ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ। ବରଂ ପୋଲିସ ନେତୃତ୍ୱକୁ ରାଜନୈତିକ ସ୍ବେଚ୍ଛାଚାରିତାରୁ ରକ୍ଷା କରିବା ପାଇଁ ଗଢ଼ାଯାଇଥିବା ନିୟମକୁ ନେଇ ଏହା ହୋଇଛି।
ସଞ୍ଜୀବ ପଣ୍ଡା ଏବଂ ୱାଇ. କେ. ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେବା ଏକ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ହୋଇଥିଲା। ପରବର୍ତ୍ତୀ ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପୂର୍ବ ପ୍ରକ୍ରିୟା କୌଣସି ଚୂଡ଼ାନ୍ତ ପ୍ୟାନେଲ ଗଠନ କରିପାରିନଥିଲା ଏବଂ ସରକାର ୟୁପିଏସ୍‌ସିକୁ ଏକ ନୂତନ ତାଲିକା ପଠାଇବା ଲାଗି ପ୍ରସ୍ତୁତ ହେଉଥିଲେ। ଏହି ସମୟ ସ୍ବାଭାବିକ ଭାବେ ସନ୍ଦେହ ସୃଷ୍ଟି କରିଥିଲା, କାରଣ ପଣ୍ଡାଙ୍କୁ ସର୍ବୋଚ୍ଚ ପଦବୀ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଥିଲା। ତେଣୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପ୍ରକୃତ ପ୍ରସଙ୍ଗକୁ ସାମ୍ନାକୁ ଆଣିଛି। ୨୦୦୬ର ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶ ଅନୁଯାୟୀ, ସେବା ରେକର୍ଡ, ବରିଷ୍ଠତା ଏବଂ ଅଭିଜ୍ଞତା ଆଧାରରେ ୟୁପିଏସ୍‌ସି ଦ୍ବାରା ମନୋନୀତ ତିନିଜଣ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ଡିଜିପି ଚୟନ କରିବା ଆବଶ୍ୟକ। ସେହି ନୀତି ଚଳିତ ବର୍ଷ ଆହୁରି ଶକ୍ତିଶାଳୀ ହୋଇଛି। ଗତ ଫେବୃଆରୀରେ ସୁପ୍ରିମକୋର୍ଟ ନିୟମିତ ଡିଜିପି ନିଯୁକ୍ତିରେ ବିଳମ୍ବ କରୁଥିବା ଏବଂ ଅସ୍ଥାୟୀ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ରାଜ୍ୟଗୁଡ଼ିକୁ ସମାଲୋଚନା କରିବା ସହ ଚେତାବନୀ ଦେଇଥିଲେ ଯେ, ଏଭଳି କାର୍ଯ୍ୟକଳାପ ପ୍ରକାଶ ସିଂଙ୍କ ଢାଞ୍ଚକୁ ଦୁର୍ବଳ କରୁଛି। ଏହି ପରିପ୍ରେକ୍ଷୀରେ, ଏକ ଗୁରୁତ୍ୱପୂର୍ଣ୍ଣ ଚୟନ ପ୍ରକ୍ରିୟାର ଠିକ୍‌ ପୂର୍ବରୁ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦେବା ଯଦି ପ୍ରକୃତ ପ୍ରଶାସନିକ ଆବଶ୍ୟକତାରୁ ହୋଇଥାଏ, ତେବେ ତାହା ଯୁକ୍ତିସଙ୍ଗତ ବୋଲି କୁହାଯାଇପାରେ। କିନ୍ତୁ ସରକାରଙ୍କୁ ଏହାର ସ୍ପଷ୍ଟୀକରଣ ଦେବାକୁ ହେବ। ଯଦି ସରକାରମାନେ ଏକ ସ୍ବାଧୀନ ଚୟନ ପ୍ରକ୍ରିୟାର ଠିକ୍‌ ପୂର୍ବରୁ ଯୋଗ୍ୟ ଅଧିକାରୀଙ୍କ ତାଲିକାକୁ ନିଜ ସୁବିଧା ଅନୁଯାୟୀ ବଦଳାଇ ଦେବେ, ତେବେ ୟୁପିଏସ୍‌ସିର ଭୂମିକା କେବଳ ମଞ୍ଜୁରୀ ଦେବାରେ ସୀମିତ ରହିଯିବ। ତେଣୁ ସୁପ୍ରିମକୋର୍ଟଙ୍କ ଏହି ସମୀକ୍ଷା ସ୍ବାଗତଯୋଗ୍ୟ।
କ୍ୟାଡର ହ୍ରାସ ଚିନ୍ତା
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି ଯେ, ରାଜ୍ୟର ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବୀ ସଂଖ୍ୟା ୧୫୩ ରୁ ୧୩୦କୁ ଓ ଆଇଏଫ୍‌ଏସ୍‌ ୧୧୮ରୁ ୮୩କୁ କମାଇବା ଏବଂ ଆଇପିଏସ୍‌ କ୍ୟାଡରରେ ହ୍ରାସ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରାଧ କରିବେ। ସରକାରଙ୍କ ଯୁକ୍ତି ଯେ, ଅଧିକାରୀମାନଙ୍କ ପାଖରେ କମ୍‌ କାମ ରହୁଥିବାବେଳେ ଏକ ବଡ଼ ପ୍ରଶାସନିକ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟକୁ ବାର୍ଷିକ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯଦି କାମ ବଦଳିଛି, ତେବେ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ବଦଳିବା ଦରକାର। କିନ୍ତୁ ଆର୍ଥିକ ସ୍ଥିତି ସୁଧାରିବା ଆଳରେ କ୍ୟାଡର ହ୍ରାସ କରିବା ଉଚିତ ନୁହେଁ। ଶିମ୍‌ଳାରେ ଥିବା ଆଇଏଏସ୍‌, ଆଇପିଏସ୍‌ କିମ୍ବା ଆଇଏଫ୍‌ଏସ ଅଧିକାରୀଙ୍କ ସଂଖ୍ୟା ତୁଳନାରେ ହିମାଚଳର ଅତ୍ୟଧିକ ସମସ୍ୟା ଅଛି। ରାଜ୍ୟ ଉପରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ବୋଝ ସହିତ ବିପୁଳ ଦରମା, ପେନ୍‌ସନ ଓ ବ୍ୟବସ୍ଥାଗତ ଖର୍ଚ୍ଚର ଦାୟିତ୍ୱ ମଧ୍ୟ ରହିଛି। ତେଣୁ ପ୍ରକୃତ ପରୀକ୍ଷା ହେଉଛି, ସରକାର ସମାନ ଯୁକ୍ତିକୁ ସର୍ବଭାରତୀୟ ସେବା ବାହାରେ ପ୍ରୟୋଗ କରିବାକୁ ପ୍ରସ୍ତୁତ କି ? ଯଦି କମ୍‌ ସଂଖ୍ୟକ ଅଧିକାରୀ ଭଲ ପ୍ରଶାସନ ଦେଇପାରିବେ, ତେବେ ସଂଖ୍ୟା କମ୍‌ କରନ୍ତୁ। କିନ୍ତୁ ଯଦି ସ୍ବାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ପୋଲିସ ବ୍ୟବସ୍ଥା ଏବଂ ପାର୍ବତ୍ୟ ଅଞ୍ଚଳର ଜଟିଳ ପରିବେଶ ସମସ୍ୟାର ମୁକାବିଲା ପାଇଁ ରାଜ୍ୟକୁ ପ୍ରକୃତରେ ଅଧିକ କ୍ଷମତାର ଆବଶ୍ୟକତା ଅଛି, ତେବେ ଖର୍ଚ୍ଚ କମାଇବା ପାଇଁ ବିନା ବିଚାରରେ କ୍ୟାଡର ହ୍ରାସ କରିବା ବୋକାମିର ପରିଚୟ ହୋଇଯିବ।
ପଲ୍ଲବୀଙ୍କ ନିଯୁକ୍ତି
ଦିଲ୍ଲୀର ପ୍ରଶାସନିକ ପରିସରରେ ଆଲୋଚନା ପାଇଁ ଆଉ ଏକ ରୋଚକ ବିଷୟ ମିଳିଯାଇଛି। ୧୯୯୪ ବ୍ୟାଚ୍‌ ମଧ୍ୟପ୍ରଦେଶ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ପଲ୍ଲବୀ ଜୈନ ଗୋଭିଲଙ୍କୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଛି। ଏଥିରେ କିଛି ଅସ୍ବାଭାବିକତା ନାହିଁ। ଗୋଭିଲ ଜଣେ ଅଭିଜ୍ଞ ଅଧିକାରୀ ଏବଂ ତାଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ରୂପେ ନିୟମ ଅନୁଯାୟୀ ହୋଇଛି। କିନ୍ତୁ ମଜ୍ଜାର କଥା ହେଉଛି,ଏହି ମନ୍ତ୍ରଣାଳୟର ନିକଟ ଅତୀତର ଇତିହାସ। ପଲ୍ଲବୀଙ୍କ ସ୍ବାମୀ ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ମନୋଜ ଗୋଭିଲ ଏହି ସଚିବ ପଦବୀରେ ରହିଥିଲେ। ପରେ ସେ ଅର୍ଥ ମନ୍ତ୍ରଣାଳୟ ଏବଂ ତା’ପରେ କ୍ୟାବିନେଟ ସଚିବାଳୟରେ ଦାୟିତ୍ୱ ନେଇଥିଲେ। ବାବୁମାନେ ପଲ୍ଲବୀଙ୍କ ନିଯୁକ୍ତିକୁ ନେଇ କହନ୍ତି ଯେ,ଏହା ଏକ ସଂଯୋଗ । ହେଲେ ପଲ୍ଲବୀ ନିଜ ସ୍ବାମୀଙ୍କ ଯୋଗୁ ଏହି ନିଯୁକ୍ତି ପାଇଛନ୍ତି ବୋଲି କୁହାଯାଇପାରିବ ନାହିଁ। ସେ ତାଙ୍କ କ୍ୟାରିୟର ଯୋଗୁ ଏହା ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ଥିବା ବରିଷ୍ଠ ଅଧିକାରୀ ଦମ୍ପତିଙ୍କ ଲମ୍ବା ତାଲିକା ରହିଛି। ତଥାପି ଏହି ଘଟଣା ଉପରେ ଆଲୋଚନା ହେବା ସ୍ବାଭାବିକ। କର୍ପୋରେଟ ଜଗତ ଦୀର୍ଘ ଦିନ ହେବ ଉତ୍ତରାଧିକାରୀ ଯୋଜନା ବିଷୟରେ କହିିଆସୁଛି। ଆଇଏଏସ୍‌ ପ୍ରତିଷ୍ଠାନ ବୋଧହୁଏ ଏବେ ଏହାକୁ ଏକ ପାରିବାରିକ ରୂପ ଦେବା ଆରମ୍ଭ କରିଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ କର୍ପୋରେଟ ଗଭର୍ନାନ୍ସ, ସମ୍ପର୍କିତ-ପକ୍ଷ କାରବାର ଏବଂ ସ୍ବାର୍ଥଗତ ବିଷୟ ଉପରେ ତୀକ୍ଷ୍ଣ ନଜର ରଖିଥାଏ। ସୌଭାଗ୍ୟବଶତଃ ଏହି ମାମଲାଟି ସେଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com