ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍ ହାଉସ୍ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ ବିଟ୍ ହାଉସର ଛାତରୁ ପାଣି ଗଳୁଥିବା ବେଳେ ପ୍ରବେଶ ପଥର ନାମଫଳକ ଭାଙ୍ଗି ତଳେ ପଡ଼ିରହିଛି। ଏଥିସହ ପାଟ୍ରୋଲିଂ ଗାଡ଼ି ଏବଂ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଉଛି।
ଜାରକା ବଜାରରୁ ଧର୍ମଶାଳା ଥାନାର ଦୂରତା ମାତ୍ର ଦୁଇରୁ ତିନି କିଲୋମିଟର ହୋଇଥିଲେ ମଧ୍ୟ, ଅଞ୍ଚଳର ବଢ଼ୁଥିବା ଜନସଂଖ୍ୟା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ୨୦୦୩ରେ ଜାରକାରେ ଏହି ବିଟ୍ ହାଉସ ସ୍ଥାପନ କରାଯାଇଥିଲା। ଏହା ଅଧୀନରେ ୧୬ ନମ୍ବର ଜାତୀୟ ରାଜପଥ, ଜାରକା ବଜାର ଓ ଆଖପାଖର ପାଞ୍ଚଟି ପଞ୍ଚାୟତ ରହିଛି।
ମିଳିଥିବା ସୂଚନାନୁସାରେ, ପୂର୍ବରୁ ଏଠାରେ ପ୍ରାୟ ୧୨ ଜଣ ପୋଲିସ କର୍ମଚାରୀ ନିୟୋଜିତ ଥିବାବେଳେ ବର୍ତ୍ତମାନ ମାତ୍ର ଜଣେ ଅଧିକାରୀ ଓ ୪ ଜଣ କନଷ୍ଟେବଳଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ଫଳରେ ଆଇନଶୃଙ୍ଖଳା ରକ୍ଷା, ପାଟ୍ରୋଲିଂ ଏବଂ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀର ମୁଖ୍ୟ ବଜାର ଜାରକା ଅଞ୍ଚଳ ହୋଇଥିବାରୁ ଏଠାରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଜିଲା କୃଷି କାର୍ଯ୍ୟାଳୟ, ସିଡିପିଓ କାର୍ଯ୍ୟାଳୟ, ଜଳସେଚନ କାର୍ଯ୍ୟାଳୟ, ବିଭିନ୍ନ ସ୍କୁଲ ଓ କଲେଜ, ଚାରିରୁ ଅଧିକ ବ୍ୟାଙ୍କ, ସରକାରୀ ଆବାସିକ କଲୋନୀ ସହ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନ ରହିଛି। ଏହା ନିକଟରେ ବସ୍ ଷ୍ଟପ୍ ଥିବାରୁ ବିଟ୍ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀଙ୍କ ଯାତାୟାତ ହେଉଛି। ଏହାର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ଥିଲେ ମଧ୍ୟ ତାହା ସଠିକ୍ ଭାବେ କାର୍ଯ୍ୟ ମଧ୍ୟ କରୁନାହିଁ। ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବାରୁ ଏହି ଅଞ୍ଚଳରେ ସଡ଼କ ଦୁର୍ଘଟଣା, ରାହାଜାନି, ଚୋରାଚାଲାଣ ଭଳି ଘଟଣାର ଆଶଙ୍କା ସର୍ବଦା ରହୁଛି। ଅଞ୍ଚଳରେ ବାହାର ରାଜ୍ୟ ଓ ଜିଲାର ଅନେକ ଲୋକ ଭଡ଼ାରେ ରହୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ଓ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜାରକା ପୋଲିସ ବିଟ୍ ହାଉସ୍ର ଭିତ୍ତିଭୂମିର ମରାମତି, ଭାଙ୍ଗିପଡ଼ିଥିବା ନାମଫଳକର ପୁନଃସ୍ଥାପନ, ପାଟ୍ରୋଲିଂ ଗାଡ଼ି ଯୋଗାଣ ଓ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ନିଯୁକ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଜିଲା ଆରକ୍ଷୀ ଅଧୀକ୍ଷକ ୟସ ପ୍ରତାପ ଶ୍ରିମଲଙ୍କ ଏ ସମ୍ପର୍କ ରେ ମତାମତ ପାଇଁ ଯୋଗାଯୋଗ କରିଥିଲେ ସୁଦ୍ଧା ଉତ୍ତର ମିଳପାରିନାହିଁ।

