ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

୮୦ ଦଶକର ଚିରସବୁଜ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ଗୀତ ”ଯା’ରେ ଭାସି ଭାସି ଯା’…“ ମନେପଡ଼ୁଛି। ସେହି ଗୀତରେ ଗୋଟିଏ ଧାଡ଼ି ଥିଲା ”ଭୁବନେଶ୍ୱର କିରାନି ବର ମାଗୁଛି ଫଟଫଟିଆ“। ଏହା ସୂଚାଇ ଦେଉଛି ଯେ ସେତେବେଳେ କିରାନି ଜ୍ୱାଇଁଟିଏ କରିବାକୁ ହେଲେ ଗୋଟିଏ ଫଟଫଟିଆ ଅର୍ଥାତ୍‌ ଦୁଇଚକିଆ ସ୍କୁଟର ବା ଲୁନାଟିଏ ଦେବା ବାଧ୍ୟତାମୂଳକ ଥିଲା। ଏହା ଥିଲା ଆପଣଙ୍କର ଆଭିଜାତ୍ୟର ସୂଚକ ବା ଯାହାକୁ ଇଂଲିଶରେ କୁହାଯାଏ ଷ୍ଟାଟସ୍‌ ସିମ୍ବଲ। ବର୍ତ୍ତମାନ କିନ୍ତୁ ପରିସ୍ଥିତି ଭିନ୍ନ। ପିଅନଟିଏ ହେଉ ବା କୌଣସି ବେସରକାରୀ ସଂସ୍ଥାରେ ମାସିକ ସ୍ବଳ୍ପ ଦରମା ପାଉଥିବା ଲୋକ ମଧ୍ୟ ଯୌତୁକ ଆକାରରେ ମୋଟରସାଇକେଲଟିଏ ମାଗୁଛି ଏବଂ କନ୍ୟାପିତା ବାଧ୍ୟ ହୋଇ ଦେଉଛନ୍ତି। ବର୍ତ୍ତମାନ ଗଁା ଗଣ୍ଡାରେ ଛୋଟ ଗାଡ଼ିର ବ୍ୟବହାର ହେଉଛି। ସେହି ଅନୁପାତରେ ଗାଡ଼ିର ଇନ୍ଧନ ହିସାବରେ ପେଟ୍ରୋଲର ଚାହିଦା ମଧ୍ୟ ବଢ଼ୁଛି। ସାଧାରଣ ଲୋକଟିଏ ମଧ୍ୟ ଚାଲିକରି ଯିବାକୁ ଇଚ୍ଛା ପ୍ରକାଶ କରୁନାହିଁ। ବାଇକ୍‌ଟିଏ ନ ହେଲେ ବାହାରକୁ ଯିବା ସତେଯେପରି ତା’ପକ୍ଷେ ଅସମ୍ଭବ। ଏକଥା କହିବାର ଉଦ୍ଦେଶ୍ୟ ହେଲା, ବର୍ତ୍ତମାନ ତୈଳ ଦର ଯେପରି ହୁ ହୁ ହୋଇ ବଢ଼ିଚାଲିଛି ସାଧାରଣ ଲୋକ ପକ୍ଷରେ ଦୁଇଚକିଆ ଯାନଟିଏ ବ୍ୟବହାର କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। କିନ୍ତୁ ଆମେ ଏହି ଯାନ ଉପରେ ଏତେ ନିର୍ଭରଶୀଳ ଯେ ଆମେ ଯେତେ ଖର୍ଚ୍ଚ ପଡ଼ୁପଛେ ତହିଁରେ ଇନ୍ଧନ ଭର୍ତ୍ତି କରି କାର୍ଯ୍ୟ ସମ୍ପନ୍ନ କରିବାକୁ ଆଗଭର ହେଉଛୁ। ସୁତରାଂ ତୈଳ ଦର ବୃଦ୍ଧି ନେଇ ସାଧାରଣ ଜନତାର ପ୍ରତିବାଦ ଅତି କ୍ଷୀଣ। ଏବେ ପେଟ୍ରୋଲ ଦର ସହିତ କାନ୍ଧକୁ କାନ୍ଧ ମିଳାଇ ଡିଜେଲ ଦର ମଧ୍ୟ ବଢ଼ିଚାଲିଛି। ଏହାର ଫଳସ୍ବରୂପ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍‌ ଆକାଶଛୁଅଁା ହୋଇଗଲାଣି। ବଡ଼ଲୋକଙ୍କ କଥା ଛାଡ଼, ସାଧାରଣ ଖାଉଟି ମଧ୍ୟ ଏଥିପାଇଁ ହନ୍ତସନ୍ତ ହୋଇଯାଉଛି।
ପେଟ୍ରୋଲ ଦର ୧୦୦ଟଙ୍କା ଅତିକ୍ରମ କରି ସାରିଲାଣି। ମଝିରେ ମଝିରେ ଗଣମାଧ୍ୟମରେ ସରକାରଙ୍କ ସୁହାଇଲା ଭଳି ଖବର ମଧ୍ୟ ପ୍ରକାଶ ପାଉଛି- ”ଗ୍ରାହକଙ୍କ ପାଇଁ ସୁଖବର; ତେଲ ଦର କମିଗଲା।“ କିନ୍ତୁ ଏହି କମିବାର ପରିମାଣ କେତେ ତାହା ଆପଣ ଜାଣନ୍ତି କି? ଅତିବେଶିରେ ଏହା ୩୦ ବା ୪୦ ପଇସା ମଧ୍ୟରେ ସୀମାବଦ୍ଧ।
ମସିହାଟି ଠିକ୍‌ ଭାବେ ମନେପଡ଼ୁନାହିଁ। ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥା’ନ୍ତି ଏବଂ ଅଟଳ ବିହାରୀ ବାଜପେୟୀ ଥାଆନ୍ତି ବିରୋଧୀ ଦଳରେ। ତୈଳ ଦର ହଠାତ୍‌ ବୃଦ୍ଧି ପାଇବାରୁ ପ୍ରତିବାଦ ସ୍ବରୂପ ଅଟଳ ବିହାରୀ ବାଜପେୟୀ ବଳଦ ଗାଡ଼ିରେ ବସି ପାର୍ଲାମେଣ୍ଟକୁ ଆସିଥିଲେ। ଅତୀତରେ ୟୁପିଏ ସରକାର ବେଳେ ମଧ୍ୟ ଡିଜେଲ ଓ ପେଟ୍ରୋଲ ଦର ବଢ଼ିଥିଲା, ସେତେବେଳେ ମନମୋହନ ସିଂହଙ୍କ ସରକାର ଶାସନରେ ଥିଲେ। ତୈଳ ଦର ବୃଦ୍ଧି ନେଇ ସରକାର ପ୍ରକାଶ କରିଥିଲେ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ଆମେ ତୈଳ ଦର ବୃଦ୍ଧି କରିବାକୁ ବାଧ୍ୟ। ତଥାପି ସେତେବେଳେ ବିରୋଧୀ ଦଳରେ ଥିବା ଭାରତୀୟ ଜନତା ପାର୍ଟି ( ଭାଜପା) ଏହି ତୈଳ ବୃଦ୍ଧିକୁ ନେଇ ବେଶ୍‌ ସମାଲୋଚନା କରିବା ଆମର ମନେଅଛି। ସେତେବେଳେ ସେମାନେ ଆନ୍ଦୋଳନ କରି ରାସ୍ତାଘାଟ କମ୍ପାଉଥିଲେ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ମଧ୍ୟ ଦେଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ୨୦୧୨ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଏହି ତୈଳଦର ବୃଦ୍ଧିକୁ ନେଇ ସେ ମନମୋହନ ସରକାରଙ୍କ ବିଫଳତା ଦର୍ଶାଇଥିଲେ। ଏପରି ଆଦର୍ଶ ଦୃଷ୍ଟିରୁ ଭିନ୍ନ ହେଲେ ମଧ୍ୟ ଏନ୍‌ଡିଏ ଓ ବାମପନ୍ଥୀ ଦଳ ମଧ୍ୟ ଏହି ତୈଳ ଦର ବୃଦ୍ଧି ବିରୋଧରେ କାନ୍ଧକୁ କାନ୍ଧ ମିଳାଇ ‘ଭାରତ ବନ୍ଦ’ ଡାକରା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି ତୈଳ ଦର ବୃଦ୍ଧି ପାଇବ ସିନା କମିବାର ଆଦୌ ସମ୍ଭାବନା ନାହିଁ। ନିକଟରେ ଅନୁଷ୍ଠିତ ୪୫ତମ ଦ୍ରବ୍ୟ ଓ ସେବା କର ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟି ପରିସରଭୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା; କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହମତି ହୋଇପାରି ନ ଥିଲା।
୨୦୨୦ ମାର୍ଚ୍ଚରେ କରୋନା ମହାମାରୀ ଯୋଗୁ ଦେଶରେ ତାଲାବନ୍ଦ ହୋଇଥିଲା। ଏହି ସମୟରେ ପେଟ୍ରୋଲ ଓ ଡିଜେଲର ଚାହିଦା ମଧ୍ୟ କମ୍‌ ଥିଲା। ବର୍ତ୍ତମାନ ପରିସ୍ଥିତିରେ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ସାରା ବିଶ୍ୱରେ ଟିକାକରଣ ଉପରେ ପ୍ରାଧାନ୍ୟ ଦିଆଯାଉଛି। ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ହାଟ ବଜାର ଖୋଲିବା ଦ୍ୱାରା ବଜାରରେ ପେଟ୍ରୋଲ ଓ ଡିଜେଲର ଚାହିଦା ବଢ଼ୁଛି; କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୈଳ ଉପତ୍ାଦନକାରୀ ରାଷ୍ଟ୍ରଗୁଡ଼ିକ ଅଶୋଧିତ ତୈଳ ସେହି ଅନୁପାତରେ ବୃଦ୍ଧି କରୁନାହାନ୍ତି। ସେମାନଙ୍କ ମଧ୍ୟରେ ବୁଝାମଣା ଅଭାବ ହେବା ହେତୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଇପାରିବ। ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୨୦-୨୫ ଦିନ ତଳେ ଏକ ସାମୁଦ୍ରିକ ଝଡ଼ର ସାମ୍ନା କରିବା ଦ୍ୱାରା ତୈଳ ଦର ପ୍ରଭାବିତ ହୋଇଛି। ଏହାର ପ୍ରଭାବ ମଧ୍ୟ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡ଼ୁଛି।
ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁ ଯେ, ପେଟ୍ରୋଲ ଓ ଡିଜେଲ ଉପରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯଥେଷ୍ଟ ପରିମାଣରେ ଟିକସ ଆଦାୟ କରନ୍ତି; ଯାହା କି ମୂଳ ଦର ଅପେକ୍ଷା ଢେର ଅଧିକ। ଗତ ସପ୍ତାହରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୨୮ପଇସା ହୋଇଥିବା ବେଳେ ଏଥିରେ ମୂଳ ଦର ୪୨.୮୨ଟଙ୍କା ଥିଲା। ସେହିପରି କେନ୍ଦ୍ରୀୟ ଉପତ୍ାଦ ଶୁଳ୍କ, ରାଜ୍ୟ ଅଂଶ (ଟିକସ) ଟ.୨୪.୧୭ ପଇସା ଏବଂ ଡିଲର କମିଶନ ଟ.୩.୩୯ ପଇସା ଥିଲା। ଅନୁରୂପ ଭାବେ ଡିଜେଲ ଲିଟର ପିଛା ମୂଳ ଦର ଟ.୪୩.୯୦ ପଇସା ଥିବା ବେଳେ କେନ୍ଦ୍ରୀୟ ଉପତ୍ାଦ ଟ. ୩୩.୮୦ ପଇସା, ରାଜ୍ୟର ଅଂଶ (ଟିକସ) ଟ.୨୧.୧୭ ପଇସା ଓ ଡିଲର କମିଶନର ଟ.୨.୧୩ ପଇସା ଟଙ୍କା ଥିଲା। ବର୍ତ୍ତମାନ ବିଚାର କରନ୍ତୁ ଉଭୟ ରାଜ୍ୟ ଟିକସ ଓ କେନ୍ଦ୍ର ଟିକସ ବାବଦରେ ଖାଉଟି କେତେ ଅଧିକା ଟଙ୍କା ଦେଉଛି।
ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ତେଲରୁ ଟିକସ ବାବଦରେ ଯେଉଁ ଅର୍ଥ ଆଦାୟ ହେଉଛି ତାହା ସଡ଼କ ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଖର୍ଚ୍ଚ ହେଉଛି। ଭଲ କଥା, କିଏ ମନା କରୁଛି? କିହୋ ବାବୁ! ଯଦି ରାସ୍ତାଘାଟର ଉନ୍ନତି ପାଇଁ ତୁମେ ଟିକସ ନେଉଛ ବୋଲି ସଫେଇ ଦେଉଛ ତେବେ ସେହି ରାସ୍ତାଘାଟ ନିର୍ମାଣରେ ହୋଇଥିବା ଖର୍ଚ୍ଚକୁ ଉଠାଇବା ପାଇଁ ତୁମେ ଟୋଲ ଫି’ କିପରି ଆଦାୟ କରୁଛ?
ଗୋଟିଏ ଉଦାହରଣ ଦେଲେ କଥାଟି ସ୍ପଷ୍ଟ ହୋଇଯିବ। ଆମେ ଜାଣିବାରେ ପୁରୀରୁ ଭୁବନେଶ୍ୱର ବା ଭୁବନେଶ୍ୱରରୁ କୋଣାର୍କର ଦୂରତ୍ୱ ପ୍ରାୟ ୬୯ କି.ମି.। ଯଦି ଗାଡ଼ିରେ ଫାଷ୍ଟ ଟ୍ୟାଗ୍‌ ଲାଗିନାହିଁ ତେବେ ଆମକୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଯିବା ଆସିବା ହେଉଛି ୧୨୦ କି.ମି. ଏହିପରି ଭାବେ ଆମକୁ ୧୨୦କି.ମି.କୁ ବିନା ଫାଷ୍ଟ ଟ୍ୟାଗ୍‌ରେ କାର୍‌ରେ ଗଲେ ୪୬୦ ଟଙ୍କା ଦେବାକୁ ପଡ଼ୁଛି। ଏହା ଦିନ ଦ୍ୱିପ୍ରହରରେ ଡକାୟତି ନୁହେଁ ତ ଆଉ କ’ଣ? ଗୋଟିଏ କାମ ପାଇଁ ଆମେ ତୈଳ ଦର ବୃଦ୍ଧିଜନିତ ଟିକସ ଅଧିକା ଦାମ ଦେଉଛୁ ଏବଂ ଟୋଲ ଟ୍ୟାକ୍ସ ବାବଦରେ ମଧ୍ୟ କିଛି ଟଙ୍କା ଦେଉଛୁ।
ତୈଳ ଦର ବୃଦ୍ଧି ଲୋକଙ୍କ ଦେହସୁହା ହୋଇଗଲାଣି କିନ୍ତୁ ଟିକେ ଭାବି ଦେଖନ୍ତୁ ତ! ଏଇ ୬ମାସ ତଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜିଙ୍କ ସହ ଭାଜପା ନେତାଙ୍କର ଘମାଘୋଟ ନିର୍ବାଚନ ଲଢ଼େଇ ବେଳେ କାଇଁ ବେଶ୍‌ କିଛିଦିନ ପାଇଁ ତୈଳ ଦର ତ ସ୍ଥିର ରହିଥିଲା? ଏକଥା କ’ଣ ଆମେ ଭୁଲିଗଲୁଣି?
ଯାହା ଜଣାପଡ଼ୁଛି ଉଭୟ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟର ସରକାର ଏହି ଟିକସ ହାର କମାଇବାରେ ପକ୍ଷପାତି ନୁହନ୍ତି। ସେମାନଙ୍କର କହିବା କଥା ହେଲା ଏଇ ଟିକସ ଲବ୍‌ଧ ଧନରୁ ଆମେ ବିକାଶମୂଳକ କାର୍ଯ୍ୟ କରୁଛୁ। ହଁ ତା’ ନୁହେଁ ତ ଆଉ କ’ଣ। ଆମେ ଗୋଟିଏ ଗୋଷ୍ଠୀ ଟିକସ ଗଣି ଗଣି ନୟାନ୍ତ। ଆଉ ଗୋଟିଏ ଗୋଷ୍ଠୀ ଅର୍ଥାତ୍‌ ଶାସନରେ ଥିବା ସରକାର (ଯେ କୌଣସି ଦଳର ହୁଅନ୍ତୁନା କାହିଁକି) ଖର୍ଚ୍ଚ କରିବାରେ ବ୍ୟସ୍ତ। ଛତା, ଜୋତା, କମ୍ବଳ, ସାଇକେଲ, କମ୍ପ୍ୟୁଟର, କୂଅପୋଖରୀ ଖୋଳା, ପାଇଖାନା ନିର୍ମାଣ ଆଦି ଅନେକ କାର୍ଯ୍ୟରେ ଆମ ଟିକସ ପଇସାରୁ ଟଙ୍କା ଖର୍ଚ୍ଚ କରି ସରକାର ଗଁା ଗଣ୍ଡାର ସାଧାରଣ ଜନତାଙ୍କୁ ଭଣ୍ଡାଇ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ବ୍ୟସ୍ତ। ବୋଧହୁଏ ଗରିବ ଏମିତି ସବୁଦିନ ଗରିବ ହୋଇ ରହିଥିଲେ ନେତାଙ୍କର ଲାଭ। କିନ୍ତୁ ଆମେ ମଧ୍ୟବିତ୍ତ ଶ୍ରେଣୀ, ଖାଲି ଏତିକି କହିପାରୁ ଯେ ”ମାରିନେଲେ ମହାପାତ୍ରେ, ତୁ ଚାହିଁଛୁରେ ଜଳକା।“
ସେବାନିବୃତ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri