ବର୍ଜ୍ୟରୁ ସମ୍ପଦ ଓ ବୃତ୍ତୀୟ ଭବିଷ୍ୟତ

ଶିଳ୍ପଜାତ ଉପଉତ୍ପାଦ, ସହରୀ ବର୍ଜ୍ୟ, କୃଷି ଅବଶେଷ ଏବଂ ବ୍ୟବହାର-ଶେଷ ସାମଗ୍ରୀକୁ ମୂଲ୍ୟବାନ ସମ୍ପଦରେ ପରିଣତ କରି ଓଡ଼ିଶା ଏକ ସ୍ବଚ୍ଛ, ପ୍ରତିସ୍ପର୍ଦ୍ଧୀ, ସହନଶୀଳ ଓ ସବୁଜ ନିଯୁକ୍ତିସମୃଦ୍ଧ ଅର୍ଥନୀତି ଗଢ଼ିପାରିବ।
ଦୀର୍ଘ ସମୟ ଧରି ବିକାଶର ପ୍ରଚଳିତ ମଡେଲ ନିଅ, ତିଆରି କର, ବ୍ୟବହାର କର ଓ ଫିଙ୍ଗିଦିଅ ଉପରେ ଆଧାରିତ ରହିଆସିଛି। ଏହା ଆର୍ଥିକ ଅଗ୍ରଗତି ଆଣିଛି, କିନ୍ତୁ ପ୍ରାକୃତିକ ସମ୍ପଦ କ୍ଷୟ, ପ୍ରଦୂଷଣ ବୃଦ୍ଧି ଏବଂ ବର୍ଜ୍ୟର ପରିମାଣ ମଧ୍ୟ ବଢ଼ାଇଛି। ଆଜି ଓଡ଼ିଶା ପାଇଁ ଏକ ବିକଳ୍ପ ରାସ୍ତା ଖୋଲା ଅଛି, ଯେଉଁଠାରେ ଆର୍ଥିକ ବୃଦ୍ଧି ଓ ପରିବେଶୀୟ ଦାୟିତ୍ୱ ପରସ୍ପରକୁ ସୁଦୃଢ଼ କରିଥାଏ।
ବୃତ୍ତୀୟ ଅର୍ଥନୀତି ଏହି ଏକମୁଖୀ ପ୍ରବାହକୁ ଉତ୍ପାଦନଶୀଳ ଚକ୍ରରେ ପରିଣତ କରେ। ଏଠାରେ ଉତ୍ପାଦ ଅଧିକ ଦିନ ବ୍ୟବହାରଯୋଗ୍ୟ ହୁଏ, ମରାମତି ଓ ପୁନଃବ୍ୟବହାରକୁ ପ୍ରାଥମିକତା ମିଳେ। ଗୋଟିଏ ଶିଳ୍ପର ଉପଉତ୍ପାଦ ଅନ୍ୟ ଶିଳ୍ପର କଞ୍ଚାମାଲ ହୁଏ। ଜଳ ପୁନଃବ୍ୟବହୃତ ହୁଏ ଏବଂ ଜୈବ ଅବଶେଷ ପୁଣି ମାଟିକୁ ଫେରେ। ତେଣୁ ବୃତ୍ତୀୟତା କେବଳ ପୁନଃଚକ୍ରାୟନ ନୁହେଁ; ଏହା ସମ୍ପଦ ଦକ୍ଷତା ଓ ନବସୃଜନ ଉପରେ ଆଧାରିତ ଏକ ବିକାଶର କୌଶଳ।
ଓଡ଼ିଶା ଏହି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ସୁସଜ୍ଜିତ। ଖଣିଜ ଓ ଧାତୁଭିତ୍ତିକ ଶିଳ୍ପ, ଦ୍ରୁତ ବିକାଶଶୀଳ ସହର, ବନ୍ଦର, କୃଷିଭିତ୍ତି ଓ ଉଦ୍ୟୋଗ ପରିବେଶ ସହିତ ରାଜ୍ୟରେ ଫ୍ଲାଇ ଆଶ୍‌, ସ୍ଲାଗ, ବାୟୋମାସ, ପ୍ଲାଷ୍ଟିକ, ବର୍ଜ୍ୟଜଳ ଓ ଧାତୁ ସ୍କ୍ରାପ ପରି ବଡ଼ ପରିମାଣର ସାମଗ୍ରୀ ପ୍ରବାହ ରହିଛି। ସୁଚିନ୍ତିତ ପରିଚାଳନା ହେଲେ ଏଗୁଡ଼ିକ ବର୍ଜ୍ୟ ନୁହେଁ, ବରଂ ଆଗାମୀ ଅର୍ଥନୀତିର କଞ୍ଚାମାଲ ହୋଇପାରିବ। ଏହି ଦୃଷ୍ଟିକୋଣ ଓଡ଼ିଶା ଭିଜନ ୨୦୩୬ ଓ ବିକଶିତ ଭାରତ ୨୦୪୭ ସହ ସିଧାସଳଖ ସମ୍ପର୍କିତ। ଅଧିକ ମୂଲ୍ୟ ସୃଷ୍ଟି, କମ୍‌ ପ୍ରଦୂଷଣ, ସମ୍ପଦ ସୁରକ୍ଷା ଏବଂ ସବୁଜ ନିଯୁକ୍ତି ମାଧ୍ୟମରେ ବୃତ୍ତୀୟ ଅର୍ଥନୀତି ଦୀର୍ଘସ୍ଥାୟୀ ସମୃଦ୍ଧି ହୋଇପାରିବ।
ଶିଳ୍ପସହ ଜୀବନ, ଓଡ଼ିଶାର ଖଣି, ତାପଜ ବିଦ୍ୟୁତ କେନ୍ଦ୍ର, ଇସ୍ପାତ କାରଖାନା, ଆଲୁମିନିୟମ କମ୍ପ୍ଲେକ୍ସ, ସିମେଣ୍ଟ ୟୁନିଟ୍‌, ବନ୍ଦର ଏବଂ ନିର୍ମାଣ କ୍ଷେତ୍ରକୁ ସୁସଂଗଠିତ ସାମଗ୍ରୀ ବିନିମୟ ଦ୍ୱାରା ଯୋଡ଼ାଯିବା ହେଉଛି ଏକ ପ୍ରଭାବଶାଳୀ ପଦକ୍ଷେପ। ଫ୍ଲାଇ ଆଶ୍‌କୁ ସିମେଣ୍ଟ, ଇଟା, ବ୍ଲକ ଓ ଖଣିଗର୍ତ୍ତ ପୂରଣ ଭାବରେ ବ୍ୟବହାର କରାଯାଇପାରିବ। ପ୍ରୟୋଜ୍ୟ ପ୍ରାଯୁକ୍ତିକ ଓ ପରିବେଶୀୟ ମାନଦଣ୍ଡ ପୂରଣ କଲେ ଷ୍ଟିଲ ସ୍ଲାଗ୍‌କୁ ସଡ଼କ ଓ ନିର୍ମାଣ କାର୍ଯ୍ୟରେ ଲଗାଯାଇପାରିବ। ଧାତୁ ସ୍କ୍ରାପ ପୁଣି ଉତ୍ପାଦନ ପ୍ରକ୍ରିୟାକୁ ଫେରିପାରିବ। ଅପଚୟରୁ ଉପଯୋଗୀ ଶକ୍ତି ମିଳିପାରିବ ଏବଂ ଯଥାଯଥ ଭାବେ ପରିଶୋଧିତ ବର୍ଜ୍ୟଜଳ, ଶିଳ୍ପର ମଧୁରଜଳ ଚାହିଦା କମାଇପାରିବ। ଏକ ବୃତ୍ତୀୟ ଶିଳ୍ପ କ୍ଲଷ୍ଟରରେ ଗୋଟିଏ ଉଦ୍ୟୋଗର ଉପଉତ୍ପାଦ ଅନ୍ୟ ଉଦ୍ୟୋଗର ଭରସାଯୋଗ୍ୟ ଓ ପ୍ରତିସ୍ପର୍ଦ୍ଧୀ ମୂଲ୍ୟର କଞ୍ଚାମାଲ ହୋଇଉଠେ।
ସହରଗୁଡ଼ିକ ମଧ୍ୟ ବୃତ୍ତୀୟତାର କେନ୍ଦ୍ରବିନ୍ଦୁ ହୋଇପାରନ୍ତି। ବର୍ଜ୍ୟ ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ବିକେନ୍ଦ୍ରୀକୃତ କମ୍ପୋଷ୍ଟିଂ, ସାମଗ୍ରୀ ପୁନରୁଦ୍ଧାର କେନ୍ଦ୍ର ଏବଂ ନିର୍ମାଣ ଓ ଭଙ୍ଗାଭଙ୍ଗି ବର୍ଜ୍ୟର ପୁନଃଚକ୍ରାୟନ ମାଧ୍ୟମରେ ପୌର ବର୍ଜ୍ୟକୁ କମ୍ପୋଷ୍ଟ, ପୁନଃଚକ୍ରାୟନଯୋଗ୍ୟ କଞ୍ଚାମାଲ ଓ ଦ୍ୱିତୀୟକ ନିର୍ମାଣ ସାମଗ୍ରୀରେ ପରିଣତ କରାଯାଇପାରିବ। ଭବନ ଓ ଭିତ୍ତିଭୂମିକୁ ଦୀର୍ଘସ୍ଥାୟିତ୍ୱ, ପରିବର୍ତ୍ତନ ଯୋଗ୍ୟତା ଏବଂ ଭବିଷ୍ୟତରେ ଉପାଦାନ ପୁନରୁଦ୍ଧାରକୁ ଧ୍ୟାନରେ ରଖି ଯୋଜନା କରାଯାଇପାରିବ। ଭବିଷ୍ୟତରେ ବ୍ୟାଟେରି, ଇ-ବର୍ଜ୍ୟ, ଟାୟାର ଓ ଜୀବନକାଳ-ଶେଷ ଯାନ (ଇଏଲ୍‌ଭି) ପରି ନୂତନ ବର୍ଜ୍ୟର ପରିଚାଳନା ମଧ୍ୟ ଜରୁରୀ। ସୁରକ୍ଷିତ ପୁନରୁଦ୍ଧାର ବ୍ୟବସ୍ଥା, ସାମଗ୍ରୀ ସୁରକ୍ଷା ବଢ଼ାଇବା ସହିତ ନୂତନ ଦକ୍ଷ ନିଯୁକ୍ତି ସୃଷ୍ଟି କରିପାରିବ।
ଏହି ପରିବର୍ତ୍ତନ ସଫଳ କରିବା ପାଇଁ ଏକ ସମନ୍ବିତ ବୃତ୍ତୀୟ ଅର୍ଥନୀତି ମିଶନ, ତଥ୍ୟଭିତ୍ତିକ ନିରୀକ୍ଷଣ ଏବଂ ସମାବେଶୀ ନୀତି ଆବଶ୍ୟକ। ବର୍ଜ୍ୟ ସଂଗ୍ରାହକ, ପରିମଳ କର୍ମୀ, ସ୍ବୟଂସହାୟକ ଗୋଷ୍ଠୀ, ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପମାନଙ୍କୁ ଏହି ବିକାଶର ଅଂଶୀଦାର କରାଯିବା ଦରକାର। ସୁଚିନ୍ତିତ ପରିଚାଳନା ହେଲେ ଆଜିର ବର୍ଜ୍ୟ ପ୍ରବାହ ଓଡ଼ିଶାର ଆଗାମୀ ଅର୍ଥନୀତିର କଞ୍ଚାମାଲ ହୋଇପାରିବ। ବୃତ୍ତୀୟ ଶିଳ୍ପ ପାର୍କରେ ସାଧାରଣ ସେବା, ସମ୍ପଦ ପୁନରୁଦ୍ଧାର ସୁବିଧା ଓ ପରୀକ୍ଷା ଭିତ୍ତିଭୂମି ରହିପାରିବ। ଉପଯୁକ୍ତ ସଡ଼କ, ସରକାରୀ ଭବନ, ଆବାସ ଓ ସହରୀ ଭିତ୍ତିଭୂମିରେ ପ୍ରମାଣିତ ପୁନଃଚକ୍ରାୟିତ ସାମଗ୍ରୀକୁ ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଟ କରି ସରକାରୀ କ୍ରୟ ବ୍ୟବସ୍ଥା ପ୍ରାରମ୍ଭିକ ବଜାର ସୃଷ୍ଟି କରିପାରିବ।
ଗ୍ରାମୀଣ ଓ ଉପକୂଳ ଅର୍ଥନୀତିରେ ମଧ୍ୟ ସମାନ ଭାବେ ବଡ଼ ସମ୍ଭାବନା ରହିଛି। ଫସଲ ଅବଶେଷରୁ କମ୍ପୋଷ୍ଟ, ପଶୁଖାଦ୍ୟ, ବାୟୋଚାର୍‌, ବାୟୋ-ସିଏନ୍‌ଜି ଓ ଜୈବଭିତ୍ତିକ ଉତ୍ପାଦ ତିଆରି ହୋଇପାରିବ। ଉନ୍ନତ ସଂରକ୍ଷଣ, ପ୍ରକ୍ରିୟାକରଣ ଓ ଶୀତଳ ଶୃଙ୍ଖଳ ଖାଦ୍ୟ ହାନି କମାଇପାରିବ। ମାଛ ପ୍ରକ୍ରିୟାକରଣର ଉପଉତ୍ପାଦକୁ ଉପଯୋଗୀ ସାମଗ୍ରୀରେ ପରିଣତ କରାଯାଇପାରିବ; ପରିତ୍ୟକ୍ତ ମାଛଧରା ଜାଲ ଓ ପ୍ଲାଷ୍ଟିକକୁ ଫେରାଇ ଅଣାଯାଇପାରିବ। ପ୍ଲାଷ୍ଟିକ-ମୁକ୍ତ ପର୍ଯ୍ୟଟନସ୍ଥଳ, ପୁନଃଭରଣ ସୁବିଧା, ଜମା-ଫେରସ୍ତ ବ୍ୟବସ୍ଥା ଏବଂ ହୋଟେଲ ଓ ସଂସ୍ଥାର ବୃତ୍ତୀୟ କ୍ରୟନୀତି ମୂଲ୍ୟବାନ ସାମଗ୍ରୀକୁ ନଦୀ, ଆର୍ଦ୍ରଭୂମି ଓ ବଙ୍ଗୋପସାଗରରୁ ଦୂରେଇ ରଖିପାରିବ। ଏହା ପ୍ରଦୂଷଣ କମାଇବା ସହ ସାମଗ୍ରୀ ସୁରକ୍ଷା ବଢ଼ାଇବ ଏବଂ ପରିବହନ ଓ ଉପଭୋଗ ଧାରା ବଦଳିବା ସହିତ ଦ୍ରୁତ ବିସ୍ତାରଶୀଳ ବଜାରରେ ଦକ୍ଷ ନିଯୁକ୍ତି ସୃଷ୍ଟି କରିବ।
ପ୍ରଯୁକ୍ତି ହେଉଛି ସମାଧାନର ଗୋଟିଏ ଅଂଶ ମାତ୍ର। ସ୍ପଷ୍ଟ ଦାୟିତ୍ୱ ଓ ପରିମାପଯୋଗ୍ୟ ଫଳାଫଳ ସହିତ ଓଡ଼ିଶାକୁ ଏକ ସରକାରୀ ପ୍ରତିଷ୍ଠାନଗତ ଢାଞ୍ଚା ଆବଶ୍ୟକ। କ୍ଷେତ୍ରଭିତ୍ତିକ କାର୍ଯ୍ୟଦଳ, ଜିଲା ସମ୍ପଦ ପୁନରୁଦ୍ଧାର କେନ୍ଦ୍ର ଓ କ୍ଲଷ୍ଟରସ୍ତରୀୟ କାର୍ଯ୍ୟାନ୍ବୟନ ୟୁନିଟ ସହଯୋଗରେ ଏକ ରାଜ୍ୟ ବୃତ୍ତୀୟ ଅର୍ଥନୀତି ମିଶନ ଗଢ଼ାଯାଇପାରିବ। ଏହାସହ ଦ୍ୱିତୀୟକ ସାମଗ୍ରୀ ବ୍ୟବହାର, ଲ୍ୟାଣ୍ଡଫିଲ୍‌ରୁ ଦୂରେଇ ରଖାଯାଇଥିବା ବର୍ଜ୍ୟ, ଜଳ ପୁନଃବ୍ୟବହାର, ଏଡ଼ାଯାଇଥିବା ନିର୍ଗମନ, ଔପଚାରିକ ସବୁଜ ନିଯୁକ୍ତି, ଉଦ୍ୟୋଗ ସୃଷ୍ଟି ଏବଂ ସମ୍ପଦରୁ ପୁନରୁଦ୍ଧାରିତ ଅର୍ଥମୂଲ୍ୟକୁ ଡାଟାବେସ ତଥ୍ୟ ଡ୍ୟାଶବୋର୍ଡରେ ଉପଲବ୍ଧ କରାଯିବ। ଏହା ଦ୍ୱାରା ଦୀର୍ଘସ୍ଥାୟୀ ପୁଞ୍ଜିନିବେଶ ଆକର୍ଷିତ ହେବ।
ଏହି ପରିବର୍ତ୍ତନ ନିଶ୍ଚିତ ଭାବେ ସମାବେଶୀ ହେବା ଦରକାର। ବର୍ଜ୍ୟ ସଂଗ୍ରାହକ, ପରିମଳ କର୍ମୀ, ସ୍ବୟଂସହାୟକ ଗୋଷ୍ଠୀ, କାରିଗର, ମରାମତି କର୍ମୀ ଓ କ୍ଷୁଦ୍ର ପୁନଃଚକ୍ରାୟନକାରୀମାନେ ଆଜି ମଧ୍ୟ ସାମଗ୍ରୀକୁ ବ୍ୟବହାର ଚକ୍ରରେ ରଖୁଛନ୍ତି, କିନ୍ତୁ ଅନେକ ସମୟରେ ସ୍ବୀକୃତି, ପର୍ଯ୍ୟାପ୍ତ ସୁରକ୍ଷା କିମ୍ବା ନିଶ୍ଚିତ ଆୟ ବିନା। ପ୍ରଶିକ୍ଷଣ, ସୁରକ୍ଷା ସାମଗ୍ରୀ, ସାମାଜିକ ସୁରକ୍ଷା, ଋଣସୁବିଧା ଓ ନିଶ୍ଚିତ ବଜାର ସଂଯୋଗ ମାଧ୍ୟମରେ ସେମାନଙ୍କ ଭୂମିକାକୁ ଔପଚାରିକ କରିବା ବୃତ୍ତୀୟତାକୁ ମର୍ଯ୍ୟାଦାପୂର୍ଣ୍ଣ ନିଯୁକ୍ତିର ଶକ୍ତିଶାଳୀ ମାଧ୍ୟମ କରିପାରିବ। ଉପଯୁକ୍ତ ଋଣ, ଦକ୍ଷତା ଓ ବଜାର ସୁଯୋଗ ମିଳିଲେ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପଗୁଡ଼ିକ ପୁନଃନିର୍ମାଣ ବ୍ୟବସାୟ ଓ ସମ୍ପଦ ପ୍ରଯୁକ୍ତି ଗଢ଼ିପାରିବେ।
ପର୍ଯ୍ୟାୟଭିତ୍ତିକ କାର୍ଯ୍ୟପଥ ଏହି ଅଭିଳାଷକୁ ଦୃଶ୍ୟମାନ ଫଳାଫଳରେ ପରିଣତ କରିପାରିବ। ୨୦୨୬ରୁ ୨୦୩୦ ମଧ୍ୟରେ ଓଡ଼ିଶା ପ୍ରମୁଖ ସାମଗ୍ରୀ ପ୍ରବାହର ମୂଳସ୍ଥିତି ନିର୍ଦ୍ଧାରଣ, ପ୍ରତିଷ୍ଠାନଗତ ଢାଞ୍ଚା ସୃଷ୍ଟି ଏବଂ ପ୍ରାଥମିକତାପ୍ରାପ୍ତ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପ୍ରକଳ୍ପ ଆରମ୍ଭ କରିପାରିବ। ୨୦୩୬ ସୁଦ୍ଧା ଜିଲା ସମ୍ପଦ ପୁନରୁଦ୍ଧାର କେନ୍ଦ୍ର, ବୃତ୍ତୀୟ ଶିଳ୍ପ କ୍ଲଷ୍ଟର, ଶୂନ୍ୟ-ବର୍ଜ୍ୟ ସହରୀ ୱାର୍ଡ, ଜୈବସମ୍ପଦ ଉଦ୍ୟୋଗ ଓ ବୃତ୍ତୀୟ ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରାଯାଇପାରିବ। ୨୦୪୭ ସୁଦ୍ଧା ବିକଶିତ ଭାରତର ବ୍ୟାପକ ଲକ୍ଷ୍ୟ ସହ ସମନ୍ବୟ ରଖି ଓଡ଼ିଶା ପୂର୍ବ ଭାରତର ଅଗ୍ରଣୀ କେନ୍ଦ୍ର ଭାବେ ଉଭା ହେବାର ଲକ୍ଷ୍ୟ ନେଇପାରିବ।
ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ

ଅମଳିନ ପଟ୍ଟନାୟକ

Dharitri – Odisha’s No.1 Odia Daily