Categories: ଖେଳ

‘୧୧ ଜଣଙ୍କ ବିରୋଧରେ ଖେଳୁଛି ପୂରା ଦକ୍ଷିଣ ଆଫ୍ରିକା’

କେପ୍‌ ଟାଉନ,୧୪।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନ ଏକ ବିବାଦୀୟ ଡିଆର୍‌ଏସ୍‌କୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ଇନିଂସର ୨୧ତମ ଓଭରରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ ଘରୋଇ ଦଳର ଅଧିନାୟକ ଡିନ ଏଲଗାରଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାକୁ ଆଉଟ୍‌ ଦର୍ଶାଇଥିଲେ ଫିଲ୍ଡ ଅମ୍ପାୟର ମାରାଇସ ଏରାମସ। କିନ୍ତୁ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଥିଲେ। ସବୁ କିଛି ଠିକ୍‌ ଥିଲେ ମଧ୍ୟ ବଲ ଷ୍ଟମ୍ପରେ ନ ବାଜି ଉପରେ ଚାଲି ଯାଇଥିଲା। ଏହି ବିବାଦୀୟ ନିଷ୍ପତ୍ତି ଯୋଗୁ ଲୋକେଶ ରାହୁଲ, ଅଧିନାୟକ ବିରାଟ କୋହଲି ଓ ଅଶ୍ୱିନଙ୍କ ଠାରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ସେମାନେ ଟେକ୍‌ନୋଲୋଜିରେ ଟାମ୍ପରିଂ ଅଭିଯୋଗ ଆଣିଥିଲେ। ଏପରି କି ଅମ୍ପାୟର ଏରାସମସ ମୁଣ୍ଡ ହଲାଇଥିଲେ, ଯେଉଁଥିରୁ ସେ ଟେକ୍‌ନୋଲୋଜି ସହ ଏକମତ ନ ଥିବା ସ୍ପଷ୍ଟ ଜଣା ପଡ଼ୁଥିଲେ।

ଏହାପରେ ଷ୍ଟମ୍ପ ମାଇକ୍‌ରେ କଏଦ ହୋଇଥିଲା ଭାରତୀୟ ଖେଳାଳିଙ୍କ ପ୍ରତିକ୍ରିୟା। ପ୍ରଥମେ ଅଶ୍ୱିନ କହିଥିଲେ, ସୁପରସ୍ପୋର୍ଟ(ଦକ୍ଷିଣ ଆଫ୍ରିକାର ପ୍ରସାରଣକାରୀ ଚ୍ୟାନେଲ)କୁ ଜିତିବା ପାଇଁ ଅନ୍ୟ ବାଟ ଖୋଜିବା ଉଚିତ। ତା’ ପରେ କୋହଲି କହିଥିଲେ, ବିରୋଧୀ ଦଳ ଛଡ଼ା ନିଜ ଦଳ ଉପରେ ମଧ୍ୟ ଧ୍ୟାନ ଦିଅ। ଶେଷରେ ରାହୁଲ କହିଥିଲେ, ‘ପୂରା ଦେଶ ୧୧ ଜଣଙ୍କ ବିରୋଧରେ ଖେଳୁଛି’।

Share