରେ ଥିବା ପାରାମାନେ, ଯେଉଁମାନଙ୍କୁ ବର୍ଷ ବର୍ଷ ଧରି ଏଇଠି ଖାଇବାକୁ ମିଳୁଥିଲା, ସେମାନେ ଖାଦ୍ୟ ସନ୍ଧାନରେ ଆଉ କେଉଁଆଡ଼େ ନ ଯାଇ କିଏ କାଳେ ଖାଇବାକୁ ଦେବ ବୋଲି ଆଶାକରି ରାସ୍ତାରେ ବସିରହିଲେ। ଫଳରେ ଶହ ଶହ ପାରା ଉପରେ ଗାଡ଼ି ଚଢ଼ିଯିବା ଯୋଗୁ ମଲେ। ସେମାନଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଧରିନେଇ ଥାନାରେ ବସାଇଦେଲା। ଏହି ସମୟ ମଧ୍ୟରେ ପୌର କମିଶନରଙ୍କର ସ୍ଥାନୀୟ ଖବରକାଗଜଗୁଡ଼ିକରେ ଅନେକ ମିଥ୍ୟା ପ୍ରବନ୍ଧ ପ୍ରକାଶ ପାଇଲା, ଯେଉଁଥିରେ ମାନବ ସ୍ବାସ୍ଥ୍ୟ ପାଇଁ ପାରା ବିପଦପୂର୍ଣ୍ଣ ବୋଲି ଲେଖା ଥିଲା।
ମୁଁ କମିଶନରଙ୍କ ସହ କଥା ହେଲି ଏବଂ ପାରାମାନଙ୍କ ଗଣହତ୍ୟା ପାଇଁ ମୋତେ ସେ ଯେଉଁ କାରଣ ଦର୍ଶାଇଲେ ତାହା ଥିଲା ନିମ୍ନ ପ୍ରକାର: ପାରାମାନେ ଅଣ୍ଡା ଦିଅନ୍ତି। ସେ ଅଣ୍ଡାକୁ କାଉମାନେ ଖାଆନ୍ତି। ଆମେ କାଉମାନଙ୍କୁ ଚାହୁଁନାହୁଁ। ତେଣୁ ଯଦି ଆମେ ପାରାମାନଙ୍କୁ ମାରିଦେବୁ, ତେବେ କାଉମାନେ ବି ଆପେ ଆପେ ଚାଲିଯିବେ।
ଏପରି ମୂର୍ଖତାପୂର୍ଣ୍ଣ କଥା ମୁଁ ଜୀବନରେ କାହାଠାରୁ ଶୁଣିନାହିଁ। ପାରା ଅଣ୍ଡା ସହ କାଉମାନଙ୍କ ବଂଶବୃଦ୍ଧିର କିଛି ସମ୍ପର୍କ ଥିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। କାଉ ଏକ ମେହେନ୍ତର ବା ସଫେଇବାଲା ପକ୍ଷୀ। ଯେପର୍ଯ୍ୟନ୍ତ ମଣିଷମାନେ ଅଳିଆ କରିବେ ତାକୁ ସଫା କରିବା ପାଇଁ ସେ ପର୍ଯ୍ୟନ୍ତ ସେମାନେ ବଂଶବୃଦ୍ଧି ଜାରି ରଖିବେ।
ଆମେ ଜାଣିବା ଦରକାର ଯେ ସହରରେ ଏତେ ପାରା କାହିଁକି? ହଜାର ହଜାର ଲୋକ ସେମାନଙ୍କୁ ଖାଇବାକୁ ଦିଅନ୍ତି- ଦିଲ୍ଲୀରେ କିଛି ନିର୍ଦ୍ଦିଷ୍ଟ ଫିଡିଂ ଏରିଆ ଅଛି ଏବଂ ଲୋକମାନେ ପାରାଙ୍କୁ ଖାଇବାକୁ ଦେବା ପାଇଁ ସ୍କୁଟର ଓ କାରରେ ସେଠାକୁ ଆସନ୍ତି। ମୋ ହସ୍ପିଟାଲରେ ଏକ ହଜାରରୁ ଅଧିକ ପାରା ଅଛନ୍ତି, ଯେଉଁମାନେ ବିଲେଇ, କୁକୁର ଏବଂ କାର ଦ୍ୱାରା ଆଘାତ ପାଇ ଆସିଛନ୍ତି।
ଜଙ୍ଗଲରେ ଆଉ ପାରା ନାହାନ୍ତି। ସେମାନେ କିପରି କୁକୁର ଏବଂ ବିଲେଇ ପରି ସହରୀ ଜୀବ ହୋଇଗଲେ?
ଆଜି ଆମେ ଜାଣିଥିବା ପାରା ହେଉଛି ରକ୍‌ ଡୋଭ୍‌ (କଲମ୍ବିଆ ଲିଭିୟା)ର ବଂଶଧର ଯେଉଁମାନେ ସହର ଅପେକ୍ଷା ଉପକୂଳର ପାହାଡ଼ିଆ ପାର୍ଶ୍ୱ (କ୍ଲିଫ୍‌)କୁ ପସନ୍ଦ କରୁଥିଲେ। ମିଳୁଥିବା ରେକର୍ଡଗୁଡିକ ଅନୁସାରେ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ମେସୋପଟାମିଆ (ବର୍ତ୍ତମାନ ଇରାକ) ଏବଂ ଇଜିପ୍ଟର ଲୋକମାନେ ସେମାନଙ୍କୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଚିନ୍ତାକଲେ। ଏହି ଲୋକମାନେ ସେମାନଙ୍କୁ ଖାଇବାକୁ ଦେବା ସହ ମାନବ ବସତି ନିକଟରେ ପ୍ରଜନନ କରିବାକୁ ଉତ୍ସାହିତ କଲେ। ପରେ ଏହି ପକ୍ଷୀମାନଙ୍କୁ ମାରି ମାଂସ ଖାଇଲେ। ଲୋକମାନେ ଖାଇବା ପାଇଁ କୁକୁଡ଼ା ପରି ପାରାମାନଙ୍କ ପ୍ରଜନନ ଆରମ୍ଭ କଲେ। ଏହିପରି ପ୍ରଜନନ କରିବା ଓ ଘରେ ପାଳିବା ଯୋଗୁ ଆଜି ଆମ ସହରଗୁଡ଼ିକରେ ଦେଖାଯାଉଥିବା ସେହି ରକ୍‌ ଡୋଭ୍‌ଙ୍କ ଉପଜାତିମାନେ ସୃଷ୍ଟି ହୋଇଛନ୍ତି।
ସମୟ କ୍ରମେ ଲୋକମାନେ ସେମାନଙ୍କୁ ଖାଇବା ବନ୍ଦ କରି ଏକ ହବି ଭାବରେ ପାଳିବା ଆରମ୍ଭ କଲେ। ଏକ ହବି ଭାବେ ପାଳିବା ପାଇଁ ପାରାମାନଙ୍କୁ ଜାହାଜ ଦ୍ୱାରା ବିଶ୍ୱର ସମସ୍ତ ଅଞ୍ଚଳକୁ ନିଆଯାଇଥିଲା। ପରେ ଅନେକେ ପଳାଇ ସହରଗୁଡିକରେ ମୁକ୍ତ ଭାବରେ ବଂଶବୃଦ୍ଧି କରିବାକୁ ଲାଗିଲେ। ସମୟକ୍ରମେ ସେମାନେ ମଣିଷମାନଙ୍କ ସହ ସ୍ବଚ୍ଛନ୍ଦରେ ଚଳିବାକୁ ଲାଗିଲେ ଏବଂ କୋଠାଘରର ଖୋପ, ଝରକା କାନ୍ଥ ପ୍ରଭୃତିରେ ବସା ବାନ୍ଧିଲେ।
ଲୋକମାନେ ହୃଦୟଙ୍ଗମ କଲେ ଯେ ପାରାମାନଙ୍କର ନେଭିଗେଶନ୍‌ (ଦିଗନିର୍ଣ୍ଣୟ)ର ଏକ ଭଲ ପ୍ରତିଭା ଅଛି। ତେଣୁ ସମୁଦ୍ରରେ ଦିଗହରା ନାବିକମାନେ ଜାହାଜଗୁଡ଼ିକୁ ସ୍ଥଳ ଆଡକୁ ବାଟ କଢ଼େଇ ନେବା ପାଇଁ ପାରାମାନଙ୍କୁ ବ୍ୟବହାର କରିବା ଆରମ୍ଭ କଲେ। ଆକାଶମାର୍ଗରେ ବାର୍ତ୍ତା ବହନ କରି ନେବା ପାଇଁ ପାରାମାନଙ୍କୁ ବ୍ୟବହାର କରାଗଲା। ଏପରି କି ସୈନ୍ୟବାହିନୀଗୁଡ଼ିକ ସେମାନଙ୍କୁ ବ୍ୟବହାର କରିବା ଆରମ୍ଭ କଲେ। ପାରା ପୋଷ୍ଟଗୁଡିକ ସମଗ୍ର ବିଶ୍ୱରେ ସ୍ବୀକୃତିପ୍ରାପ୍ତ। ଚେଙ୍ଗିଜ୍‌ ଖାନ୍‌ ଉଭୟ ଶତ୍ରୁ ଓ ମିତ୍ରଙ୍କ ପାଇଁ ଦୈନିକ ଦୂତ ଭାବରେ ପାରାମାନଙ୍କୁ ବ୍ୟବହାର କରୁଥିଲେ। ଉଭୟ ବିଶ୍ୱଯୁଦ୍ଧରେ ପାରାମାନଙ୍କୁ ବହୁଳ ଭାବରେ ବ୍ୟବହାର କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ କେବଳ ଆମେରିକା ୨,୦୦,୦୦୦ ପାରାଙ୍କୁ ବ୍ୟବହାର କରିଥିଲା। ସାହସିକତା ପାଇଁ ପାରାମାନଙ୍କୁ ପଦକ ବି ଦିଆଯାଇଥିଲା।
କ୍ରମେ ପାରାମାନେ କୋଳି, କୀଟପତଙ୍ଗ ଓ ମଞ୍ଜିଠାରୁ ଆରମ୍ଭ କରି ଯେକୌଣସି ଖାଦ୍ୟପଦାର୍ଥ ଦ୍ୱାରା ନିଜର କ୍ଷୁଧା ନିବାରଣ କରିବାରେ ଅଭ୍ୟସ୍ତ ହୋଇଯାଇଥିଲେ, ଯାହା ମଣିଷ ସେମାନଙ୍କୁ ଖାଇବାକୁ ଦେଉଥିଲା। ଏପରିକି ଆଇସ୍କ୍ରିମ୍‌ ଓ ବିସ୍କୁଟ ପର୍ଯ୍ୟନ୍ତ ବି ସେମାନେ ଖାଉଥିଲେ।
ଉଭୟ ମାଆ ଓ ବାପା ଛୁଆମାନଙ୍କୁ ପାଳନ କରିଥାନ୍ତି। ସେମାନେ ଛୁଆଙ୍କୁ କୀଟ, ପୋକ ଓ ମଞ୍ଜି ବଦଳରେ ବେକରେ ଥିବା କ୍ରପ୍‌ ନାମକ ଥଳିରେ ଉତ୍ପାଦିତ ପ୍ରୋଟିନ୍‌ ଓ ଚର୍ବିଯୁକ୍ତ କ୍ଷୀର ଖାଇବାକୁ ଦିଅନ୍ତି। ଯେପର୍ଯ୍ୟନ୍ତ ସେମାନେ ଖାଇପାରିବେ, ସେମାନଙ୍କର ଛୁଆମାନେ ବଞ୍ଚିପାରିବେ। ତେଣୁ ଯେତେବେଳେ ଅନ୍ୟ ପକ୍ଷୀମାନେ କଠିନ ସହରୀ ପରିବେଶରେ ବଞ୍ଚିବାର କ୍ଷମତା ଛାଡି ମରିଗଲେ ପାରାଟି ବଞ୍ଚିରହିଲା। କାଉ ସହିତ ଏହା ହେଉଛି ଏକମାତ୍ର ପକ୍ଷୀ ଯାହାକୁ ଅଧିକାଂଶ ସହରର ପିଲାମାନେ ଦେଖିଥିବେ। ଯେଉଁ ପିଲାଙ୍କୁ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ଅନୁମତି ଦିଆଯାଇଥାଏ, ସେମାନଙ୍କ ବ୍ୟକ୍ତିତ୍ୱର ମାନବୀୟ ଦିଗର ବିକାଶ ଘଟେ।
ପାରାମାନଙ୍କୁ ଘୃଣା କରିବାର କ’ଣ କାରଣ ଅଛି? ସେମାନେ ଇନ୍ଦ୍ରଧନୁ ପରି ରଙ୍ଗବେରଙ୍ଗର ବେକ ଏବଂ ବିଭିନ୍ନ ରଙ୍ଗରେ ସୁନ୍ଦର ଦେଖାଯାନ୍ତି। ଯେଉଁମାନେ ଆହତ ପାରାଙ୍କୁ ପାଳିଛନ୍ତି, ସେମାନେ ସେହି ପାରାକୁ ଘରର ପ୍ରିୟ ସଦସ୍ୟ ବୋଲି କୁହନ୍ତି। ପାରାମାନେ ଚିତ୍ତାକର୍ଷକ, ସ୍ନେହଶୀଳ ଓ ସ୍ବତନ୍ତ୍ର ବ୍ୟକ୍ତିତ୍ୱର ଅଧିକାରୀ। ଯେତେବେଳେ ସେମାନେ ଘର ଭିତରେ ରୁହନ୍ତି, ନିଜକୁ ବହୁତ ପରିଷ୍କାର ରଖନ୍ତି ଏବଂ ଗାଧୋଇବାକୁ ଭଲ ପାଆନ୍ତି! ସେମାନଙ୍କୁ ପଟୀରେ ପାଇଖାନା ଯିବାକୁ ଅଭ୍ୟସ୍ତ କରାଇବା ସହଜ। ସହରର ପରିଷ୍କାର ପରିଚ୍ଛନ୍ନତା ପାଇଁ ପାରାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କାଉମାନେ ଲୋକଙ୍କ ପାଖକୁ ଆସିବାକୁ ସଂକୋଚ କରନ୍ତି। କିନ୍ତୁ ପାରାମାନେ ରାସ୍ତା କଡ଼ରେ ଆମେ ପକାଉଥିବା ସମସ୍ତ ଆବର୍ଜନା ଖାଆନ୍ତି।
ସେମାନଙ୍କର ମହତ୍ତ୍ୱ କ’ଣ? ଆମକୁ ହକ୍‌, ଇଗଲ, ଫାଲକନ୍‌ ଏବଂ କାଇଟ (ବିଭିନ୍ନ ପ୍ରଜାତିର ବାଜପକ୍ଷୀ) ଦରକାର ଏବଂ ପାରାମାନେ ସେମାନଙ୍କ ଖାଦ୍ୟ। ପାରା ମଳର କମ୍ପୋଷ୍ଟ ଖତ ଭିତରେ ସର୍ବୋତ୍ତମ। ଚାଷରେ ଏହାକୁ ବ୍ୟବହାର କରି ଭଲ ଫସଲ ଅମଳ କରାଯାଉଥିଲା। ମଧ୍ୟପ୍ରାଚ୍ୟରେ, ଯେଉଁଠାରେ ପାରା ମାଂସ ଖାଇବା ନିଷିଦ୍ଧ ଥିଲା, ସେଠାରେ କେବଳ ଫଳଗଛକୁ ଖତ ଯୋଗାଇବା ପାଇଁ ପାରାମାନଙ୍କ ପାଇଁ ଖୋପଯୁକ୍ତ ଘର ନିର୍ମାଣ କରାଯାଉଥିଲା ଏବଂ ଏହି ଅଭ୍ୟାସ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିଲା। ପାରା ମଳର ଖତ ଅତ୍ୟଧିକ ନାଇଟ୍ରୋଜେନ୍‌ ସମୃଦ୍ଧ। ଏହି ଖତ ବିକ୍ରି ପାଇଁ ନେଟ୍‌ରେ ବିଜ୍ଞାପନ ଦିଆଯାଉଛି ଏବଂ ଏହା ଅନ୍ୟ ଖତଠାରୁ ଦୁଇଗୁଣ ମୂଲ୍ୟରେ ବିକ୍ରି ହୁଏ। ଟମାଟୋ, ତରଭୁଜ, ବାଇଗଣ, ଗୋଲାପ ଓ ଅନ୍ୟାନ୍ୟ ଫସଲକୁ ସାର ଦେବା ପାଇଁ ପାରା ମଳର କମ୍ପୋଷ୍ଟ ଅତୁଳନୀୟ। ମରକ୍କୋରେ ପାରା ମଳ ସଂଗ୍ରହ କରାଯାଇ ଚମଡ଼ା ଟ୍ୟାନେରୀରେ ବିକ୍ରି କରାଯାଏ। କାରଣ ଚମଡ଼ାକୁ ପାରା ମଳରେ ଭିଜାଇଲେ ତାହା ଅଧିକ ନରମ ହୋଇଯାଏ। ମରକ୍କୋ ଚମଡ଼ା ପୃଥିବୀରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।
ସେହିମାନେ ପାରାଙ୍କୁ ଘୃଣା କରନ୍ତି, ଯେଉଁମାନେ ପରିଷ୍କାର ପରିଚ୍ଛନ୍ନତା ଓ ବିକାଶ ନାଁରେ ବନ୍ଧ୍ୟା ଆନନ୍ଦହୀନ ରାସ୍ତାଗୁଡ଼ିକୁ ବାଛନ୍ତି। ପକ୍ଷୀମାନଙ୍କ ଦ୍ୱାରା ରୋଗ ବ୍ୟାପୁଛି ବୋଲି ସେମାନେ ମନଗଢ଼ା କାହାଣୀ ତିଆରି କରନ୍ତି। ପାରାମାନେ ରୋଗ ବିସ୍ତାର କରନ୍ତି କି? ନା। ଯଦି ସେମାନେ ତାହା କରିଥାନ୍ତେ ତେବେ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ପାରାମାଂସ ଖାଉଥିଲେ ମଧ୍ୟ ଏବଂ ପାଳି ଆସିଥିଲେ ମଧ୍ୟ ସେମାନଙ୍କ ଯୋଗୁ କୌଣସି ରୋଗ ବ୍ୟାପିଥିବାର ରିପୋର୍ଟ କାହିଁକି ନାହିଁ? ପ୍ରତ୍ୟେକ ଦେଶରେ ଅମଲାତନ୍ତ୍ରୀମାନେ (ବୈଜ୍ଞାନିକମାନେ ନୁହନ୍ତି) ପାରାମାନଙ୍କ ଦ୍ୱାରା ରୋଗ ବ୍ୟାପୁଥିବା ଅଭିଯୋଗ କରନ୍ତି। ମୁମ୍ବାଇ କମିଶନର ସେମାନଙ୍କ ଯୋଗୁ ଯକ୍ଷ୍ମା ହେଉଥିବାର ଅଭିଯୋଗ କରିଛନ୍ତି। ମୋର ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ରୋଗଗ୍ରସ୍ତ ଓ ଅସୁସ୍ଥ ପାରାମାନଙ୍କର ଯତ୍ନ ନିଅନ୍ତି। ସେମାନେ ଗ୍ଲୋଭସ୍‌ ଏବଂ ଫେସ୍‌ ପ୍ରୋଟେକ୍ଟର୍‌ ବିନା କାମ କରନ୍ତି। କିନ୍ତୁ ଗତ ୪୦ ବର୍ଷ ମଧ୍ୟରେ କେହି କେବେ ଅସୁସ୍ଥ ହୋଇନାହାନ୍ତି।
ପାରା କିମ୍ବା ସେମାନଙ୍କର ମଳ ମଣିଷକୁ ରୋଗ ସଂକ୍ରମଣ କରେ କି? ଉତ୍ତର ନା, କରେ ନାହିଁ। ପକ୍ଷୀଠାରୁ ମନୁଷ୍ୟକୁ ରୋଗ ହେବାର ସମ୍ଭାବନା ଏତେ କମ୍‌ ଯେ ତାହା ବିଚାରକୁ ନେବା ଯୋଗ୍ୟ ନୁହେଁ। ଏ ସମ୍ପର୍କରେ ଅନେକ ବିଶେଷଜ୍ଞଙ୍କ ରିପୋର୍ଟ ପ୍ରକାଶ ପାଇଛି, ଯାହା ନେଟ୍‌ରେ ଉପଲବ୍ଧ।

gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri