କେନ୍ଦୁଝର ସହରକୁ ଜଳଯୋଗାଣ ବନ୍ଦ

କେନ୍ଦୁଝର, ୧୭ା୧୨ (ସ୍ବ.ପ୍ର.):  ହାତୀ ଯୋଗୁ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ଗତ ପ୍ରାୟ ଏକ ସପ୍ତାହ ହେଲା କାନଝରୀ ଡ୍ୟାମରୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଗତ ସପ୍ତାହରେ ନେକଡାଘର ନିକଟ ଜଙ୍ଗଲରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିବା ପରେ ଏହି ସମସ୍ୟା ଦେଖାଦେଇଛି। ଉକ୍ତ ଜଙ୍ଗଲରେ ୧୬ଟି ହାତୀ ବୁଲୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାତିରେ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଉଥିବାରୁ ଏଭଳି ସମସ୍ୟା ଉପୁଜିଛି। ଫଳରେ ପାଣି ନ ପାଇ ହଜାର ହଜାର ପରିବାର ହଇରାଣ ହୋଇ ପଡିଥିବାବେଳେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
ପ୍ରକାଶ ଯେ, କେନ୍ଦୁଝର ସହରର ୬୩,୦୭୫ ଘରକୁ ସାନମାଛକାନ୍ଦଣା ଓ କାନଝରୀ ଡ୍ୟାମରୁ ପାନୀୟ ଜଳ ଯୋଗାଣ ହୋଇ ଆସୁଛି। ସେଥିମଧ୍ୟରୁ କାନଝରୀ ଡ୍ୟାମରୁ ସର୍ବାଧିକ ୩୮,୩୧୫ ଘରକୁ ଜଳ ଯୋଗାଣ ହୋଇଥାଏ। ବାରମ୍ବାର ବିଦ୍ୟୁତ କାଟ ତଥା ପାଇପ ଫାଟିବା ଆଦି କାରଣରୁ ବର୍ଷତମାମ ଜଳଯୋଗାଣ ସମସ୍ୟା ଦେଖାଦେଇଆସୁଛି। ତେବେ ଗତ ୮ ତାରିଖ ରାତିରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିବା ପରେ ବିଦ୍ୟୁତ ଯୋଗାଣ ବନ୍ଦ କରିଦିଆଯାଉଥିବାରୁ ସହରବାସୀ ପାଣି ପାଇଁ ହୀନସ୍ତା ହେଉଛନ୍ତି।
କାନଝରୀ ଡ୍ୟାମରେ ଅର୍ଥ ଥାଇ ଡିଜି ସେଟ ବସା ଯାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ବରିଷ୍ଠ ନାଗରିକ ମନସୁର ଆଲାମ କହିଛନ୍ତି। ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ। ଅନେକ ଲୋକ ବୋରଓ୍ବେଲ ଖୋଳିଥିବାରୁ ସମସ୍ୟା ଜାଣି ପାରୁ ନ ଥିବା ବେଳେ ପାଇପ ପାଣି ଉପରେ ନିର୍ଭରଶୀଳ ସାଧାରଣ ଲୋକ ହୀନସ୍ତା ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ପଚାରିବାରୁ ସହରକୁ ଜଳ ଯୋଗାଣ ପାଇଁ ଦିନକୁ ୧୫/୧୬ ଘଣ୍ଟା ବିଦ୍ୟୁତ ଯୋଗାଣ ଦରକାର। କିନ୍ତୁ ହାତୀ ଉପଦ୍ରବ ପାଇଁ ବିଦ୍ୟୁତ କାଟି ଦିଆଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତୁରନ୍ତ ବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଜଣାଯାଇଛି ବୋଲି କହିଛନ୍ତି। ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ବି.ଏନ.ସାହୁ କହିଛନ୍ତି ଯେ ହାତୀପଲ ଚଳପ୍ରଚଳ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ରାତିରେ ବିଦ୍ୟୁତ କାଟିବାକୁ ପଡୁଛି। ଦିନେ ଦୁଇ ଦିନ ମଧ୍ୟରେ ଦୈନିକ ୧୨ ଘଣ୍ଟା ବିଦ୍ୟୁତ ସେବା ଯୋଗାଇଦିଆଯିବ।