କୂପ ମଣ୍ଡୁକ

ଡ. ସୀତାକାନ୍ତ ତ୍ରିପାଠୀ

 

 

ମହାମନୀଷୀମାନେ ଦ୍ୱିଅର୍ଥବୋଧକ ଭାବେ ସଂସାରକୁ କୂଅ ସହ ତୁଳନା କରିଛନ୍ତି। ପ୍ରଥମ ଅର୍ଥରେ କିଛି ଲୋକ କୂଅରେ ବାସ କରୁଥିବା ବେଙ୍ଗ ପରି ନିଜର ଚିନ୍ତା, ଚେତନାକୁ ସଙ୍କୁଚିତ କରି ବଞ୍ଚତ୍ଥାଆନ୍ତି।
ସେମାନଙ୍କ ପାଇଁ ସାରା ବିଶ୍ୱ ସତେଯେପରି କୂଅ ମଧ୍ୟରେ ସୀମିତ। ସେମାନେ ସହଜରେ କାହାରିକୁ ଗ୍ରହଣ କରିପାରନ୍ତି ନାହିଁ ଏବଂ ସେମାନେ ମଧ୍ୟ କାହା ଦ୍ୱାରା ସହଜରେ ଗ୍ରହଣୀୟ ହୋଇପାରନ୍ତି ନାହିଁ। ତଥାପି ଉକ୍ତ ଲୋକମାନେ ନିଜକୁ ଅନ୍ୟମାନଙ୍କ ଆଗରେ ସର୍ବଶକ୍ତିମାନ୍‌ ତଥା ସର୍ବଜ୍ଞାତା ବୋଲି ପ୍ରମାଣ କରିବାକୁ ଭୁଲନ୍ତି ନାହିଁ। ନିଜର ପିଲାଛୁଆ, ସାହିଭାଇ ଯେତେବେଳେ ବାହାର ଦୁନିଆଁ ସହ ମିଶି ପରିବର୍ତ୍ତିତ, ପରିମାର୍ଜିତ ତଥା ପରିକଳ୍ପିତ ଦୁନିଆଁ ସମ୍ପର୍କରେ ବଖାଣନ୍ତି ସେତେବେଳେ ସେମାନଙ୍କୁ ସବୁକଥା ବିଷ ପିତା ଭଳି ଲାଗିଥାଏ, ଯେଉଁଥିପାଇଁ ସେମାନଙ୍କୁ ”ମା’ ବେଙ୍ଗର ପେଟ ଫାଟିଲା“ କାହାଣୀ ଅନୁସାରେ ଫଳାଫଳ ଭୋଗିବାକୁ ପଡ଼ିଥାଏ। ବେଙ୍ଗ ପିଲାମାନଙ୍କର ମା’ଙ୍କ ଆଗରେ ହାତୀର ରୂପ ବର୍ଣ୍ଣନା ମା’ ବେଙ୍ଗକୁ ଅସହ୍ୟ ହୋଇଛି ଏବଂ ସିଏ ପିଲାମାନଙ୍କ ଆଗରେ ନିଜକୁ ହାତୀଠାରୁ ବଡ଼ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁକରୁ ପ୍ରାଣତ୍ୟାଗ କରିଛି। ଏଥିରୁ ଶିକ୍ଷା ମିଳେ କାହାକୁ ନ ଦେଖି କିମ୍ବା ତାଙ୍କ ସମ୍ପର୍କିତ କୌଣସି ତଥ୍ୟ ସଂଗ୍ରହ ନ କରି ତାଙ୍କୁ ବିରୋଧ କରିବା ମଣିଷକୁ ବିପଥଗାମୀ କରିଥାଏ। କାରଣ ମଣିଷର ଦୁଇ ଆଖି ସିନା କେବଳ ସାମ୍ନାକୁ ଦେଖିପାରେ କିନ୍ତୁ ଆଉ ତିନୋଟି ପାର୍ଶ୍ୱ ତା’ପାଇଁ ଅଦେଖା। ଏହି ଅଦେଖାକୁ ଦେଖିବା ପାଇଁ ସମସ୍ତେ ପ୍ରୟାସ କରିବା ଜରୁରୀ।
ବିଭିନ୍ନ ଶୋଭାଯାତ୍ରା, ବିକ୍ଷୋଭ, ଆନ୍ଦୋଳନ ଆଦିରେ ଅଂଶଗ୍ରହଣ କରୁଥିବା ଲୋକମାନଙ୍କର ଅବସ୍ଥା ମଧ୍ୟ ତଦ୍ରୂପ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଯୋଗଦାନର କାରଣ, ଉଦ୍ଦେଶ୍ୟ ଏବଂ ଫଳାଫଳ ସମ୍ପର୍କରେ ପ୍ରାୟତଃ ଅଜ୍ଞ। ଆଉ କିଛି ଲୋକ ଦେଶର ଭାଗ୍ୟବିଧାତାମାନଙ୍କୁ ନିର୍ବାଚିତ କରିବା ବେଳେ ସବ୍‌ସିଡି, ଭତ୍ତା, ମାଗଣା ଘର ଆଦି ପାଇଗଲେ ସେମାନେ ଖୁସିରେ ମସ୍‌ଗୁଲ ହୋଇଯାଆନ୍ତି, ତେଣିକି ଦେଶର ଅର୍ଥନୀତି ଚୁଲିକୁ ଯାଉ। କାରଣ ସେମାନଙ୍କର ଆଶା, ଆକାଂକ୍ଷା ଓ ସ୍ବପ୍ନଗୁଡ଼ିକ ସେଇ ମାଗଣା ଜିନିଷ ହାତେଇବା ମଧ୍ୟରେ ସୀମିତ କିନ୍ତୁ ସ୍ବାବଲମ୍ବୀ ହେବାର ବୃହତ୍‌ ଇଚ୍ଛାକୁ ପାଥେୟକରି ଚାଲିବା କଷ୍ଟକର। ଯଦି ଆମେ ଭଗବାନ୍‌ଙ୍କର ମତ୍ସ୍ୟାବତାର କଥା ବିଚାର କରିବା ତା’ହେଲେ ଉକ୍ତ ମତ୍ସ୍ୟ ଛୋଟିଆ ପାତ୍ରରୁ ବିଶାଳ ସମୁଦ୍ର ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଛନ୍ତି, ଯାହାଫଳରେ ସିଏ ଶଙ୍ଖାସୁରକୁ ମାରିବାରେ ସଫଳ ହୋଇଥିଲେ। ଠିକ୍‌ ସେହି ନ୍ୟାୟରେ ଆମେ ସମସ୍ତେ ନିଜ ଚିନ୍ତା ଓ ଚେତନାକୁ ସମୟକ୍ରମେ ମୁକ୍ତ ଏବଂ ପ୍ରସାରିତ କରିପାରିଲେ ଅସମ୍ଭବକୁ ସମ୍ଭବରେ ପରିଣତ କରିବାର ସାମର୍ଥ୍ୟ ଲାଭ କରିପାରିବା।
ପୂର୍ବରୁ ଲୋକମାନେ କେବଳ ନିଜ ଅଞ୍ଚଳ, ରାଜ୍ୟ ତଥା ଦେଶ ମଧ୍ୟରେ ସୀମିତ ରହୁଥିଲେ କିନ୍ତୁ ବର୍ତ୍ତମାନ ଜଗତୀକରଣ ଫଳରେ ଆମେ ବାହାର ଦୁନିଆଁ ସହ ମିଶିଲେ, ଜାଣିଲେ ଠିକ୍‌ ସେହିଭଳି ସେମାନେ ମଧ୍ୟ ଆମମାନଙ୍କ ବିଷୟରେ ଜାଣିଲେ। ଏହି ଜାଣିବା ଏବଂ ଜଣାଇବା ମଧ୍ୟରେ ବିଶ୍ୱ ଭ୍ରାତୃତ୍ୱ ବୃଦ୍ଧି ପାଉଛି। ସମୟକ୍ରମେ ଗ୍ଲୋକାଲାଇଜେଶନ କଥା ଉଠିଲାଣି। ଯାହାଫଳରେ ବିଦେଶୀ ସହ ଦେଶୀ ସଂସ୍କୃତି ଓ ବିଚାରଧାରାର ଉନ୍ମେଷ ସାଧନ ହୋଇପାରିବ। ତେଣୁ ଅନ୍ୟମାନଙ୍କୁ ଉଦାର ହୃଦୟରେ ଗ୍ରହଣ କରିବାର ପ୍ରୟାସ ତଥା ଆସକ୍ତିରୁ ମୁକ୍ତି ହିଁ ବ୍ୟକ୍ତିଗତ ତଥା ସାମାଜିକ ଉନ୍ନତିର ଯେ ପରିଚାୟକ ତଥା ଅନ୍ଧକୂପ ମଧ୍ୟରୁ ମୁକ୍ତ ହେବାର ଉତ୍କୃଷ୍ଟ ପନ୍ଥା ଏହା କହିବା ବାହୁଲ୍ୟମାତ୍ର।
ଦ୍ୱିତୀୟ ଦୃଷ୍ଟିକୋଣରୁ ସଂସାରକୁ ମାୟାମୋହରେ ପରିପୂର୍ଣ୍ଣ ଅନ୍ଧକୂପ ଭାବେ ତୁଳନା କରାଯାଇଛି, ଯେଉଁଠାରୁ ମୁକୁଳିବା ଏକ ଦୁରୂହ ବ୍ୟାପାର। ସନ୍ଥ ବିଲ୍ବମଙ୍ଗଳଙ୍କ ଭାଷାରେ, ‘ସଂସାର କୂପେ ପତିତତ୍ୟୋ ଗାଧେ, ମୋହାନ୍ଧ ପୂର୍ଣ୍ଣେ ବିଷୟାଭି ତପ୍ତେ କରାବ ଲମ୍ବଂ ମମଦେହି ବିଷ୍ଣୁ’। ଅର୍ଥାତ୍‌ ସଂସାରରୂପକ କୂଅ ମଧ୍ୟରେ ଲୋଭ, ମୋହ ଏବଂ ବିଷୟାସକ୍ତିରେ ଘାଣ୍ଟିଗୋଳେଇ ହେଉଥିବା ସମୟରେ ଆଧ୍ୟାମତ୍ିକ ଭାବନା ଓ ଚେତନା, ଭକ୍ତି ତଥା ବିଭୁକୃପା ହିଁ ସାହା ଭରସା। ଭାଗବତରେ ବର୍ଣ୍ଣିତ କୃକଳାସ ଚରିତ୍ର ସାଙ୍କେତିକ ଭାବେ ଉକ୍ତ କଥା ପରିପ୍ରକାଶ କରିଥାଏ। କୃକଲାସ ଅଭିଶପ୍ତ ଜୀବନ କଟାଇ ଏକ କୂଅ ମଧ୍ୟରେ ଅବସ୍ଥାନ କରୁଥିଲେ ଏବଂ ତାଙ୍କ ଉପରେ ଶ୍ରୀକୃଷ୍ଣଙ୍କର କୃପାଦୃଷ୍ଟି ପଡ଼ିବାରୁ ସିଏ ମୁକ୍ତିଲାଭ କଲେ।
‘ବନ ଗହନ ଅନ୍ଧ କୂପେ, ଅନେକ
କାଳ ଥାଉ ପାପେ।
ଜନ୍ମ ମରଣ ଦୁଃଖ ସହି, ଏ ଅନ୍ଧ କୂପେ ପଡ଼ିଲଇଁ।
ପାଇଲି ତବ ଦରଶନ, ଭୋ ନାଥ ରଖ ଭଗବାନ୍‌।’
ସେହି ହିସାବରେ ଯେତେବେଳେ ମଣିଷମାନେ କୌଣସି କାରଣରୁ ଅଜ୍ଞାନତା, କାମନା, ବାସନା ତଥା ବିଷୟବିଜଡ଼ିତ ଓ କର୍ମଚ୍ୟୁତ ହୋଇ ବିଭିନ୍ନ ଅକର୍ମ ଏବଂ କୁକର୍ମରେ ମାତିଯାଆନ୍ତି ସେତେବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମହାପୁରୁଷମାନଙ୍କର ଆବିର୍ଭାବ ହୋଇଥାଏ। ଯେଉଁମାନେ ଆଲୋକବର୍ତ୍ତିକା ସଦୃଶ ସଂସାରରୂପକ ଅନ୍ଧକାର କୂଅ ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରିପାରନ୍ତି।
ଭଦ୍ରକ, ମୋ:୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri