ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ ଡ୍ୟାମରୁ ସ୍ପିଲଓ୍ବେ ମୁଖ୍ୟ ଫାଟକର ୨ଟି ଗେଟ୍ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯାଉଥିବା ଜଳସମ୍ପଦ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ଜଣାଇଛନ୍ତି। ଶନିବାର ରାତିରେ ବ୍ରହ୍ମପୁର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ.ସୁବ୍ରତ ପାଢ଼ୀ, ଅତିରିକ୍ତ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ଇଂ.ଜୟଦୀପ ପଣ୍ଡା ଏବଂ ଅନ୍ୟ ପଦସ୍ଥ ଅଧିକାରୀ ବୃନ୍ଦ ଡ୍ୟାମ୍ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ରବିବାର ଭୋର୍ରେ ଫେରିଛନ୍ତି।
ଶୁକ୍ରବାର ଡ୍ୟାମ୍ ଇଲାକାରେ ୨୫ ମିଲିମିଟର ବର୍ଷା ହୋଇଥିବାବେଳେ ଶନିବାର ୨୮ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ନଦୀ ତଟବର୍ତ୍ତୀ ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି, ଗୁମ୍ମା, ପନାଡ଼, ଜକମେରିପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବ ଗାଁ, ତିଳେଶ୍ୱର, ମହାନଳା, ପଳାଶପୁର, ନୂଆଗଡ଼, ଖୁଲଡ଼ି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନ ଯିବା ସହ କୌଣସି ଗୃହପାଳିତ ପ୍ରାଣୀମାନଙ୍କୁ ନ ଛାଡ଼ିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମ୍ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ରବିବାର ସକାଳ ସୁଦ୍ଧା ଡ୍ୟାମ୍ରେ ୯୬ ଭାଗ ଅର୍ଥାତ୍ ୧୧୭.୪୦ ମିଟର ପାଣି ଗଚ୍ଛିତ ରହିଥିଲା। ଡ୍ୟାମ୍ରେ ୯୦ ପ୍ରତିଶତ ୧୧୬.୮୦ ମିଟର ପାଣି ରଖାଯାଇ ଉଦ୍ବୃତ୍ତ ଜଳ ନଦୀ ମଧ୍ୟକୁ ଛାଡ଼ି ଦିଆଯିବ ବୋଲି ଉପନିର୍ବାହୀ ଯନ୍ତ୍ରୀ କହିଛନ୍ତି।