ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ। ଏଠାରେ ରହୁଥିବା ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କେ.ଗୀତାଞ୍ଜଳି ଆଚାରୀ (୩୯)ଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଗୀତାଞ୍ଜଳି ଜନଗଣନାରୁ ଫେରୁଥିବା ବେଳେ ଗାଡ଼ିକୁ କାର୍‌ ଧକ୍କା ଦେଇଥିଲା। ଫଳରେ ସେ କଚାଡି ହୋଇ ରାସ୍ତାକୁ ଛିଟିକି ପଡ଼ିଥିଲେ। ଏଥିରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ବାମ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ପରିବାରଲୋକେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଗୁରୁବାର ସକାଳେ ଜନଗଣନା କାମ ସାରି ସେ ପୂର୍ବାହ୍ନ ପ୍ରାୟ ୧୧ ରେ ସେ ତାଙ୍କ ସ୍କୁଟିରେ ଦିଗପହଣ୍ଡିସ୍ଥିତ ବାସଭବନକୁ ଫେରୁଥିବା ବେଳେ ଜନତା ଲେନ୍‌ରେ ଏକ କାର ତାଙ୍କୁ ସ୍କୁଟିକୁ ଧକ୍କା ଦେଇଥିବା ସେ କହିଛନ୍ତି। ଦିଗପହଣ୍ଡି ବ୍ଲକ ଏନ୍‌ପିଏସ୍‌ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।
Dharitri – Odisha’s No.1 Odia Daily

Share