ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍ କର୍ତ୍ତୃପକ୍ଷ। ଗୁରୁବାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗେଟ୍ ଖୋଲିବା ନେଇ ମକ୍ ଡ୍ରିଲ୍ କରାଯାଇଛି। ଜଳଭଣ୍ଡାରର ୭ଟି ଗେଟ୍ ମଧ୍ୟରୁ କେବଳ ଗୋଟିଏ ୪ ନମ୍ବର ଗେଟ୍ ପ୍ରାୟ ୪୦ ମିନିଟ୍ ପାଇଁ ଟ୍ରାଏଲ୍ ରନ୍ରେ ଖୋଲାଯାଇଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟରରେ ପହଞ୍ଚିଛି।
ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୭୮.୮୦ କ୍ୟୁମେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧୯୩.୯୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ମୁଖୀଗୁଡ଼ାସ୍ଥିତ ୬୦୦ ମେଗାୱାଟ୍ କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ୫୫୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଇନ୍ଦ୍ରାବତୀ-କୋଲାବ ବେସିନ୍ ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ଖାତିଗୁଡା ଗସ୍ତ କରି ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ ଦିନ ମଧ୍ୟରେ ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍ ଖୋଲାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ କହିଛନ୍ତି। ପ୍ରକାଶ ଯେ, ଏଥିପୂର୍ବରୁ ଅଗଷ୍ଟ ୩୧ରେ ନଦୀ ତଳମୁଣ୍ଡ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀଗର୍ଭକୁ ନ ଯିବା ଏବଂ ଗୃହପାଳିତ ପଶୁଙ୍କୁ ନ ଛାଡିବା ପାଇଁ ସତର୍କ କରାଯାଇଥିଲା।