ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା ଚଳାଇବାକୁ ଦାବି କରୁଥିବା ଏକ ଆବେଦନର ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ୫ ଅକ୍ଟୋବରରେ ସ୍ପଷ୍ଟ କରିଛନ୍ତି ଯେ, ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସମୟରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହୃତ ଫର୍ମ ୬ର କୌଣସି ସଂଶୋଧିତ ସଂସ୍କରଣକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇନାହାନ୍ତି। ପ୍ରଧାନ ବିଚାରପତିଙ୍କ ମତ ଏବେ ଅନେକ ଗୁରୁତ୍ୱ ବହନ କରୁଛି। କାରଣ ଗତ ସପ୍ତାହରେ ଭାରତର ନିର୍ବାଚନ କମିଶନ (ଇସିଆଇ) ଦାବି କରିଥିଲେ ଯେ, କେତେକ ରାଜ୍ୟରେ ଚାଲିଥିବା ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ଅନ୍ଲାଇନ୍ ଫର୍ମ ୬ ସହ ସଂଯୁକ୍ତ ନୂତନ ଘୋଷଣାପତ୍ରକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିଲେ। ଦେଖିବାକୁ ଗଲେ ନୂତନ ଫର୍ମ ୬ରେ ହୋଇଥିବା ପରିବର୍ତ୍ତନ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା ଯେତେବେଳେ ନିର୍ବାଚନ କମିଶନ୍ର ଦୁଇ କମିଶନର ଏସ୍.ଏସ୍. ସାନ୍ଧୁ ଓ ବିବେକ ଜୋଷୀ ଏହାକୁ ବିରୋଧ କରିଥିଲେ। ସରଳ ଭାବେ କହିଲେ ଫର୍ମ ୬ ହେଉଛି ଭାରତରେ ନୂତନ ମତଦାତା ଭାବେ ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ ବିଧିବଦ୍ଧ ଫର୍ମ। ଏଥିରେ ଆବେଦନକାରୀଙ୍କ ନାମ, ବୟସ, ଠିକଣା, ନାଗରିକତ୍ୱ ଆଦି ସର୍ବନିମ୍ନ ଆବଶ୍ୟକ ତଥ୍ୟ ଦିଆଯାଇଥାଏ। କିନ୍ତୁ ଏସ୍ଆଇଆର୍ ସମୟରେ ଜୁଲାଇ ୨୦୨୬ରେ ଇସିଆଇନେଟ୍ ପୋର୍ଟାଲରେ ଫର୍ମ ୬ର ଅନ୍ଲାଇନ୍ ତଥ୍ୟ ପୂରଣରେ ଏକ ଅତିରିକ୍ତ ଘୋଷଣାପତ୍ର ଯୋଡ଼ାଯାଇଥିଲା। ସେଥିରେ ପୂର୍ବ ଏସ୍ଆଇଆର୍ କିମ୍ବା ଭୋଟର ତାଲିକା ପଞ୍ଜୀକରଣ ସମ୍ପର୍କରେ ମାତାପିତା କିମ୍ବା ପରିବାରର ନିର୍ଦ୍ଦିଷ୍ଟ ବିବରଣୀ ମଗାଯାଇଥିଲା। ଏଭଳି ପଦକ୍ଷେପ ଦ୍ୱାରା ଅନେକ ରାଜ୍ୟରେ ବଡ଼ ଧରଣର ଅସଙ୍ଗତି ଲକ୍ଷ୍ୟ କରାଗଲା, ଏପରିକି ଅନେକ ଯୋଗ୍ୟ ମତଦାତା ଭୋଟର ତାଲିକାରୁ ବାଦ୍ ପଡ଼ିଲେ। ତେବେ ଏବର ସ୍ଥିତି ଦେଖିଲେ ଉକ୍ତ ସଂଶୋଧିତ ଫର୍ମକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇନାହାନ୍ତି ବୋଲି ଦର୍ଶାଇବା ସହ ଏ ସଂକ୍ରାନ୍ତ ରେକର୍ଡ ପରୀକ୍ଷା କରିବାକୁ କହିଛନ୍ତି। ସମ୍ଭବତଃ କାଗଜପତ୍ର ଯାଞ୍ଚ ପରେ କିଏ, କେଉଁ ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଥିଲେ ଏବଂ ସର୍ବଉପରେ ଦୋଷୀ ଧରାପଡ଼ିବେ।
୨୮ ସେପ୍ଟେମ୍ବର ୨୦୨୬ରେ ଏହି ସ୍ତମ୍ଭରେ ‘ଘୃଣିତ ଜ୍ଞାନେଶ’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ଜ୍ଞାନେଶ କୁମାରଙ୍କୁ ଗିରଫ କରିବାର ଯେଉଁ ଦାବି ଜନ୍ମ ନେଇଛି ତାହା ଯଥାର୍ଥ ବୋଲି କୁହାଯାଇଥିଲା। ବାସ୍ତବରେ ଜଣେ ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ କ୍ଷମତା ପାଇ ଏକ ବିରାଟକାୟ ସଂସ୍ଥାକୁ ବଦ୍ନାମ କରି ଧୂଳିସାତ କରିଦେଇଥିବାରୁ ତାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଖରାପ ପରମ୍ପରା ସୃଷ୍ଟି କରିବା ନେଇ ଯେଉଁ ଆଶଙ୍କା ଦେଖାଦେଇଥିଲା, ବର୍ତ୍ତମାନ ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ ଦେବା ପରେ ଜ୍ଞାନେଶଙ୍କ ଭୂମିକା ସମ୍ପୂର୍ଣ୍ଣ ସନ୍ଦେହ ଘେରକୁ ଚାଲିଆସିଛି। ତାଙ୍କୁ ବହିଷ୍କାର ସହ ଗିରଫ ଦାବିରେ ଦିଲ୍ଲୀ, ମୁମ୍ବାଇଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତ୍ୱ ନ ଦେଇ ଉପରଠାଉରିଆ ଭାବେ ମତ ଦେଉଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ସଂସ୍ଥା ମଧ୍ୟରେ ମତଭେଦ ରହିବା ଭଲ ପରମ୍ପରା। ଏଠାରେ ଜଣେ ସମ୍ପୂର୍ଣ୍ଣ ମନମାନି କରି ଏକ ସାମ୍ବିଧାନିକ ସଂସ୍ଥାକୁ ନଷ୍ଟ କରିଦେଉଥିଲେ ମଧ୍ୟ ତାଙ୍କୁ ନୈତିକ ସମର୍ଥନ ଦେବା ସବୁଠାରୁ ବଡ଼ ଭୁଲ୍। ଏଠାରେ ଆଉ ଏକ ଦିଗକୁ ଦୃଷ୍ଟି ଦିଆଯାଇପାରେ। ୩ ଅକ୍ଟୋବରରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଜ୍ଞାନେଶଙ୍କ ବିରୋଧରେ ହୋଇଥିବା ବିକ୍ଷୋଭ ବେଳେ ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ବିବେକ ଭଗତ ଯୌନ ଅସଦାଚରଣ କରିଥିବା ଜଣେ ମହିଳା ସାମ୍ବାଦିକ ଅଭିଯୋଗ ଆଣିଥିଲେ। ଆଶ୍ଚର୍ଯ୍ୟର କଥା ଭଗତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ୫ ଅକ୍ଟୋବରରେ ତାଙ୍କୁ ପଦୋନ୍ନତି ଦିଆଯାଇ ଆଡିଶନାଲ ଡେପୁଟି ପୋଲିସ କମିଶନର(ଡିସିପି) ପାହ୍ୟାକୁ ଉନ୍ନୀତ କରାଯାଇଛି। ଏଥିରୁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଆଭିମୁଖ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଏସବୁ ଭୁଲ୍ ପାଇଁ ଜ୍ଞାନେଶଙ୍କ ସହ ଇସିଆଇ ଓ ସରକାରଙ୍କ ଭୂମିକା ଜନସାଧାରଣଙ୍କ ନଜରରେ ପୂରା ସନ୍ଦେହ ଘେରକୁ ଆସିଯାଇଛି। ଏବେ ଦେଶରେ ସବୁଠି ଜ୍ଞାନେଶଙ୍କ ବିରୋଧରେ ସ୍ବର। ଏହି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅଣଦେଖା କରି ସରକାର ଭାବୁଛନ୍ତି ହାଓ୍ବା ଆପେ ବଦଳିଯିବ। ବିଶ୍ୱାସର ସଙ୍କଟ ଯେବେ ଗଭୀର ରୂପ ନିଏ, ସେତେବେଳେ ଦେଶରେ ନା ଯେ କେବଳ ସରକାର ବିରୋଧୀ ଜନମତ ବହେ; ବରଂ ଏହି ଅସନ୍ତୋଷ ଅରାଜକତାର ବାଟ ଖୋଲିଦିଏ। ଏବେଠାରୁ ଏସ୍ଆଇଆର୍ ବିବାଦର ସମାଧାନ କରି ପାଟି ନ ଖୋଲିଲେ ଆଗକୁ ଏହି ଅବିଶ୍ୱାସର ସୁଅ ସଙ୍କଟାପନ୍ନ ପରିସ୍ଥିତି ସୃଷ୍ଟି କରିବ।