ଚାଷୀ ଜୀବିତ ଥିଲାବେଳେ ପଚାରିଲେନି କେହି, ମଲାପରେ ଦରଦ ଦେଖାଉଛି ପ୍ରଶାସନ

ସମ୍ବଲପୁର,୧୭ା୩(ବ୍ୟୁରୋ): ରାଜ୍ୟରେ ଧାନର ଅଭାବୀ ବିକ୍ରି ଓ ଚାଷୀ ସମସ୍ୟା ନେଇ ବିଧାନସଭାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଏପରି ସମୟରେ ସମ୍ବଲପୁର ଜିଲା କତରବଗା ଥାନା କୁସୁମଡିହି ଗ୍ରାମର ଚାଷୀ ଦାମୋଦର ବଗର୍ତ୍ତିଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୀଟନାଶକ ପିଇ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଋଣ ଭାର ଓ ଧାନ ବିକ୍ରି ଚିନ୍ତା କରି ଦାମୋଦର କୀଟନାଶକ ପିଇଦେଇଥିବା ସ୍ତ୍ରୀ ସଂଯୁକ୍ତା ଅଭିଯୋଗ କରିଛନ୍ତି। ବୁଧବାର ଦାମୋଦରଙ୍କ ଘରେ ସଦର ଉପଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ରେଙ୍ଗାଲି ତହସିଲଦାର ସୁନୀଲ ମେହେର, ବିଡିଓ ଶଙ୍କର ପ୍ରସାଦ ସାହୁ ପ୍ରମୁଖ ପହଞ୍ଚତ୍ ଆଲୋଚନା କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଦାମୋଦରଙ୍କ ଭାଇ ଶରତଙ୍କ ଅଭିଯୋଗ କ୍ରମେ ତାଙ୍କର ୩ ଏକର ଜମି ରହିଥିବା ବେଳେ ଭାଗଚାଷ ମିଶି ମୋଟ ୬ ଏକର ଜମି ଚାଷ କରନ୍ତି। ଗଭୀର ନଳକୂପ ଦ୍ୱାରା ଚାଷ ହୋଇଥାଏ। ଗତ ଖରିଫରେ ଧାନ ଅମଳ ଭଲ ହୋଇଥିଲା। ନିଜ ଜମିର ପଞ୍ଜୀକରଣ ହୋଇଥିବା ଧାନ ବିକ୍ରି କରିଥିଲେ। ହେଲେ ଆହୁରି ଧାନ ବଳକା ରହିଯାଇଥିଲା। ଏହାକୁ ମହାଜନ ପାଖରେ ବିକ୍ରି କରିବାରୁ କ୍ଷତି ହୋଇଥିଲା। ଏଥି ଯୋଗୁ ମହାଜନଙ୍କ ଋଣ, ଗ୍ରୁପ ଋଣ ଓ ସମବାୟ ସମିତି ଋଣ ପରିଶୋଧ କରି ନ ପାରି ମାନସିକ ଚିନ୍ତାରେ ରହୁଥିଲେ। ରବି ଚାଷ ପାଇଁ ମଧ୍ୟ ପଞ୍ଜୀକରଣ କରିବାକୁ ଯାଇଥିଲେ। ହେଲେ ସେଠାରେ ବିଦ୍ୟୁତ୍‌ ବିଲ ବାଧ୍ୟତାମୂଳକ କରାଯାଇଛି। ବକେୟା ବିଦ୍ୟୁତ୍‌ ବିଲ ପୈଠ ନ କଲେ ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ତେଣୁ ଆଗାମୀ ରବିରେ ମଧ୍ୟ ଧାନ ବିକ୍ରି କିଭଳି ହେବ ସେ ନେଇ ଚିନ୍ତାରେ ରହୁଥିଲେ। ମଙ୍ଗଳବାର ଘରେ କେହି ନ ଥିବା ସମୟରେ କୀଟନାଶକ ନେଇ ଧାନ ବିଲରେ ପିଇ ଦେଇଥିଲେ।