ଆମେ ପାରିବା

ପ୍ରକାଶ ତ୍ରିପାଠୀ

ଭାରତ ସରକାରଙ୍କ ପକ୍ଷରୁ ଚାଇନା ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ଆରମ୍ଭ ହୋଇଛି। ଭାରତରେ ଅତି ଲୋକପ୍ରିୟ ଚାଇନା ପ୍ରସ୍ତୁତ ଭିଡିଓ ଶେୟାରିଂ ସୋସିଆଲ୍‌ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଏହି ଆପ୍‌ ମାଧ୍ୟମରେ ଭାରତୀୟ ତଥ୍ୟ ଓ ଗୋପନୀୟତାର ଉଲ୍ଲଂଘନ ଆଶଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ଆଇନର ଧାରା ୬୯ (କ) ଆଧାରରେ ଫୋନ୍‌ ନିର୍ମାତାଙ୍କୁ ସରକାରଙ୍କ ପକ୍ଷରୁ ଉକ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ଏହି ନିଷେଧାଦେଶ ଫଳରେ ଟିକ୍‌ଟକ୍‌ ସହ ଅନ୍ୟ ଲୋକପ୍ରିୟ ଆପ୍‌ ଯଥା ଶେୟାର୍‌ଇଟ୍‌, ଜେଣ୍ଡର, ୟୁସି ବ୍ରାଉଜର, ହେଲୋ, ଭାଇରସ କ୍ଲିନର, କ୍ଲବ୍‌ ଫ୍ୟାକ୍‌ଟ୍ରି, ଓ୍ବିଚାଟ୍‌, ୟୁସି ନିୟୁଜ, ସେଲ୍‌ଫିସିଟି, କ୍ୟାମ୍‌ସ୍କାନର୍‌, ଓଣ୍ଡର କ୍ୟାମେରା ଆଦି ଆଉ ଉପଲବ୍ଧ ହେବ ନାହିଁ।
ଏହି ଆପ୍‌ଗୁଡ଼ିକୁ ନିଷେଧ କରିବା ଦ୍ୱାରା ଚାଇନାକୁ ଏକ ଶିକ୍ଷା ମିଳିବ ନିଶ୍ଚିତ। କାରଣ ଏହିସବୁ ଆପ୍‌ର ଉପଭୋକ୍ତାଙ୍କ ମଧ୍ୟରେ ଭାରତୀୟ ଉପଭୋକ୍ତା ସଂଖ୍ୟା ସର୍ବାଧିକ। ଏହିସବୁ ଆପ୍‌ର ବିକଳ୍ପ ଏବେ ଉପଲବ୍ଧ ଥିବାରୁ ଭାରତୀୟମାନେ ଚାଇନା ଆପ୍‌ସ ବଦଳରେ ଅନ୍ୟ ଆପ୍‌କୁ ଗ୍ରହଣ ନରିନେବେ। ଗଲ୍‌ଓ୍ବାନ୍‌ଠାରେ ଭାରତ-ଚାଇନା ସୀମା ବିବାଦ ଓ ତଜ୍ଜନିତ ଭାରତୀୟ ସେନା ମୃତାହତ ଘଟଣା ଭାରତୀୟମାନଙ୍କ ମନରେ ଚାଇନାବିରୋଧୀ ଚିନ୍ତାଧାରା ଉଦ୍ରେକ କରିଛି। ଚାଇନା ପ୍ରସ୍ତୁତ ସାମଗ୍ରୀ ଓ ଆପ୍‌କୁ ବର୍ଜନ କରିବା ପାଇଁ ଦେଶବ୍ୟାପୀ ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ‘ରିମୁଭ୍‌ ଚାଇନା ଆପ୍‌ସ’ ନାମରେ ଏକ ଆପ୍‌ସ ଇଣ୍ଡିଆନ୍‌ ଫାର୍ମ ଓ୍ବାନ୍‌ଟଚ୍‌ ଆପ୍‌ ଲାବ୍‌ସ ପକ୍ଷରୁ ପ୍ରସ୍ତୁତ ହେବା ପରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ପାଞ୍ଚନିୟୁତ ମୋବାଇଲ୍‌ ଫୋନ୍‌ ଉପଭୋକ୍ତାଙ୍କ ଦ୍ୱାରା ପ୍ଲେଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ ହେବା ହିଁ ଏହାର ବଳିଷ୍ଠ ପ୍ରମାଣ। ବର୍ତ୍ତମାନ ଭାରତୀୟ ଉପଭୋକ୍ତାମାନେ ସ୍ବେଚ୍ଛାକୃତ ଭାବେ ଚାଇନା ଆପ୍‌ ‘ହେଲୋ’ ବଦଳରେ ଭାରତୀୟ ଆପ୍‌ ‘ଶେୟାର୍‌ଚାଟ୍‌’, ‘ୟୁସିବ୍ରାଉଜର’ ବଦଳରେ ‘ଗୁଗ୍‌ଲ କ୍ରୋମ୍‌’, ‘କ୍ୟାମ୍‌ସ୍କାନର’ ବଦଳରେ ‘ଆଡୋବ୍‌ ସ୍କାନ୍‌’, ‘ଜେଣ୍ଡର’ ବଦଳରେ ‘ଫାଇଲ୍‌ସ (ଗୁଗଲ)’, ‘ପିୟୁଜିବି’ ବଦଳରେ ଆମେରିକାନ୍‌ ଆପ୍‌ସ ‘ଫର୍ଟିନେଟ୍‌’, ‘ଟିକ୍‌ଟକ୍‌’ ବଦଳରେ ଆମେରିକାନ୍‌ ଆପ୍‌ସ ‘ଟ୍ରିଲର’ ସୁନ୍ଦର ଓ ଆକର୍ଷଣୀୟ ଫଟୋ ପ୍ରସ୍ତୁତ କରୁଥିବା ଚାଇନା ଆପ୍‌ସ ‘ବିୟୁଟି ପ୍ଲସ୍‌’ ଜାଗାରେ ‘ବି୬୧୨’ ଆଦି ଆପ୍‌ସକୁ ନିଜ ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବା ଆରମ୍ଭ କରିଦେଲେଣି। ଭାରତରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ବିଦ୍ୱାନଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ବିଶ୍ୱର ପ୍ରତିଟି ପ୍ରମୁଖ ଆଇଟି କ୍ଷେତ୍ରରେ ଭାରତୀୟ ଆଇଟି ବିଶେଷଜ୍ଞ ସେବାରତ। ଚାଇନା ଆପ୍‌ସ ବଦଳରେ ଭାରତୀୟ ଆପ୍‌ସର ପ୍ରସ୍ତୁତି ଓ ସେଗୁଡ଼ିକୁ ଆହୁତି କରାଇବା ଦିଗରେ ସେମାନଙ୍କର ଅବଦାନ ଆଗାମୀ ଦିନରେ ନିଶ୍ଚିତ ଦେଖିବାକୁ ମିଳିବ।
୧୯୨୦ରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ବ୍ରିଟିଶ ଉତ୍ପାଦନକୁ ବ୍ୟବହାର ନ କରି ସ୍ବଦେଶୀ ସାମଗ୍ରୀ ବ୍ୟବହାର କରି ବ୍ରିଟେନ୍‌କୁ ଆର୍ଥିକ କ୍ଷତି ପହଞ୍ଚାଇବା ସେତେବେଳେ ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା। ଏହା ସ୍ବାଧୀନତା ଆନ୍ଦୋଳନର ଏକ ପ୍ରମୁଖ ଅଂଶ ଥିଲା। ଜନସାଧାରଣ ଏହାଦ୍ୱାରା ଏପରି ଅନୁପ୍ରାଣିତ ହୋଇଥିଲେ ଯେ, କେବଳ ବିଦେଶୀ ସାମଗ୍ରୀ ତ୍ୟାଗ ନୁହେଁ, ବ୍ରିଟେନ ନିର୍ମିତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବହିଷ୍କାର କରିଦେଲେ। ଏବେ ପରିସ୍ଥିତି ଭିନ୍ନ। ବ୍ରିଟେନ ସ୍ଥାନରେ ରହିଛି ଆମର ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ଚାଇନା। ନିଜର ଦୁରଭିସନ୍ଧି ପ୍ରଦର୍ଶନ କରି ଭାରତ ପାଇଁ ସାବ୍ୟସ୍ତ ହୋଇଛି ଏକ ଶତ୍ରୁରାଷ୍ଟ୍ର। ଭାରତୀୟ ବଜାରରୁ ଚାଇନାକୁ ହଠାତ୍‌ ଅପସାରଣ କରିବା ସମ୍ଭବ ନୁହେଁ। କାରଣ ଭାରତୀୟ ବଜାରରେ ଚାଇନା ନିବେଶକଙ୍କ ୨.୩୪ ବିଲିୟନ ଡଲାର ଉପଯୋଗ ହୋଇଥିବା ସରକାରୀ ଭାବେ କୁହାଯାଉଥିଲାବେଳେ କିଛି ଅର୍ଥନୀତି ବିଶାରଦ ଏହାକୁ ୬ ବିଲିୟନ ଡଲାରରୁ ଅଧିକ ହେବ ବୋଲି ମତ ରଖନ୍ତି। ଭାରତୀୟ ସ୍ମାର୍ଟଫୋନ୍‌ ବ୍ୟବସାୟରେ ଚାଇନାର ଭାଗୀଦାରି ୭୦%ରୁ ଊର୍ଦ୍ଧ୍ୱ। ଏପରି କି ଅନେକ ଭାରତୀୟ କମ୍ପାନୀରେ ଚାଇନାର ଅଂଶଧନ ସିଂହଭାଗ। କେବଳ ଭାରତୀୟ କମ୍ପାନୀ ନୁହେଁ, ଅନେକ ପାଶ୍ଚାତ୍ୟ ରାଷ୍ଟ୍ରର କମ୍ପାନୀରେ ମଧ୍ୟ ଚାଇନାର ପ୍ରମୁଖ ଭାଗୀଦାରି ରହିଛି। ଚାଇନାର ଜିଓମି, ଆଲିବାବା, ଟେନ୍‌ସେଣ୍ଟ, ଚୀନା ୟୁରେସିଆ ଇକୋନମିକ କର୍ପୋରେଶନ ଫଣ୍ଡ ଆଦି କମ୍ପାନୀ ଭାରତୀୟ ଷ୍ଟାର୍ଟଅପ୍‌ରେ ପ୍ରମୁଖ ଭାଗୀଦାର ରହିଥିଲା ବେଳେ ଭାରତୀୟ କମ୍ପାନୀ ଫ୍ଲିପ୍‌କାର୍ଟ, ସ୍ନାପ୍‌ଡିଲ୍‌, ବିଗ୍‌ ବାସ୍କେଟ୍‌, ସ୍ବିଗି, ପେଟିଏମ୍‌, ଓଲା, ମେକ୍‌ ମାଇଁ ଟ୍ରିପ୍‌ରେ ମଧ୍ୟ ଚାଇନାର ପ୍ରମୁଖ ଅଂଶଧନ ରହିଛି। ତେଣୁ ରାତାରାତି ଚାଇନା ସମ୍ପୃକ୍ତି ଥିବା କୌଣସି ସାମଗ୍ରୀକୁ ଭାରତ ବର୍ଜନ କରିଦେବା ସ୍ଥିତିରେ ନାହିଁ କିମ୍ବା ଭାରତ ଏତେ ଶୀଘ୍ର ଆତ୍ମ ନିର୍ଭରଶୀଳ ବି ହୋଇପାରିବ ନାହିଁ। ମାତ୍ର ଏସବୁ କ୍ଷେତ୍ରରେ ପ୍ରଚେଷ୍ଟା ଜାରି ରହିଲେ ଭାରତ ନିଶ୍ଚିତ ସ୍ବାବଲମ୍ବୀ ହୋଇ ଚାଇନାକୁ ଆନ୍ତର୍ଜାତିକ ସ୍ତରରେ ଉଚିତ ମୁକାବିଲା କରିପାରିବ। ବିଶ୍ୱ ସମୁଦାୟକୁ ଔଷଧ ରପ୍ତାନି କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର। ମାତ୍ର ଏହା ବି ସତ୍ୟ ଯେ, ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ଚାଇନା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଔଷଧ ଶିଳ୍ପ କ୍ଷେତ୍ରରେ ଆବଶ୍ୟକ ପଡୁଥିବା କଞ୍ଚାମାଲ ପାଇଁ ଭାରତ ଚାଇନା ଉପରେ ଶତକଡ଼ା ୮୦ ଭାଗ ନିର୍ଭରଶୀଳ। ଔଷଧ, ପ୍ଲାଷ୍ଟିକ୍‌, ମୋବାଇଲ୍‌ ଫୋନ୍‌, ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଓ ଏପରି କି ଘରେ ବ୍ୟବହୃତ ପ୍ରତିଟି ସାମଗ୍ରୀ ଯୋଗାଣରେ ଚାଇନାର ଭାଗୀଦାରିକୁ ଏତେ ସହଜରେ ତ୍ୟାଗ କରିହେବ ନାହିଁ। ତେବେ ଭାରତ ପାଖରେ ଦକ୍ଷତା ଅଛି, ଯୋଗ୍ୟତା ଅଛି ଓ ଆର୍ଥିକ ସମ୍ବଳ ବି ଅଛି। ନିରବଚ୍ଛିନ୍ନ ଭାବେ ପ୍ରଚେଷ୍ଟା ଜାରି ରହିଲେ ଖୁବ୍‌ କମ୍‌ ଦିନରେ ଚାଇନାକୁ ଟକ୍କର ଦେଇପାରିବ, ଯେମିତି ଅଟୋମୋବାଇଲ ଶିଳ୍ପରେ ଭାରତ ଦେଇପାରିଛି। ଭାରତୀୟ ଅଟୋମୋବାଇଲ କମ୍ପାନୀ ବଜାଜ୍‌, ଟିଭିଏସ୍‌ ଓ ହିରୋ ଭଳି ଉଦ୍ୟମ ଜାରି ରହିଲେ ଭାରତ ଚାଇନା ଭଳି ସମୃଦ୍ଧ ଓ ସ୍ବାବଲମ୍ବୀ ହୋଇପାରିବ।
ଭାରତୀୟ ଶିଳ୍ପସଂସ୍ଥାମାନେ କେବଳ ଭାରତରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାଇନାକୁ ଅଟୋମୋବାଇଲ କ୍ଷେତ୍ରରେ ପରାସ୍ତ କରିଦେଇଛନ୍ତି। ଗୁଣବତ୍ତାଯୁକ୍ତ, ଦୀର୍ଘସ୍ଥାୟୀ ଓ ମଜଭୁତ ଦୁଇଚକିଆ ଯାନ ନିର୍ମାଣ କରି ବଜାଜ, ଟିଭିଏସ୍‌ ଓ ହିରୋ ଭାରତର ମାନସମ୍ମାନକୁ ବହୁଗୁଣିତ କରିପାରିଛନ୍ତି। ବିଶ୍ୱସ୍ତରୀୟ ଗବେଷଣା ଓ ବିକାଶ ନୀତିକୁ ଗ୍ରହଣ କରି ଏମାନେ ପ୍ରମାଣ ଦେଇସାରିଛନ୍ତି ଯେ, ଚାଇନା ଦୁଇଚକିଆ ଯାନଠାରୁ ଭାରତର ଯାନ ସର୍ବଶ୍ରେଷ୍ଠ। ହୋଣ୍ଡା, କାଓ୍ବାସାକି ଓ ସୁଜୁକି ସହ ହାତମିଳାଇ ଦକ୍ଷତା ହାସଲ କରିବା ପରେ ଏବେ ଭାରତୀୟ କମ୍ପାନୀ ହିରୋ, ବଜାଜ୍‌ ଓ ଟିଭିଏସ୍‌ ସ୍ବାଧୀନ ଭାବେ ଅନ୍ତର୍ଜାତୀୟ ବଜାରରେ ସେମାନଙ୍କ ସ୍ଥିତିକୁ ମଜଭୁତ କରିଛନ୍ତି। ବର୍ତ୍ତମାନ ବଜାଜ୍‌ ମୋଟରସାଇକେଲ ୭୦ଟି ଦେଶରେ ଅତି ଲୋକପ୍ରିୟ ଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଦେଶରେ ଟିଭିଏସ୍‌ ଓ ହିରୋ ଦୁଇଚକିଆ ଯାନ ବହୁଳ ଆଦୃତ। ଦୁଇ ଦଶନ୍ଧି ତଳେ ଭାରତରେ ଦୁଇଚକିଆ ଯାନ ପ୍ରବେଶ କରାଇ ଚାଇନା ସଫଳ ହୋଇ ନ ଥିଲା। ସଂପ୍ରତି ଭାରତୀୟ ବାଇକ୍‌ ନିର୍ମାତାମାନଙ୍କ ପାଇଁ ଚାଇନା ବିଦେଶରେ ବି ବିପୁଳ କ୍ଷତି ସହୁଛି। ଆଫ୍ରିକୀୟ ଦେଶଗୁଡ଼ିକରେ ଚାଇନାର ୨୦୦ ପାଖାପାଖି ଉତ୍ପାଦନ ଶିଳ୍ପ ଗତ ଦଶନ୍ଧିରେ ଥିଲାବେଳେ ଏବେ ତାହା ୪୦କୁ ହ୍ରାସ ପାଇଛି ଓ ସେହିସବୁ ସ୍ଥାନ ଭାରତୀୟ କମ୍ପାନୀମାନଙ୍କ ହାତକୁ ଆସିଯାଇଛି। ଯଦି ଅଟୋମୋବାଇଲ୍‌ କ୍ଷେତ୍ରରେ ଆମେ ପାରଦର୍ଶିତା ପ୍ରଦର୍ଶନ କରିପାରୁଛେ, ତେବେ ଅନ୍ୟ କ୍ଷେତ୍ରରେ କାହିଁକି ପାରିବା ନାହିଁ? ଗବେଷଣା ଓ ବିକାଶକୁ ତ୍ୱରାନ୍ବିତ କରି ଅଧିକ ଦକ୍ଷତାସମ୍ପନ୍ନ ହେବାକୁ ପଡ଼ିବ। ନିଜ ଉପରେ ଭରସା ଓ ବିଶ୍ୱାସ ରଖିବାକୁ ପଡ଼ିବ ଯେ, ଆମେ ପାରିବା ଓ ନିଶ୍ଚିତ ପାରିବା।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri