ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ଏ ନେଇ ଫ୍ରାଞ୍ଚାଇଜର ସିଇଓ କାଶି ବିଶ୍ୱନାଥନ ରବିବାର କହିଛନ୍ତି। ଦୁହେଁ ଗତ ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ ବେଳେ ଆହତ ହୋଇଥିଲେ।

ଋତୁରାଜଙ୍କ ହାତରେ ଆଘାତ ଲାଗିଥିବା ବେଳେ ଚହର ମାଂସପେଶୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଅସ୍ତ୍ରୋପଚାରକୁ ମନା କରିଥିବା ଚହରଙ୍କୁ ୬ରୁ ୮ ସପ୍ତାହ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି। ଏଣୁ ସେ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳିପାରିବେ ନାହିଁ।

ବର୍ତ୍ତମାନ ସିଏସ୍‌କେ ପାଇଁ ଉପଲବ୍ଧ ଥିବା ଖେଳାଳିମାନେ ସୁରଟରେ ଚାଲିଥିବା ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଗତ ବର୍ଷର ସର୍ବାଧିକ ରନ୍‌ ସ୍କୋରର ଏବଂ ୧୪ କୋଟି ଟଙ୍କାରେ କିଣା ହୋଇଥିବା ଦୀପକଙ୍କ ଉପଲବ୍ଧତା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ବିଶ୍ୱନାଥନ କହିଛନ୍ତି, ଆମକୁ ସେମାନଙ୍କ ବର୍ତ୍ତମାନ ଫିଟ୍‌ନେସ ସମ୍ପର୍କରେ ବେଶି କିଛି ଜଣା ନାହିଁ। ସେ କେବେ ଦଳରେ ଯୋଗ ଦେବେ ତାହା କହି ହେବ ନାହିଁ। ସେମାନେ ମ୍ୟାଚ୍‌ ଫିଟ୍‌ନେସ ହାସଲ କରିବା ପରେ ସେମାନେ ଦଳ ସହ ଯୋଡ଼ି ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସେମାନେ ଏବେ ଏନ୍‌ସିଏରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ସମସ୍ତ ଭାରତୀୟ ଖେଳାଳି ଏନ୍‌ସିଏଠାରେ ରେହାବିଲିଟେଶନ ଶେଷ କରିବା ପରେ ଅନେକ ଫିଟ୍‌ନେସ ଟେଷ୍ଟ କରାଯାଏ। ତା’ ପରେ ଖେଳାଳିଙ୍କୁ ଖେଳିବାକୁ ଅନୁମତି ମିଳେ।

Share