ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି ଆହୁରି ୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ମୋଟ ୮ଟି ଗେଟ୍ରେ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ କରାଯାଉଛି।
ଖୋଲା ଯାଇଥିବା ମୋଟ ୮ଟି ସ୍ଲୁଇସ ଗେଟ ମଧ୍ୟରୁ ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୫ଟି ଏବଂ ଦକ୍ଷିଣ ପାର୍ଶ୍ୱର ୩ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଅପରାହ୍ନ ସାଢ଼େ ୨ଟା ସମୟରେ ହସ୍ତଗତ ସୂଚନା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୩.୫୦ ଫୁଟ୍ ବୃଦ୍ଧି ପାଇଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୫ ହଜାର ୬୩୭ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ଏନେଇ ଜଳଭଣ୍ଡାରରୁ ସମାନ ପରିମାଣର ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।
୮ଟି ସ୍ଲୁଇସ ଗେଟ ଜରିଆରେ ୧ ଲକ୍ଷ ୨୧ ହଜାର ୨୦୦ ଘନଫୁଟ ଏବଂ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ମାଧ୍ୟମରେ ମୋଟ ୩୪,୪୭ ଘନଫୁଟ ଜଳ ନିଷ୍କାସିତ ହେଉଛି। ସୂଚନା ଯୋଗ୍ୟ, ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇ ୧୦ଟି ସ୍ଲୁଇସ ଗେଟ ଖୋଲା ଯାଇଥିଲା ଓ ଗତ ୧୪ ତାରିଖରେ ସମସ୍ତ ଗେଟକୁ ବନ୍ଦ କରି ଦିଆଯାଇଥିଲା। ପୁଣିଥରେ ଗତ ୧୯ ତାରିଖରେ ୪ଟି ଓ ମଙ୍ଗଳବାର ପୁଣି ୪ଟି ମିଶି ମୋଟ ୮ଟି ସ୍ଲୁଇସ ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।