Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା: ଏନସିପି ନାମ ଆଉ ଚିହ୍ନ ଅଜିତ ଗୋଷ୍ଠୀଙ୍କୁ ମିଳିଲା…

ମୁମ୍ବାଇ,୬।୨ : ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାୱାର ଗୋଷ୍ଠୀକୁ ଏନସିପି ନାମ ଏବଂ ନିର୍ବଚନର ଚିହ୍ନ ଘଣ୍ଟା ଦେଇଛନ୍ତି। ଏହା ସହିତ କମିଶନ ଶରଦ ପାୱାରଙ୍କୁ ୭ ଫେବୃଆରୀ ସୁଦ୍ଧା ୩ ନାମ ସୁପାରିଶ କରିବାକୁ କହିଛନ୍ତି।

ଏମପି ସୁପ୍ରିୟା ସୁଲେ କହିଛନ୍ତି ଶିବସେନାଙ୍କ ସହ ସେ ଯାହା କରିଥିଲେ, ସେ ମଧ୍ୟ ଆମ ସହ ସେପରି କରିଥିଲେ। କେବଳ ନାମ ବଦଳିଛି, ବିଷୟବସ୍ତୁ ସମାନ ରହିଛି। ସୁଲେ କହିଛନ୍ତି ଶରଦ ପାୱାର ଶୂନରୁ ଏନସିପି ଆରମ୍ଭ କରିଥିଲେ। ତାଙ୍କ ପଛରେ କକା କିମ୍ବା ଦାଦା ନ ଥିଲେ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିରେ ଏକ ଅଦୃଶ୍ୟ ଶକ୍ତିର ହାତ ରହିଛି। ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ଦଳ ସ୍ଥିର ହୋଇନାହିଁ। ଅଦୃଶ୍ୟ ଶକ୍ତି ଯୋଗୁ ଏହି ବିଜୟ ହୋଇଛି। ଆମେ ପୁଣି ଛିଡା ହେବୁ।

ଅଜିତ ପାୱାର ଦଳ ଏନସିପିର ନାମ ଏବଂ ଚିହ୍ନ ପାଇବା ପରେ ଶରଦ ଦଳର ନେତା ଜିତେନ୍ଦ୍ର ଆହ୍ବାଦ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିଭୀଷଣ ପରି ସେ ଲଙ୍କା ଧ୍ୱଂସ କରିଛନ୍ତି। ଆମେ ଅଜିତ ପାୱାରଙ୍କୁ ଦୋଷୀ ବୋଲି କହୁଛୁ। ଅଜିତଙ୍କୁ ଦଳକୁ ନେଇ ତାଙ୍କୁ ଡେପୁଟି ସିଏମ କରିବା ଆମ ପକ୍ଷେ ଏକ ବଡ ଭୁଲ ଥିଲା।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର କହିଛନ୍ତି ଆୟୋଗ ଆମ ଓକିଲଙ୍କ ଯୁକ୍ତି ଶୁଣିଛନ୍ତି। ଏହା ପରେ ଆମ ସପକ୍ଷରେ ଏହି ରାୟ ଦିଆଯାଇଛି। ଆମେ ଏହି ନିଷ୍ପତ୍ତିକୁ ନମ୍ରତାର ସହିତ ସ୍ବାଗତ କରୁଛୁ ।

Share