ଓଇଆର୍‌ସି ମୁହାଁଇବ କୁଆଡ଼େ

ଭୁବନେଶ୍ୱର,୩୧ା୭(ବ୍ୟୁରୋ):ରାଜ୍ୟବାସୀଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ଗତ ଶତାବ୍ଦୀର ୮୦ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଗୋଟିଏ ପ୍ରକାର ଫଳ ଦର୍ଶାଉଛି। କରଦାତାଙ୍କ ଅର୍ଥରେ ସୃଷ୍ଟି ହୋଇଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀଗୁଡ଼ିକ ଲୁଟ୍‌ କରି ରାଜ୍ୟ ଛାଡ଼ି ପଳାଉଛନ୍ତି। ଏହି ନାଟକ ଆମେରିକା କମ୍ପାନୀ ଏଇଏସ୍‌ ଠାରୁ ଆରମ୍ଭ ହୋଇଥିଲା। ମଝିରେ ରିଲାଏନ୍ସ(ବିଏସ୍‌ଇସ୍‌) ପଶିଆସିଥିଲା। ଏବେ ସେହି ଆସନରେ ଟାଟା ଆସି ବସିଛି।
ଟାଟା ପାୱାର ଏବେ ସେସୁକୁ ହାତେଇ ନେଇଛି। ୧ ଟଙ୍କା ବିନିଯୋଗ ନ କରି ଟାଟା କମ୍ପାନୀ ଗତ ଜୁନ୍‌ ମାସରୁ ଗ୍ରାହକଙ୍କ ଠାରୁ ଅର୍ଥ ଆଦାୟ ଆରମ୍ଭ କରିଦେଲାଣି। ମାତ୍ର ୨ ମାସ ବିତି ନ ଥିବା ବେଳେ ଟାଟା ପାୱାର ନିଜେ ରାଜି ହୋଇଥିବା ତା’ର ମୂଳ ସର୍ତ୍ତାବଳୀ ସହିତ ଅସନ୍ତୋଷ ପ୍ରକାଶ କଲାଣି। ସେଥିପାଇଁ ଟାଟା ଏବେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଦ୍ୱାରସ୍ଥ ହେଲାଣି।
ଏହି ଆବେଦନ ଉପରେ ଜୁଲାଇ ୨୮ରେ ଶୁଣାଣି ହେବାର ଥିଲା। ହେଲେ ଓଇଆର୍‌ସି ଏହାକୁ ଆସନ୍ତା ସେପ୍ଟେମ୍ବର ପହିଲାକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶୁଣାଣି ବେଳେ ଓଇଆର୍‌ସିଙ୍କ ନିଷ୍ପତ୍ତିି ରାଜ୍ୟବାସୀଙ୍କ ସପକ୍ଷରେ ଯିବ ନା ଟାଟା କମ୍ପାନୀ ପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୁମ୍ବାଇ ଏବଂ ଦିଲ୍ଲୀ ଭଳି ବୃହତ୍‌ ସହରର ବିଦ୍ୟୁତ୍‌ ବ୍ୟବସ୍ଥା ଯୋଗାଣରେ ଟାଟା ପାୱାର କମ୍ପାନୀର ଦୀର୍ଘ ଅନୁଭୂତି ରହିଛି। ତଥାପି ୬୦ ଦିନ ମଧ୍ୟରେ ଅସନ୍ତୋଷ ପ୍ରକାଶ ଦର୍ଶାଉଛି ଯେ ପୂର୍ବ ଖେଳାଳିମାନଙ୍କ ଭଳି ଟାଟା ମଧ୍ୟ ଓଡ଼ିଶାକୁ ଲୁଟିବାକୁ ଆସିଛି। ମୂଳ ବୁଝାମଣାରେ ସ୍ବୀକୃତି ପ୍ରଦାନ କରି ସେସୁ ଭଳି ଏକ ଲାଭଦାୟକ ସଂସ୍ଥାକୁ ପ୍ରଥମେ ହାତେଇ ନେବା ଥିଲା ଟାଟା ପାୱାରର ଲକ୍ଷ୍ୟ। ସେଥିରେ ସହଜରେ ସଫଳତା ପ୍ରାପ୍ତ ହେଲା ପରେ ଏବେ ବିଭିନ୍ନ ଆଳ ଦେଖାଇ ନିଜର ଲାଭାଂଶ ବୃଦ୍ଧି ପାଇଁ ଚେଷ୍ଟା ଆରମ୍ଭ କରିଦେଲାଣି। ସେଥିପାଇଁ ଓଇଆର୍‌ସି ପାଖରେ ଟାଟା ଏବେ ଆବେଦନକାରୀ ପାଲଟିଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କର ଗ୍ରୀଡ୍‌କୋ ଏବଂ ଓଡ଼ିଶା ପାଓ୍ବାର୍‌ ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌) ଦୁଇଟି ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା। ଏହି ଦୁଇ ସଂସ୍ଥା ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍‌ ବିକ୍ରି କରିଥାଆନ୍ତି। ୨୦୨୦ ଜୁନ୍‌ ପହିଲା ସୁଦ୍ଧା ଗ୍ରିଡ୍‌କୋର ସେସୁ ଉପରେ ବିଦ୍ୟୁତ୍‌ ବକେୟା ବାବଦରେ ୨ ହଜାର କୋଟି ଟଙ୍କା ଥିବା ବେଳେ ଓପିଟିସିଏଲ୍‌ର ୧୧ କୋଟି ଟଙ୍କା ବାକି ପଡିଛି। ଏ ବିଷୟରେ ଟାଟା କରିଥିବା ଚୁକ୍ତିରେ କିଛି ଉଲ୍ଲେଖ କରାଯାଇ ନାହିଁ। ଏହି ଦୁଇ ସରକାରୀ ସଂସ୍ଥା ନିଜର ବକେୟା ବାବଦରେ ଓଇଆର୍‌ସି ନିକଟରେ ଆବେଦନ କରିଛନ୍ତି।
ଟାଟା ପାଓ୍ବାର ସହିତ ରାଜ୍ୟ ସରକାର ସେସୁ ହସ୍ତାନ୍ତରକୁ ନେଇ ମୂଳ ଚୁକ୍ତିରେ ଏହି ୨ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ବକେୟା ସମ୍ପର୍କରେ କୌଣସି ଉଲ୍ଲେଖ ରହି ନ ଥିବା କଥା ଜଣାପଡିଛି। ଏହାର ଅର୍ଥ ହେଲା ସେସୁ ବହନ କରି ଆସୁଥିବା ଆର୍ଥିକ ବୋଝ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନ ଥିବା ହେତୁ ତାହାକୁ ଟାଟା ପାଓ୍ବାର ବହନ କରିବ କି ନାହିଁ ଏବେ ସନ୍ଦେହ ଘେରକୁ ଆସିଯାଇଛି। ସେଥିପାଇଁ ଉଭୟ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ ମଧ୍ୟ ଓଇଆର୍‌ସିଙ୍କ ଦ୍ୱାରସ୍ଥ ହୋଇ ଟାଟାଠାରୁ ନିଜର ବକେୟା ମାଗିବାକୁ ଆବେଦନ କରିଛନ୍ତି। ଓଇଆର୍‌ସି ଯଦି ରାଜ୍ୟ ସରକାରଙ୍କ ଏହି ୨ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାର ଆବେଦନକୁ ଏଠାରେ ବିଚାରକୁ ନ ନିଅନ୍ତି ତେବେ ସେହି କ୍ଷତି ରାଜ୍ୟ ସରକାରଙ୍କ ଉପରେ ଲଦି ଦିଆଯିବାର ସବୁ ସମ୍ଭାବନା ରହିଛି। ଏଥିସହିତ ଉଭୟ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ ବକେୟା ଅର୍ଥ ନ ପାଇ ଆର୍ଥିକ ଦୃଷ୍ଟିରୁ ରୁଗ୍‌ଣ ହୋଇଯିବା ଅବଶ୍ୟମ୍ଭାବୀ। ସେତେବେଳେ ସମ୍ଭବତଃ ଏହି ଦୁଇ କମ୍ପାନୀକୁ କିଣିବା ପାଇଁ, ବ୍ୟବସ୍ଥା ଭିତରେ ପ୍ରବେଶ କରିସାରିଥିବା ଟାଟା ପାଓ୍ବାର ସବୁଠାରୁ ଯୋଗ୍ୟ ଦାବିଦାର ହୋଇଯିବ।
ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଗତ ୧୦ ବର୍ଷ ମଧ୍ୟରେ କେବଳ ସେସୁ ଅଞ୍ଚଳର ଭିତ୍ତିିଭୂମି ବିକାଶ କରିବା ପାଇଁ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା, ଦିନ୍‌ ଦୟାଲ ଗ୍ରାମ ଜ୍ୟୋତି ଯୋଜନା, ସୌଭାଗ୍ୟ ଯୋଜନା, ରିଷ୍ଟ୍ରକ୍ଚରଡ୍‌ ଆକ୍ସିଲରେଟେଡ ପାୱାର ଡେଭଲପମେଣ୍ଟ ଆଣ୍ଡ ରିଫର୍ମସ ପ୍ରୋଗ୍ରାମ (ଆର୍‌ଏପିଡିଆର୍‌ପି), ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ଷ୍ଟ୍ରେଙ୍ଗଦେନିଂ ପ୍ରୋଜେକ୍ଟ( ଓଡିଏସ୍‌ଏସ୍‌ପି) ଏବଂ ବିଜୁ ଗ୍ରାମ ଜ୍ୟୋତି (ବିଜିଜେୱାଇ) ଭଳି ଯୋଜନାରେ ୫୫୫୨.୬୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତିି। ତେବେ ଏହାକୁ ଅଣଦେଖା କରି ସେସୁ ସମ୍ପତ୍ତିକୁ ମାତ୍ର ୩୫୦ କୋଟି ଟଙ୍କାରେ ଆକଳନ କରି ଟାଟା ପାୱାର ସହ ବୁଝାମଣା କରାଯାଇଛି। ସେସୁକୁ ହାତେଇବା ପରେ ଏହାର ନାମ ବଦଳାଇ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ(ଟିପିସିଓଡିଏଲ)ରଖାଯାଇଛି। ଟାଟା ପାୱାରକୁ ସେସୁ ହସ୍ତାନ୍ତର କରିବା ପୂର୍ବରୁ ଓଇଆର୍‌ସି ଜନ ଶୁଣାଣି ପାଇଁ ୭ ଦିନିଆ ନୋଟିସ କରିବା ସହ ସେସୁ ଉପରେ ବିଦ୍ୟୁତ୍‌ ବକେୟା ଥିବା ସଂସ୍ଥାଗୁଡ଼ିକର ମତାମତ ଲୋଡାଯିବାକୁ ଓଇଆର୍‌ସି ନିୟମରେ ବ୍ୟବସ୍ଥା ରହିଛି। ମାତ୍ର ଏସବୁକୁ ଏଡ଼େଇ ଚତୁରତାର ସହ ଟାଟା ପାଓ୍ବାରକୁ ସେସୁର ମାଲିକାନା ହସ୍ତାନ୍ତର କରାଯାଇଛି। ବୁଝାମଣା ଅନୁଯାୟୀ ସେସୁରେ ଥିବା ୪,୯୧୭ ଜଣ ସ୍ଥାୟୀ କର୍ମଚାରୀ ଏବଂ ୪୩୫ ଠିକା କର୍ମଚାରୀଙ୍କୁ ନିଜ ଅଧୀନରେ ରଖିବ। ସେମାନଙ୍କର ଚାକିରି ସର୍ତ୍ତାବଳୀ ସହ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବ। ଏହାଛଡ଼ା ୨୦୨୫ ସୁଦ୍ଧା ବିଦ୍ୟୁତ୍‌ ବୈଷୟିକ ଓ ବାଣିଜି୍ୟକ(ଏଟି ଆଣ୍ଡ ସି) କ୍ଷତିକୁ ୩୨.୫୭ ପ୍ରତିଶତରୁ ୨୦.୫୭ ପ୍ରତିଶତକୁ ହ୍ରାସ କରିବ। ଏହି ସମୟ ସୁଦ୍ଧା ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶ ପାଇଁ ୧,୫୪୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଛି। ହେଲେ ଏବେ ଟିପିସିଏଲ୍‌ ସେସୁ କର୍ମଚାରୀଙ୍କର ଚାକିରି ସର୍ତ୍ତାବଳୀ, ଏଟି ଆଣ୍ଡ ସି କ୍ଷତି ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାକୁ ରାଜି ହେଉ ନାହିଁ। ଚୁକ୍ତିରେ ଥିବା ଏହି ବିଷୟଗୁଡ଼ିକୁ ସଂଶୋଧନ କରିବାକୁ ଟାଟା କମ୍ପାନୀ ଭିତିରିଆ ଓଇଆର୍‌ସିଙ୍କ ନିକଟରେ ଏକ ରିଭ୍ୟୁ ପିଟିଶନ ଦାଖଲ କରିଛି। ଟିକସଦାତାଙ୍କ ଅର୍ଥରେ ଗଢି ଉଠିଥିବା ବହୁ କୋଟି ଟଙ୍କାର ଏହି ବିଦ୍ୟୁତ୍‌ ସମ୍ପତ୍ତିିକୁ ଅଳ୍ପ କେତେକୋଟି ଟଙ୍କାରେ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହୋଇଛି।
ଏବେ ରାଜ୍ୟବାସୀ ଓଇଆର୍‌ସିଙ୍କ ଭୂମିକା ଓ କାର୍ଯ୍ୟକଳାପକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଗୋଟିଏ ପଟରେ ଓଇଆର୍‌ସିଙ୍କ ପାଖରେ ଟାଟା ପାଓ୍ବାର ହାତରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଟେକି ଦେବାର ସୁଯୋଗ ରହିଛି। ଅନ୍ୟ ପଟରେ ନିଜର କ୍ଷମତା ପ୍ରଦର୍ଶନ କରି ରାଜ୍ୟର ବିଦ୍ୟୁତ୍‌ କ୍ଷେତ୍ର ଓ ରାଜ୍ୟର ଅନେକ କୋଟି ବିଦ୍ୟୁତ୍‌ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷାକାରୀ ଆଖ୍ୟା ଅର୍ଜନ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri