ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍ ବିଶ୍ୱକପ୍ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷେ ଚୟନ କମିଟି ମୁଖ୍ୟ ଅଜିତ୍ ଅଗରକର ବାଦ ପଡିଥିବା ଗିଲ୍ଙ୍କୁ ନେଇ ମୁହଁ ଖୋଲିଛନ୍ତି।
ଅଗରକର କହିଛନ୍ତି, ଟେଷ୍ଟ ଏବଂ ଦିନିକିଆରେ ସ୍ଥିର ପ୍ରଦର୍ଶନ କରିଆସୁଥିବା ଗିଲ୍ ଟି୨୦ରେ ସଂଘର୍ଷ କରୁଥିବା ପରିଲକ୍ଷିତ ହୋଇଛି। ବିଶେଷକରି ଓପ୍ନିଂ ସ୍ଥାନରେ ସେ ଭାରତକୁ ଉପଯୁକ୍ତ ଆରମ୍ଭ ଦେବାରେ ଅସଫଳ ରହିଛନ୍ତି। ପାଓ୍ବାରପ୍ଲେରେ ତାଙ୍କ ଷ୍ଟ୍ରାଇକ୍ ହାର ମଧ୍ୟ ଭଲ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୩ଟି ଟି୨୦ ମ୍ୟାଚ୍ ଖେଳିଥିବା ବେଳେ ଯଥାକ୍ରମେ ୪, ୦ ଓ ୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ”ସାମ୍ପ୍ରତିକ ସମୟରେ ଗିଲ୍ ରନ୍ ସ୍କୋର କରିବାରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କୁ ବିଶ୍ୱକପ୍ ଦଳରେ ସାମିଲ କରାଯାଇନାହିଁ“ ବୋଲି ଅଗରକର ପ୍ରକାଶ କରିଛନ୍ତି।


