ଥାପଡ଼କୁ ନା

ପ୍ରକାଶ ତ୍ରିପାଠୀ

କେତେକ କାରଣ ପାଇଁ ପତ୍ନୀଙ୍କ ଉପରକୁ ହାତ ଉଠାଇବା ଯୁକ୍ତିଯୁକ୍ତ। ଏଭଳି ମତ ପୁରୁଷ ନୁହେଁ, କେତେକ ମହିଳା ହିଁ ପ୍ରକାଶ କରିଛନ୍ତି। ଏଭଳି ଏକ ଦୁଃଖଦ ତଥ୍ୟ ପ୍ରକାଶ ପାଇଛି ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟରେ। ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୪ଟିରେ ୩୦ ଭାଗରୁ ଅଧିକ ମହିଳା ମତ ରଖିଛନ୍ତି ଯେ, ପତ୍ନୀମାନଙ୍କୁ ବିଭିନ୍ନ କାରଣ ପାଇଁ ପତିମାନେ ମାରିବା ଯୁକ୍ତିଯୁକ୍ତ । ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କର୍ନାଟକରେ ୭୫%ରୁ ଅଧିକ ମହିଳା ପତ୍ନୀମାନେ ମାଡ଼ ଖାଇବାକୁ ଠିକ୍‌ କହିଥିବା ବେଳେ ମଣିପୁରରେ ୬୬%, କେରଳରେ ୫୨%, ଜମ୍ମୁ-କଶ୍ମୀରରେ ୪୯%, ମହାରାଷ୍ଟ୍ରରେ ୪୪%, ପଶ୍ଚିମବଙ୍ଗରେ ୪୨% ମହିଳା ଏହା ସପକ୍ଷରେ ମତ ଦେଇଛନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମହିଳାମାନଙ୍କୁ ପଚରା ଯାଇଥିଲା ଯେ, ଆପଣଙ୍କ ମତରେ ପତ୍ନୀଙ୍କୁ ପତି ବାଡ଼େଇବା ଯୁକ୍ତିଯୁକ୍ତ କି ? ସର୍ଭେ ସମୟରେ ଏହା ମଧ୍ୟ ପଚରା ଯାଇଥିଲା ଯେ କେଉଁ ପରିସ୍ଥିତିରେ ପତିମାନେ ପତ୍ନୀଙ୍କୁ ବାଡ଼େଇ ଥାନ୍ତି। ଏହାର ଉତ୍ତରରେ ମହିଳାମାନେ କହିଥିଲେ ଯେ, ପତ୍ନୀମାନେ ପତିଙ୍କ ପ୍ରତି ବିଶ୍ୱସ୍ତ ନ ରହିଲେ, ଶାଶୁ-ଶ୍ୱଶୁରଙ୍କୁ ସମ୍ମାନ ପ୍ରଦର୍ଶନ ନ କଲେ, ପତିଙ୍କ ସହିତ ଯୁକ୍ତିତର୍କ କଲେ, ପତିଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ରାଜି ନ ହେଲେ, ପତିଙ୍କୁ ନ କହି ବାହାରକୁ ବୁଲିବାକୁ ଗଲେ, ରୋଷେଇ ଠିକ୍‌ରେ ନ କଲେ ଓ ପିଲାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କଲେ ପତ୍ନୀଙ୍କୁ ପତି ବାଡ଼େଇଲେ କିଛି ଭୁଲ୍‌ ନାହିଁ।
ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟରେ ଏକଥା ବି ପ୍ରକାଶ ପାଇଛି ଯେ ଭାରତରେ ଏବେ ପ୍ରତି ୧୦୦୦ ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୨୦; ଯାହା କି ଅତି ଉତ୍ସାହଜନକ। ସେହିପରି କନ୍ୟା ଜନ୍ମ ହାର ମଧ୍ୟ ବିଗତ ବର୍ଷ ତୁଳନାରେ ବୃଦ୍ଧି ଘଟିଛି। କେବଳ ସଂଖ୍ୟାରେ ନୁହେଁ, ବାସ୍ତବରେ ପ୍ରତିଟି କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଆଗରେ ରହିଛନ୍ତି। ଘରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଘର ଲୋକେ ଖୁସିରେ କହୁଛନ୍ତି ଯେ ଘରକୁ ଲକ୍ଷ୍ମୀ ଆସିଛନ୍ତି। ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନ ଜନ୍ମ ମଧ୍ୟରେ କୌଣସି ଫରକ ପଡୁନାହିଁ ପରିବାରରେ। ଶିକ୍ଷା ହେଉ କି ଗବେଷଣା, କ୍ରୀଡ଼ା ହେଉ କି ଦେଶ ସୁରକ୍ଷା, ସବୁଠାରେ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ମହିଳାଙ୍କ ଜୟଯାତ୍ରା ଅବ୍ୟାହତ ରହିଛି। ଅନେକ କ୍ଷେତ୍ରରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା। ସମୟର ପରିବର୍ତ୍ତନ ସହ ମହିଳାଙ୍କ ପରିଚୟ ବଦଳିଛି। ବଦଳିଛି ସେମାନଙ୍କ ରୁଚି ଓ ସ୍ବପ୍ନ। ସେ ନିଜର ପରିଚୟ କେବଳ ଘରର କାମ ଦାମରେ ସୀମିତ ନ ରଖି ଘରର ଆର୍ଥିକ ବିକାଶ ଦିଗରେ ନିଜକୁ ସହଭାଗୀ କରିପାରିଛି। ସାବଲମ୍ବୀ ହେବା ସହ ନିଜକୁ ସଶକ୍ତ କରିପାରିଛି। ଆଜିର ନାରୀ ପୁରୁଷଠାରୁ କୌଣସି ଗୁଣରେ କମ୍‌ ନୁହେଁ ଏକଥା ଆଉ ପ୍ରମାଣ ଦେଖାଇବାର ଆବଶ୍ୟକତା ନାହିଁ।
ନାରୀ ନିଜ କ୍ୟାରିୟର ଗଢ଼ିବାର ନିର୍ଣ୍ଣୟ ନିଜେ ନେଇପାରୁଛି। ପାଠ ପଢ଼ି ଚାକିରି କରୁଛି ଓ ନିଜର ପିତୃଦତ୍ତ ସାଙ୍ଗିଆ ପରିବର୍ତ୍ତନ ଆବଶ୍ୟକ ହେଉନାହିଁ ତା’ ପାଇଁ । ଇଂଜିନିୟରିଂ,ଏମ୍‌ବିଏ, ସିଭିଲ ସର୍ଭିସ, ଆଇନ, ଅଲିମ୍ପିକ୍‌ସ, ଡିଫେନ୍‌ସ ଆଦିରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରୁଛି। ଏତେ ସଫଳତା ସତ୍ତ୍ୱେ ମଧ୍ୟ ଦୁଃଖ ଲାଗେ ଯେତେବେଳେ ଛୋଟ ଛୋଟ କଥାରେ ସ୍ବାମୀଠାରୁ ଥାପଡ଼ ଖାଇବା ଯୁକ୍ତିଯୁକ୍ତ ବୋଲି ସେ ମତ ପ୍ରଦାନ କରେ। ସତେ ଯେମିତି ଘରେ ପିଲା ଛୁଆଙ୍କ ଯତ୍ନ ନେବା କେବଳ ପତ୍ନୀଙ୍କ କାମ ଓ ସେଥିରେ ତିଳେ ମାତ୍ର ତ୍ରୁଟି ପରିଲକ୍ଷିତ ହେଲେ ସେ ପତିଙ୍କଠାରୁ ଥାପଡ଼ ଖାଇବ। ଘରକୁ ସଫାସୁତୁରା ରଖିବା ସହ ଶାଶୁ ଶ୍ୱଶୁରଙ୍କ ଯତ୍ନ ଠିକ ଭାବେ ନେବ। ଏଥିରେ ଟିକେ ଏପଟ ସେପଟ ହେଲେ ପତିଙ୍କଠାରୁ ମାଡ଼ ଖାଇବ। ପତି ଯାହା କହିବେ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ। ପତିଙ୍କ ସହ ଯୁକ୍ତି କରିବ ନାହିଁ, ପତି ଯେତେବେଳେ ଶାରୀରିକ ସମ୍ପର୍କ ଚାହିଁବେ ସେଥିରେ ସହଯୋଗ କରିବ। ନ ହେଲେ ସ୍ବାମୀଙ୍କଠାରୁ ମାଡ଼ ଖାଇଲେ କିଛି ଭୁଲ୍‌ ନାହିଁ। ଯୁଆଡ଼େ ଯିବ ସ୍ବାମୀଙ୍କୁ କହିକି ଯିବ। ରୋଷେଇ ସାଦିଷ୍ଟ ହେବା ଦରକାର। ଏଭଳି କର୍ମ କରିବ ନାହିଁ; ଯେଉଁଥିରେ ପତ୍ନୀଙ୍କ ପ୍ରତି ପତିଙ୍କର ସନ୍ଦେହ ସୃଷ୍ଟିହେବ। ଏଥିରେ ଏପଟ ସେପଟ ହେଲେ ଯଦି ସ୍ବାମୀ ବାଡ଼ାନ୍ତି ତେବେ ଏଥିରେ ତାଙ୍କର କିଛି ଭୁଲ୍‌ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଅନେକ ଶିକ୍ଷିତ ମହିଳା। ଅନେକ ଉନ୍ନତ ରାଜ୍ୟର ମହିଳାମାନେ ଏଭଳି ମତ ପ୍ରଦାନ କରିବା ନିଶ୍ଚିତ ଦୁଃଖଦ। ଏପରି କି ସର୍ବାଧିକ ଶିକ୍ଷିତ ରାଜ୍ୟ ଭାବେ ପରିଚିତ କେରଳର ୫୨% ମହିଳା ପତିଙ୍କ ଦ୍ୱାରା ପତ୍ନୀଙ୍କୁ ମାଡ଼ ମାରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି। ମାତୃସତ୍ତାତ୍ମକ ବିଚାରଧାରାକୁ ସମର୍ଥନ କରୁଥିବା କେତେକ ରାଜ୍ୟର ମହିଳାମାନେ ଏହାକୁ ସମର୍ଥନ ଦେବା ବି ଆଶ୍ଚର୍ଯ୍ୟ ଲାଗେ। ସମାଜରେ ଜଣେ ମହିଳାଙ୍କ ଯେତେବଡ଼ ଆସନ ଥାଉ, ଘର ପାଇଁ ତାଙ୍କର ଯେତେ ଅବଦାନ ରହିଥାଉ, ଘରଭିତରେ ଓ ପତି ଆଗରେ ଏହା ମୂଲ୍ୟହୀନ। ମହିଳାଙ୍କ ଶିକ୍ଷା, ସାମାଜିକ ସ୍ଥିତି ସତେ ଯେମିତି ଶୂନ।
ଘରୋଇ ହିଂସାରେ ମହିଳା ଓ ଶିଶୁମାନେ ଅଧିକ ଶିକାର ହୋଇଥାନ୍ତି। ମହିଳା ଓ ଶିଶୁଙ୍କ ଉପରକୁ ହାତ ଉଠାଇ ମରଦ ପଣିଆକୁ ସାକାର କରିଥାନ୍ତି ଅନେକ ପୁରୁଷ । ଗୋଟିଏ ପଟେ ପତ୍ନୀଙ୍କୁ ଗୃହ ଲକ୍ଷ୍ମୀର ମାନ୍ୟତା ଦିଅନ୍ତି ସତ, ମାତ୍ର ଅନ୍ୟପଟରେ ଟିକେ ଟିକେ କଥାରେ ପତ୍ନୀଙ୍କ ଉପରକୁ ହାତ ଉଠାଇବାକୁ ପଛାଇ ନ ଥାନ୍ତି। ନିକଟରେ ସୁପ୍ରିମକୋର୍ଟ ଘରୋଇ ହିଂସା ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ ଘରୋଇ ହିଂସା ଅଧିନିୟମ-୨୦୦୫ କାର୍ଯ୍ୟକାରୀ ସତ୍ତ୍ୱେ ମହିଳାଙ୍କ ବିରୋଧରେ ଘରୋଇ ହିଂସା ଏକ ସାଧାରଣ କଥା। ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳାଙ୍କ ସଂଖ୍ୟା ମଧ୍ୟରୁ ୮୬ ପ୍ରତିଶତ ମହିଳା ଅଭିଯୋଗ ନ କରି ଚୁପ ରହିଥାନ୍ତି। ଏହିମାନଙ୍କ ଭିତରେ ବୋଧହୁଏ କିଛି ମହିଳା ସେମାନଙ୍କ ପ୍ରତି ହିଂସାକୁ ଉଚିତ ଭାବିଥାନ୍ତି। ପ୍ରକାଶଯୋଗ୍ୟ ଯେ, ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟ ଅନୁଯାୟୀ ଆମ ଦେଶର ସହରାଞ୍ଚଳରେ ୨୪.୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୧.୬ ପ୍ରତିଶତ ମହିଳା ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି।
ସାଧାରଣତଃ ଦେଖାଯାଏ ଯେ, ଆମ ସମାଜରେ ଟିକେ ଟିକେ କଥାରେ ପୁରୁଷଟିଏ ନିଜ ପତ୍ନୀ ଅବା ଛୋଟ ଝିଅ-ପୁଅଙ୍କ ଉପରକୁ ହାତ ଉଠାଇ ଦିଅନ୍ତି। ଘରର ଅନ୍ୟ ସଦସ୍ୟମାନେ ଏହା ସପକ୍ଷରେ ଯୁକ୍ତି ଦର୍ଶାନ୍ତି ଯେ, ପୁରୁଷଟି ନିଜର ଭାବେ ବୋଲି, ଅଧିକାର ଅଛି ବୋଲି ଅବା ଭଲପାଏ ବୋଲି ହାତ ଉଠାଇ ଦେଉଛି। ଏଥିରେ ଅଧିକ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ନୁହେଁ। ପିଢ଼ି ପରେ ପିଢ଼ି ଏହି ଭାବନା ଓ ଚିନ୍ତାଧାରାରେ ମହିଳାମାନେ ଗତି କରୁଛନ୍ତି । ମନେ ମନେ ସେମାନେ ଭାବିନିଅନ୍ତି ଯେ ହଁ, ନିଜ ପତି ତ ବଡ଼େଇଦେଲା, ଏଥିରେ ଖରାପ ଭାବିବାର କ’ଣ ଅଛି। ପରିବାରରେ ପତ୍ନୀ-ପତି ମଧ୍ୟରେ ମନାନ୍ତର ବା ମତାନ୍ତର ହୁଏ, ଝଗଡ଼ା ହୁଏ ଓ ତାହା ସମାଧାନ ମଧ୍ୟ ହୁଏ। ମାତ୍ର ଏଥି ଯୋଗୁ ଜଣଙ୍କ ଉପରକୁ ହାତ ଉଠାଇବା, ଥାପଡ଼ ମାରିବା ଓ ଏହାକୁ ଭଲପାଇବାର, ଅଧିକାର ପ୍ରଦର୍ଶନ କରିବାର ସଙ୍କେତ ବୋଲି ଯୁକ୍ତି ଦର୍ଶାଇବା ସମ୍ପୂର୍ଣ୍ଣ ଭୁଲ୍‌। ସମୟ ବଦଳିଛି। ଏବେ ଛୋଟ ବେଳୁ କନ୍ୟାମାନଙ୍କୁ ଶିକ୍ଷା ଦେବା ଉଚିତ ଯେ, ନିଜ ଘର ଲୋକ ହୁଅନ୍ତୁ ବା ବାହାର ଲୋକ, କେହି ବି କୌଣସି ପରିସ୍ଥିତିରେ ସେମାନଙ୍କୁ ଥାପଡ଼ ମାରିପାରିବେନି କିମ୍ବା ସେମାନଙ୍କ ଉପରକୁ ହାତ ଉଠାଇ ପାରିବେନି। କନ୍ୟାମାନଙ୍କୁ ଶିକ୍ଷା, ଆତ୍ମନିର୍ଭର ପାଇଁ ତାଲିମ ପ୍ରଦାନ ସହ ଏହା ବି ଶିକ୍ଷା ଦେବା ଜରୁରୀ ଯେ ସେମାନଙ୍କ ଉପରକୁ ହାତ ଉଠାଇବାର ଅଧିକାର କାହାରିକୁ ଦିଆଯାଇ ନାହିଁ। ପ୍ରଥମ ଥର ନିଜ ଉପରକୁ ପତିଙ୍କ ହାତ ଉଠୁଥିବା ସମୟରେ ଏହାକୁ ରୋକିବା ଆବଶ୍ୟକ। ଏହାକୁ ସହିଗଲେ ଅବା ଏହାକୁ ପତିଙ୍କ ଅଧିକାର ବା ଭଲପାଇବାର ସଙ୍କେତ ବୋଲି ଭାବିନେଲେ ପିଢ଼ି ପରେ ପିଢ଼ି ଏହି ଥାପଡ଼ ସେମାନଙ୍କୁ ଅନୁସରଣ କରୁଥିବ।
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?