ମୋ ବାପା କିଏ ଜାଣିଛ?

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ ଡଲାର ଦେବାକୁ ପଡ଼ିଛି। କୋଭିଡ୍‌ ଭଳି ସ୍ଥିତି ଲାଗି ରହିଥିବା ବେଳେ ମାସ୍କ ନ ପିନ୍ଧି ବୁଲିବା ଆଇନ ଉଲ୍ଲଂଘନ ବୋଲି କହି ରାଷ୍ଟ୍ରପତି ଜରିମାନା ଦେଇଛନ୍ତି। କେବଳ ସେତିକି ନୁହେଁ, ସେ ଜନସାଧାରଣଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ଭାରତରେ କ୍ଷମତାସୀନ ବ୍ୟକ୍ତିଙ୍କ ନିକଟରେ କେବେହେଲେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିବ ନାହିଁ। ସେହି ବ୍ୟକ୍ତିଙ୍କ ଦୋଷ ଦୁର୍ବଳତା ଦର୍ଶାଇ ଦିଆଗଲେ ସେମାନେ ପ୍ରତିହିଂସାପରାୟଣ ହୋଇଯାଇ ଥାଆନ୍ତି। ନିଜର ପଦମର୍ଯ୍ୟାଦା ଗର୍ବରେ ଗରୀୟାନ ହେଉଥିବା ବ୍ୟକ୍ତିମାନେ ଶୃଙ୍ଖଳାକୁ ଅନୁସରଣ କରୁ ନ ଥିବାରୁ ଭୁଲ ପରମ୍ପରା ସୃଷ୍ଟି ହେଉଛି। ଅନେକ ଅମାନିଆ ନିୟମ ନ ମାନି ଟ୍ରାଫିକ୍‌ ପୋଷ୍ଟ୍‌ ଅତିକ୍ରମ କରିଗଲେ ନିଜକୁ ଧନ୍ୟ ମନେ କରିଥାଆନ୍ତି। କହିଥାଆନ୍ତି, ଯାହା ହେଉ ଟ୍ରାଫିକ୍‌ ପୋଲିସ ଦେଖିପାରିଲା ନାହିଁ। ଯଦି କେହି ପ୍ରତିବାଦ କରନ୍ତି ସେମାନେ ନିଜ ବାପା ଓ ଗୋସିବାପା ଏବଂ ସେମାନଙ୍କ ବୁନିୟାଦି ବିଷୟରେ କହିଥାନ୍ତି। ଏଠାରେ ମନେପଡ଼େ ଅକ୍ଷୟ କୁମାରଙ୍କୁ ନେଇ ପ୍ରସ୍ତୁତ ଏକ ବିଜ୍ଞାପନ ଭିଡିଓ। ସେଥିରେ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଜଣେ ଯୁବକ ପୋଲିସ ବେଶରେ ଥିବା ଅକ୍ଷୟ କୁମାରଙ୍କୁ ପଚାରୁଛି- ମୋ ବାପା କିଏ ଜାଣ? ଉତ୍ତରରେ ଅକ୍ଷୟ କହୁଛନ୍ତି- କାହିଁକି, ତୁ ତୋ ନିଜ ବାପାକୁ ଜାଣିନାହୁଁ। ଏଭଳି ବ୍ୟବହାର ପାଇଁ ସେହି ଯୁବକକୁ ଦୋଷ ଦେବା ପରିବର୍ତ୍ତେ ତାହାର ମାତାପିତାଙ୍କୁ ଦୋଷୀ କରିବା କଥା। ଘରୁ ଭଦ୍ର ବ୍ୟବହାର ଶିଖିବା ଆରମ୍ଭ ହୋଇଥାଏ। ସେହିଭଳି ଘରୁ ଆଇନକୁ ସମ୍ମାନ ଦେବା ଶିକ୍ଷା ହେବା କଥା। କିନ୍ତୁ ବାପା ଯେତେବେଳେ ଦିନସାରା ଅର୍ଜନ କରିଥିବା କଳାଧନ ଘରେ ଆଣି ଦେଖାଏ, ସେତେବେଳେ ପିଲା ମନରେ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଘୃଣା ପରିବର୍ତ୍ତେ ସମ୍ମାନ ଜନ୍ମନିଏ।
କୌଣସି କାର୍ଯ୍ୟ ହାସଲ କରିବା ଲାଗି ଧାଡ଼ି ଭାଙ୍ଗି ଭାରତୀୟମାନେ ପଶିଯିବା ଦେଖିବାକୁ ମିଳିଥାଏ। ହେଲେ ଏହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ। ଭିଭିଆଇପି ଏପରିକି ପ୍ରଧାନମନ୍ତ୍ରୀ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟ୍ରାଫିକ୍‌ ଛକରେ ସବୁ ଗାଡ଼ି ଓ ନାଲିବତିକୁ ବନ୍ଦ କରାଇ ଯାତାୟାତ କରୁଥିବାର ଦେଖାଯାଏ। ସେତେବେଳେ ମନକୁ ଚିନ୍ତା ଆସେ ଯେ, ବାସ୍ତବରେ ଏମାନଙ୍କ ଜୀବନ ପ୍ରତି କୌଣସି ବିପଦ ରହିଛି କି ନାହିଁ, ତାହା ସାଧାରଣ ନାଗରିକ କିପରି ଜାଣିବ। ଅନ୍ୟପଟେ ସେହି ନାଗରିକ ଦେଖିଲା ଯେ, ସର୍ବୋଚ୍ଚ ଅଧିକାରୀମାନେ ଗାଡ଼ିରେ ଯାଉଥିବା ଦିଗକୁ ନାଲିବତି ଥିବା ସତ୍ତ୍ୱେ ସେମାନେ ଅଟକନ୍ତି ନାହିଁ। ସେଥିପାଇଁ ଆମେ ସାଧାରଣ ଲୋକ ମଧ୍ୟ ମାନସିକ ସ୍ତରରେ ଆଇନ ଭାଙ୍ଗିବାକୁ ଏକ ବିରାଟ ଅପରାଧ ଭାବେ ଚିନ୍ତା କରୁନାହୁଁ। ଏଭଳି ବେଖାତିର ମନୋଭାବ ଯେତେବେଳେ ନେତାମାନେ ପ୍ରଦର୍ଶନ କରୁଛନ୍ତି, ତାହା କେବଳ ଟ୍ରାଫିକ୍‌ ଆଇନରେ ସୀମିତ ରହୁନାହିଁ, ଚରିତ୍ରରେ ପ୍ରତିଫଳିତ ହେଉଛି। ଅନ୍ୟ ଏକ ଉଦାହରଣ ଦେଖିବାକୁ ଗଲେ କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଚାର କରିବାକୁ ଯାଇ ସ୍ବରାଷ୍ଟ୍ରମନ୍ତ୍ରୀ ବିରାଟକାୟ ଭିଡ଼ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଅର୍ଥାତ୍‌ କରୋନା ଭୂତାଣୁକୁ ଭୟ ନ କରି ମାନ୍ୟବର ମନ୍ତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇବା ସହିତ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଇଛନ୍ତି।
ଯଦି ନେତା, ମନ୍ତ୍ରୀ, ବିଚାରପତି, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଭୁଲ କରିବସନ୍ତି, ସେମାନଙ୍କୁ ଜରିମାନା କରିବା ଲାଗି ତଳିଆ କର୍ତ୍ତୃପକ୍ଷ ଡରନ୍ତି କିମ୍ବା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଏ। କାଳେ ବଡ଼ବଡ଼ିଆ ବିପଦରେ ପକାଇଦେବେ ସେହି ଭୟ ସେମାନଙ୍କୁ ଘାରିଥାଏ। ଅନ୍ୟପକ୍ଷରେ ଭାରତ ବାହାରେ ଅନ୍ୟ ଦେଶର ସର୍ବୋଚ୍ଚ ପଦବୀରେ ଅଭିଷିକ୍ତ ହୋଇଥିବା ବ୍ୟକ୍ତିଙ୍କୁ ସାଧାରଣରେ ସମାଲୋଚନା କରାଯାଇଥାଏ। ନିକଟରେ ଶେଷ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରିବାକୁ ଯେତେବେଳେ ରାଜି ହେଲେ ନାହିଁ, ଜନସାଧାରଣ ତାଙ୍କୁ ସାଧାରଣରେ ସମାଲୋଚନା କଲେ। କେବଳ ଜନସାଧାରଣ ନୁହେଁ, ନିଜ ରିପବ୍ଲିକାନ୍‌ ଦଳର ଅନେକ ଗଭର୍ନର ଟ୍ରମ୍ପ୍‌ ଘୋଷି ହେଉଥିବା ମିଥ୍ୟାକୁ ପଦାରେ ପକାଇଲେ। ଏପରିକି ସୋସିଆଲ ମିଡିଆରେ ଭିଡିଓ ଦେଖିବାକୁ ମିଳିଥିଲା ଯେ ହ୍ବାଇଟ ହାଉସ୍‌ ଆଗରେ କିଛି ଲୋକ ଏକ ଖୋଲା ଗାଡ଼ି ଉପରେ ଟ୍ରମ୍ପ୍‌ଙ୍କ ଫଟୋକୁ ଟେକାଠାରୁ ଆରମ୍ଭ କରି ଜୋତା ଫୋପାଡ଼ିଥିଲେ। ଅର୍ଥାତ୍‌ ପ୍ରତିବାଦ କରିବାର ଅଧିକାର ଓ ବାକ୍‌ ସ୍ବାଧୀନତାକୁ ସେଠାରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଭାରତରେ ବିଶିଷ୍ଟ ବ୍ୟକ୍ତିଙ୍କ ଯାତାୟାତ ପୂର୍ବରୁ ଓ ପରେ ଅନେକ ସମୟ ଯାଏ ରାସ୍ତାକୁ ଜନଶୂନ୍ୟ ରଖାଯାଏ। ୨୦୧୦ ମସିହାରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ଗାଡ଼ି ନୂଆଦିଲ୍ଲୀର ଯେଉଁ ରାସ୍ତା ଦେଇ ଯିବାର ଥିଲା ତାହାକୁ ସାନିଟାଇଜ୍‌ କରାଯାଉଥିଲା। ସେହି ବାଟ ଦେଇ ଜଣେ ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ସୁରକ୍ଷାକର୍ମୀମାନେ ଦୀର୍ଘ ସମୟ ଅଟକାଇ ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏବେକାର ପରିସ୍ଥିତିରେ ଅନୁରୂପ ପ୍ରକାରର ଘଟଣା ଘଟୁଛି। କିନ୍ତୁ ଗଣମାଧ୍ୟମ ସେସବୁ ପ୍ରକାଶ କରିବାକୁ ଭୟ କରୁଛି। ଏଭଳିି ଭିଭିଆଇପି ସଂସ୍କୃତି ଦେଶର କେଉଁଠି ନା କେଉଁଠି କ୍ଷତି କରିଚାଲିଛି। ଏପରି କି କ୍ରିକେଟ ଖେଳାଳିମାନେ ରହୁଥିବା ହୋଟେଲରୁ ଷ୍ଟାଡିୟମକୁ ଖେଳ ଅଭ୍ୟାସ କରିବାକୁ ଗଲା ବେଳେ ରାସ୍ତାକୁ ମଧ୍ୟ ଦୀର୍ଘସମୟ ବନ୍ଦ କରିଦିଆଯାଏ।
ବ୍ୟବସ୍ଥାର ଶୀର୍ଷଠାରୁ ଆରମ୍ଭ କରି ତଳ ଯାଏ ବିଭିନ୍ନ ସ୍ତରରେ ଗୋଟେ ଅମାନିଆ ଚରିତ୍ର ବିସ୍ତାରଲାଭ କରିଥିବାରୁ କେହି ଶୃଙ୍ଖଳିତ ହେବାକୁ ଚାହୁଁ ନାହାନ୍ତି। ସମୟେ ସମୟେ ଲୋକଦେଖାଣିଆ ଭାବେ କିଛି ଭିଭିଆଇପି ପ୍ରୋଟକଲ ଭାଙ୍ଗି ଥାଆନ୍ତି କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ। ମହାତ୍ମା ଗାନ୍ଧୀ ଜାତିଭେଦ ଦୂର କରିବା ଲାଗି ସେତେବେଳେ ହରିଜନଙ୍କ ଘରେ ରହି ଭୋଜନ କରୁଥିଲେ। ଏବେ ଭୋଟ ପାଇଁ ଦଳିତଙ୍କ ଘରେ ନେତାଏ ଖାଉଛନ୍ତି। କୌତୂହଳର ବିଷୟ ଯେ ସେସବୁ ଖାଦ୍ୟ ଭଲ ହୋଟେଲରୁ ଆସୁଥିବା ଫଟୋ ଦେଖିଲେ ଜଣାପଡ଼ୁଛି। ପରବର୍ତ୍ତୀ ସମୟରେ ସେହି ଦଳିତ ପରିବାରର ଝିଅକୁ ବଳାତ୍କାର କରି ହତ୍ୟା କରାଇ ଦେବାରେ କର୍ମୀମାନେ ଆଗଭର ହୋଇ ବାହାରି ପଡ଼ିବେ। କଥାରେ କହିବା ଓ କାମରେ କରିବା ଭିତରେ ଯେତେ ତଫାତ୍‌ ରହୁଥିବ, ଲୋକେ ତାହାକୁ ସାଧାରଣରେ ଗ୍ରହଣ କରିବେ ନାହିଁ। ଭୁଲ ସ୍ବୀକାର କରି ଉଦାହରଣ ସୃଷ୍ଟି କଲେ ଅନ୍ୟମାନେ ତାହାକୁ ଅନୁସରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri