ମହାମହିମଙ୍କୁ ସ୍ବାଗତମ୍‌

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ମାଟିରେ ପାଦ ଦେବାର ଅବ୍ୟବହିତ ପୂର୍ବରୁ ଭାରତବର୍ଷର ଏହି ମହାନ୍‌ ବିଭୂତିଙ୍କୁ ଓଡ଼ିଶାର ଏହି ପବିତ୍ର ମାଟିକୁ ହୃଦୟର ସହ ସ୍ବାଗତ କରୁଛି। ସାଢ଼େ ୪ କୋଟି ଓଡ଼ିଆଙ୍କ ତରଫରୁ ମୋ ବଡ଼ଭଉଣୀଙ୍କୁ ସ୍ବାଗତ କରିବା ସମୟରେ ସାନଭାଇର ହୃଦୟ ମଧ୍ୟ ଖୁସିରେ ଭରିଯାଉଛି।
ଭାରତବର୍ଷର ୧୫ତମ ରାଷ୍ଟ୍ରପତି ଭାବରେ ଜଣେ ଓଡ଼ିଆ ଝିଅ ନିର୍ବାଚିତ ହେବା ନିଶ୍ଚିତ ଭାବରେ ଗର୍ବ ଓ ଗୌରବର ବିଷୟ। ମାତ୍ର ପୂର୍ବ ୧୪ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କର ପରିଚୟ ଟିକେ ନିଆରା ଓ ସ୍ବତନ୍ତ୍ର। ପ୍ରଥମ ଆଦିବାସୀ ମହିଳା ଭାବରେ ଦେଶର ସର୍ବୋଚ୍ଚ ପଦବୀକୁ ଯିବା ଖାଲି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ନ ଥିଲା। ସାରା ଦେଶର ଆଦିବାସୀ ସମାଜ, ମହିଳା, ଗରିବ ଓ ଉପେକ୍ଷିତ ବର୍ଗଙ୍କ ପାଇଁ ଥିଲା ସବୁଠାରୁ ଖୁସିର ଦିନ।
ମୋର ମନେଅଛି, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସାରା ଦେଶରେ ଦେଖାଦେଇଥିଲା ଉତ୍ସବର ମାହୋଲ। ହିମାଳୟରୁ କୁମାରିକା ପର୍ଯ୍ୟନ୍ତ ଆଦିବାସୀ-ଦଳିତ-ଗରିବ ଓ ମେହନତି ମଣିଷ ରାଜରାସ୍ତାକୁ ଓହ୍ଲାଇ ଆସି ଉତ୍ସବ ପାଳନ କରିଥିଲେ। ବୋଧହୁଏ ଅତୀତରେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସାରା ଦେଶରେ ଏପରି ମାହୋଲ ନା କେବେ ହୋଇଥିଲା ନା ଭବିଷ୍ୟତରେ ଏପରି କେବେ ହେବ ମୁଁ ଭାବି ପାରୁନାହିଁ।
ଦ୍ରୌପଦୀ ମୁର୍ମୁ ଖାଲି ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ନୁହନ୍ତି ବରଂ ତାଙ୍କ ପାରିବାରିକ ପୃଷ୍ଠଭୂମି ଏବଂ ସାମାଜିକ ଜୀବନ ସାରା ଭାରତବାସୀଙ୍କ ପାଇଁ ଏକ ଆକର୍ଷଣର ସ୍ଥିତି ତିଆରି କରିଥିଲା।
ରାଇରଙ୍ଗପୁରରୁ-ରାଇସିନା ହିଲ୍‌ ମାନେ ଯିଏ ସମାଜ ଓ ଆର୍ଥିକ ବ୍ୟବସ୍ଥାର ସବୁଠାରୁ ଶେଷ ପାହାଚର ମଣିଷ-ସେ ଦେଶର ସର୍ବୋଚ୍ଚ ପଦବୀକୁ ଯାଇପାରେ। ଏହା ଭାରତର ଗଣତନ୍ତ୍ରର ଶକ୍ତି। ଏକଥା ଖାଲି ଆମ ଦେଶର ସମ୍ବିଧାନର ସମାନତାର ଅଧିକାରର ପୋଥି ବାଇଗଣ ନୁହେଁ ବରଂ ଭାରତ ଭଳି ଦେଶର ଏହା ସତ୍ୟ ଓ ଅଙ୍ଗେନିଭା କଥା ହୋଇପାରେ। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହୋଇ ଏହା ପ୍ରମାଣିତ କରିଛନ୍ତି। ନିିଶ୍ଚିତ ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଭୂମିକା ଥିଲା। ମୋଦିଜୀଙ୍କ ବିଚାରର ଦୁଇଟି ପ୍ରସଙ୍ଗ, ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସମୟରେ ଉଲ୍ଲେଖ କରିବା ସମୀଚୀନ ହେବ। ମୋଦିଜୀ ପୂର୍ବୋଦୟ ପରିକଳ୍ପନାର ଜନକ। ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗ ତୁଳନାରେ ବିକାଶର ମାପଦଣ୍ଡରେ ପଛରେ ଥିବା ପୂର୍ବଭାଗକୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବା ଥିଲା ତାଙ୍କର ଯୋଜନା। ଦେଶର ଗରିବ ଓ ମହିଳାମାନଙ୍କ ଦ୍ରୁତ ବିକାଶ ବିନା ବିକଶିତ ଭାରତର ପରିକଳ୍ପନା ସମ୍ଭବ ନୁହେଁ ବୋଲି ସେ ଥିଲେ ସ୍ପଷ୍ଟ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦିଜୀ ସାରା ଦେଶରେ ତାଙ୍କର ପ୍ରାଥମିକତାକୁ ସଫଳତାର ସହ ହାସଲ କରିବା ପାଇଁ ଏକ ସୁନ୍ଦର ପୃଷ୍ଠଭୂମି ତିଆରି କରିବାରେ ସଫଳ ହୋଇଥିଲେ ଏହା ନିଃସନ୍ଦେହରେ କୁହାଯାଇପାରେ।
ମୋର ମନେଅଛି ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ତାଙ୍କ ପିଲାଦିନର କାହାଣୀ ସାରାଦେଶବାସୀଙ୍କୁ ପ୍ରଭାବିତ କରିଥିଲା। ଛାତ୍ରାବସ୍ଥାରେ ନିଜେ ଦ୍ରୌପଦୀ ମୁର୍ମୁ ଘରେ ରୋଷେଇ ପାଇଁ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ କରି ଘରକୁ ଆଣିବାର କାହାଣୀ ସାରା ଦେଶ ଶୁଣିଥିଲା। ଚୁଲି ଧୂଆଁର କଷ୍ଟ ଶ୍ରୀମତୀ ମୁର୍ମୁଙ୍କର ଅଙ୍ଗେନିଭା କାହାଣୀ।
ମୋର ସୌଭାଗ୍ୟ ୨୦୦୦ ମସିହାରେ ମୁଁ ବିଧାୟକ ଭାବରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ପବିତ୍ର ଗୃହରେ ପ୍ରବେଶ କରିଥିଲି। ଦ୍ରୌପଦୀ ମୁର୍ମୁ ସେତେବେଳେ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ନିଜ ବିଭାଗ କାମକୁ ନିଷ୍ଠା ଓ କଠିନ ପରିଶ୍ରମର ସହ ସଫଳ କରିବାରେ ସେ ଥିଲେ ସିଦ୍ଧହସ୍ତ। ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବେଳେ ସେ ସବୁବେଳେ ଶାନ୍ତ, ସରଳ ଓ ଅତ୍ୟନ୍ତ ଭଦ୍ରାମିର ସହ ଉତ୍ତର ରଖି ବିରୋଧୀଙ୍କୁ ଚୁପ୍‌ କରିବାର କ୍ଷମତା ରଖିଥିଲେ। ଜଣେ ଯୁବ ବିଧାୟକ ଭାବରେ ବିଶେଷକରି ସରକାରୀ ମେଣ୍ଟର ସଦସ୍ୟ ହୋଇଥିବା କାରଣରୁ କହିବାକୁ ସୁଯୋଗ ମିଳୁଥିଲା କମ୍‌। ମାତ୍ର ସେତେବେଳେ ଦ୍ରୌପଦୀ ମୁର୍ମୁ ଆମକୁ କିପରି ନିଜ ଅଞ୍ଚଳ ତଥା ରାଜ୍ୟର ଗରିବ-ମହିଳା, ଆଦିବାସୀ, ଦଳିତ ଓ କୃଷକ, ଯୁବକଙ୍କ ସମସ୍ୟାକୁ ଉତ୍‌ଥାପନ କରିବା ସେ ସମ୍ପର୍କରେ ପରାମର୍ଶ ଦେଉଥିଲେ। ଆମେ ୨୦୦୦ ମସିହାରେ ବିଧାୟକ ହେବାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଦ୍ରୌପଦୀ ମୁର୍ମୁଙ୍କଠାରୁ ଗରିବଙ୍କ ବିକାଶ ସମ୍ପର୍କରେ ଯେଉଁ ଶିକ୍ଷା ଗ୍ରହଣ କରିଥିଲୁ ପରବର୍ତ୍ତୀ ସମୟରେ ମୋଦିଜୀ ସେହି କଥାକୁ ୪ ଜାତିର ବିକାଶ ନଁାର ବେଶ୍‌ ଜନପ୍ରିୟ କରିଛନ୍ତି। ଏହା ମହିଳା, ଯୁବକ, କୃଷକ, ଗରିବ କଲ୍ୟାଣ ନଁାରେ ବେଶ୍‌ ଜନପ୍ରିୟ ହୋଇଛି। ୨୦୧୪ ମସିହାରେ ମୋଦିଙ୍କ ବିକାଶର ନୂଆ ଦୃଷ୍ଟିକୋଣ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ ହେବାର ଯଥେଷ୍ଟ ପୂର୍ବରୁ ଦ୍ରୌପଦୀ ମୁର୍ମୁ ଯେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ର ନାୟକ ଥିଲେ ତା’ର ପରିଚୟ ସେ ସମୟରେ ମୋ ଭଳି ଜଣେ ଯୁବ ବିଧାୟକ ମର୍ମେ ମର୍ମେ ଅନୁଭବ କରିଥିଲା।
ଆମ ରାଜ୍ୟର ମୋଟ ଜନସାଧାରଣଙ୍କ ମଧ୍ୟରୁ ୨୨ ପ୍ରତିଶତ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ଆମ ରାଜ୍ୟରେ ୬୨ ପ୍ରକାରର ଜନଜାତି ବର୍ଗର ଜନସାଧାରଣ ବସବାସ କରୁଛନ୍ତି। ଓଡ଼ିଶାରେ ଆଦିବାସୀମାନଙ୍କ ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ଓ ପାରମ୍ପରିକ ଉତ୍ସବ ଆମ ରାଜ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ପ୍ରକୃତି ସହ ଆଦିବାସୀଙ୍କ ସମ୍ପର୍କ। ଶାଳଗଛର ଫୁଲ ଫୁଟିଲେ ସେମାନେ ମନାନ୍ତି ଚଇତି ପର୍ବ। ପ୍ରାକୃତିକ ରଙ୍ଗରେ ଚିତ୍ରକଳା ଘରର କାନ୍ଥରେ ନୂଆ ପରିଚୟ ସୃଷ୍ଟିକରେ।
ଓଡ଼ିଆ ଆଦିବାସୀ ବର୍ଗରେ ଜନ୍ମ ନେଇଥିବା ସନ୍ଥକବି ଭୀମ ଭୋଇଙ୍କୁ ଯଦି ବିଶ୍ୱର ସବୁଠୁ ବଡ଼ ଦାର୍ଶନିକମାନଙ୍କ ମଧ୍ୟରେ ସ୍ଥାନିତ କରିବା ବୋଧହୁଏ ଭୁଲ୍‌ ହେବ ନାହିଁ। ସାମାଜିକ ସମରସତା, ଆଦିବାସୀଙ୍କ ସମାନତା ଏବଂ ମାନବୀୟ ସମ୍ବେଦନଶୀଳତାର ଭୀମ ଭୋଇ ମୂର୍ତ୍ତିମନ୍ତ ପ୍ରତୀକ କହିଲେ ଭୁଲ୍‌ ହେବ ନାହିଁ। ତାଙ୍କ ଦ୍ୱାରା ରଚିତ କାଳଜୟୀ କବିତା ”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ“। ଏହା ଓଡ଼ିଆ ସଭ୍ୟତା, ସଂସ୍କୃତି, ତ୍ୟାଗ, ତପସ୍ୟା, ବଳିଦାନର ମଧୁର କାହାଣୀକୁ ସୁନ୍ଦର ଭାବେ ବ୍ୟାଖ୍ୟା କରୁଛି।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିବା ସାନ୍ତାଳି ଜନଜାତି ଗୋଷ୍ଠୀର ଗୌରବମୟ ପରମ୍ପରା ରହିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପରି ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ଅଲଚିକି ଭାଷାର ଲିପି ପ୍ରସ୍ତୁତ କରିଥିଲେ। ଏହି ଭାଷା ଦେଶର ଅଦ୍ୱିତୀୟ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିଲା। ଅଲଚିକି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଉତ୍ସବରେ ଦ୍ରୌପଦୀ ମୁର୍ମୁଙ୍କର ଖୁସି ଗଦଗଦ ଚେହେରା ଓ ତାଙ୍କ ହାତରେ ମିଠା ବଣ୍ଟାର ମୁହୂର୍ତ୍ତ ଆଜି ବି ମୋ ମନରେ ତାଜା ଅଛି। ସେ ତାଙ୍କର ଜନଜାତି ଗୋଷ୍ଠୀ ଓ ଭାଷା ସହ କିପରି ଓତପ୍ରୋତ ଭାବରେ ଜଡ଼ିତ ଥିଲେ ତା’ର ଝଲକ ଦେଖିବାକୁ ମିଳିଥିଲା। ୨୦୦୩ ମସିହାରେ ଅଲଚିକି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା ସମୟରେ ଶ୍ରୀମତୀ ମୁର୍ମୁ ଓଡ଼ିଶା ସରକାରରେ ମନ୍ତ୍ରୀ ଥିଲେ। ସେ ସମୟରେ ତାଙ୍କର ଆଦିବାସୀ ଗୋଷ୍ଠୀ ଓ ଭାଷା ପାଇଁ ଥିବା ଶ୍ରଦ୍ଧା ଓ ସମ୍ମାନ ଜଣେ ଆଦିବାସୀ ଭାବରେ ମୋତେ ଅନେକ ପ୍ରେରଣା ଯୋଗାଇଥିଲା।
ଓଡ଼ିଶାର ଏହି ମହାନ୍‌ ବିଭୂତି ତଥା ମହିଳା ଓ ଗରିବଙ୍କ ରୋଲ୍‌ ମଡେଲଙ୍କୁ ରାଜନୈତିକ ଅଭିସନ୍ଧି ରଖି ଅନେକବାର ଲାଞ୍ଛନା ଓ ଅପମାନ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଜଣେ ଗରିବ ଓ ଉପେକ୍ଷିତ ମହିଳା କିପରି ଦେଶର ସର୍ବୋଚ୍ଚ ପଦବୀକୁ ଯିବ ସାମନ୍ତବାଦୀ ରାଜନୈତିକ ବିଚାର ରଖିଥିବା ଲୋକ ଗ୍ରହଣ କରିବା କଷ୍ଟକର।
ଆଜି ଯେତେବେଳେ ମହାମହିମ ଭାବରେ ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପଦାର୍ପଣ କରିବେ ଜଣେ ସାଧାରଣ ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତି ଭାବରେ ମୁଁ ବିଶେଷ ଆନନ୍ଦିତ। ଗରିବୀ, ଅଭାବ, ଅନଟନ ଭିତରେ ଜୀବନ ସଂଘର୍ଷ ଓ ତା’ ଭିତରେ ପଡ଼ିଉଠି ଛିଡ଼ାହେବାର ଅନୁଭବ ମୋ ପାଖରେ ଅଛି। ରାଜ୍ୟର ଆଦିବାସୀ ଓ ଗରିବଙ୍କ ପାଇଁ ଆହୁରି ନିଷ୍ଠା ଓ ଯୋଜନାବଦ୍ଧ ଭାବରେ କାମ କରିବା ପାଇଁ ମହାମହିମ ମୋ ପାଇଁ ପ୍ରେରଣା। ମହାମହିମଙ୍କର ଓଡ଼ିଶାରେ ପଦାର୍ପଣଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଦିଲ୍ଲୀ ଫେରିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୁଁ କଡ଼ା ନିର୍ଦ୍ଦେଶ ଦେଇଛି। ମହାମହିମଙ୍କ ଏହି ଗସ୍ତ କାଳରେ ସାରା ଓଡ଼ିଶାବାସୀ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେବେ ଏବଂ ନୂଆ ପିଢ଼ି ପ୍ରେରଣା ନେବ ଏଥିରେ ସନ୍ଦେହ ନାହିଁ।
ଜୟ ଜଗନ୍ନାଥ

ମୋହନ ଚରଣ ମାଝୀ
(ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର)


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri