ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ ଶୁଣାଣି ହୋଇଛି। କୋର୍ଟରେ ଏ ବିଷୟରେ ଦୀର୍ଘ ସମୟ ଆଲୋଚନା ହେବାପରେ ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଓଡ଼ିଶା ଡିଜିପି ଚୟନ ବିଷୟ ବର୍ତ୍ତମାନ କେବଳ ରାଜ୍ୟର ବିଷୟ ହୋଇ ରହିନାହିଁ, ଆଗକୁ ଏହି ମାମଲାର ଯେଉଁ ରାୟ ଆସିବ ତାହା ଦେଶ କ୍ଷେତ୍ରରେ ଲାଗୁହେବା ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଘଟଣାରେ ଆହୁରି ଆବେଦନକାରୀ ଯୋଡ଼ିହେଲେଣି। ଉକ୍ତ ମାମଲାର ଶେଷରେ ଯଦି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରି ରାୟ ଦିଅନ୍ତି ତେବେ ତାହା ସମଗ୍ର ରାଜ୍ୟ ପାଇଁ ଏକ ବଡ଼ ବିଜୟ ହେବ। ଯଦି ରାୟ ଭିନ୍ନ ରୂପ ନିଏ ତେବେ ରାଜ୍ୟ ପାଇଁ ଏକ ବଡ଼ ପରାଜୟ ଘଟିବ। ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ରାଜ୍ୟଗୁଡ଼ିକ ଡିଜିପି ଚୟନ କରୁଛନ୍ତି। ଓଡ଼ିଶାର ନୂଆ ଡିଜିପି ଚୟନ କ୍ଷେତ୍ରରେ ପ୍ରକାଶ ସିଂ ମାମଲାର ରାୟ ଉଲ୍ଲଂଘନ ହେଉଥିବା କଥା କୁହାଯାଉଛି। ବର୍ତ୍ତମାନ ଏହି ବିଷୟରେ ଯେତେବେଳେ ଅନ୍ୟ ରାଜ୍ୟ କଥା ମଧ୍ୟ ଉଠିଲାଣି ଓଡ଼ିଶା ଡିଜିପି ଚୟନ ବିଷୟରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେବେ ତାହା ଭବିଷ୍ୟତରେ ସବୁ ରାଜ୍ୟ ପାଳନ କରିପାରନ୍ତି ବୋଲି ମଧ୍ୟ ଅନେକେ ଆକଳନ କରୁଛନ୍ତି। ତେଣୁ ଏହି ବିଷୟ ବର୍ତ୍ତମାନ ଜାତୀୟସ୍ତର ରଙ୍ଗ ଧରିଲା ଭଳି ସ୍ଥିତି ସୃଷ୍ଟି ହେବାପରି ମନେହେଉଛି।
ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଂଘନ କରାଯାଉଛି ବୋଲି ଓଡ଼ିଶାର ଜୟନ୍ତ ଦାସ ପିଆଇଏଲ୍‌ ଦାଖଲ କରିଥିଲେ। ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପକ୍ଷରୁ କୋର୍ଟରେ ୨ଟି ଭିନ୍ନ ଭିନ୍ନ ରିଜଏଣ୍ଡର ଦାଖଲ କରାଯାଇଛି। ରାଜ୍ୟ ସରକାର ଏବଂ ୟୁପିଏସ୍‌ସି ପକ୍ଷରୁ ଦାଖଲ ରିଜଏଣ୍ଡର ଉପରେ ଜୟନ୍ତ ଦାସ ଆସନ୍ତା ୨ ତାରିଖ ଭିତରେ ଜବାବ ଦାଖଲ କରିବେ। ରାଜ୍ୟ ସରକାର ତାଙ୍କ କାଉଣ୍ଟରରେ କହିଛନ୍ତି, ପୋଲିସ ବିଭାଗ ମୁଖ୍ୟ ଚୟନ ବିଷୟ ସହ ଆବେଦନକାରୀଙ୍କ କୌଣସି ସମ୍ପର୍କ ନାହିଁ। ଡିଜିପି ଚୟନ ନେଇ ତାଙ୍କର କୌଣସି ଜ୍ଞାନ ମଧ୍ୟ ନାହିଁ। ଓଡ଼ିଶାର ନୂଆ ଡିଜିପି ଚୟନ ନେଇ କୌଣସି ନିୟମର ଉଲ୍ଲଂଘନ ହୋଇ ନ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ କହିଛନ୍ତି। ଜୟନ୍ତ ଦାସଙ୍କ ପିଆଇଏଲ୍‌ ଆବେଦନ ଉପରେ ସରକାର ପ୍ରଶ୍ନ ଉଠାଉଥିବା ବେଳେ ପୂର୍ବତନ ସ୍ବତନ୍ତ୍ର ଗୋଇନ୍ଦା ନିର୍ଦ୍ଦେଶକ ଯଶୋବର୍ଦ୍ଧନ ଆଜାଦ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଏକ ଦରଖାସ୍ତ ଦେଇଛନ୍ତି। ଏଭଳି ବିଷୟ ସାଧାରଣ ନାଗରିକଙ୍କୁ ମଧ୍ୟ ପ୍ରଭାବ ପକାଇଥାଏ। ହୁଏତ ଅବସରପ୍ରାପ୍ତ ଅତି ଉଚ୍ଚସ୍ତରୀୟ ଆଇପିଏସ୍‌ ଅଫିସରମାନଙ୍କ ସ୍ବଇଚ୍ଛାରେ ଏହି ମାମଲାରେ ଯୋଗଦେବା ଓଡ଼ିଶାର ଡିଜିପି ଚୟନ ବିଷୟକୁ ଅଧିକ ଗୋଳିଆ କରିଦେଉଛି।
ମିଳିଥିବା ସୂଚନା ମୁତାବକ, ଆଜାଦ ତାଙ୍କ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି, ଗୋଟେ ରାଜ୍ୟ ଯଦି ଡିଜିପି ଚୟନ କ୍ଷେତ୍ରରେ ସୁ୍‌ପ୍ରିମକୋର୍ଟଙ୍କ ରାୟକୁ ପାଳନ କରିବା ପରିବର୍ତ୍ତେ ବେନିୟମ ଭାବେ କାର୍ଯ୍ୟ କରିବ, ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟଗୁଡିକ କାହିଁକି ନିୟମ ପାଳନ କରିବେ। ଆଜାଦଙ୍କ ପକ୍ଷରୁ ବରିଷ୍ଠ ଓକିଲ ନିରଜ କିଶନ କଲ୍‌ କହିଥିଲେ, ଡିଜିପିର ଚୂଡ଼ାନ୍ତ ୩ ଜଣିଆ ତାଲିକା ବାଛିବା ଲାଗି ୟୁପିଏସ୍‌ସି ନିକଟକୁ ରାଜ୍ୟଗୁଡ଼ିକ ପୋଲିସ ମହାନିର୍ଦ୍ଦେଶକଙ୍କ ଅବସରର ୩ ମାସ ପୂର୍ବରୁ ପ୍ରଦାନ କରିବା କଥା। ମାତ୍ର ଏହି ନିୟମକୁ ଓଡ଼ିଶା ସରକାର ଉଲ୍ଲଂଘନ କରିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନାର ଦଳୀୟ ନାମ ଓ ଚିହ୍ନକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ଏକନାଥ ଶିନ୍ଦେଙ୍କ ପ୍ରତିନିଧି ଭାବେ ନିରଜ କିଶନ କଲ୍‌ ମାମଲା ଲଢୁଛନ୍ତି। ସେହିପରି ଯଶୋବର୍ଦ୍ଧନ ଆଜାଦ ଏହି ପ୍ରସଙ୍ଗରେ ଆବେଦନ କରିବା ପରେ ରାଜ୍ୟ ସରକାର ଜୟନ୍ତ ଦାସଙ୍କ ପିଆଇଏଲ୍‌ ଆବେଦନକୁ ନେଇ ଯେଉଁ ପ୍ରଶ୍ନ ଉଠାଉଥିଲେ ସେହି କଥାର ଗୁରୁତ୍ୱ ଆଗକୁ କମିପାରେ। ଜୟନ୍ତ ଦାସଙ୍କ ପକ୍ଷରୁ ପି. ଚିଦାମ୍ବରମ ଅନ୍‌ଲାଇନ ଜରିଆରେ ଶୁଣାଣିରେ ଯୋଗଦେଇଥିଲେ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share