ଓଟି ଛାତରୁ ଗଳୁଛି ପାଣି

ଯୋଡ଼ା, ୯।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ସରକାରୀ ଡାକ୍ତରଖାନାର ଅପରେସନ ଥିଏଟର (ଓଟି) ନିର୍ମାଣର ୪ ମାସ ନ ପୂରୁଣୁ ଛାତ ସିଲିଂରୁ ବର୍ଷାପାଣି ପଡ଼ୁଛି। ଗତ ସୋମବାର ଆଶାକର୍ମୀଙ୍କୁ ନେଇ ଡାକ୍ତରମାନେ ଏକ ବୈଠକ କରୁଥିବାବେଳେ ଧୂଆଁ ଦେଖି ଭୟଭୀତ ହୋଇଯାଇଥିଲେ। ଶଟ ସର୍କିଟ ଯୋଗୁଁ ବିଦ୍ୟୁତ ତାର ପୋଡ଼ି ଏହି ଘଟଣା ଘଟିଥିବା ଜଣାପଡ଼ିଥିଲା। ନାମକୁ ଗୋପନରେ ରଖି ଜଣେ କର୍ମଚାରୀ କହିଛନ୍ତି ଯେ, ମେନ ସୁଇଚ ବନ୍ଦ କରା ନ ଯାଇଥିଲେ ସମ୍ପୂର୍ଣ୍ଣ ଡାକ୍ତରଖାନାରେ ବିଦ୍ୟୁତ ଚାର୍ଜ ହୋଇଯାଇଥାନ୍ତା। ଏନେଇ ଡାକ୍ତରଖାନାର ମୁଖ୍ୟ ଡ. ଶୀତଳ ନାୟକ କହିଥିଲେ ଯେ, ବର୍ଷାଜଳ ସଂସ୍ପର୍ଶରେ ଆସି ବିଦ୍ୟୁତ ଶଟ୍‌ ସର୍କିଟ ହୋଇଥିଲା। ଏହାକୁ ତୁରନ୍ତ ମରାମତି କରାଯାଇଥିଲା। ଛାତରୁ ପାଣି ଗଳି ଏପରି ହୋଇଥିଲା ବୋଲି ଡ. ନାୟକ କହିଛନ୍ତି। ଏହି ଘଟଣା ଘଟିବା ପରେ ଚିକିତ୍ସା ପାଇଁ ଆସିଥବା ରୋଗୀଙ୍କ ମହଲରେ ଭୟର ବାତାବରଣ ଖେଳିଯାଇଥିଲା। ଏ ସମ୍ପର୍କରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାସଙ୍କୁ ପଚାରିବାର ଏହି ଘଟଣା ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଜିଲାପାଳଙ୍କୁ ଏ ନେଇ ଅବଗତ କରାଇ ଏହାର ସ୍ଥାୟୀ ସମାଧାନ କରିବେ ବୋଲି କହିଛନ୍ତି।