କୃଷି କଷଣର ଶେଷ କାହିଁ

ଗତ କିଛି ବର୍ଷ ହେବ ଯେଉଁ ଦଳର ସରକାର ହୋଇଥାଉନା କାହିଁକି, ଯିଏ ବି ଅର୍ଥମନ୍ତ୍ରୀ ହୋଇଥାଆନ୍ତୁ, ବଜେଟ ଭାଷଣ ଆରମ୍ଭ କରିବା ସମୟରେ ସମସ୍ତେ ଭାରତୀୟ ଅର୍ଥନୀତିକୁ କୃଷିର ଅବଦାନ ବିଷୟରେ କହିଛନ୍ତି। ଏକାଧିକ ଅର୍ଥମନ୍ତ୍ରୀ ନିଜ ବଜେଟ ଭାଷଣରେ କୃଷିର ଭୂମିକାକୁ ସ୍ବୀକାର କରିଛନ୍ତି। କିଏ ‘କୃଷକଙ୍କ ସ୍ବାଧୀନତା’ କଥା କହିଛନ୍ତି ତ କିଏ କୃଷିକୁ ‘ଭାରତର ଅର୍ଥନୀତିର ଜୀବନରେଖା’ ବୋଲି ଆଖ୍ୟା ଦେଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ତାଙ୍କ ବଜେଟରେ ପାଞ୍ଚୋଟି ପ୍ରାଥମିକତା ତାଲିକା ଭିତରେ କୃଷିକୁ ରଖିଥିଲେ। ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ ଭାଷଣର ନଅଟି ମୁଖ୍ୟ ପ୍ରାଥମିକତା ଭିତରେ କୃଷିକୁ ରଖିଛନ୍ତି। କିନ୍ତୁ କୃଷି ଓ କୃଷକଙ୍କର ବାସ୍ତବିକ ଅର୍ଥରେ ବିକାଶ ପାଇଁ କେତେ କାମ ହୋଇପାରିଛି, ତାହା ଆଜି ଚିନ୍ତାର ବିଷୟ।
ଦେଶର ଭିନ୍ନ ଭିନ୍ନ ବଜେଟରେ କୃଷିକୁ ନେଇ ଯେପରି କୁହାଯାଇଛି, ଯଦି ବାସ୍ତବରେ ସେପରି ପଦକ୍ଷେପ ନିଆଯାଇଥାନ୍ତା, ତେବେ ଆଜି ଭାରତର ଗ୍ରାମୀଣ ଅର୍ଥନୀତି ଅତ୍ୟନ୍ତ ସୁଦୃଢ଼ ହୋଇଥାଆନ୍ତା। କୃଷି କ୍ଷେତ୍ର ତଥା କୃଷକମାନଙ୍କର ବିକାଶକୁ ନେଇ ଯାହା ବି କୁହାଯାଇଛି, ତାହା କେବଳ ଉତ୍ପାଦନ ବୃଦ୍ଧି ତଥା ଅମଳ ବଢେଇବା ପାଖରେ ହିଁ ଅଟକି ଯାଇଛି। ନୀତି ନିର୍ମାତା କିମ୍ବା ଅର୍ଥନୀତିଜ୍ଞମାନେ ସେଥିରୁ ବାହାରକୁ ବାହାରି ଭାବି ପାରିନାହାନ୍ତି। ପରିଣାମ ଆମେ ଦେଖୁଛେ। ଏକାଧିକ ପଦକ୍ଷେପ ନିଆଯିବା ସତ୍ତ୍ୱେ ବି କୃଷକମାନଙ୍କର ଅବସ୍ଥା ଦିନକୁ ଦିନ ଅଧିକ ସଙ୍କଟଜନକ ପରିସ୍ଥିତିରେ ପହଞ୍ଚିଛି। ଅନୁମାନ କରାଯାଉଛି ଯେ, କୃଷକର ଉତ୍ପାଦନ ବୃଦ୍ଧି ହେଲେ, ତାକୁ ଉଚିତ ମୂଲ୍ୟ ମିଳିବ ଓ ତା’ର ରୋଜଗାର ବଢ଼ିବ। କିନ୍ତୁ ଏହା କେବଳ ଅନୁମାନରେ ରହିଯାଇଛି। ଓଲଟି ଉତ୍ପାଦନ ବୃଦ୍ଧି ସହିତ ତାଳ ଦେଇ କୃଷକମାନଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇଛି। ଚାଷୀ ଆତ୍ମହତ୍ୟା ବଢ଼ିଛି। ଚାଷ କ୍ଷେତ୍ରରୁ ପଳାୟନ ବଢ଼ିଛି। ଚାଷୀମାନଙ୍କ ସଂଖ୍ୟା କମ ହୋଇ ଶ୍ରମିକମାନଙ୍କ ସଂଖ୍ୟା ବଢ଼ିଛି। ଏଥିରୁ ପ୍ରମାଣିତ ହେଉଛି ଆମ ଦେଶର କୃଷିର ଅବସ୍ଥା ଆଦୌ ବି ଉଚିତ ରାସ୍ତାରେ ନାହିଁ। ଯେ ପର୍ଯ୍ୟନ୍ତ ଆମ ଦେଶର କୃଷିକୁ ନେଇ ନୀତି ନିର୍ମାତାମାନେ ପୁନଃଚିନ୍ତନ କରିନାହାନ୍ତି, ସେ ପର୍ଯ୍ୟନ୍ତ କୃଷକମାନଙ୍କର କଷଣର ଶେଷ ହେବା ପରି ଦେଖାଯାଉନାହିଁ। କୃଷି କ୍ଷେତ୍ରରେ ସବୁଜ ବିପ୍ଳବ ଓ ସରକାରଙ୍କ ଦ୍ୱାରା ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଗୋଟିଏ କୃଷକ ପରିବାରର ମାସିକ ରୋଜଗାର ପ୍ରାୟ ଦଶ ହଜାର ଟଙ୍କା ଭିତରେ ହିଁ ରହିଛି। ଏଥିରୁ କୃଷି ସଙ୍କଟ ସ୍ପଷ୍ଟ ବାରି ହୋଇଯାଉଛି।
ଆମ ଦେଶର ସମୃଦ୍ଧ ରାଜ୍ୟ କର୍ନାଟକରେ ଗତ ୧୫ ମାସ ମଧ୍ୟରେ ୧୧୮୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୨୪ର ପ୍ରଥମ ଛଅ ମାସ ମଧ୍ୟରେ ମହାରାଷ୍ଟ୍ରରେ ୧୨୬୭ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ କେବଳ ବିଦର୍ଭ ଅଞ୍ଚଳରେ ୫୫୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚାଷୀ ଆତ୍ମହତ୍ୟା ଆମ ଦେଶରେ ନୂଆ ଘଟଣା ନୁହେଁ। ଗତ ୨୭ ବର୍ଷ ଧରି ନ୍ୟାଶନାଲ କ୍ରାଇମ ରେକର୍‌ ବ୍ୟୁରୋ ଚାଷୀ ଆତ୍ମହତ୍ୟାର ତଥ୍ୟ ରଖିଆସୁଛି। ୧୯୯୫ରୁ ୨୦୧୪ ମଧ୍ୟରେ ଆମ ଦେଶରେ ୨,୯୬,୪୩୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ପରବର୍ତ୍ତୀ ଆଠ ବର୍ଷରେ ୨୦୧୪ରୁ ୨୦୨୨ ମଧ୍ୟରେ ୧,୦୦,୪୭୪ ଜଣ ଚାଷୀ ନିଜ ଜୀବନ ହାରିଛନ୍ତି। ଏହି ତଥ୍ୟ କୌଣସି ଘରୋଇ ଅନୁଷ୍ଠାନର ନୁହେଁ ,ଏହା ସରକାରଙ୍କ ଏକ ଦକ୍ଷ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଛି। ଗତ ୨୭ ବର୍ଷ ମଧ୍ୟରେ ମୋଟ ପ୍ରାୟ ୪ ଲକ୍ଷ ଚାଷୀ ଆତ୍ମହତ୍ୟାର ରାସ୍ତା ବାଛି ନେଇଛନ୍ତି। ଅନ୍ୟପକ୍ଷରେ ଏହି ୨୭ ବର୍ଷ ମଧ୍ୟରେ ବଜେଟରେ କୃଷି କ୍ଷେତ୍ର ପାଇଁ ବ୍ୟୟ ବରାଦ ବହୁଗୁଣ ବଢ଼ିଛି। ତା’ହେଲେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ପୁଣି ଅଧିକ ସଙ୍କଟଜନକ ହେଉଛି କାହିଁକି? ନିଶ୍ଚିତ ଭାବେ ବଜେଟରେ ହେଉଥିବା ବ୍ୟୟବରାଦ କୃଷକଙ୍କ ପରିସ୍ଥିତି ସୁଧାରିବା ଦିଗରେ ହୋଇପାରୁନାହିଁ। ବଜେଟରେ ହେଉଥିବା ବ୍ୟୟବରାଦ ମୁଖ୍ୟତଃ କୃଷକମାନଙ୍କ ନିବେଶ ଖର୍ଚ୍ଚ ବାବଦକୁ ସବ୍‌ସିଡି ଭାବରେ ଖର୍ଚ୍ଚ ହେଉଛି, ଯାହା କୃଷକଙ୍କ ଅବସ୍ଥା ବଦଳେଇବାରେ ସକ୍ଷମ ହୋଇପାରୁନାହିଁ। କୃଷକମାନଙ୍କୁ ଦିଆଯାଉଥିବା ସବ୍‌ସିଡିର ସିଂହଭାଗ ଲାଭ ମୁଖ୍ୟତଃ କୃଷି କ୍ଷେତ୍ରରେ ଥିବା କମ୍ପାନୀମାନେ ପାଉଛନ୍ତି। କୃଷକମାନେ ଅତ୍ୟନ୍ତ କ୍ଷୀଣ ଲାଭ ପାଉଛନ୍ତି ବା ଆଦୌ ପାଉନାହାନ୍ତି। କୃଷକମାନଙ୍କ ପାଇଁ ପ୍ରତିବର୍ଷ ସବ୍‌ସିଡିର ପରିମାଣ ବଢ଼ି ଚାଲୁଛି, କିନ୍ତୁ ଅନ୍ୟପକ୍ଷରେ କୃଷକମାନେ ଗତ କୋଡିଏ ବର୍ଷରୁ ଅଧିକ ହେବ ନିଜ ବୃତ୍ତିରେ କ୍ରମାଗତ ଭାବେ କ୍ଷତି ସହି ଚାଲୁଛନ୍ତି। ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ନିଜ ରିପୋର୍ଟରେ ଏହା ପ୍ରକାଶ କରିଛିି। ଅର୍ଥନୀତିର ଅନ୍ୟ କୌଣସି କ୍ଷେତ୍ର ପ୍ରତିବର୍ଷ ଏତେ ପରିମାଣରେ କ୍ଷତି ସହି ତିଷ୍ଠି ରହିଥିବାର ଉଦାହରଣ ନାହିଁ। ଗତ କୋଡିଏ ବର୍ଷ ମଧ୍ୟରେ ଅନ୍ୟ କୌଣସି ବୃତ୍ତିରେ ଏତେ ସଂଖ୍ୟକ ଲୋକ ଆତ୍ମହତ୍ୟା କରିନାହାନ୍ତି, ଯେତେ ଲୋକ କୃଷି କ୍ଷେତ୍ରରେ ଆତ୍ମହତ୍ୟା କରିଛନ୍ତି। ଏପରି କି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧରେ ବି ସେତିକି ଲୋକ ମରିନାହାନ୍ତି ଯେତିକି ଲୋକ ଗତ କୋଡିଏ ବର୍ଷ ମଧ୍ୟରେ ଚାଷ କରି ଜୀବନ ହାରିଛନ୍ତି। ଏହା ବିପର୍ଯ୍ୟୟଠାରୁ ବି ଭୟଙ୍କର ଅବସ୍ଥା।
ଏହା ବାରମ୍ବାର ପ୍ରମାଣ ହେବାରେ ଲାଗିଛି ଯେ, ଚାଷୀମାନଙ୍କୁ ନିବେଶ ଖର୍ଚ୍ଚରେ ସବ୍‌ସିଡି ମାତ୍ରା ଯେତେ ବଢ଼େଇ ଚାଲିଲେ, ଭିନ୍ନ ଭିନ୍ନ ଯୋଜନାର ଆକାର ବୃଦ୍ଧି କଲେ, ଜ୍ଞାନକୌଶଳ ବିକାଶ ବାବଦକୁ ଯେତେ ଖର୍ଚ୍ଚ କଲେ ବି ଚାଷୀମାନଙ୍କର ରୋଜଗାର ବଢ଼ୁନାହିଁ। ଗତ କୋଡିଏ ବର୍ଷ ମଧ୍ୟରେ ଚାଷୀମାନଙ୍କର ଅମଳ ହାର ଦୁଇଗୁଣ ବଢ଼ିଛି ତଥାପି ବି ଚାଷୀମାନଙ୍କର ରୋଜଗାର ବଢ଼ିପାରିନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବା ପାଇଁ ସିଧା ପଦକ୍ଷେପ ନେବାକୁ ହେବ। ସମ୍ପ୍ରତି ବଜାରର ଯେପରି ବ୍ୟବସାୟ ଚାଲୁଛି, ଚାଷୀମାନଙ୍କର ଅମଳ ବଢ଼ିଲେ ବି ବଜାର ଦରଦାମ ସହିତ ତାଳ ଦେବା ବେଳକୁ ଚାଷୀର ରୋଜଗାର ମାଟି ଉପରକୁ ଉଠି ପାରୁନାହିଁ। ତେଣୁ ସମୟ ଆସିଛି ଚାଷୀମାନଙ୍କୁ ପ୍ରତ୍ୟକ୍ଷ ରୋଜଗାର ସହାୟତା ପ୍ରଦାନ କରିବାର। ତା’ହେଲେ ହିଁ ଆମ ଅର୍ଥନୀତିର କ୍ଷେତ୍ର କୃଷି ଓ କୃଷକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିବ। ଚାଷୀମାନଙ୍କ ପାଖକୁ ଟଙ୍କା ଗଲେ କେବଳ ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହେବ ନାହିଁ, ଆମ ଅର୍ଥନୀତିରେ ମଧ୍ୟ ନୂଆ ଜୀବନ ଫେରିବ। ଏହା ଦ୍ୱାରା ଚାଷୀଙ୍କର ବିକାଶ ହେବା ସହିତ ଦେଶର ବି ବିକାଶ ହେବ।
ଦେଶର ଅଧା ଜନସଂଖ୍ୟା ସଂଶ୍ଳିଷ୍ଟ ଥିବା କୃଷି କ୍ଷେତ୍ର ପାଇଁ ବଜେଟରେ ମାତ୍ର ୫ ପ୍ରତିଶତ ରଖିଲେ କିଛି ବି ପରିବର୍ତ୍ତନ ଆଶା କରିବା ବୃଥା। ଚଳିତ ବର୍ଷ ବଜେଟରେ କୃଷି କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ୬୦ ହଜାର କୋଟି କେବଳ ପିଏମ୍‌ କିଶାନ ଯୋଜନା ପାଇଁ ଅଛି, ଯାହା ଅନ୍ତର୍ଗତ ଜମିଥିବା ଚାଷୀମାନଙ୍କୁ ମାସିକ ୫୦୦ ଟଙ୍କା ହିସାବରେ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଉଛି। ବାକି ଆଉ ୯୨ ହଜାର କୋଟି ଟଙ୍କା କୃଷି କ୍ଷେତ୍ରରେ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବଳୁଛି। ଏତଦବ୍ୟତୀତ ୨୦୨୨-୨୩ ଆର୍ଥିକ ବର୍ଷର ତଥ୍ୟ ଅନୁସାରେ ଜଣେ ଗ୍ରାମୀଣ ଲୋକର ମାସିକ ଖର୍ଚ୍ଚ ୩୨୬୮ ଟଙ୍କା। ତା’ହେଲେ ଚାଷରୁ ଯଦି ଚାଷୀଟିଏ ଆଶାନୁରୂପ ରୋଜଗାର କରି ନ ପାରିବ ସେ ବଞ୍ଚିବ କିପରି? ତେଣୁ ବର୍ତ୍ତମାନ ପରିସ୍ଥିତିରେ କୃଷି କ୍ଷେତ୍ରର ବାସ୍ତବିକ ବିକାଶ ପାଇଁ ପୁନର୍ଚିନ୍ତନର ଆବଶ୍ୟକତା ରହିଛି। କୃଷକମାନଙ୍କ ଅମଳ ବଢ଼େଇବା ପାଇଁ ସବ୍‌ସିଡି ଆଦି ସହିତ ରୋଜଗାର ସୁରକ୍ଷା ପାଇଁ ପ୍ରତ୍ୟକ୍ଷ ଆର୍ଥିକ ସାହାଯ୍ୟର ଆବଶ୍ୟକତା ରହିଛି। ତା’ହେଲେ କୃଷକମାନେ ସମାଜର ଅନ୍ୟାନ୍ୟ ବର୍ଗ ସହିତ କାନ୍ଧରେ କାନ୍ଧ ମିଶେଇ ଠିଆ ହୋଇପାରିବେ। କୃଷକମାନଙ୍କର କାନ୍ଧ ମଜଭୁତ ହେଲେ ଗ୍ରାମୀଣ ଅର୍ଥନୀତି ମଜଭୁତ ହେବ, ଯାହା ପ୍ରକାରାନ୍ତରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ।
ଭିରଙ୍ଗ, ତିରଣ, ଜଗତସିଂହପୁର
ମୋ:୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?