ଡାକ୍ତରୀ ଶିକ୍ଷାରେ ସଂରକ୍ଷଣ ଦେବାକୁ କିଏ ମନା କରିଛି: ଭାଜପା

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ସବୁ ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡ଼ିଶାରେ ତାହା ଦିଆଯାଉନାହିଁ। ଡାକ୍ତରୀ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତ୍ତିକୁ ମୋହର ମାରିଥିଲେ। ବର୍ତ୍ତମାନ ଡାକ୍ତରୀ ଶିକ୍ଷା ପାଇଁ କାଉନସେଲିଂ ଚାଲୁଥିବା ବେଳେ ରାଜ୍ୟ ସରକାର ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କିଛି ନ ଜାଣିଲା ଭଳି ନୀରବ ରହି ଓବିସି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଓଡ଼ିଶାରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଓବିସିମାନଙ୍କୁ ସଂରକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ‘କେନ୍ଦ୍ର ସରକାର’ ନା ‘ନ୍ୟାୟାଳୟ’ କିଏ ମନା କରିଛନ୍ତି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ବିରୋଧରେ ଓବିସି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି, ଶାସକ ଦଳ ଏହା ଉପରେ ସ୍ପଷ୍ଟୀକରଣ ଦେବା ଉଚିତ।