Categories: ଖେଳ

ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ ଯୋଗୁ ତାଙ୍କୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଆସନ୍ତା ୧୬ ତାରିଖ ମଧ୍ୟରେ ଭିନେଶଙ୍କୁ ନିଜ ପକ୍ଷ ରଖିବାକୁ ପଡ଼ିବ।

ଟୋକିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବା ଭିନେଶ ହଙ୍ଗେରୀରୁ ପହଞ୍ଚିଥିଲେ ଟୋକିଓରେ। ସେ ଅଲିମ୍ପିକ୍ସ ଗାଁରେ ଅନ୍ୟ ଭାରତୀୟ ଦଳର ସଦସ୍ୟଙ୍କ ରହିବାକୁ ଓ ଟ୍ରେନିଂ କରିବାକୁ ମନା କରି ଦେଇଥିଲେ। ଏହାବାଦ୍‌ ମ୍ୟାଚ୍‌ ବେଳେ ଭାରତୀୟ ଦଳର ଅଫିସିଆଲ ସ୍ପନସର୍ସଙ୍କ ନାମକୁ ସ୍ଥାନ ଦେଇ ନ ଥିଲେ ଜର୍ସିରେ।

ବିଶୃଙ୍ଖଳା କାରଣରୁ ଭିନେଶଙ୍କୁ ସାମୟିକ ଭାବେ ସସ୍‌ପେଣ୍ଡ କରାଯାଇଛି। ଏଣୁ ସେ କୌଣସି ପ୍ରକାର କୁସ୍ତି କାର୍ଯ୍ୟକ୍ରମରେ ସେ ସାମିଲ ହୋଇପାରିବେ ନାହିଁ। ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତା’ର ଉତ୍ତର ଓ ଡବ୍ଲ୍ୟୁଏଫ୍‌ଆଇର ଅନ୍ତିମ ନିଷ୍ପତ୍ତି ନ ଆସିଲା ପର୍ଯ୍ୟନ୍ତ ସେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲି ଡବ୍ଲ୍ୟୁଏଫ୍‌ଆଇ ସୂତ୍ରରୁ କୁହାଯାଇଛି।

ଭାରତୀୟ ଆଥ୍‌ଲେଟଙ୍କ ସହ ଟୋକିଓ ଗସ୍ତ କରିଥିବା ଅଧିକାରୀଙ୍କ ଅନୁଯାୟୀ, ଭାରତର ଅନ୍ୟ ରେସଲରଙ୍କ ରୁମ୍‌ ପାଖରେ ଭିନେଶଙ୍କୁ ରୁମ୍‌ ମିଳିଥିଲା। କିନ୍ତୁ ସୋନମ, ଅଂଶୁ ମଲିକ ଓ ସିମା ବିସଲା ସିଧାସଳଖ ଭାରତରୁ ଟୋକିଓ ଆସିଥିବାରୁ ସେମାନେ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଦର୍ଶାଇ ଅଲିମ୍ପିକ୍ସ ଗାଁରେ ହଙ୍ଗାମା କରିଥିଲେ ଭିନେଶ। ଏପରି କି ଅନ୍ୟ ଖେଳାଳିଙ୍କ ସହ ଗୋଟିଏ ଏରିନାରେ ଅଭ୍ୟାସ କରିବାକୁ ମଧ୍ୟ ମନା କରିଥିଲେ। ଏହା ଗ୍ରହଣୀୟ ନୁହେଁ। ଜଣେ ସିନିୟର ରେସଲର ଏଭଳି ଆଚରଣ କରିବା ଉଚିତ ନୁହେଁ।

Share