ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି

ପାରଳାଖେମୁଣ୍ଡି,୨୨।୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା ଆସିବା କରୁଛନ୍ତି ।
୧୧ ଜାନୁୟାରୀ ୨୦୦୧ରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦ଶଯ୍ୟାବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ କୋଠାଗୃହ ଉଦ୍‌ଘାଟିତ ହୋଇଥିଲା। ନିର୍ମାଣ ହୋଇ ୨୨ବର୍ଷ ହୋଇଥିଲେ ହେଁ ଏହାର ଆବଶ୍ୟକ ରକ୍ଷଣାବେକ୍ଷଣ କରୁ ନ ଥିବାରୁ କୋଠାଗୃହର ଉପର ଛାତ ଜରାଜୀର୍ଣ୍ଣ ହୋଇପଡିଛି। ଚିକିତ୍ସାଳୟର ଗୃହଗୁଡିକ ମଧ୍ୟରେ ରକ୍ଷଣାବେକ୍ଷଣ ନାମରେ ଚୂନ କିମ୍ବା ଡିସ୍ଟେମ୍ପର ମରାଯାଉଛି। ଫଳରେ ଭିତରିଆ ଗୃହଗୁଡିକ ଚକାଚକ ଦେଖା ଦେଉଥିଲେ ମଧ୍ୟ ଛାତ ପଟୁ ପାଣି ଗଳୁଛି । ବିଶେଷ କରି ବର୍ଷା ଜାରି ରହିଥିବାରୁ ପାଣି ଛାତ ମଧ୍ୟ ଦେଇ କକ୍ଷ ବା ଯାତାୟାତ କରୁଥିବା ବାରଣ୍ଡାରେ ଗଳୁଛି । ଏ ନେଇ ବିଭାଗ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ଜଣାପଡିଛି। ଏପରି ଭାବେ ପାଣି ଗଳୁଥିବା ଯୋଗୁ ଛାତର ଭିତରପଟ ପଲସ୍ତରା ଖସିପଡିବା ସମ୍ଭବନା ମଧ୍ୟ ଦେଖାଦେଇଛି । ତେବେ ପାଣି ଗଳୁଥିବା ସ୍ଥାନରେ କର୍ମଚାରୀମାନେ ଅନ୍ୟ କୌଣସି ଉପାୟ ନ ପାଇ ପ୍ଲାଷ୍ଟିକ ବାଲ୍‌ଟି ରଖି ବିକଳ୍ପ ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଛି। ହେଲେ ଏଠାକୁ ଆସୁଥିବା ରୋଗୀମାନଙ୍କ ଆଖି ସମସ୍ୟା ଯୋଗୁ ନ ଦେଖିପାରି କେହି କେହି ପଡି ଯାଉଥିବାର ଅଭିଯୋଗ ହୋଇଛ। ସେହିପରି ଉକ୍ତ ଚିକିତ୍ସାଳୟର କେତେକ କାନ୍ଥରୁ ପାଣି ନିର୍ଗତ ହେଉଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।