ମାଗଣା କିଏ କିଛି ଦିଏନା

ସୁପ୍ରିମକୋର୍ଟ ଫେବୃଆରୀ ୧୫ରେ ଇଲେକ୍ଟୋରାଲ ବଣ୍ଡ୍‌ ବା ନିର୍ବାଚନୀ ବଣ୍ଡ୍‌ ଉପରେ ବଡ଼ ରାୟ ଦେଇଥିଲେ। ଏହି ବଣ୍ଡ୍‌ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଏ)ରେ ପ୍ରଦତ୍ତ ସୂଚନା ଅଧିକାରର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହା ଅବୈଧ, ଅସ୍ବଚ୍ଛ, ଅସାମ୍ବିଧାନିକ ଓ ସୂଚନା ଅଧିକାରର ଉଲ୍ଲଂଘନ କରୁଛି ବୋଲି କହି ଏହାକୁ ରଦ୍ଦ କରିଥିଲେ ଏବଂ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଏ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ଦାଖଲ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଷ୍ଟେଟ୍‌ ବ୍ୟାଙ୍କ ଜୁନ୍‌ ୩୦ ଯାଏ ମହଲତ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମାର୍ଚ୍ଚ ୧୨ରେ ସର୍ବୋଚ୍ଚ ଅଦାଲତ ଆବେଦନଟିକୁ ଖାରଜ କରିବା ସହ ଗୋଟିଏ ଦିନ ଭିତରେ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ବ୍ୟାଙ୍କକୁ ତାଗିଦ କରିବା ପରେ ଏସ୍‌ବିଆଇ ମାର୍ଚ୍ଚ ୨୧ରେ ନିର୍ବାଚନ ବଣ୍ଡ୍‌ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ନିର୍ବାଚନୀ ବଣ୍ଡ୍‌ ପ୍ରଚଳନଠାରୁ ଏ ପର୍ଯ୍ୟନ୍ତ (ମାର୍ଚ୍ଚ ୨୦୧୮ରୁ ଜାନୁଆରୀ ୨୦୨୪) ଷ୍ଟେଟ୍‌ ବ୍ୟାଙ୍କ ଦ୍ୱାରା ମୋଟ ୧୬୫୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ଜାରି ହୋଇ ବିଭିନ୍ନ ରାଜନୈତିକ ଦଳକୁ ଦିଆଯାଇଛି। ଏସ୍‌ବିଆଇ ପ୍ରକାଶିତ ତଥ୍ୟ ଅନୁଯାୟୀ, ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳ ପ୍ରାପ୍ତ ହୋଇଥିବା ମୋଟ ପରିମାଣ ୧୨,୧୪୫.୮୭ କୋଟି ଟଙ୍କା ଥିଲା। ଭାଜପା ନିର୍ବାଚନୀ ବଣ୍ଡ୍‌ ଯୋଜନାରେ ସବୁଠାରୁ ବଡ଼ ହିତାଧିକାରୀ ଥିଲା। ୨୦୧୮ରେ ନିର୍ବାଚନୀ ବଣ୍ଡ୍‌ ଆରମ୍ଭ ହେବା ପରଠାରୁ ମିଳିଥିବା ପାଣ୍ଠିରେ ଭାଜପା ମୋଟ ୬୯୮୬.୫ କୋଟି ଟଙ୍କା ପାଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ୧୩୯୭ କୋଟି, ତା’ପରେ କଂଗ୍ରେସ ୧୩୩୪ କୋଟି ଏବଂ ଭାରତ ରାଷ୍ଟ୍ର ସମିତି ୧୩୩୨ କୋଟି ଟଙ୍କା ପାଇଛି। ଓଡ଼ିଶାର ବିଜୁ ଜନତା ଦଳ ୯୪୪.୫ କୋଟି ପାଇ ପଞ୍ଚମ ସ୍ଥାନରେ ରହିଛି, ଡିଏମ୍‌କେ ୬୫୬.୫ କୋଟି ଏବଂ ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାଖାପାଖି ୪୪୨.୮ କୋଟିରେ ପହଞ୍ଚତ୍ଛି।
କିନ୍ତୁ ଏପ୍ରିଲ ୧୨ରୁ ମେ୧୦, ୨୦୧୯ ମଧ୍ୟରେ୧୩ଟି ରାଜନୈତିକ ଦଳ ସମୁଦାୟ ୨,୯୦୨.୮୭ କୋଟି ଟଙ୍କା ନିର୍ବାଚନ ବଣ୍ଡ୍‌ରେ ପାଇଥିଲେ, ଯାହାର ତଥ୍ୟ ଏଥିରେ ଅନ୍ତର୍ଭୁକ୍ତ ନୁହେଁ। ଭାଜପା କେବଳ ୨,୭୧୯.୩୨ କୋଟି ଟଙ୍କା ବା ମୋଟ ଦାନର ୯୩ % ପାଇଥିଲା। ବଣ୍ଡ୍‌ ଗ୍ରହଣ କରିଥିବା ଅନ୍ୟ ଦଳଗୁଡ଼ିକରେ କଂଗ୍ରେସ ଅନ୍ତର୍ଭୁକ୍ତ ଥିଲା, ଯାହାକି ମାତ୍ର ୩.୨% କିମ୍ବା ମୋଟ ୯୫.୨୯ କୋଟି ଟଙ୍କା ପାଇଛି। ଏହା ଦର୍ଶାଉଛି ଯେ ଦଳମତ ନିର୍ବିଶେଷରେ କ୍ଷମତାରେ ଯେଉଁ ଦଳ ରହିବ, ସେହି ଦଳ ଅଧିକ ଚାନ୍ଦା ପାଇବ। ଏହାଦ୍ବାରା ରାଜନୈତିକ ସମାନତା କ୍ଷୁଣ୍ଣ ହୋଇଥାଏ। ବିଶେଷ କରି ଶାସକ ଶ୍ରେଣୀ ବେଶି ଲାଭବାନ ହୋଇଥାଏ। ଏଣୁ ନିର୍ବାଚନୀ ବଣ୍ଡ୍‌ ଅସ୍ବଚ୍ଛତାର ପ୍ରତୀକ ଏବଂ ଏହାକୁ ରବ୍ଦ କରିବା ଯଥାର୍ଥ।
କିନ୍ତୁ ଚିନ୍ତାର ବିଷୟ ହେଉଛି ନିର୍ବାଚନୀ ବଣ୍ଡ୍‌ ଦୁର୍ନୀତି ପ୍ରକ୍ରିୟାର ଏକ ଅଂଶ ହୋଇଛି। କିଛି ଠକୁଥିବା ସଂସ୍ଥା ଭୟଭୀତ ହୋଇ ଏହି ବଣ୍ଡ୍‌ କ୍ରୟ କରିଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଅତି କମ୍‌ରେ ୩୦ଟି ସେଲ୍‌ କମ୍ପାନୀ ୧୪୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ୍‌ କିଣିଛନ୍ତି। ସରକାରଙ୍କଠାରୁ ୧୭୨ଟି ବୃହତ୍‌ ଚୁକ୍ତି ଓ ପ୍ରକଳ୍ପ ଅନୁମୋଦନ ପାଇଥିବା ୩୩ଟି ଗୋଷ୍ଠୀ ମଧ୍ୟ ନିର୍ବାଚନୀ ବଣ୍ଡ୍‌ ଜରିଆରେ ଦାନ କରିଛନ୍ତି। ସେମାନେ ଭାଜପାକୁ ୧ ହଜାର ୭୫୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ଦାନ ବଦଳରେ ପ୍ରକଳ୍ପ ଓ ଚୁକ୍ତିରେ ମୋଟ ୩.୭ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ପୁନଶ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବୁରୋ (ସିବିଆଇ) ଏବଂ ଆୟକର ବିଭାଗ ଦ୍ୱାରା ଚଢ଼ାଉର ସମ୍ମୁଖୀନ ହୋଇଥିବା ୪୧ଟି କମ୍ପାନୀ ଭାଜପାକୁ ୨ ହଜାର ୪୭୧ କୋଟି ଟଙ୍କା ଦେଇଥିଲେ ଏବଂ ଚଢ଼ାଉ ପରେ ୧ ହଜାର ୬୯୮ କୋଟି ଟଙ୍କା ଦିଆଯାଇଥିଲା ଏବଂ ତୁରନ୍ତ ତିନି ମାସ ମଧ୍ୟରେ ୧୨୧ କୋଟି ଟଙ୍କା ଦିଆଯାଇଥିଲା ବୋଲି ଭୂଷଣ କହିଛନ୍ତି। ପୁନଶ୍ଚ ଉତ୍ତରାଖଣ୍ଡରେ ସିଲ୍କିୟାରା-ବାରକୋଟ ଟନେଲ ନିର୍ମାଣ କରୁଥିବା ହାଇଦ୍ରାବାଦସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ (ଏନ୍‌ଇସି) ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣିଛି ଏବଂ ସମ୍ପୂର୍ଣ୍ଣ ଅର୍ଥ ଭାଜପାକୁ ଦାନ କରିଛି। ୨୦୨୩ ନଭେମ୍ବର ୧୨ରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ମୋଟ ୪୧ ଜଣ ଶ୍ରମିକ ଫସି ଯାଇଥିଲେ।
ସତ୍ୟ ହେଉଛି ଯେ ଏ ଦୁନିଆରେ ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ, ପ୍ରାୟ କେହି ମାଗଣା ବା ବିନା ସ୍ବାର୍ଥରେ କାହାକୁ କିଛି ଦେବାକୁ ଚାହାନ୍ତି ନାହିଁ। ଏପରି କି କିଛି ଦେଲେ ବି ତାହାର ପ୍ରଚାର ଚାହାନ୍ତି ବା ସମାଜସେବୀ ଭାବେ ସମାଜରେ ପରିଚିତ ହେବାକୁ ଚାହାନ୍ତି। ବହୁତ କମ୍‌ ଲୋକ ତ୍ୟାଗ କରିବାକୁ ଚହାନ୍ତି। ପୁନଶ୍ଚ ଏବେ ଯେତେବେଳେ ଉପଭୋଗକୁ ପ୍ରାଧାନ୍ୟ ଦିଆଯାଉଛି , ପିଲା ନିଜ ବାପା ମା’ଙ୍କୁ ପଚାରୁ ନାହାନ୍ତି, ଔଷଧ ଅଭାବରୁ ରୋଗରେ ଛଟପଟ ହେଲାବେଳେ ଗରିବଲୋକଟିକୁ ଟଙ୍କାଟିଏ କେହି ଦେବାକୁ ବାହାରୁ ନାହାନ୍ତି, ସେତେବେଳେ କାହିଁକି ଜଣେ ବ୍ୟକ୍ତି ବା କମ୍ପାନୀ କୋଟି କୋଟି ଟଙ୍କା ବିନା ସ୍ବାର୍ଥରେ କୌଣସି ରାଜନୈତିକ ଦଳକୁ ଦେବ।
ବାସ୍ତବରେ ବିନା ସ୍ବାର୍ଥରେ ମାଗଣା କିଏ କିଛି ଦିଏନା। ଯଦି ଜଣେ ୧ ଲକ୍ଷ ଟଙ୍କା ଦେବ, ଅତିକମ୍‌ରେ ୫୦ ଲକ୍ଷ ଟଙ୍କାର ଫାଇଦା ହାସଲ କରିବ। ଟିକସ ଫାଙ୍କିବା ଏବଂ ବିଭିନ୍ନ ରେଡରୁ ରକ୍ଷା ପାଇବା, ବ୍ୟାଙ୍କ ଋଣ ନ ଶୁଝିବାଜନିତ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଚାନ୍ଦା ଦେଉଛନ୍ତି। ଚାନ୍ଦା ଦେବାର ନିବାଚନୀ ବଣ୍ଡ୍‌ ବା ଇଲେକ୍ଟୋରାଲ ଟ୍ରଷ୍ଟ କେବଳ ଦୁଇପ୍ରକାର ମାଧ୍ୟମ। ଏହା ବ୍ୟତୀତ ଅନେକ ମାଧ୍ୟମ ରହିଛି। ଯାହାକୁ ଅନୁଭବ କରିହେବ କିନ୍ତୁ ଆଇନଗତ ଭାବେ ପ୍ରମାଣ କରି ହେବ ନାହିଁ। ୨୦୧୯-୨୦ରେ ସରକାର କର୍ପୋରେଟ ଟିକସ କାହିଁକି ହ୍ରାସ କରିଥିଲେ ? ୨୦୨୨-୨୩ ସୁଦ୍ଧା ୨୧.୩ଲକ୍ଷ କୋଟି ଟଙ୍କା ଟିକସ ଅନାଦାୟ ହୋଇପଡିଛି। ସେଥିରୁ କର୍ପୋରେଟ ଟିକସ ବାବଦରେ ୯,୯୫,୪୪୬କୋଟି ଟଙ୍କା,। ପୁନଶ୍ଚ ଗତ ୯ ବର୍ଷରେ ବ୍ୟାଙ୍କମାନେ ୧୪.୫ ଲକ୍ଷ କୋଟି ଟଙ୍କା ଋଣ ରାଇଟଅଫ୍‌ କରିଛନ୍ତି, ଯାହାର ସର୍ବାଧିକ ୧୫% ଫେରିଛି। ଅବଶିଷ୍ଟ ଯାହା ଫେରିନି ତାହାର ହିତାଧିକାରୀ କିଏ ? ତାଙ୍କ ଉପରେ କାହିଁକି କିଛି ପଦକ୍ଷେପ ନିଆଯାଉନି? ଟିକସ ଫାଙ୍କୁଥିବା, ଋଣ ଶୁଝୁ ନ ଥିବା ବ୍ୟକ୍ତି ବା କମ୍ପାନୀ କାହାର ହାତ ଚିକ୍କଣ କରୁଥିବ ବା କେଉଁ ରାଜନୈତିକ ନେତା ବା ଦଳକୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରୁଥିବ ବା ଅଲିଖିତ ଚାନ୍ଦା ଦେଉଥିବ।
ବିନା ଅର୍ଥ ଓ ବାହୁବଳରେ ନିର୍ବାଚନରେ ନିର୍ବାଚନରେ ଜିତିବା ଦୂରର କଥା, ନିଜେ ଠିଆହେବା କଷ୍ଟକର। ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା କଥା କୁହାଯାଉଛି। କିନ୍ତୁ ଯଦି ବିଭିନ୍ନ ଅନୁଷ୍ଠାନ, ସଂସ୍ଥା, ଗଣତନ୍ତ୍ରର ବିଭିନ୍ନ ସ୍ତମ୍ଭକୁ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ନ ମିଳେ, ତେବେ, କୌଣସି ସଂସ୍କାର କାର୍ଯ୍ୟ କରିବ ନାହିଁ। ଯେତେ ସଂସ୍କାର ଆଣିଲେ ବି ସ୍ବଚ୍ଛତା ଆସିବ କେମିତି?

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri