ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ରାଜ୍ୟ ସରକାର ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ପାଖାପାଖି ୧୧ ଆଇପିଏସ ଅଧିକାରୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ପଠାଇଥିଲେ। ଆଉ ଏମାନଙ୍କ ମଧ୍ୟରୁ ୩ଟି ଶର୍ଟଲିଷ୍ଟ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବ ୟୁପିଏସ୍ସି। ତେଣୁ ଶୁକ୍ରବାର ଦିଲ୍ଲୀରେ ୟୁପିଏସ୍ସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ବୈଠକରେ ରାଜ୍ୟ ସରକାର ପଠାଇଥିବା ୧୧ଜଣ ଆଇପିଏସ୍ ଅଧିକାରୀଙ୍କ ନାମ ଭିତରୁ ୟୁପିଏସ୍ସି ୩ଜଣଙ୍କ ନାମ ଶର୍ଟ ଲିଷ୍ଟେଡ୍ କରିବ। ଏହାପରେ ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ। ରାଜ୍ୟ ସରକାର ସେହି ୩ ଆଇପିଏସ୍ ଅଧିକାରୀଙ୍କ ମଧ୍ୟରୁ ଦକ୍ଷତା ଭିତ୍ତିରେ ଜଣଙ୍କୁ ଡିଜିପି ପାଇଁ ଘୋଷଣା କରିବେ। ଶୁକ୍ରବାର ୟୁପିଏସ୍ସି କେଉଁ ୩ ଜଣଙ୍କ ନାମ ଚୟନ କରୁଛନ୍ତି ତାହାକୁ ନେଇ ମଧ୍ୟ ଉସତ୍ାହ ବଢିଛି। ଖୁରାନିଆଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାକୁ ଆସୁଛି। ସେ ବର୍ତ୍ତମାନ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। ପୂର୍ବରୁ ସେ ଟୁଇନ୍ସିଟିର ପୋଲିସ କମିଶନର ଭାବେ ସଫଳ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ୧୯୯୩ ବ୍ୟାଚ୍ର ଆଇପିଏସ୍ ଆର୍.ପି କୋଚେଙ୍କ ନାମ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନ ଆର୍.ପି. କୋଚେ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୧୯୯୩ ବ୍ୟାଚ୍ର ଆଇପିଏସ୍ ବିନୟତୋଷ ମିଶ୍ରଙ୍କ ନାମ ମଧ୍ୟ ଉଠିଛି। ସେ ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଚର୍ଚ୍ଚାରେ ଅଛନ୍ତି ୧୯୯୪ ବ୍ୟାଚ୍ର ଆଇପିଏସ୍ ସଞ୍ଜୀବ ପଣ୍ଡା। ଭାରତ ସରକାରଙ୍କ ମାଓବାଦୀମୁକ୍ତ ଅଭିଯାନରେ ସାମିଲ ହୋଇ ସେ ଚର୍ଚ୍ଚାକୁ ଆସିଥିଲେ। ଲାଲ୍ଗଡ଼ ଭାଙ୍ଗି ଚୂରମାର କରିବା ସହ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଠାରୁ ଆଓ୍ବାର୍ଡ ପାଇଛନ୍ତି। ସେ ବର୍ତ୍ତମାନ ଆଣ୍ଟି ନକ୍ସଲ ଅପରେଶନ ଓ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଅତିରିକ୍ତ ଡିଜି ଭାବେ କାମ କାମ କରୁଛନ୍ତି। ସେହିପରି ୧୯୯୪ ବ୍ୟାଚର ଆଇପିଏସ୍ ଓ୍ବାଇ.କେ ଜେଠଓ୍ବାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସରକାରଙ୍କ ଦୁର୍ନୀତିମୁକ୍ତ ଅଭିଯାନର ସେ ସାରଥି ସାଜିଛନ୍ତି। ଲାଞ୍ଚଖିଆ ବାବୁଙ୍କୁ ଖୋଜିଖୋଜି ଜେଲ୍ ପଠାଉଛନ୍ତି। ସେ ଅନେକ ବର୍ଷ ଧରି ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଏସବୁ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସରକାର କାହାକୁ ଡିଜିପି ପଦ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ନୂଆ ଡିଜିପିଙ୍କ ପାଇଁ ବଡ଼ ପରୀକ୍ଷା ହେବ। ଏହା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଭିଡ଼ ହିଂସା, ନିଶା କାରବାର ଓ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।