ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ

କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍‌ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ ସମଗ୍ର ଅଞ୍ଚଳରେ ଥଣ୍ଡା, କାସ, ଜ୍ୱରକୁ ନେଇ ଅଞ୍ଚଳବାସୀ ଅଧିକ ମାନସିକ ଚାପରେ ରହୁଛନ୍ତି। କେମତି ସାଧାରଣ ଚିକିତ୍ସା ମିଳିବ ଏନେଇ ଚିନ୍ତାରେ ସମସ୍ତେ ରହିଛନ୍ତି। ଏ ପଟେ ସରକାର କହୁଛନ୍ତି, ଏପରି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ। ଜ୍ୱର ଆସିଲେ ପାରାସିଟାମଲ ଖାଇ ଲୁଚାନ୍ତୁ ନାହିଁ। ଏହା ପରବର୍ତ୍ତୀ ସମୟରେ ଆହୁରି ଭୟଙ୍କର ହେଇପାରେ। ଏପରି ସ୍ଥିତିରେ ସମସ୍ତେ ଚିନ୍ତାରେ ରହୁଛନ୍ତି। ଜିଲା ତଥା ବ୍ଲକ ସଦରମହକୁମାର କେତେକ ଅଞ୍ଚଳରେ ପାଥୋଲୋଜି ନାହିଁ। ଫଳରେ ରକ୍ତ ପରୀକ୍ଷା ହୋଇପାରୁନି। ବର୍ତ୍ତମାନ ଜ୍ୱର, ଥଣ୍ଡା ଓ କାଶ ହେବା ସ୍ବାଭାବିକ। ବର୍ଷାଦିନରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଇଥାଏ। ଏପରି ସ୍ଥିତିରେ ଏହି ସବୁ ଲକ୍ଷଣକୁ ନେଇ ସମସ୍ତକୁ କରୋନା ଭୟ। ତେଣୁ ଅଞ୍ଚଳବାସୀଙ୍କ ସମସ୍ୟା ଏବଂ ଲୋକଙ୍କ ଅନୁରୋଧକୁ ହୃଦୟଙ୍ଗମ କରି ଡିଏମ୍‌ଓ କନ୍ଧମାଳ, ସିଏମ୍‌ଓ ଓଡ଼ିଶା, ଏବଂ ସ୍ବାସ୍ଥ୍ୟ ବିଭାଗ ଧ୍ୟାନଦେଇ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକର ଘରେ ଘରେ ଜ୍ୱର, ଥଣ୍ଡା , କାଶ ଆଦି ଦେଖା ଦେଉଛି। ତେଣୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇ ଘରକୁ ଘର ଯାଇ ଆଣ୍ଟିଜେନ ଟେଷ୍ଟ୍‌ କରିବାକୁ ଦାବି ହେଉଛି।