କମୁଛି ଜଳ, ବଢୁଛି ଦୁଃଖ

ଖଇରା, ୨୯।୫ (ଡି.ଏନ.ଏ.)-ବାତ୍ୟା ୟାସ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ଘରେ ପାଣି ପଶି ବର୍ଷକର ଭାତ ହାଣ୍ଡି ଉଜୁଡିଯାଇଛି । ରାସ୍ତା ଧୋଇଯିବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପରିବା, ଆମ୍ବ, ମାଛ, ଧାନ, ବିରି ଚାଷ କରିଥିବା ଚାଷୀ ଶତ ପ୍ରତିଶତ ନଷ୍ଟ ହୋଇଯାଇଥିବାରୁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ତୁରନ୍ତ ସରକାରୀ ସ୍ତରରେ ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ଚାଷୀ, ବ୍ୟବସାୟୀମାନେ ଦାବି କରିଛନ୍ତି । ବାତ୍ୟା ଯୋଗୁ ଖଇରା ବ୍ଲକର ବ୍ୟବସାୟୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବିନା ସୂଚନାରେ ଆମ୍ବହତା କେନାଲକୁ ବିଭିନ୍ନ ସ୍ଥାନରେ ହାଣି ଦିଆଯିବା ତଥା ଖଇରା ବଜାରରେ ଡ୍ରେନଗୁଡିକୁ ବ୍ୟକ୍ତିଗତ ଦଖଲରେ ରଖାଯାଇଥିବା କାରଣରୁ ପାଣି ଦୋକାନ ତଥା ଘରେ ପଶିଥିଲା । ଜଣେ ହେଲେ ବ୍ୟବସାୟୀ ଜିନିଷ ଉଦ୍ଧାର ପାଇଁ ସମୟ ପାଇ ନ ଥିଲେ । ସେହିଭଳି ଗଣ୍ଡିବେଡ, ତୁଡିଗଡିଆ ବଜାରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ନନ୍ଦୁର ପଞ୍ଚାୟତର ଉସୁରିଆ ରୁଢିଙ୍ଗିଆ ରାସ୍ତା, ନନ୍ଦୁର-ସୁଙ୍ଗୁଡା ରାସ୍ତା, ଗଡପୋଖରୀ ପଞ୍ଚାୟତର ପାରିଖମା-ସୁନ୍ଦରପୁର ରାସ୍ତା, ତୁଡିଗଡିଆ-ମାଖନପୁର, ସୋରକୁପାରିଠାରୁ ଗୋପାଳବେଢା ଗ୍ରାମ ରାସ୍ତା ନଷ୍ଟ ହୋଇପଡିଥିବା କାରଣରୁ ଯାତାୟାତ ବନ୍ଦ ହୋଇରହିଛ। ଏହାଛଡା ବିଦ୍ୟୁତଖୁଣ୍ଟ ଏବଂ ତାର ନଷ୍ଟ ହେବା କାରଣରୁ ଭୋଗୁପୁର, ଗୁଆପାଳ ସମେତ ଖଇରା ଉପଖଣ୍ଡର ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ଅନ୍ଧାରରେ ଷଢୁଛନ୍ତି। ଶୁକ୍ରବାର ସହକାରୀ ଉଦ୍ୟାନ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ ଉଦ୍ୟାନ ରକ୍ଷକ ତାରାକାନ୍ତ ମହାପାତ୍ରଙ୍କ ସହ ଗନ୍ଧାଳି ଗ୍ରାମକୁ ଯାଇ ରାମଚନ୍ଦ୍ର ଶତପଥି ତଥା ଅନ୍ୟାନ୍ୟ ଚାଷୀଙ୍କ ଉଜୁଡା ଆମ୍ବ କ୍ଷେତ ପରିଦର୍ଶନ କରିଛନ୍ତି ।