ଥାପଡ଼କୁ ନା

ପ୍ରକାଶ ତ୍ରିପାଠୀ

କେତେକ କାରଣ ପାଇଁ ପତ୍ନୀଙ୍କ ଉପରକୁ ହାତ ଉଠାଇବା ଯୁକ୍ତିଯୁକ୍ତ। ଏଭଳି ମତ ପୁରୁଷ ନୁହେଁ, କେତେକ ମହିଳା ହିଁ ପ୍ରକାଶ କରିଛନ୍ତି। ଏଭଳି ଏକ ଦୁଃଖଦ ତଥ୍ୟ ପ୍ରକାଶ ପାଇଛି ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟରେ। ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୪ଟିରେ ୩୦ ଭାଗରୁ ଅଧିକ ମହିଳା ମତ ରଖିଛନ୍ତି ଯେ, ପତ୍ନୀମାନଙ୍କୁ ବିଭିନ୍ନ କାରଣ ପାଇଁ ପତିମାନେ ମାରିବା ଯୁକ୍ତିଯୁକ୍ତ । ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କର୍ନାଟକରେ ୭୫%ରୁ ଅଧିକ ମହିଳା ପତ୍ନୀମାନେ ମାଡ଼ ଖାଇବାକୁ ଠିକ୍‌ କହିଥିବା ବେଳେ ମଣିପୁରରେ ୬୬%, କେରଳରେ ୫୨%, ଜମ୍ମୁ-କଶ୍ମୀରରେ ୪୯%, ମହାରାଷ୍ଟ୍ରରେ ୪୪%, ପଶ୍ଚିମବଙ୍ଗରେ ୪୨% ମହିଳା ଏହା ସପକ୍ଷରେ ମତ ଦେଇଛନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମହିଳାମାନଙ୍କୁ ପଚରା ଯାଇଥିଲା ଯେ, ଆପଣଙ୍କ ମତରେ ପତ୍ନୀଙ୍କୁ ପତି ବାଡ଼େଇବା ଯୁକ୍ତିଯୁକ୍ତ କି ? ସର୍ଭେ ସମୟରେ ଏହା ମଧ୍ୟ ପଚରା ଯାଇଥିଲା ଯେ କେଉଁ ପରିସ୍ଥିତିରେ ପତିମାନେ ପତ୍ନୀଙ୍କୁ ବାଡ଼େଇ ଥାନ୍ତି। ଏହାର ଉତ୍ତରରେ ମହିଳାମାନେ କହିଥିଲେ ଯେ, ପତ୍ନୀମାନେ ପତିଙ୍କ ପ୍ରତି ବିଶ୍ୱସ୍ତ ନ ରହିଲେ, ଶାଶୁ-ଶ୍ୱଶୁରଙ୍କୁ ସମ୍ମାନ ପ୍ରଦର୍ଶନ ନ କଲେ, ପତିଙ୍କ ସହିତ ଯୁକ୍ତିତର୍କ କଲେ, ପତିଙ୍କ ସହ ଶାରୀରିକ ସମ୍ପର୍କ ପାଇଁ ରାଜି ନ ହେଲେ, ପତିଙ୍କୁ ନ କହି ବାହାରକୁ ବୁଲିବାକୁ ଗଲେ, ରୋଷେଇ ଠିକ୍‌ରେ ନ କଲେ ଓ ପିଲାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କଲେ ପତ୍ନୀଙ୍କୁ ପତି ବାଡ଼େଇଲେ କିଛି ଭୁଲ୍‌ ନାହିଁ।
ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟରେ ଏକଥା ବି ପ୍ରକାଶ ପାଇଛି ଯେ ଭାରତରେ ଏବେ ପ୍ରତି ୧୦୦୦ ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୨୦; ଯାହା କି ଅତି ଉତ୍ସାହଜନକ। ସେହିପରି କନ୍ୟା ଜନ୍ମ ହାର ମଧ୍ୟ ବିଗତ ବର୍ଷ ତୁଳନାରେ ବୃଦ୍ଧି ଘଟିଛି। କେବଳ ସଂଖ୍ୟାରେ ନୁହେଁ, ବାସ୍ତବରେ ପ୍ରତିଟି କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଆଗରେ ରହିଛନ୍ତି। ଘରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଘର ଲୋକେ ଖୁସିରେ କହୁଛନ୍ତି ଯେ ଘରକୁ ଲକ୍ଷ୍ମୀ ଆସିଛନ୍ତି। ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନ ଜନ୍ମ ମଧ୍ୟରେ କୌଣସି ଫରକ ପଡୁନାହିଁ ପରିବାରରେ। ଶିକ୍ଷା ହେଉ କି ଗବେଷଣା, କ୍ରୀଡ଼ା ହେଉ କି ଦେଶ ସୁରକ୍ଷା, ସବୁଠାରେ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ମହିଳାଙ୍କ ଜୟଯାତ୍ରା ଅବ୍ୟାହତ ରହିଛି। ଅନେକ କ୍ଷେତ୍ରରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା। ସମୟର ପରିବର୍ତ୍ତନ ସହ ମହିଳାଙ୍କ ପରିଚୟ ବଦଳିଛି। ବଦଳିଛି ସେମାନଙ୍କ ରୁଚି ଓ ସ୍ବପ୍ନ। ସେ ନିଜର ପରିଚୟ କେବଳ ଘରର କାମ ଦାମରେ ସୀମିତ ନ ରଖି ଘରର ଆର୍ଥିକ ବିକାଶ ଦିଗରେ ନିଜକୁ ସହଭାଗୀ କରିପାରିଛି। ସାବଲମ୍ବୀ ହେବା ସହ ନିଜକୁ ସଶକ୍ତ କରିପାରିଛି। ଆଜିର ନାରୀ ପୁରୁଷଠାରୁ କୌଣସି ଗୁଣରେ କମ୍‌ ନୁହେଁ ଏକଥା ଆଉ ପ୍ରମାଣ ଦେଖାଇବାର ଆବଶ୍ୟକତା ନାହିଁ।
ନାରୀ ନିଜ କ୍ୟାରିୟର ଗଢ଼ିବାର ନିର୍ଣ୍ଣୟ ନିଜେ ନେଇପାରୁଛି। ପାଠ ପଢ଼ି ଚାକିରି କରୁଛି ଓ ନିଜର ପିତୃଦତ୍ତ ସାଙ୍ଗିଆ ପରିବର୍ତ୍ତନ ଆବଶ୍ୟକ ହେଉନାହିଁ ତା’ ପାଇଁ । ଇଂଜିନିୟରିଂ,ଏମ୍‌ବିଏ, ସିଭିଲ ସର୍ଭିସ, ଆଇନ, ଅଲିମ୍ପିକ୍‌ସ, ଡିଫେନ୍‌ସ ଆଦିରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରୁଛି। ଏତେ ସଫଳତା ସତ୍ତ୍ୱେ ମଧ୍ୟ ଦୁଃଖ ଲାଗେ ଯେତେବେଳେ ଛୋଟ ଛୋଟ କଥାରେ ସ୍ବାମୀଠାରୁ ଥାପଡ଼ ଖାଇବା ଯୁକ୍ତିଯୁକ୍ତ ବୋଲି ସେ ମତ ପ୍ରଦାନ କରେ। ସତେ ଯେମିତି ଘରେ ପିଲା ଛୁଆଙ୍କ ଯତ୍ନ ନେବା କେବଳ ପତ୍ନୀଙ୍କ କାମ ଓ ସେଥିରେ ତିଳେ ମାତ୍ର ତ୍ରୁଟି ପରିଲକ୍ଷିତ ହେଲେ ସେ ପତିଙ୍କଠାରୁ ଥାପଡ଼ ଖାଇବ। ଘରକୁ ସଫାସୁତୁରା ରଖିବା ସହ ଶାଶୁ ଶ୍ୱଶୁରଙ୍କ ଯତ୍ନ ଠିକ ଭାବେ ନେବ। ଏଥିରେ ଟିକେ ଏପଟ ସେପଟ ହେଲେ ପତିଙ୍କଠାରୁ ମାଡ଼ ଖାଇବ। ପତି ଯାହା କହିବେ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବ। ପତିଙ୍କ ସହ ଯୁକ୍ତି କରିବ ନାହିଁ, ପତି ଯେତେବେଳେ ଶାରୀରିକ ସମ୍ପର୍କ ଚାହିଁବେ ସେଥିରେ ସହଯୋଗ କରିବ। ନ ହେଲେ ସ୍ବାମୀଙ୍କଠାରୁ ମାଡ଼ ଖାଇଲେ କିଛି ଭୁଲ୍‌ ନାହିଁ। ଯୁଆଡ଼େ ଯିବ ସ୍ବାମୀଙ୍କୁ କହିକି ଯିବ। ରୋଷେଇ ସାଦିଷ୍ଟ ହେବା ଦରକାର। ଏଭଳି କର୍ମ କରିବ ନାହିଁ; ଯେଉଁଥିରେ ପତ୍ନୀଙ୍କ ପ୍ରତି ପତିଙ୍କର ସନ୍ଦେହ ସୃଷ୍ଟିହେବ। ଏଥିରେ ଏପଟ ସେପଟ ହେଲେ ଯଦି ସ୍ବାମୀ ବାଡ଼ାନ୍ତି ତେବେ ଏଥିରେ ତାଙ୍କର କିଛି ଭୁଲ୍‌ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଅନେକ ଶିକ୍ଷିତ ମହିଳା। ଅନେକ ଉନ୍ନତ ରାଜ୍ୟର ମହିଳାମାନେ ଏଭଳି ମତ ପ୍ରଦାନ କରିବା ନିଶ୍ଚିତ ଦୁଃଖଦ। ଏପରି କି ସର୍ବାଧିକ ଶିକ୍ଷିତ ରାଜ୍ୟ ଭାବେ ପରିଚିତ କେରଳର ୫୨% ମହିଳା ପତିଙ୍କ ଦ୍ୱାରା ପତ୍ନୀଙ୍କୁ ମାଡ଼ ମାରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି। ମାତୃସତ୍ତାତ୍ମକ ବିଚାରଧାରାକୁ ସମର୍ଥନ କରୁଥିବା କେତେକ ରାଜ୍ୟର ମହିଳାମାନେ ଏହାକୁ ସମର୍ଥନ ଦେବା ବି ଆଶ୍ଚର୍ଯ୍ୟ ଲାଗେ। ସମାଜରେ ଜଣେ ମହିଳାଙ୍କ ଯେତେବଡ଼ ଆସନ ଥାଉ, ଘର ପାଇଁ ତାଙ୍କର ଯେତେ ଅବଦାନ ରହିଥାଉ, ଘରଭିତରେ ଓ ପତି ଆଗରେ ଏହା ମୂଲ୍ୟହୀନ। ମହିଳାଙ୍କ ଶିକ୍ଷା, ସାମାଜିକ ସ୍ଥିତି ସତେ ଯେମିତି ଶୂନ।
ଘରୋଇ ହିଂସାରେ ମହିଳା ଓ ଶିଶୁମାନେ ଅଧିକ ଶିକାର ହୋଇଥାନ୍ତି। ମହିଳା ଓ ଶିଶୁଙ୍କ ଉପରକୁ ହାତ ଉଠାଇ ମରଦ ପଣିଆକୁ ସାକାର କରିଥାନ୍ତି ଅନେକ ପୁରୁଷ । ଗୋଟିଏ ପଟେ ପତ୍ନୀଙ୍କୁ ଗୃହ ଲକ୍ଷ୍ମୀର ମାନ୍ୟତା ଦିଅନ୍ତି ସତ, ମାତ୍ର ଅନ୍ୟପଟରେ ଟିକେ ଟିକେ କଥାରେ ପତ୍ନୀଙ୍କ ଉପରକୁ ହାତ ଉଠାଇବାକୁ ପଛାଇ ନ ଥାନ୍ତି। ନିକଟରେ ସୁପ୍ରିମକୋର୍ଟ ଘରୋଇ ହିଂସା ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ ଘରୋଇ ହିଂସା ଅଧିନିୟମ-୨୦୦୫ କାର୍ଯ୍ୟକାରୀ ସତ୍ତ୍ୱେ ମହିଳାଙ୍କ ବିରୋଧରେ ଘରୋଇ ହିଂସା ଏକ ସାଧାରଣ କଥା। ଘରୋଇ ହିଂସାର ସମ୍ମୁଖୀନ ହେଉଥିବା ମହିଳାଙ୍କ ସଂଖ୍ୟା ମଧ୍ୟରୁ ୮୬ ପ୍ରତିଶତ ମହିଳା ଅଭିଯୋଗ ନ କରି ଚୁପ ରହିଥାନ୍ତି। ଏହିମାନଙ୍କ ଭିତରେ ବୋଧହୁଏ କିଛି ମହିଳା ସେମାନଙ୍କ ପ୍ରତି ହିଂସାକୁ ଉଚିତ ଭାବିଥାନ୍ତି। ପ୍ରକାଶଯୋଗ୍ୟ ଯେ, ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟ ଅନୁଯାୟୀ ଆମ ଦେଶର ସହରାଞ୍ଚଳରେ ୨୪.୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୧.୬ ପ୍ରତିଶତ ମହିଳା ଘରୋଇ ହିଂସାର ସମ୍ମୁଖୀନ ହେଉଛନ୍ତି।
ସାଧାରଣତଃ ଦେଖାଯାଏ ଯେ, ଆମ ସମାଜରେ ଟିକେ ଟିକେ କଥାରେ ପୁରୁଷଟିଏ ନିଜ ପତ୍ନୀ ଅବା ଛୋଟ ଝିଅ-ପୁଅଙ୍କ ଉପରକୁ ହାତ ଉଠାଇ ଦିଅନ୍ତି। ଘରର ଅନ୍ୟ ସଦସ୍ୟମାନେ ଏହା ସପକ୍ଷରେ ଯୁକ୍ତି ଦର୍ଶାନ୍ତି ଯେ, ପୁରୁଷଟି ନିଜର ଭାବେ ବୋଲି, ଅଧିକାର ଅଛି ବୋଲି ଅବା ଭଲପାଏ ବୋଲି ହାତ ଉଠାଇ ଦେଉଛି। ଏଥିରେ ଅଧିକ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ନୁହେଁ। ପିଢ଼ି ପରେ ପିଢ଼ି ଏହି ଭାବନା ଓ ଚିନ୍ତାଧାରାରେ ମହିଳାମାନେ ଗତି କରୁଛନ୍ତି । ମନେ ମନେ ସେମାନେ ଭାବିନିଅନ୍ତି ଯେ ହଁ, ନିଜ ପତି ତ ବଡ଼େଇଦେଲା, ଏଥିରେ ଖରାପ ଭାବିବାର କ’ଣ ଅଛି। ପରିବାରରେ ପତ୍ନୀ-ପତି ମଧ୍ୟରେ ମନାନ୍ତର ବା ମତାନ୍ତର ହୁଏ, ଝଗଡ଼ା ହୁଏ ଓ ତାହା ସମାଧାନ ମଧ୍ୟ ହୁଏ। ମାତ୍ର ଏଥି ଯୋଗୁ ଜଣଙ୍କ ଉପରକୁ ହାତ ଉଠାଇବା, ଥାପଡ଼ ମାରିବା ଓ ଏହାକୁ ଭଲପାଇବାର, ଅଧିକାର ପ୍ରଦର୍ଶନ କରିବାର ସଙ୍କେତ ବୋଲି ଯୁକ୍ତି ଦର୍ଶାଇବା ସମ୍ପୂର୍ଣ୍ଣ ଭୁଲ୍‌। ସମୟ ବଦଳିଛି। ଏବେ ଛୋଟ ବେଳୁ କନ୍ୟାମାନଙ୍କୁ ଶିକ୍ଷା ଦେବା ଉଚିତ ଯେ, ନିଜ ଘର ଲୋକ ହୁଅନ୍ତୁ ବା ବାହାର ଲୋକ, କେହି ବି କୌଣସି ପରିସ୍ଥିତିରେ ସେମାନଙ୍କୁ ଥାପଡ଼ ମାରିପାରିବେନି କିମ୍ବା ସେମାନଙ୍କ ଉପରକୁ ହାତ ଉଠାଇ ପାରିବେନି। କନ୍ୟାମାନଙ୍କୁ ଶିକ୍ଷା, ଆତ୍ମନିର୍ଭର ପାଇଁ ତାଲିମ ପ୍ରଦାନ ସହ ଏହା ବି ଶିକ୍ଷା ଦେବା ଜରୁରୀ ଯେ ସେମାନଙ୍କ ଉପରକୁ ହାତ ଉଠାଇବାର ଅଧିକାର କାହାରିକୁ ଦିଆଯାଇ ନାହିଁ। ପ୍ରଥମ ଥର ନିଜ ଉପରକୁ ପତିଙ୍କ ହାତ ଉଠୁଥିବା ସମୟରେ ଏହାକୁ ରୋକିବା ଆବଶ୍ୟକ। ଏହାକୁ ସହିଗଲେ ଅବା ଏହାକୁ ପତିଙ୍କ ଅଧିକାର ବା ଭଲପାଇବାର ସଙ୍କେତ ବୋଲି ଭାବିନେଲେ ପିଢ଼ି ପରେ ପିଢ଼ି ଏହି ଥାପଡ଼ ସେମାନଙ୍କୁ ଅନୁସରଣ କରୁଥିବ।
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri