ହେଲା ଦଶହରା ଛୁଟି ବେଳ, ଗ୍ରାମବାସୀ ଗାଁ ରାସ୍ତା କଲେ ସମତୁଲ

ଆର୍‌. ଉଦୟଗିରି,୪।୧୦(ଡି.ଏନ୍‌.ଏ.): ଦଶହରାରେ ଗ୍ରାମବାସୀ ମିଶି ଗାଁ ରାସ୍ତା ମରାମତି କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଖ୍ରୀଷ୍ଟପୁର ମୁଖ୍ୟ ରାସ୍ତାରେ। ମୁଖ୍ୟ ରାସ୍ତାରୁ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ଏନେଇ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନ ଶୁଣିବାରୁ ଦଶହରା ଛୁଟି ସମୟରେ ଗାଁ ରାସ୍ତାକୁ ମରାମତି କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି। ସ୍କୁଲ କଲେଜ ଛାତ୍ରୀଛାତ୍ର ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି।
ସୂଚନାଯୋଗ୍ୟ, ଗାଁକୁ ଭଲ ରାସ୍ତା ନ ଥିବାରୁ ବର୍ଷାଦିନରେ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏ ନେଇ ବହୁବାର ଗ୍ରାମବାସୀ ପ୍ରଶାସନ ସମେତ ଜନ ପ୍ରତିନିଧିମାନଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁ ନ ଥିଲା। ଶେଷରେ ଗାଁରେ ପଲ୍ଲିସଭା କରି ଦଶହରା ଛୁଟି ସମୟରେ ନିଜ ଗାଁ ରାସ୍ତାକୁ ନିଜେ ନିର୍ମାଣ କରିବାକୁ ଗ୍ରାମବାସୀ ଅଣ୍ଟା ଭିଡ଼ିଥିଲେ। ପ୍ରଶାସନ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିଦେବାକୁ ଛାତ୍ରୀଛାତ୍ର ଅନୁରୋଧ କରିଛନ୍ତି ।