ଏଏସ୍‌ବିଏମ୍‌ ପକ୍ଷରୁ ନବାଗତଙ୍କୁ ସ୍ବାଗତ

ଭୁବନେଶ୍ୱର,୯।୯:ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନବାଗତ ସ୍ବାଗତ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ୧୦ ଦିନିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବହୁ ଷ୍ଟାର୍ଟଅପ୍‌ ଉଦ୍ୟୋଗୀ, ମାନବ ସମ୍ବଳ ପଦାଧିକାରୀ, ଆଧ୍ୟାତ୍ମିକ ଗୁରୁ ଓ ବିଶିଷ୍ଟ ଶିକ୍ଷାବିତ୍‌ ଯୋଗଦେଇ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ସଫଳ କ୍ୟାରିୟରର ମୂଳମନ୍ତ୍ର ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ସ୍ନାତକ ଓ ସ୍ନାତକୋତ୍ତର ନୂତନ ଛାତ୍ରୀଛାତ୍ରମାନଙ୍କ ପାଇଁ ପୃଥକ୍‌ ଭାବେ ଆୟୋଜିତ ହୋଇଥିଲା। ଆନୁଷ୍ଠାନିକ ଭାବେ ପ୍ରାରମ୍ଭ-୨୦୨୨କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ଉଦ୍‌ଘାଟନ କରିଥିଲେ। ସେହିଭଳି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଫିନିକ୍ସର ନୂତନ ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିଭଳି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସମ୍ଭାବ୍ୟ ଚିନ୍ତାଧାରାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପକରି ଛାତ୍ରୀଛାତ୍ରମାନଙ୍କୁ ସକାରାତ୍ମକ ମନୋଭାବ ରଖିବାକୁ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ସ୍ବାଗତ ଅଭିଭାଷଣ ଦେଇ ବିଶ୍ୱବିଦ୍ୟାଳୟର ଇତିହାସ ବିଷୟରେ ଆଲୋକପାତ କରିଥିଲେ। ଉପ କୁଳପତି ପ୍ରଫେସର ଫଲ୍ଗୁ ନିରଞ୍ଜନା ନବାଗତ ଛାତ୍ରୀଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟର ଶପଥ ପାଠ କରାଇଥିଲେ। ଡିନ୍‌ ଏକାଡେମିସ୍‌ ପ୍ରଫେସର ପଦ୍ମନାଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସହକାରୀ ଡିନ୍‌ ପ୍ରଫେସର ସରୋଜ ବିଷେ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବ ପରେ ବରିଷ୍ଠ ଛାତ୍ରୀଛାତ୍ରମାନେ ନୂତନ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଆକାଂକ୍ଷା’ ପରିବେଷଣ କରିଥିଲେ।