କୋଲ୍କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ୩୫ ରନ୍ରେ ସ୍କଟ୍ଲାଣ୍ଡକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ୍ ଆସନ୍ତା ୧୧ ତାରିଖରେ ତା’ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡକୁ ଭେଟିବ।
ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୨ ରନ୍ କରିଥିଲା। ଦଳ ପାଇଁ ସିମରନ ହେଟମେୟର ୩୬ ବଲରେ ୬୪(୨ ଚୌକା ଓ ୬ ଛକା) ଓ ବ୍ରାଣ୍ଡନ କିଙ୍ଗ୍ ୩୫ (୪ ଚୌକା ଓ ୧ ଛକା) ରନ୍ କରିଥିଲେ।
ଜବାବରେ ସ୍କଟ୍ଲାଣ୍ଡ ପାଓ୍ବାର ପ୍ଲେ ମଧ୍ୟରେ ଟପ୍ ୩ ବ୍ୟାଟରଙ୍କୁ ହରାଇଥିଲା। ଅଧିନାୟକ ରିଚି ବେରିଙ୍ଗଟନ ୪୨ (୩ ଚୌକା ଓ ୨ ଛକା) ଓ ଟମ୍ ବ୍ରୁସ୍ ୩୫(୧ ଚୌକା ଓ ୨ ଛକା) ଚତୁର୍ଥ ଉଇକେଟରେ ୭୮ ରନ୍ ଯୋଡ଼ି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ।
ହେଲେ ୧୭ତମ ଓଭରରେ ଶେଫର୍ଡ ହ୍ୟାଟ୍ରିକ ସହିତ ୪ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜ୍ର ବିଜୟ ନିଶ୍ଚିତ କରିଥିଲେ। ଫଳରେ ସ୍କଟ୍ଲାଣ୍ଡ ୧୮.୫ ଓଭରରେ ୧୪୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଶେଫର୍ଡ ୫ ଓ ଜାସନ ହୋଲ୍ଡର ୩ ଉଇକେଟ ନେଇଥିଲେ।

