Categories: ଜାତୀୟ

ସନ୍ତାନ ଜନ୍ମ ଦେବା, ନ ଦେବା ମହିଳାଙ୍କର ବ୍ୟକ୍ତିଗତ ଅଧିକାର…

ବେଙ୍ଗାଲୁରୁ,୨୫।୧୧: ଏକ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ବିଚାରପତି ଏନ୍‌.ଏସ୍‌. ସଞ୍ଜୟ ଗୌଡ଼ାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ମହିଳାଙ୍କ ଶରୀରରେ ତାଙ୍କର ଅନିଛାକୃତ ଭାବେ କୌଣସି ଭ୍ରୁଣ ରଖାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନ ପକ୍ଷରୁ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ସ୍ବାଧୀନତା ଅନ୍ତର୍ଗତ ମୌଳିକ ଅଧିକାରର ଉଲ୍ଲଂଘନ ହେବ।

ଜଣେ ବଳାତ୍କାର ପୀଡ଼ିତା ୧୬ ବର୍ଷ ବୟସ୍କା ନାବାଳିକାଙ୍କର ୨୪ ସପ୍ତାହରୁ ଅଧିକ ସମୟର ଭ୍ରୁଣକୁ ଗର୍ଭପାତ କରାଇବାକୁ ଡାକ୍ତର ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୩ ଅନୁସାରେ ମନା କରିଦେଇଥିଲେ। ପୀଡ଼ିତା ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତା ଆବେଦନରେ ଉଲ୍ଲେଖ କରିଥିଲେ ଯେ, ସେ ବଳାତ୍କାର ଅପରାଧର ବୋଝ ବୋହିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଇଛା ବିରୋଧରେ ଗର୍ଭରେ ରହିଥିବା ଭ୍ରୁଣକୁ ରଖିବା ଲାଗି ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ।
କୋର୍ଟ କହିଥିଲେ ଯେ, ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୩-୨-କ ଏବଂ ଧାରା ୩-୨-ଖ ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ତେବେ ୨୪ ସପ୍ତାହ ପରେ ଏଭଳି ଉଚିତ ନୁହେଁ। ଏହା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ।
ମାତ୍ର ବଳାତ୍କାର ପୀଡ଼ିତା ନିଜ ଇଛା ବିରୋଧରେ ଏଭଳି ବୋଝ ବୋହିବାକୁ ନାରାଜ ହେଉଥିବାରୁ ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୫ ଅନୁସାରେ ଗର୍ଭବତୀଙ୍କ ଜୀବନ ପ୍ରତି ସଙ୍କଟ କ୍ଷେତ୍ରରେ ଡାକ୍ତର ଗର୍ଭପାତ କରାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏନେଇ ଖଣ୍ଡପୀଠ ବେଲଗାଭି ଜିଲା ହେଲଥ୍‌ ସର୍ଜନଙ୍କ ମତାମତ ଲୋଡିଛନ୍ତି।

Share