ରାସ୍ତାକୁ ଯିଏ ଆସିଲା ସିଏ ଫସିଲା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ)ସକାଳୁ ସକାଳୁ ସହରର ସାଧାରଣ ଜୀବନଯାତ୍ରା ସ୍ବାଭାବିକ ଥିଲା। ହେଲେ ୧୦ଟା ପରେ ରାଜଧାନୀର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଚାରିପଟୁ ରାଜଧାନୀକୁ ପ୍ରବେଶ କରିଥିଲା ମାଳମାଳ ଗାଡି। ଯେଉଁଆଡେ ଦେଖିବ ବ୍ୟାନର ଲଗାହୋଇଥିବା ବସ୍‌, ବୋଲେରୋ, କାର୍‌। ଅଧିକାଂଶ ଗାଡ଼ିଥିଲା ଶିକ୍ଷକମାନଙ୍କର। ୩ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବଡ଼ଧରଣର ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଯୋଗଦେବାକୁ ସାରା ଓଡ଼ିଶାରୁ ପ୍ରାଥମିକ ଶିକ୍ଷକମାନେ ଆସିଥିଲେ। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳ୍ପନା, ଖଣ୍ଡଗିରି ପଟୁ ବିଭିନ୍ନ ବାଟ ଦେଇ ଲୋୟର ପିଏମ୍‌ଜିକୁ ଆସିଥିଲେ। ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ, ଛୁଟିଦିନ ସତ୍ତ୍ୱେ ରାସ୍ତାରେ ହଠାତ୍‌ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଥିଲା। ଦିନ ବଢ଼ିବା ସହ ଟ୍ରାଫିକ୍‌ ଜାମ୍‌ ଯୋଗୁ ଭୁବନେଶ୍ୱରର ରାସ୍ତାଘାଟ ଏକପ୍ରକାର ଅଚଳ ହୋଇପଡିଥିଲା। ରାସ୍ତାକୁ ଯିଏ ବାହାରିଥିଲେ ଜାମ୍‌ରେ ଫସିଥିଲେ। ମଧ୍ୟାହ୍ନରେ ସ୍ଥିତି ଟିକିଏ ସୁଧୁରିଥିବାବେଳେ ଅପରାହ୍ନରେ ପୁଣି ବିଗିଡି ଯାଇଥିଲା। ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା ସ୍ମାର୍ଟ ଜନପଥ। ୧ କିମି ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିଲା। ବିଶେଷକରି ମାଷ୍ଟରକ୍ୟାଣ୍ଟିନ ଦେଇ ଚଳାଚଳ କରୁଥିବା ମୋ ବସ୍‌ ଓ ଟାଉନ୍‌ ବସ୍‌ ଗଡ଼ି ପାରି ନ ଥିଲା। ଜାମ୍‌ ହଟାଇବାକୁ ପୋଲିସ ନାକେଦମ୍‌ ହୋଇଥିବାବେଳେ ଜନତା ନାନା ହଟହଟା ହୋଇଥିଲେ। ପୂର୍ବରୁ ଆନ୍ଦୋଳନକାରୀଙ୍କ ଗାଡି ପାର୍କିଂ ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ଢେର ଅଧିକ ଲୋକ ଆସିବାରୁ ଯିଏ ଜୁଆଡେ ପାରିଲେ ଗାଡ଼ି ଥୋଇଲେ। ଏପରିକି ରାସ୍ତା କଡରେ ମାଳମାଳ ଗାଡି ରହିବାରୁ ସବୁ ରାସ୍ତା ସଂକୁଚିତ ହୋଇପଡ଼ିଥିଲା। ଆପେଆପେ ଟ୍ରାଫିକ ଜାମ୍‌ ଜଟିଳ ସ୍ଥିତି ସୃଷ୍ଟି କରିଥିଲା। ସେହିପରି ଅନ୍ୟ ସଂଘ ଓ ସଙ୍ଗଠନ ପକ୍ଷରୁ ମଧ୍ୟ ସେଠାରେ ଆନ୍ଦୋଳନ ଚାଲିଥିବାରୁ ବିଭିନ୍ନ ଜିଲାରୁ ଲୋକଙ୍କ ଯିବାଆସିବା ଲାଗିରହିଛି। ବିଧାନସଭା ସରିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବା ସମ୍ଭାବନା ଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜଧାନୀବାସୀ ଦାବି କରିଛନ୍ତି।