କୂପ ମଣ୍ଡୁକ

ଡ. ସୀତାକାନ୍ତ ତ୍ରିପାଠୀ

 

 

ମହାମନୀଷୀମାନେ ଦ୍ୱିଅର୍ଥବୋଧକ ଭାବେ ସଂସାରକୁ କୂଅ ସହ ତୁଳନା କରିଛନ୍ତି। ପ୍ରଥମ ଅର୍ଥରେ କିଛି ଲୋକ କୂଅରେ ବାସ କରୁଥିବା ବେଙ୍ଗ ପରି ନିଜର ଚିନ୍ତା, ଚେତନାକୁ ସଙ୍କୁଚିତ କରି ବଞ୍ଚତ୍ଥାଆନ୍ତି।
ସେମାନଙ୍କ ପାଇଁ ସାରା ବିଶ୍ୱ ସତେଯେପରି କୂଅ ମଧ୍ୟରେ ସୀମିତ। ସେମାନେ ସହଜରେ କାହାରିକୁ ଗ୍ରହଣ କରିପାରନ୍ତି ନାହିଁ ଏବଂ ସେମାନେ ମଧ୍ୟ କାହା ଦ୍ୱାରା ସହଜରେ ଗ୍ରହଣୀୟ ହୋଇପାରନ୍ତି ନାହିଁ। ତଥାପି ଉକ୍ତ ଲୋକମାନେ ନିଜକୁ ଅନ୍ୟମାନଙ୍କ ଆଗରେ ସର୍ବଶକ୍ତିମାନ୍‌ ତଥା ସର୍ବଜ୍ଞାତା ବୋଲି ପ୍ରମାଣ କରିବାକୁ ଭୁଲନ୍ତି ନାହିଁ। ନିଜର ପିଲାଛୁଆ, ସାହିଭାଇ ଯେତେବେଳେ ବାହାର ଦୁନିଆଁ ସହ ମିଶି ପରିବର୍ତ୍ତିତ, ପରିମାର୍ଜିତ ତଥା ପରିକଳ୍ପିତ ଦୁନିଆଁ ସମ୍ପର୍କରେ ବଖାଣନ୍ତି ସେତେବେଳେ ସେମାନଙ୍କୁ ସବୁକଥା ବିଷ ପିତା ଭଳି ଲାଗିଥାଏ, ଯେଉଁଥିପାଇଁ ସେମାନଙ୍କୁ ”ମା’ ବେଙ୍ଗର ପେଟ ଫାଟିଲା“ କାହାଣୀ ଅନୁସାରେ ଫଳାଫଳ ଭୋଗିବାକୁ ପଡ଼ିଥାଏ। ବେଙ୍ଗ ପିଲାମାନଙ୍କର ମା’ଙ୍କ ଆଗରେ ହାତୀର ରୂପ ବର୍ଣ୍ଣନା ମା’ ବେଙ୍ଗକୁ ଅସହ୍ୟ ହୋଇଛି ଏବଂ ସିଏ ପିଲାମାନଙ୍କ ଆଗରେ ନିଜକୁ ହାତୀଠାରୁ ବଡ଼ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁକରୁ ପ୍ରାଣତ୍ୟାଗ କରିଛି। ଏଥିରୁ ଶିକ୍ଷା ମିଳେ କାହାକୁ ନ ଦେଖି କିମ୍ବା ତାଙ୍କ ସମ୍ପର୍କିତ କୌଣସି ତଥ୍ୟ ସଂଗ୍ରହ ନ କରି ତାଙ୍କୁ ବିରୋଧ କରିବା ମଣିଷକୁ ବିପଥଗାମୀ କରିଥାଏ। କାରଣ ମଣିଷର ଦୁଇ ଆଖି ସିନା କେବଳ ସାମ୍ନାକୁ ଦେଖିପାରେ କିନ୍ତୁ ଆଉ ତିନୋଟି ପାର୍ଶ୍ୱ ତା’ପାଇଁ ଅଦେଖା। ଏହି ଅଦେଖାକୁ ଦେଖିବା ପାଇଁ ସମସ୍ତେ ପ୍ରୟାସ କରିବା ଜରୁରୀ।
ବିଭିନ୍ନ ଶୋଭାଯାତ୍ରା, ବିକ୍ଷୋଭ, ଆନ୍ଦୋଳନ ଆଦିରେ ଅଂଶଗ୍ରହଣ କରୁଥିବା ଲୋକମାନଙ୍କର ଅବସ୍ଥା ମଧ୍ୟ ତଦ୍ରୂପ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଯୋଗଦାନର କାରଣ, ଉଦ୍ଦେଶ୍ୟ ଏବଂ ଫଳାଫଳ ସମ୍ପର୍କରେ ପ୍ରାୟତଃ ଅଜ୍ଞ। ଆଉ କିଛି ଲୋକ ଦେଶର ଭାଗ୍ୟବିଧାତାମାନଙ୍କୁ ନିର୍ବାଚିତ କରିବା ବେଳେ ସବ୍‌ସିଡି, ଭତ୍ତା, ମାଗଣା ଘର ଆଦି ପାଇଗଲେ ସେମାନେ ଖୁସିରେ ମସ୍‌ଗୁଲ ହୋଇଯାଆନ୍ତି, ତେଣିକି ଦେଶର ଅର୍ଥନୀତି ଚୁଲିକୁ ଯାଉ। କାରଣ ସେମାନଙ୍କର ଆଶା, ଆକାଂକ୍ଷା ଓ ସ୍ବପ୍ନଗୁଡ଼ିକ ସେଇ ମାଗଣା ଜିନିଷ ହାତେଇବା ମଧ୍ୟରେ ସୀମିତ କିନ୍ତୁ ସ୍ବାବଲମ୍ବୀ ହେବାର ବୃହତ୍‌ ଇଚ୍ଛାକୁ ପାଥେୟକରି ଚାଲିବା କଷ୍ଟକର। ଯଦି ଆମେ ଭଗବାନ୍‌ଙ୍କର ମତ୍ସ୍ୟାବତାର କଥା ବିଚାର କରିବା ତା’ହେଲେ ଉକ୍ତ ମତ୍ସ୍ୟ ଛୋଟିଆ ପାତ୍ରରୁ ବିଶାଳ ସମୁଦ୍ର ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଛନ୍ତି, ଯାହାଫଳରେ ସିଏ ଶଙ୍ଖାସୁରକୁ ମାରିବାରେ ସଫଳ ହୋଇଥିଲେ। ଠିକ୍‌ ସେହି ନ୍ୟାୟରେ ଆମେ ସମସ୍ତେ ନିଜ ଚିନ୍ତା ଓ ଚେତନାକୁ ସମୟକ୍ରମେ ମୁକ୍ତ ଏବଂ ପ୍ରସାରିତ କରିପାରିଲେ ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସାମର୍ଥ୍ୟ ଲାଭ କରିପାରିବା।
ପୂର୍ବରୁ ଲୋକମାନେ କେବଳ ନିଜ ଅଞ୍ଚଳ, ରାଜ୍ୟ ତଥା ଦେଶ ମଧ୍ୟରେ ସୀମିତ ରହୁଥିଲେ କିନ୍ତୁ ବର୍ତ୍ତମାନ ଜଗତୀକରଣ ଫଳରେ ଆମେ ବାହାର ଦୁନିଆଁ ସହ ମିଶିଲେ, ଜାଣିଲେ ଠିକ୍‌ ସେହିଭଳି ସେମାନେ ମଧ୍ୟ ଆମମାନଙ୍କ ବିଷୟରେ ଜାଣିଲେ। ଏହି ଜାଣିବା ଏବଂ ଜଣାଇବା ମଧ୍ୟରେ ବିଶ୍ୱ ଭ୍ରାତୃତ୍ୱ ବୃଦ୍ଧି ପାଉଛି। ସମୟକ୍ରମେ ଗ୍ଲୋକାଲାଇଜେଶନ କଥା ଉଠିଲାଣି। ଯାହାଫଳରେ ବିଦେଶୀ ସହ ଦେଶୀ ସଂସ୍କୃତି ଓ ବିଚାରଧାରାର ଉନ୍ମେଷ ସାଧନ ହୋଇପାରିବ। ତେଣୁ ଅନ୍ୟମାନଙ୍କୁ ଉଦାର ହୃଦୟରେ ଗ୍ରହଣ କରିବାର ପ୍ରୟାସ ତଥା ଆସକ୍ତିରୁ ମୁକ୍ତି ହିଁ ବ୍ୟକ୍ତିଗତ ତଥା ସାମାଜିକ ଉନ୍ନତିର ଯେ ପରିଚାୟକ ତଥା ଅନ୍ଧକୂପ ମଧ୍ୟରୁ ମୁକ୍ତ ହେବାର ଉତ୍କୃଷ୍ଟ ପନ୍ଥା ଏହା କହିବା ବାହୁଲ୍ୟମାତ୍ର।
ଦ୍ୱିତୀୟ ଦୃଷ୍ଟିକୋଣରୁ ସଂସାରକୁ ମାୟାମୋହରେ ପରିପୂର୍ଣ୍ଣ ଅନ୍ଧକୂପ ଭାବେ ତୁଳନା କରାଯାଇଛି, ଯେଉଁଠାରୁ ମୁକୁଳିବା ଏକ ଦୁରୂହ ବ୍ୟାପାର। ସନ୍ଥ ବିଲ୍ବମଙ୍ଗଳଙ୍କ ଭାଷାରେ, ‘ସଂସାର କୂପେ ପତିତତ୍ୟୋ ଗାଧେ, ମୋହାନ୍ଧ ପୂର୍ଣ୍ଣେ ବିଷୟାଭି ତପ୍ତେ କରାବ ଲମ୍ବଂ ମମଦେହି ବିଷ୍ଣୁ’। ଅର୍ଥାତ୍‌ ସଂସାରରୂପକ କୂଅ ମଧ୍ୟରେ ଲୋଭ, ମୋହ ଏବଂ ବିଷୟାସକ୍ତିରେ ଘାଣ୍ଟିଗୋଳେଇ ହେଉଥିବା ସମୟରେ ଆଧ୍ୟାମତ୍ିକ ଭାବନା ଓ ଚେତନା, ଭକ୍ତି ତଥା ବିଭୁକୃପା ହିଁ ସାହା ଭରସା। ଭାଗବତରେ ବର୍ଣ୍ଣିତ କୃକଳାସ ଚରିତ୍ର ସାଙ୍କେତିକ ଭାବେ ଉକ୍ତ କଥା ପରିପ୍ରକାଶ କରିଥାଏ। କୃକଲାସ ଅଭିଶପ୍ତ ଜୀବନ କଟାଇ ଏକ କୂଅ ମଧ୍ୟରେ ଅବସ୍ଥାନ କରୁଥିଲେ ଏବଂ ତାଙ୍କ ଉପରେ ଶ୍ରୀକୃଷ୍ଣଙ୍କର କୃପାଦୃଷ୍ଟି ପଡ଼ିବାରୁ ସିଏ ମୁକ୍ତିଲାଭ କଲେ।
‘ବନ ଗହନ ଅନ୍ଧ କୂପେ, ଅନେକ
କାଳ ଥାଉ ପାପେ।
ଜନ୍ମ ମରଣ ଦୁଃଖ ସହି, ଏ ଅନ୍ଧ କୂପେ ପଡ଼ିଲଇଁ।
ପାଇଲି ତବ ଦରଶନ, ଭୋ ନାଥ ରଖ ଭଗବାନ୍‌।’
ସେହି ହିସାବରେ ଯେତେବେଳେ ମଣିଷମାନେ କୌଣସି କାରଣରୁ ଅଜ୍ଞାନତା, କାମନା, ବାସନା ତଥା ବିଷୟବିଜଡ଼ିତ ଓ କର୍ମଚ୍ୟୁତ ହୋଇ ବିଭିନ୍ନ ଅକର୍ମ ଏବଂ କୁକର୍ମରେ ମାତିଯାଆନ୍ତି ସେତେବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମହାପୁରୁଷମାନଙ୍କର ଆବିର୍ଭାବ ହୋଇଥାଏ। ଯେଉଁମାନେ ଆଲୋକବର୍ତ୍ତିକା ସଦୃଶ ସଂସାରରୂପକ ଅନ୍ଧକାର କୂଅ ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରିପାରନ୍ତି।
ଭଦ୍ରକ, ମୋ:୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri