ଦାଦନ ବନ୍ଦ ହେବ କେବେ

ଗୋଟିଏ ରାଷ୍ଟ୍ର ହେଉ ଅବା ରାଜ୍ୟ ତା’ର ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଭିନ୍ନ କ୍ଷେତ୍ରରେ ଉତ୍ପାଦ ବୃଦ୍ଧିକରି ଆତ୍ମନିର୍ଭରଶୀଳ ହେବାକୁ ହେବ ଏବଂ ବଳକା ଉତ୍ପାଦକୁ ରପ୍ତାନି କରି ଆୟ ବୃଦ୍ଧି କରିବାକୁ ହେବ। ରପ୍ତାନି ମଧ୍ୟରେ ଯଦି ଆମେ ଆମର ମାନବ ସମ୍ବଳକୁ ଉପଯୋଗ ନ କରି ବିଦେଶକୁ ହେଉ ଅବା ଅନ୍ୟ ରାଜ୍ୟକୁ ରପ୍ତାନି କରିବା ତେବେ ବିଦେଶ ବା ଅନ୍ୟ ରାଜ୍ୟ ଆମ ମାନବ ସମ୍ବଳକୁ ଉପଯୋଗ କରି ଯେତେ ଉପକୃତ ହେବେ ଆମେ ସେତିକି ହେବା ନାହିଁ। ଆମ ମାନବ ସମ୍ବଳ ପାଉଥିବା ମଜୁରି ଅବା ବେତନର କିଛି ଭାଗ ଘରକୁ ପଠାନ୍ତି; ଯାହା ନାମକୁ ମାତ୍ର, ସେମାନେ ଉତ୍ପାଦନ କରୁଥିବା ଉତ୍ପାଦର ମୁଖ୍ୟ ତୁଳନାରେ। ସୁତରାଂ ଏକ ରାଜ୍ୟ ଯଦି ବିକଶିତ ହେବ ତା’ର ମାନବ ସମ୍ବଳକୁ ନିୟୋଜିତ କରି ବିଭିନ୍ନ ଦ୍ରବ୍ୟ ଓ ସେବା ଉତ୍ପାଦନ କରି ନିଜର ଆଭ୍ୟନ୍ତରୀଣ ଆବଶ୍ୟକତା ମେଣ୍ଟାଇ ବଳକାକୁ ରପ୍ତାନି କରିବାକୁ ହେବ। ଏହାଦ୍ବାରା ମଧ୍ୟ ବେକାରି ଦୂର ହେବ। ପ୍ରତ୍ୟେକ ପରିବାର ଆତ୍ମନିର୍ଭରଶୀଳ ହୋଇପାରିବ। ଦାରିଦ୍ର୍ୟ ହଟିବ।
ନିକଟରେ ଏକ ଖବର ପ୍ରକାଶ ପାଇଛି ଯେ, ଧାନକଟା ପରେ ପରେ କାମଧନ୍ଦା ନ ପାଇ ନୂଆପଡ଼ା ଜିଲାରୁ ବାହାର ରାଜ୍ୟକୁ ଦାଦନର ସୁଅ ଛୁଟିଲାଣି। କୁଆଡ଼େ ପ୍ରତିବର୍ଷ ଯେଉଁ ବାପ ମା’ ଉଭୟେ ଦାଦନ ଖଟିବାକୁ ଯାଆନ୍ତି ଆଉ ତାଙ୍କ ଘରେ ଥିବା ୬ରୁ ୧୪ ବର୍ଷର ପାଠ ପଢୁଆ ପିଲା ଥାଆନ୍ତି । ଏହି ପିଲାମାନଙ୍କୁ ଦେଖାଶୁଣା କରିବାକୁ ଘରେ ଆଉ କେହି ନ ଥାନ୍ତି, ତେବେ ସେହି ପିଲାଙ୍କ ପାଠ ପଢ଼ିବା ପାଇଁ ସରକାର ରହିବା ଖାଇବା ଲାଗି ବ୍ୟବସ୍ଥା କରିଥାନ୍ତି ଛ’ମାସ ନିମନ୍ତେ। ଏବର୍ଷ ନୂଆପଡ଼ା ଜିଲାରେ ୬୨ ପାଠପଢ଼ା କେନ୍ଦ୍ରରୁ ମାତ୍ର ଦୁଇଟି ଖୋଲି ଥିବାରୁ ଦାଦନ ଖଟିବାକୁ ଯାଇଥିବା ବାପାମା’ ୧୦ ହଜାର ପିଲାଙ୍କୁ ସାଙ୍ଗରେ ନେଇ ସେମାନଙ୍କର ପାଠ ପଢ଼ାରେ ଡୋରି ବାନ୍ଧି ରାଜ୍ୟ ବାହାରକୁ ଚାଲି ଗଲେଣି। ନୂଆପଡ଼ା ସମେତ ପଡ଼ୋଶୀ ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁବର୍ଣ୍ଣପୁର ଜିଲାର ଅବସ୍ଥା ତଦ୍ରୂପ। ନୂଆପଡ଼ା ଜିଲାର ମୋଟ ୭ ଲକ୍ଷ ଲୋକଙ୍କ ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୨ଲକ୍ଷ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲି ଯାଆନ୍ତି। ତୁଳନାତ୍ମକ ଭାବେ ନୂଆପଡ଼ା ଜିଲା ଗୋଟିଏ ଛୋଟ ଜିଲାରୁ ଯଦି ୨ ଲକ୍ଷ ଯାଆନ୍ତି ତେବେ ସାରା ଓଡ଼ିଶାରୁ ଅନୂ୍ୟନ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦାଦନ ଖଟିବାକୁ ଯାଆନ୍ତି। ସେମାନେ କିପରି ହଇରାଣ ହରକତ ହୁଅନ୍ତି ଏବଂ ନାମକୁ ମାତ୍ର ମଣିଷ ରୂପେ ପ୍ରବାସରେ ରହନ୍ତି ତାହା ସମସ୍ତଙ୍କୁ ଜଣା। ଏହି ଦାଦନ ଶ୍ରମିକ କୋଭିଡ୍‌ ମହାମାରୀ ସମୟରେ କି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ତାହା ଜଣା।
ଏବେ ଦିନେ ଓଡ଼ିଶା ଇତିହାସ ପୃଷ୍ଠା ଲେଉଟାଇଲା ବେଳେ ୧୯୪୬ରୁ ୧୯୫୦ ମଧ୍ୟରେ ପ୍ରଥମ ସାଧାରଣ ନିର୍ବାଚନ ପୂର୍ବରୁ ଡ. ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତିକାଳୀନ ସରକାର ଗଢ଼ା ହୋଇଥିବା ଜାଣିବାକୁ ମିଳିଲା। ସେହି ସରକାର ସାଧୀନୋତ୍ତର ଓଡ଼ିଶାର ବିକାଶ କିପରି ହୋଇ ଦାରିଦ୍ର୍ୟ ଓ ବେକାରି ହଟିବ ତା’ର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିଥିଲେ। କୃଷିର ବିକାଶ ପାଇଁ ହୀରାକୁଦ ନଦୀ ବନ୍ଧ ଯୋଜନା, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କେନ୍ଦ୍ରୀୟ ମଧୁର ମାଛ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏହା ସହିତ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରି ବେକାରଙ୍କୁ କାମ ଯୋଗାଇଦେବା ପାଇଁ ସ୍ଥାପନ ହୋଇଥିଲା ଓଡ଼ିଶା ଟେକ୍ସଟାଇଲ ମିଲ, କଳିଙ୍ଗ ୍ଯଯୁବ୍ସ, ରାଜଗାଙ୍ଗପୁର, ବେଲପାହାଡ଼ରେ ରିଫ୍ରାକ୍ଟୋରିଜ, କଳିଙ୍ଗ ଆଇରନ ୱର୍କସ, ହୀରାକୁଦ ଆଲୁମିନିୟମ ପ୍ଲାଣ୍ଟ ଆଦି ଅନେକ ଛୋଟ ବଡ଼ ଶିଳ୍ପ। ଖଣିଜ ସମ୍ପଦର ସଦୁପଯୋଗରେ ଶିଳ୍ପ ବିସ୍ତାର ପାଇଁ ସ୍ଥାପନ ହେଲା ଓଡ଼ିଶା ମାଇନିଂ କର୍ପୋରେଶନ ଇତ୍ୟାଦି। ସେତେବେଳେ ଓଡ଼ିଶାରେ ଶିଳ୍ପ ନ ଥିବାରୁ ଓଡ଼ିଶା ଲୋକେ କାମ ଧନ୍ଦା ନ ପାଇ ଆସାମ ଚା ବଗିଚାରେ ଶ୍ରମିକ ଭାବେ, କୋଲକାତାର ଚଟକଳରେ ଶ୍ରମିକ ଭାବେ, କୋଲକାତାର ବଡ଼ବଜାରରେ ମୋଟିଆ ଭାବେ, ବଡ଼ବଡ଼ ମଠରେ କୃଷି ଶ୍ରମିକ ଭାବେ, ବଙ୍ଗାଳୀ ବାବୁଙ୍କ ଘରେ ଠାକୁର ନାମରେ ରୋସେଇ କରି ପେଟ ପୋଷୁଥିଲେ। ସେତେବେଳେ ଏମାନଙ୍କୁ ସବୁ ଓଡ଼ିଆ କୁଲି କହୁଥିଲେ। ମହତାବଙ୍କୁ ଏହା ବାଧିଥିଲା। ସୀମିତ ରାଜସ୍ବ ମଧ୍ୟରେ ଓଡ଼ିଶାରେ ଶିଳ୍ପ ବିକାଶ କରି ନିଯୁକ୍ତି ସୁବିଧା ସୃଷ୍ଟି ହୋଇ ସେହି କାଳିମାକୁ ସାଧୀନୋତ୍ତର ଓଡ଼ିଶାରେ ଲିଭାଇବାକୁ କିପରି ହେବ ତା’ର ମୂଳଦୁଆ ପକାଇଥିଲେ। କିନ୍ତୁ ଦେଶ ସ୍ବାଧୀନ ହେବାର ପଞ୍ଚସ୍ତରି ବର୍ଷ ବିତିଗଲା ଓଡ଼ିଶାର ଦାରିଦ୍ର୍ୟ କାଳିମା ଲିଭିଲା ନାହିଁ।
ଏକ ଗଣତାନ୍ତ୍ରିକ ସରକାରର ପ୍ରଥମ କର୍ତ୍ତବ୍ୟ ହେଲା ଲୋକଙ୍କୁ ଖାଦ୍ୟରେ ଆତ୍ମନିର୍ଭରଶୀଳ କରିବା ଓ ଲୋକଙ୍କୁ କାମ ଯୋଗାଇବା । ଚାଉଳ ବ୍ୟତୀତ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ ଆମେ ପର ରାଜ୍ୟ ଉପରେ ନିର୍ଭର କରୁଛୁ। ଆମର ସମ୍ବଳ ଓ ସୁଯୋଗ ଥିଲେ ମଧ୍ୟ ଆମେ ନିଜ ରାଜ୍ୟରେ ଆମ ଲୋକଙ୍କୁ କାମ ଯୋଗାଇବା ପାଇଁ ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ସେବା କ୍ଷେତ୍ରରେ ବିକାଶ ନ କରି ଆମ ଲୋକଙ୍କୁ ପର ରାଜ୍ୟକୁ ଦାଦନ କରି ପଠାଉଛୁ। ଆଶା କରାଯାଉଥିଲା କୋଭିଡ୍‌ ପରେ ସାରା ରାଜ୍ୟରେ କେଉଁ କେଉଁ ଗାଁରୁ କେତେ ଜଣ କି କାମ କରିବାକୁ କେଉଁ କେଉଁ ରାଜ୍ୟକୁ ଯାଉଛନ୍ତି ତା’ର ସର୍ଭେ କରି ଏକ ରିପୋର୍ଟ ପ୍ରସ୍ତୁତ ହେବ। ସେହି ରିପୋର୍ଟକୁ ଆଧାର କରି ଅନ୍ତତଃ ତିନି ବର୍ଷ ମଧ୍ୟରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ଶିଳ୍ପ, ବାଣିଜ୍ୟ ସେବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବେ। ବାହାରେ କାମ କରୁଥିବା ଦାଦନମାନେ ପର୍ଯ୍ୟାୟକ୍ରମେ ଫେରିଆସି ନିଜ ଘରେ ରହି ଅବା ଘର ପାଖରେ ରହି ନିଯୁକ୍ତି ପାଇବେ। ନିଜ ବୃଦ୍ଧ ବାପମା’ଙ୍କ ସେବା କରିବେ ଓ ପିଲାମାନଙ୍କର ପାଠପଢ଼ାର ଯତ୍ନ ନେବେ। କିନ୍ତୁ କାହିଁ ସେ ବିଷୟରେ ଚିନ୍ତା ଭାବନା ନାହିଁ। ଦାଦନ ସମସ୍ୟା କିପରି ଦିନକୁ ଦିନ ଗୁରୁତର ହେବାକୁ ଯାଉଛି ଏବେ ନୂଆପଡ଼ା ଜିଲାର ଦାଦନ ସମସ୍ୟା ସମ୍ବନ୍ଧରେ ପ୍ରକାଶ ପାଇଥିବା ଖବର ତା’ର ସୂଚନା ଦିଏ। ବଡ଼ ଦୁଃଖ ଓ ପରିତାପର ବିଷୟ ହେଉଛି, ଦାଦନ ସମସ୍ୟା ଏକ ଗୁରୁତର ଅର୍ଥନୈତିକ ଓ ସାମାଜିକ ସମସ୍ୟା ହୋଇଥିଲେ ବି ସେଥି ପ୍ରତି ସମୁଚିତ ଦୃଷ୍ଟି ଦିଆଯାଉନାହିଁ ଏବଂ ତାହାଠାରୁ କୌଣସି ଗୁଣରେ କମ୍‌ ଦୁଃଖର କଥା ନୁହେଁ ବିରୋଧୀ ଦଳମାନେ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଶ୍ରମିକ ସଙ୍ଗଠନମାନେ ଏବଂ ବୁଦ୍ଧିଜୀବୀ ଗୋଷ୍ଠୀ ଯେଉଁ ଢଙ୍ଗରେ ଏହି ପ୍ରସଙ୍ଗଟିକୁ ଉତ୍ଥାପନ କରିବା କଥା ତାହା କରି ନାହାନ୍ତି।
ଆଜି ଓଡ଼ିଶା ଖଣିଖାଦାନର ଭରପୂର ହୋଇ ମଧ୍ୟ ଆମ ଓଡ଼ିଆ ଯୁବ ସମାଜ ରାଜ୍ୟରେ କାମ ନ ପାଇ ଦାଦନ ହୋଇ ଅନ୍ୟ ରାଜ୍ୟରେ ଖଟୁଛି ପେଟ ଚାଖଣ୍ଡକ ପାଇଁ। ଏହାଠାରୁ ବିଡ଼ମ୍ବନା ଆଉ କ’ଣ ଥାଇ ପାରେ। ଯଥାଶୀଘ୍ର ଦାଦନ ସର୍ଭେ କରି ପରରାଜ୍ୟରେ ଦାଦନ ଖଟୁଥିବା ଲୋକଙ୍କୁ ଫେରାଇ ଆଣି ଏଠି ନିଯୁକ୍ତି ବ୍ୟବସ୍ଥା କରାଯିବା ଦରକାର। ଓଡ଼ିଶା ଅର୍ଥନୀତିକୁ ସମୃଦ୍ଧ କରି ଓଡ଼ିଆଙ୍କୁ ଆତ୍ମନିର୍ଭରଶୀଳ କରି ଓଡ଼ିଆଜାତିର ଅସ୍ମିତା ଫେରାଇ ଆଣିବା ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞମାନେ ମୁହଁ ଖୋଲନ୍ତୁ। ଦାଦନ ରପ୍ତାନି କରି କୌଣସି ରାଜ୍ୟ ଏକ ବିକଶିତ ରାଜ୍ୟ ହୋଇପାରିବ ନାହିଁ।

  • ନଟବର ଖୁଣ୍ଟିଆ
    ଏ/୫୦୨, ମୋତି ବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ,
    ସୂର୍ଯ୍ୟନଗର, ଭୁବନେଶ୍ବର
    ମୋ: ୯୯୩୭୯୫୧୨୬୨

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri