ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଚଳିତ ଋତୁରେ ଗତ ୧୫ଦିନ ଧରି ବନ୍ଦ ଥିବା ଜଳଭଣ୍ଡାରର ସ୍ଲୁଇସ ଗେଟ୍ ମଧ୍ୟରୁ ରବିବାର ୨ଟି ପର୍ଯ୍ୟାୟରେ ୩ଟି ଗେଟ୍ ଖୋଲାଯାଇଛି। ସେଥିମଧ୍ୟରେ ଜଳଭଣ୍ଡାରର ବାମପାର୍ଶ୍ୱର ୨ଟି ଓ ଦକ୍ଷିଣ ପାର୍ଶର ଗୋଟିଏ ମିଶି ମୋଟ ୩ଟି ସ୍ଲୁଇସ୍ ଗେଟ୍କୁ ଖୋଲାଯାଇ ମହାନଦୀକୁ ଅତିରିକ୍ତ ବନ୍ୟା ନିଷ୍କାସନ କରାଯାଉଛି।
ରବିବାର ଅପରାହ୍ନ ସାଢ଼େ ୩ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୬୨ ଫୁଟ କୁ ବୃଦ୍ଧି ପାଇଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୧୪ ହଜାର ୮୭୯ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୮୪,୯୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୩ଟି ସ୍ଲୁଇସ୍ ଗେଟ୍ ଜରିଆରେ ୪୯,୨୩୬ ଘନଫୁଟ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୦,୬୫୮ ଘନଫୁଟ, ବରଗଡ଼ କେନାଲରେ ୩,୭୨୨ ଘନଫୁଟ, ଶାସନ କେନାଲରେ ୩୫୦ ଘନଫୁଟ, ସମ୍ବଲପୁର କେନାଲରେ ୬୯ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୩୭ ଘନଫୁଟ ଜଳ ନିଷ୍କାସିତ ହେଉଛି।