ଛତା ଯୁଆଡ଼େ, ବର୍ଷା ସିଆଡ଼େ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ୪ର୍ଥ ବଜେଟ। ପୂର୍ବଥର ଅପେକ୍ଷା ଏଥର ସେ ୪୩ ପ୍ରତିଶତ କମ୍‌ ଶବ୍ଦ ପାଠ କରିଛନ୍ତି। ବଜେଟରେ ଦେଶର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯାଇ ନ ଥିବା ଭଳି ମନେହେଉଛି। କାରଣ ମୁଖ୍ୟ ଲକ୍ଷ୍ୟ ଫିଜିକାଲ ଓ ଡିଜିଟାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବା ଭିତ୍ତିଭୂମି ଉପରେ କେନ୍ଦ୍ରିତ କରାଯାଇଛି। ଗତିଶକ୍ତି ମାଧ୍ୟମରେ ସଡ଼କ, ରେଳ, ବିମାନବନ୍ଦର, ବନ୍ଦର, ଗଣପରିବହନ, ଜଳପଥ ଓ ଯନ୍ତ୍ରପାତି ପରିବହନ ସଂକ୍ରାନ୍ତ ଭିତ୍ତିଭୂମି ବିକାଶ କରିବା ଉଦ୍ଦେଶ୍ୟ ରଖାଯାଇଛି। ସେହିଭଳି ଡିଜିଟାଲ ଭିତ୍ତିଭୂମି ଉପରେ ସୀତାରାମନ ଅଧିକ ଗୁରୁତ୍ୱ ଦେଇଛନ୍ତି। ୨୦୨୩ରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ମାଧ୍ୟମରେ ଡିଜିଟାଲ ମୁଦ୍ରା ପ୍ରଚଳନ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କୌତୂହଳର ବିଷୟ ଯେ, ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ବିଲ୍‌ ଆସି ନ ଥିବା ବେଳେ ସରକାର ଡିଜିଟାଲ କରେନ୍ସି ବୈଧ ବୋଲି ଏକରକମର ସୂଚନା ଦେଇସାରିଲେଣି। ଏପରି କି ଡିଜିଟାଲ ସମ୍ପତ୍ତି ଉପରେ ସରକାର ୩୦ ପ୍ରତିଶତ ଟିକସ ବସାଇବେ ବୋଲି କହିଛନ୍ତି। ଓଡ଼ିଆରେ ଢଗ ଅଛି-‘ମୂଳୁରୁ ମାଇପ ନାହିଁ, ପୁଅ ନା ଗୋପାଳିଆ’। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରାୟ ୧୫୦ କୋଟି ନାଗରିକଙ୍କ ମଧ୍ୟରୁ ହୁଏତ କ୍ୱଚିତ୍‌ ଏହି କ୍ରିପ୍ଟୋକରେନ୍ସି ସମ୍ବନ୍ଧରେ ଜାଣିଥିବେ। ଏଥିରେ କିଭଳି ଭାବେ ବ୍ୟବସାୟ କରାଯିବ ତାହା ବୁଝିବା ଭଳି ସଂଖ୍ୟା ଅତି ନଗଣ୍ୟ। ଏହିସବୁ ପଦକ୍ଷେପ କେବଳ ଅତ୍ୟନ୍ତ ଧନିକଙ୍କ ପାଇଁ ଉଦ୍ଦିଷ୍ଟ।
କରୋନା ମହାମାରୀ ଯୋଗୁ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଭର୍ଚୁଆଲ ବିଶ୍ୱରେ ଘୂରି ବୁଲୁଥିବାରୁ ସରକାର ଡିଜିଟାଲ ବିଶ୍ୱବିଦ୍ୟାଳୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ସକାଶେ ଇନ୍‌ଫର୍ମେଶନ ଆଣ୍ଡ୍‌ କମ୍ୟୁନିକେଶନ ଟେକ୍ନୋଲୋଜି (ଆଇସିଟି) ବ୍ୟବହାର କରାଯାଇ ସେମାନଙ୍କ ଘର ଦୁଆରମୁହଁରେ ଶିକ୍ଷା ପହଞ୍ଚାଯାଇପାରିବ। ଏହା ପୁଣି ଭାରତୀୟ ଭାଷାରେ ମଧ୍ୟ ଉପଲବ୍ଧ ହେବ। ସରକାରଙ୍କ ଏଭଳି ଚିନ୍ତାଧାରା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ ଏହାର ବାସ୍ତବତା ଉପରେ ଅନେକ ସନ୍ଦେହ ରହୁଛି। କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଯଦି ‘ଏକ କ୍ଲାସ୍‌-ଏକ ଟିଭି’ ଚ୍ୟାନେଲ ମାଧ୍ୟମରେ ଗୋଟିଏ ଆଞ୍ଚଳିକ ଭାଷାର ପ୍ରଣୟନ କରାଯାଏ ତାହା ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବ। ବଜେଟରେ ଆହୁରି କୁହାଯାଇଛି ଯେ, ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଆଞ୍ଚଳିକ ଭାଷାରେ ୨୦୦ ଟେଲିଭିଜନ ଚ୍ୟାନେଲ ଜରିଆରେ ପଢ଼ାଇବାର ବ୍ୟବସ୍ଥା କରାଯିବ। ଏହା ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ବାସ୍ତବତା ସହଜ ନୁହେଁ। କାରଣ ବିଗତ ଦୁଇବର୍ଷ ହେବ କରୋନା ମହାମାରୀ ଯୋଗୁ ଗ୍ରାମାଞ୍ଚଳ କ’ଣ ସହର ଉପକଣ୍ଠର ସବୁ ପିଲାଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ମିଳିପାରି ନ ଥିବା ନେଇ ଅସଂଖ୍ୟ ରିପୋର୍ଟ ପ୍ରକାଶ ପାଇଛି। ଯେଉଁ ଦେଶରେ ଏପର୍ଯ୍ୟନ୍ତ ୨୪ ଘଣ୍ଟିଆ ଉଚ୍ଚମାନର ବିଦ୍ୟୁତ୍‌ ଶକ୍ତି ପହଞ୍ଚତ୍ ପାରୁନାହିଁ, ସେଠାରେ ଏଭଳି ବ୍ୟବସ୍ଥା ବିଶ୍ୱାସଯୋଗ୍ୟ ହେଉନାହିଁ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୨ ସୁଦ୍ଧା ସବୁଘରେ ବିଦ୍ୟୁତ୍‌ ପହଞ୍ଚତ୍ବ ବୋଲି ପୂର୍ବରୁ ମୋଦି ସରକାର ଘୋଷଣା କରିଥିଲେ। ତାହା ଏଯାଏ ଫଳପ୍ରଦ ହୋଇନାହିଁ।
ଅନୁରୂପ ଭାବେ ଡିଜିଟାଲ ଫର୍ମାଟ ପ୍ରତ୍ୟେକ କାର୍ଯ୍ୟକୁ ସହଜ କରିପାରୁଥିଲେ ମଧ୍ୟ ଭାରତରେ ତାହାର ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଥିବାରୁ ଲକ୍ଷ୍ୟ ପୂରଣ କରିବା କାଠିକର ବ୍ୟାପାର। ତଥାପି ସରକାର ଲକ୍ଷ୍ୟ ରଖିଛନ୍ତି, ସ୍ବାଧୀନତାର ୭୫ ବର୍ଷରେ ଦେଶର ୭୫ ଜିଲାରେ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌ ସୁବିଧା ଉପଲବ୍ଧ କରାଇବେ। ଏହାର କାର୍ଯ୍ୟକାରିତା କେତେ ସୁଦୂରପ୍ରସାରୀ ହେବ ତାହା ଶୁଭାରମ୍ଭ ପରେ ଜଣାପଡ଼ିବ।
ଗୋଟିଏ ରାଷ୍ଟ୍ରର ଉନ୍ନତି ଏହାର ସାମାଜିକ ଭିତ୍ତିଭୂମି ଯଥା ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଉପରେ ନିର୍ଭର କରେ। ଉପରଲିଖିତ ଶିକ୍ଷାର ବିକାଶ ଚିନ୍ତାଧାରାକୁ କିଭଳି ସଜଡ଼ା ଯାଇଛି ତାହା ବୁଝିହେଉଛି। ଏଭଳି ସ୍ଥଳେ ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ସେହି ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। କରୋନା ମହାମାରୀ ସମୟରେ ବିଭିନ୍ନ ଦିଗରୁ ଅନେକ ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି ବୋଲି ସରକାର ଅନୁମାନ କରି ନ୍ୟାଶନାଲ ଟେଲିମେଣ୍ଟାଲ ହେଲ୍‌ଥ ପ୍ରୋଗ୍ରାମ୍‌ ଶୁଭାରମ୍ଭ କରିବେ ବୋଲି ବଜେଟରେ ଦର୍ଶାଇଛନ୍ତି। ଏଥିରେ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋସାଇନ୍ସସେସ୍‌ (ନିମ୍‌ହାନ୍‌ସ)କୁ ନୋଡାଲ ସେଣ୍ଟର କରାଯିବ ଏବଂ ଏଥିଲାଗି ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି-ବାଙ୍ଗାଲୋର ୨୩ଟି ଟେଲିମେଣ୍ଟାଲ ହେଲ୍‌ଥ ସେଣ୍ଟର ଲାଗି ବୈଷୟିକ ସହାୟତା ଦେବ ବୋଲି କୁହାଯାଇଛି। ଅର୍ଥାତ୍‌ ଏହି ବ୍ୟବସ୍ଥା ମଧ୍ୟ ଡିଜିଟାଲ ଉପରେ ନିର୍ଭରଶୀଳ। ଆଶା କରାଯାଉଥିଲା କୋଭିଡ୍‌-୧୯ ଯୋଗୁ ଦେଶର ସ୍ବାସ୍ଥ୍ୟସେବା ବିଗିଡ଼ିଯାଇଥିବାରୁ ସରକାର ଅଧିକ ମେଡିକାଲ କଲେଜ, ହସ୍ପିଟାଲ ସହ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି କରିବେ। ହେଲେ ଦେଶବାସୀଙ୍କୁ ଡିଜିଟାଲ ସ୍ବାସ୍ଥ୍ୟ ଭେଟି ଦିଆଯାଇଛି। ଏହାର ଅର୍ଥ କ’ଣ ତାହା ସାଧାରଣ ଜନତା କିଛି କାଳ ପରେ ବୁଝିପାରିବେ।
ଆଗାମୀ ୫ ବର୍ଷରେ ଦେଶରେ ୬୦ ଲକ୍ଷ ଯୁବତୀଯୁବକଙ୍କୁ ଚାକିରି ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କିନ୍ତୁ କେଉଁଭଳି ଭାବେ ଏସବୁ ନିଯୁକ୍ତି ସୃଷ୍ଟି ହେବ, ସେ ଦିଗରେ କିଛି ଉଲ୍ଲେଖ କରାଯାଇନାହିଁ। ନିକଟ ଅତୀତରେ କୃଷକ ଆନ୍ଦୋଳନକୁ ନେଇ ଦେଶବ୍ୟାପୀ ଅନେକ ସମସ୍ୟା ଦେଖାଦେଇଥିବା ବିଷୟ ସମସ୍ତେ ଜାଣନ୍ତି। ଦେଶ ଜନସଂଖ୍ୟାର ଏହି ବୃହତ୍‌ ବର୍ଗ ପାଇଁ ବଜେଟରେ ସେଭଳି କୌଣସି ସୁବିଧା କରାଯାଇନାହିଁ। କେବଳ ଶସ୍ୟ ଆକଳନ ଲାଗି ‘କିଷାନ ଡ୍ରୋନ୍‌’ ଓ ଜମିର ଡିଜିଟାଲୀକରଣ ଆଦି କିରାଣିଧର୍ମୀ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିରେ ବିପୁଳ ଅର୍ଥ ଖର୍ଚ୍ଚ କରାଯିବ। କେତେକ ବୃହତ୍‌ ଘରୋଇ କମ୍ପାନୀ ବିଦେଶରୁ ଡ୍ରୋନ୍‌ ଉଡ଼ାଜାହାଜ ଆଣି ସରକାରଙ୍କୁ ବିକିବେ ଓ ଅଧିକ ଲାଭର ମାଲିକ ହେବେ। କୃଷି ସଂକ୍ରାନ୍ତରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବା ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବ ଓ ରାସାୟନିକ ମୁକ୍ତ କୃଷିକୁ ଗୁରୁତ୍ୱ ଦିଆଯିବ ବୋଲି ବଜେଟରେ କୁହାଯାଇଛି। କିନ୍ତୁ ସେଥିରେ କେଉଁ ପ୍ରକାର ପଦକ୍ଷେପ ନିଆଯିବ ଭାଷଣରେ ତାହା ଦର୍ଶାଯାଇନାହିଁ।
ବଜେଟ ପୂର୍ବରୁ ବହୁ ଆଲୋଚନା ହେଉଥିଲା ଯେ, କରୋନା ଯୋଗୁ ରୋଜଗାରିଆଙ୍କ ଆୟ କମିଯାଇଥିବାରୁ ଆୟକରଦାତାଙ୍କୁ ବୃହତ୍‌ ସୁବିଧା ଦିଆଯିବ। ସମ୍ଭବତଃ ଷ୍ଟାଣ୍ଡାର୍ଡ ଡିଡକ୍‌ଶନ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତାହା ନୋହିଲା। ଏଥିରେ ମଧ୍ୟବିତ୍ତ ବର୍ଗ ପାଇଁ କୌଣସି ସୁବିଧା ଦିଆଯାଇନାହିଁ। ଅନ୍ୟପକ୍ଷରେ ଟାବ୍‌ଲେଟ୍‌ରୁ ବଜେଟ ପଢୁଥିବା ଅର୍ଥମନ୍ତ୍ରୀ ଟିକସ ବ୍ୟବସ୍ଥା ବିଷୟରେ କହିଲା ବେଳେ ଏକ କାଗଜ ଧରି ସେଥିରୁ କିଛି ପାଠ କରିଥିବା ଦେଖିବାକୁ ମିଳିଥିଲା। ସେ କହିଥିଲେ ଯେ, ଜାନୁୟାରୀ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ ୩୮ ହଜାର କୋଟି ଟଙ୍କା ଅତିକ୍ରମ କରି ରେକର୍ଡ କରିଛି। ଏହା କହିଲା ବେଳେ ଶାସକ ଦଳ ଟେବୁଲ ବାଡ଼େଇ ତାଙ୍କୁ ସମର୍ଥନ କରିଥିଲେ। ଏଥିରୁ ବୁଝିହେଉଛି ଯେ, ସରକାର ଆୟକର ସ୍ଲାବ୍‌ରେ ହସ୍ତକ୍ଷେପ ନ କରି ଜିଏସ୍‌ଟି ସଂଗ୍ରହ କିଭଳି ବଢ଼ିଚାଲିବ ସେହି ଦିଗରେ ଧ୍ୟାନ ଦେଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରତ୍ୟେକ ବ୍ୟକ୍ତି ପ୍ରତି ସାମଗ୍ରୀ ଓ ସେବା ଉପରେ ଟିକସ ଦେଇଥାଆନ୍ତି। ସେହି ତୁଳନାରେ ଆୟକରଦାତାଙ୍କ ସଂଖ୍ୟା କମ୍‌ ରହିଥିବାରୁ ସେମାନଙ୍କୁ ସୁବିଧା ଦେବା ଲାଗି ଅର୍ଥମନ୍ତ୍ରୀ ଚାହିଁନାହାନ୍ତି।
ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ଆଗକୁ ନିର୍ବାଚନ ହେବାର ଅଛି। ସେହିସବୁ ରାଜ୍ୟକୁ ସରକାର ବଜେଟରେ ସ୍ବତନ୍ତ୍ର ସୁବିଧା ଦେଇପାରନ୍ତି ବୋଲି ଆଲୋଚନା ହେଉଥିଲା। ମୋଦି ସରକାର ସମାଲୋଚିତ ହେବା ଆଶଙ୍କା କରି ସିଧାସଳଖ ସୁବିଧା ଘୋଷଣା କରିନାହାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ୮୦ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିରୁ ବୁଝାପଡ଼ୁଛି ସରକାର ଚତୁରତାର ସହ ସବୁକିଛି ପରିଚାଳନା କରିବା ଲାଗି ରଣକୌଶଳ ପ୍ରସ୍ତୁତ କରିଛନ୍ତି। ବଜେଟରେ ଛତା ମହଙ୍ଗା ହେବ ବୋଲି କୁହାଯାଇଛି। ସମ୍ଭବତଃ ଆଉ ଏକ ନୂଆ ପରୀକ୍ଷଣ କରିବାକୁ ଯାଇ କେନ୍ଦ୍ର ସରକାର ‘ଛତା ଯୁଆଡ଼େ, ବର୍ଷା ସିଆଡ଼େ’ ଯାଉ ବୋଲି ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri